ଜାତୀୟ

ସପ୍ତଦଶ ଲୋକସଭା:୧ମ ପର୍ଯ୍ୟାୟରେ ୯୧ ଆସନ ପାଇଁ ମତଦାନ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୧୦/୦୪- ଦେଶର ସପ୍ତଦଶ ଲୋକସଭା ଗଠନ ଲାଗି ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା କାଲି (ଏପ୍ରିଲ ୧୧ ତାରିଖ) ପ୍ରଥମ ପର୍ୟ୍ୟାୟରେ ୧୮ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନ ଲାଗି ଭୋଟ ଗ୍ରହଣ କରାଯିବ। ଏଥିପାଇଁ ମତଦାନ କେନ୍ଦ୍ର ଗୁଡିକରେ ପହଁଚି ଗଲେଣି ପୁଲିଂ ପାର୍ଟି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।

ଆସନ୍ତା କାଲି ଭୋଟ ଗ୍ରହଣ ହେବାକୁ ଥିବା ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୪ଟି ଲୋକସଭା ଆସନ ଲାଗି ମୋଟ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରୁଛନ୍ତି । ତା’ସହ ଏହି ୪ଟି ଲୋକସଭା ଆସନ ଅନ୍ତର୍ଗତ ୨୮ ବିଧାନସଭା ସିଟ୍ ପାଇଁ ଲଢ଼ୁଛନ୍ତି ୧୯୧ ପ୍ରାର୍ଥୀ।

ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୨୯ ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଓ ୩୦ଲକ୍ଷ ୩୦ହଜାର ୨୨୨ ମହିଳା ଭୋଟର ଅଛନ୍ତି। ନିର୍ବାଚନ ପରିଚାଳନା ପାଇଁ ମୋଟ ୪୭ ହଜାର ୮୦୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନକ୍ସଲ ପ୍ରବଣ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦି‌ଆଯାଇଛି। ଚିହ୍ନଟ ହୋଇଥିବା ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ ସଶସ୍ତ୍ର ପୁଲିସ୍ ସହ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିର୍ବାଚନ ସୁରକ୍ଷାରେ ନିୟୋଜିତ କରାଯାଇଛି। ସବୁ ବୁଥ୍‌କୁ ସିସିଟିଭି ସର୍ଭେଇଲାନ୍ସରେ ରଖାଯିବା ସହ ୱେବ କାଷ୍ଟିଂ କରାଯିବ, ଏବଂ ମାଇକ୍ରୋ ଅବଜରର୍ଭର ମତଦାନ ତଦାରଖ କରିବେ।

୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୨ଟିରେ ମତଦାନ ପାଇଁ ସମୟ କଟକଣା ଲାଗିଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ। ମାଓ ଉପଦ୍ରୁତ ଓ ଦୁର୍ଗମ ଅଞ୍ଚଳ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ଏହି କଟକଣା ଲାଗିଛି ସେଗୁଡ଼ିକ ହେଲା ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା। ଅନ୍ୟପକ୍ଷରେ ନବରଙ୍ଗପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *