ଜାତୀୟ

ପୁତ୍ରବଧୂ ଶ୍ଳୋକା ପାଇଁ ଶ୍ଳୋକଟିଏ

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ),୧୩/୨- ଭାରତର ପ୍ରଖ୍ୟାତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରେ ମାର୍ଚ୍ଚ ୯ ରେ ପୁଣି ବାଜିବ ସେହେନାଇ। ଆକାଶ ସହ ଯୋଡି ହେବା ଲାଗି ବ୍ୟାକୁଳ ଶ୍ଳୋକା। ଆପଣ ଏମାନଙ୍କ ପରିଚୟ ଜାଣି ଯିବେଣି। ସୂତ୍ର ମୁତାବକ ରସେଲ ମେହେଟାଙ୍କ ସୁପୁତ୍ରୀ ଶ୍ଳୋକା ମେହେଟାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବେ ମୁକେଶ ଅମ୍ବାନୀଙ୍କ ସୁପୁତ୍ର ଆକାଶ। ମୁମ୍ବାଇରେ ବଡ ଧୂମଧାମରେ ହେବାକୁ ଯାଉଛି ଅମ୍ବାନୀ ପରିବାରର ବିବାହୋତ୍ସବ।

ଏଇତ ଅମ୍ବାନୀ ପରମ୍ପରା। ଅମ୍ବାନୀ କେବଳ ଧନୀ ନୁହଁନ୍ତି, ବରଂ ଧନୀ ଉତ୍ପାଦନକାରୀ କାରଖାନା। ବିଶ୍ୱ ବାଣିଜ୍ୟ କ୍ଷେତ୍ରର ଏହି ଦିଗ୍ଗଜ ତାଙ୍କ ଝିଅ ବାହାଘରେ ଯେଭଳି ଷ୍ଟାଟସ୍, ଷ୍ଟ୍ରାଟେଜୀ ମେଣ୍ଟେନ କରିଥିଲେ, ପୁତ୍ର ଆକାଶଙ୍କ ପାଇଁ ସେସବୁ ପ୍ରସ୍ତୁତ। ଅମ୍ବାନୀ ପରିବାରର ବିଶେଷତ୍ୱ ହେଲା କିଛି ନୂଆ କରି ଦେଖେଇବା।

ପୁତ୍ର ଆକାଶ ବିବାହ ପୂର୍ବରୁ ତାଙ୍କ ବନ୍ଧୁମାନଙ୍କ ଲାଗି ସୁଇଜରଲ୍ୟାଣ୍ଡରେ ଏକ ବ୍ୟାଚଲର୍ ପାର୍ଟି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପାର୍ଟି ଫେବୃୟାରୀ ୨୩ ରୁ ୨୫ ଯାଏଁ ଚାଲିବ। ଏଥିରେ କରଣ ଜୋହର, ରଣବୀର୍ କପୁରଙ୍କ ସମେତ ଆକାଶଙ୍କର ଅନେକ ବଲିଉଡ ବନ୍ଧୁ ଯୋଗ ଦେବେ। ରିପୋର୍ଟସ ମୁତାବକ ପ୍ରାୟ ୫ ଶହ ଜଣ ବନ୍ଧୁଙ୍କୁ ଲୋକେସନରେ ପହଁଚାଇବା ପାଇଁ ୨ଟି ଫ୍ଲାଇଟ ବ୍ୟବସ୍ଥା କରାଯାଇଛି।

ଏବେ ଆପଣଙ୍କ ଲାଗି “ପୁତ୍ରବଧୂ ଶ୍ଳୋକା ପାଇଁ ଶ୍ଳୋକଟିଏ” ଶୀର୍ଷକର ସଜ୍ଞା ବଖାଣିବାକୁ ପଡିବ। ଏସବୁ ଅମ୍ବାନୀ ବୁନିୟାଦି ରେ ନିହାତି ସାଧାରଣ କଥା। ମାତ୍ର ଘଟଣାଟି ଚମକାଇ ଦେଲାଭଳି। କାରଣ ମୁକେଶ ଅମ୍ବାନୀଙ୍କ ଭଳି ଜଣେ ବିତ୍ତଶାଳୀ ବ୍ୟକ୍ତି ଦେଶର ସଂସ୍କୃତି ଓ ପରମ୍ପରାକୁ ଯେ ହୃଦୟରୁ ସମ୍ନାନ ଜଣାଇଥାନ୍ତି, ତାହା ପ୍ରମାଣିତ କରୁଛି ଆକାଶଙ୍କ ବାହାଘର ନିମନ୍ତ୍ରଣ କାର୍ଡ।

ଝିଅ ଇଶାଙ୍କ ବାହାଘର ନିମନ୍ତ୍ରଣ କାର୍ଡକୁ ନେଇ ଦେଶରେ ଯେଭଳି ଚର୍ଚ୍ଚା ଚାଲିଥିଲା, ଆକାଶଙ୍କ ନିମନ୍ତ୍ରଣ କାର୍ଡ ର ମଧ୍ୟ ସେଭଳି କ୍ରେଜ୍ ଦେଖିବାକୁ ମିଳିଛି। ଭାବୀ ପୁତ୍ରବଧୂ ଶ୍ଳୋକାଙ୍କର ଆମ୍ବାନୀ ଏମ୍ପାୟାରକୁ ଆଗମନ ପୂର୍ବରୁ ଏବେଠାରୁ ବିଶ୍ୱବ୍ୟାପୀ ଗୁଞ୍ଜରଣ ସୃଷ୍ଟି କରିଛି ସୁମହାନ ଶ୍ଳୋକ “ଅଚ୍ୟୁତଂ କେଶବମ୍ କୃଷ୍ଣ ଦାମୋଦରମ୍”। ସନାତନ ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଣ୍ୟ ପ୍ରସିଦ୍ଧ ଶ୍ଳୋକଟି ବାହାଘର ନିମନ୍ତ୍ରଣ କାର୍ଡ ସହ ଯୋଡାଯାଇଛି। ଶୁଣିଲେ ନିଶ୍ଚୟ ଖୁସି ହେବେ କି କାର୍ଡଟି ଗୋଟିଏ ଦାମୀ ବାକ୍ସ ମଧ୍ୟରେ ରଖାଯିବ ଏବଂ ବାକ୍ସଟି ଖୋଲିବା ମାତ୍ରେ ଏହି ଶ୍ଳୋକ ଶୁଣିବେ ଅତିଥି। ତାହାସହ ରାଧାକୃଷ୍ଣଙ୍କ ସୁନ୍ଦର ଯୁଗଳ ଚିତ୍ରକୁ କାର୍ଡରେ ଅଧିକ ଫୋକସ କରାଯାଇଛି। ଏହାର ଭିଡିଓ ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ପୁରା ଖଚାଖଚ ଭାଏରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *