ମହାନଗର

ବିଜେଡିର ୬ ଉପଦେଷ୍ଟାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), o୫ .o୯- ବିଜେଡିରେ ନେତା ସନ୍ତୁଷ୍ଟିକରଣ ପ୍ରକ୍ରିୟା ଏବେ ସୁଦ୍ଧା ଜାରିରହିଛି। ଏଥିରେ ସକ୍ରିୟ ଭୁମିକା ତୁଲାଉଥିବା ବିଜେଡି ସୁପ୍ରିମୋ ଗୁରୁବାର ଦଳର ୧୧ଜଣ ନେତା ଏବଂ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟାଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ଓ ଅନ୍ୟ ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାର ସୁବିଧାସୁଯୋଗ ମିଳିବ ବୋଲି ଘୋଷଣା କରିଛନ୍ତି। ସରକାରୀ ପଦପଦବୀରେ ଥଇଥାନ ଘୋଷଣାର ପ୍ରାୟ ୨୦ ଦିନ ପରେ ଆଜି ‘ଉପଦେଷ୍ଟା’ ପଦବୀରେ ନିଯୁକ୍ତି ପାଇଥିବା ବିଜେଡି ନେତାଙ୍କୁ ସମସ୍ତ ସରକାରୀ ସୁରକ୍ଷା ଯୋଗାଇ ଦେବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। କୌତୁହଳର ବିଷୟ ଏହି ଉପଦେଷ୍ଟାମାନଙ୍କର କାର୍ଯ୍ୟ କ’ଣ ହେବ ଏପର୍ଯ୍ୟନ୍ତ ସେ ନେଇ ଆବଶ୍ୟକ ଗାଇଡଲାଇନ୍ ବାହାରିନଥିବା ଜଣାପଡିଛି।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁନ୍ନା ଖାଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ଭଳି ସୁବିଧାସୁଯୋଗ ମିଳିବ।

ସେହିପରି ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ୍ କୁମାରଙ୍କୁ ‘ମୁଖ୍ୟ ସଚିବ’ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଚିଲିକା ଉନ୍ନୟନ ପ୍ରାଧିକରଣ ଉପଦେଷ୍ଟା ଉତ୍କଳକେଶରୀ ପରିଡ଼ାଙ୍କୁ ‘ପ୍ରମୁଖ ସଚିବ’ ପାହ୍ୟାର ଦରମା ଓ ସୁବିଧା ସୁଯୋଗ ମିଳିବ। ହେଲେ ଉପଦେଷ୍ଟାମାନଙ୍କର କାର୍ଯ୍ୟ କ’ଣ ହେବ ସେ ନେଇ କୌଣସି ଗାଇଡଲାଇନ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି।

ଏହା ପୂର୍ବରୁ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଥିଲେ ନବୀନ। ଏହି ତାଲିକାରେ ଦଳର ବହୁ ପ୍ରଭାବଶାଳୀ ନେତା ସ୍ଥାନ ପାଇଥିଲେ। କିନ୍ତୁ କେତେକ ରାଜନୈତିକ ବିଶ୍ଳେଷକ ନବୀନଙ୍କର ଏହି ଗୋଛିକଟା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିନଥିଲେ। କାରଣ ତାଲିକାରେ ସ୍ଥାନ ପାଇଥିବା ନେତାଙ୍କ ମଧ୍ୟରେ ଏମିତି କେତେକ ନେତା ଅଛନ୍ତି, ସେମାନଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀକୁ ବିଚାର କରାଗଲେ ତାଙ୍କ ପାଇଁ ପର୍ଯ୍ୟବେକ୍ଷକ ପଦବୀ ଯଥେଷ୍ଟ ନୁହେଁ। କାରଣ ଏବେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ନେତା ଗତ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନକର୍ତ୍ତା ଭାବେ ଶତ ପ୍ରତିଶତ ସଫଳତା ପାଇଛନ୍ତି। କିଏ କେଉଁଠୁ ପ୍ରାର୍ଥୀ ହେଲେ ଜିତିପାରିବ ଏହାର ପୂର୍ବାନୁମାନ କରି ନିଜର ଦକ୍ଷତା ପ୍ରତିପାଦିତ କରିଥିବା ନେତାଙ୍କୁ ନବୀନ ସଠିକ୍ ଥଇଥାନ କରିନଥିବା ରାଜନୈତିକ ବିଶ୍ଳେଷକମାନେ ପ୍ରତିକ୍ରିୟା ରଖିଥିଲେ।

ସମ୍ପ୍ରତି ଉପଦେଷ୍ଟା ନିଯୁକ୍ତି ପ୍ରସଙ୍ଗ ଦଳର ଅଭ୍ୟନ୍ତରୀଣ ବିବାଦକୁ ଲୁଚାଇବା ପାଇଁ ଏକ ବିଧିବଦ୍ଧ ପ୍ରୟାସ। ରାଜ୍ୟରେ ବିଜେପିର ଭୋଟ୍ ହାର ହ୍ରାସ କରିବାକୁ ନବୀନ ଯେଉଁ ଭଳିକି ଭଳିକି ନିଷ୍ପତ୍ତି ନେଉଛନ୍ତି, ତାହା ଅସନ୍ତୁଷ୍ଟଙ୍କୁ ମନେଇବାରେ କେତେଦୂର ସହାୟକ ହେବ ଏନେଇ ଚର୍ଚ୍ଚା ଯୋରଧରିଛି।

Leave a Reply

Your email address will not be published. Required fields are marked *