ଜାତୀୟ

ବିଜୁବାବୁଙ୍କ ବୀରତ୍ୱର ଦିନଟିଏ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଅକ୍ଟୋବର ୨୭ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଦିନଟିଏ। ୧୯୪୭ ମସିହାର ଏହି ଦିନରେ ପାକିସ୍ତାନୀ ସେନାର ଗୁଳିଗୋଳା ବର୍ଷଣକୁ ବେଖାତିର କରି ବିଜୁ ପଟ୍ଟନାୟକ ସେନାକୁ କାଶ୍ମୀରର ଶ୍ରୀନଗର ବିମାନଘାଟିରେ ପ୍ରଥମେ ପହଞ୍ଚାଇଥିଲେ। ଆଜି ଦେଶ ସଗୌରବେ ଏହି ଦିନଟିକୁ ପାଳନ କରୁଛି ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଉଛି।

କୁହାଯାଏ ଯଦି ସେହିଦିନ ଭାରତର ସୈନିକମାନେ ଶ୍ରୀନଗରରେ ପହଁଚିନଥାନ୍ତେ ତେବେ ହୁଏତ ଜାମ୍ମୁ-କାଶ୍ମୀର ଆଜି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିନଥାନ୍ତା। ଶ୍ରୀନଗରରୁ ମାତ୍ର ୩୦ କିମି ଦୂରରେ ପହଁଚି ସାରିଥିବା ପାକିସ୍ତାନ ସେନାର କବ୍ଜାକୁ ଚାଲିଯାଇଥାନ୍ତା।

ବିଜୁବାବୁ ହିଁ ସେହି ବ୍ୟକ୍ତି ଯିଏ କାଶ୍ମୀର ସୁରକ୍ଷାର ସମ୍ପୂର୍ଣ୍ଣ ଶ୍ରେୟ ପାଇବେ। ସେତେବେଳକୁ ଭାରତ ସ୍ୱାଧୀନ ହୋଇସାରିଥିଲା। କିନ୍ତୁ କାଶ୍ମୀର ଭାରତ ସହ ମିଶିନଥିଲା। ମହାରାଜା ହରି ସିଂ କାଶ୍ମୀରର ଶାସନକର୍ତ୍ତା ଥିଲେ। ପାକିସ୍ତାନ କାଶ୍ମୀର ଅଧିକାର କରିବାକୁ ଅଭିଯାନ ଆରମ୍ଭ କରିଥିଲା ଏବଂ ସଫଳତା ପରେ ସଫଳତା ପାଇ ଚାଲିଥିଲା।

ହରି ସିଂ ଭାରତର ସହାୟତା ଲୋଡ଼ିଥିଲେ ମଧ୍ୟ ସେନା ପହଁଚିବା ସମ୍ଭବପର ନଥିଲା। ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ବିଜୁ ପଟ୍ଟନାୟକଙ୍କ ପରାମର୍ଶ ଲୋଡ଼ିଥିଲେ ଓ କିଭଳି ଶ୍ରୀନଗରକୁ ସେନା ଯିବ ସେଥିପାଇଁ ବିଚାରମର୍ଷ କରିଥିଲେ।

ପାକିସ୍ତାନୀ ସେନାର ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାବାହିନୀକୁ ପହଞ୍ଚାଇବାର ଏକ ଦୁଃସାହସିକ କାର୍ଯ୍ୟ କିଏ କରିବ ସେ ନେଇ ସ୍ଥିର ହୋଇପାରିନଥିଲା। ଶେଷକୁ ବିଜୁ ପଟ୍ଟନାୟକ ହିଁ ଆଗଭର ହୋଇଥିଲେ ଓ ଭାରତୀୟ ସେନାକୁ ଶ୍ରୀନଗରରେ ପହଞ୍ଚାଇବାର ଦାୟିତ୍ୱ ନେଇଥିଲେ। ୧୯୪୭ ମସିହା ଅକ୍ଟୋବର ୨୭ ତାରିଖ ଭୋରରୁ ଭାରତୀୟ ସେନା ଶ୍ରୀନଗରରେ ପହଁଚିଥିଲା। ଶିଖ୍ ରେଜିମେଣ୍ଟର ସୈନିକମାନେ ସେଠାରେ ପ୍ରଥମେ ପହଁଚିଥିଲେ। ପରେ ପାକିସ୍ତାନ ସେନାବାହିନୀ ପଛଘୁଞ୍ଚା ଦେଇଥିଲା ଓ କାଶ୍ମୀର ସୁରକ୍ଷିତ ରହିଥିଲା। ଦେଶ ଆଜି ସେହି ବୀରତ୍ୱର ୭୦ତମ ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ବୀର ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏ ନେଇ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛି।

One Reply to “ବିଜୁବାବୁଙ୍କ ବୀରତ୍ୱର ଦିନଟିଏ

Leave a Reply

Your email address will not be published. Required fields are marked *