ସମ୍ପାଦକୀୟ

କାଳିଆ ଟଙ୍କା’ ଲୁଟିଥିବା ସରକାରୀ ଅଧିକାରୀ ବନ୍ଧା ହେବେ !

ମନୋରଞ୍ଜନ ପଟ୍ଟନାୟକ,୧୮.o୯- ଲାଜ ଲାଗିବା କଥା। ସରକାରୀ ଚାକିରୀ କରି ମଧ୍ୟ ଖାଇଗଲେ ‘କାଳିଆ ଟଙ୍କା’! ପୁଣି ୧oo  କି ୨oo ଜଣ ନୁହଁନ୍ତି  ପୁରା ୩୨ ହଜାର ସରକାରୀ କର୍ମଚାରୀ! ଏଇଟା ତ ଲୋକଲଜ୍ଜା ଭୟରେ ସରକାର ଦେଇଥିବା ମନଗଢା ତାଲିକା। ହେଲେ ମଙ୍ଗଳବାର ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କାଳିଆ ଯୋଜାନରେ ୩.୪୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ସରକାର ତାଙ୍କ କୃଷି ବିଭାଗର ବିପୁଳ ସଂଖ୍ୟକ କାଳିଆ ଚୋରଙ୍କୁ ବଞ୍ଚାଇବାକୁ ଯାଇ ଶେଷରେ ମିଛ କହିଲେ। ମଙ୍ଗଳ ଯାଇ ବୁଧବାର ଆସିବାବେଳକୁ ଯୋଜନାରୁ ଚୋରୀ କରି ଚିହ୍ନଟ ହୋଇଥିବା ୩.୪୧ ଲକ୍ଷ ହିତାଧିକାରୀଙ୍କ ସଂଖ୍ୟା ରାତାରାତି କିଭଳି ୩୨ ହଜାର ହୋଇଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହି ସଂଖ୍ୟା ମଧ୍ୟରେ ଅଛନ୍ତି କୃଷି ଓ ଅନ୍ୟାନ୍ୟ ବିଭାଗର ୨୦ ହଜାର ସରକାରୀ ଚୋର ଓ ୧୨ ହଜାର ପେନସନ୍ ଭୋଗୀ।

ରାଜ୍ୟର ରାଜନୈତିକ ବିଶ୍ଲେଷକମାନେ କହିଲେ ଯେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ସିଧାସଳଖ ଟଙ୍କା ବାଣ୍ଟିବା ଲକ୍ଷ୍ୟରେ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଆମେ କହିବୁ ଯୋଜନାଟି ଗରିବ ଲୋକଙ୍କ ପାଇଁ ପୁରାପୁରି ଠିକ୍ ଥିଲା। ଏହି ମହଙ୍ଗା ଯୁଗରେ ଚାଷୀଭାଇକୁ କିଛି ସରକାରୀ ସହାୟତା ମିଳିବା କଥା ଭାବିବା ମାତ୍ରେ ଖୁବ୍ ଖୁସି ଲାଗୁଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୁମା ଦେବାକୁ ଇଚ୍ଛା ହେଉଛି। କିନ୍ତୁ କିଏ ବା ଜାଣିଥିଲା ଢୋଲ ଭିତରେ ମୂଷା!

ହଇଓ ଭାଇ, ସରକାରୀ ଚାକିରୀ କରିଛ, ମଲାଯାଏଁ ପେନସନ୍ ପାଇବ। ହେଲେ ଏତେ ଲୋଭ କାହାପାଇଁ ! ତୁମକୁ କିଏ କହିଥିଲା ଭୋକିଲା ପଡିଛ ବୋଲି ସ୍ତ୍ରୀ, ପିଲା, ଭାଇ, ଭାଉଜ, ବାପା, ମା’, ଜେଜେ, ଜେଜେମା’, ସାନ ଜେଜେ, ସାନ ଜେଜିମା’ ଶଳା, ଶାଳୀ, ସ୍ତ୍ରୀ’ର ଉପର ଭଉଣୀ, ଭିଣୋଇ ତଥା ସାତପୁରୁଷରୁ କୁଟୁମ୍ବ ମଧ୍ୟରେ ଥିବା ସମ୍ପର୍କୀୟଙ୍କ ନାଁରେ ‘କାଳିଆ ଟଙ୍କା’ ଖାଇବ ? ତୁମେ ଏଇଜୌଁ କାଣ୍ଡ କଲ, ବିଜେଡି ସରକାରରେ ମୁଖପାତ୍ର ଥିବା ରାଜାଘର ପୁଅ ପ୍ରତାପ ଦେବ ବଦନାମ ହେଲେ। ତୁମ ଭଳି ଅଲାଜୁକଙ୍କ ପାଇଁ ଚିହ୍ନଟ ହୋଇଥିବା ୩.୪୧ ଲକ୍ଷ ହିତାଧିକାରୀଙ୍କ ତାଲିକା ମନ ଭିତରେ ରଖି ପ୍ରତାପ ଦେବ ଏହି ସଂଖ୍ୟା ୩୨ ହଜାର ବୋଲି ମିଛ କହିଲେ। ଆମ ସାମ୍ବାଦିକମାନଙ୍କୁ ଲୋକ ପଚାରୁଛନ୍ତି ସ୍ୱଚ୍ଛତାର ନାରା ଦେଉଥିବା ବିଜେଡି ସରକାର କାଳିଆ ଟଙ୍କା ଚୋରଙ୍କୁ ବାନ୍ଧିବେ କେବେ?

ଶାସକ ବିଜୁ ଜନତା ଦଳ ପାଇଁ କାଳିଆ ଯୋଜନା ପ୍ରହସନ ପାଲଟିଛି। ସରକାରୀ ଚୋରଙ୍କୁ ଘଣ୍ଟ ଘୋଡାଇବା ପାଇଁ ଦଳ ଅଡ଼ୁଆରେ ପଡ଼ିଯାଇଛି। ତେଣୁ ଗାଲୁ ମାରି ଖସିବାକୁ ଚେଷ୍ଟା ଚଳେଇଛି। ଏହି କ୍ରମରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି  ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। ସେ କହିଥିଲେ ଯେ “ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ, “କାଳିଆ ଟଙ୍କା ପାଇଥିବା କେବଳ ୧୨ ହଜାର ବଡ଼ ଚାଷୀ ଓ ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ। ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ ନୁହଁନ୍ତି। ଯଦି ପରିବାରର ଏକାଧିକ ଲୋକେ କାଳିଆ ଟଙ୍କା ପାଇଥିବେ, ପରବର୍ତ୍ତୀ କିସ୍ତିରେ ଆଉ ଟଙ୍କା ପାଇବେନି। ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ।”

କିନ୍ତୁ କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ଗତକାଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କାଳିଆ ଯୋଜାନରେ ୩.୪୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ମନ୍ତ୍ରୀଙ୍କ କଥା ମୁଖପାତ୍ର କେମିତି ଓ କାହା ନିର୍ଦ୍ଦେଶରେ କହିଲେ ତାହାକୁ ନେଇ ସମସ୍ତେ ସ୍ତବ୍ଧ। ସେପାଖେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି।” > ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *