ଶବ୍ଦର ଖେଳ

ସାମ୍ୟବାଦ ଅନୁଚିନ୍ତକ ଭଗବତୀ ପାଣିଗ୍ରାହୀ

ଡ଼ଃ.ଅରୁନ୍ଧତୀ ଦେବୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ,୧୫/୩/୨୦୧୮- ଓଡ଼ିଶାରେ ସାମ୍ୟବାଦୀ ଚିନ୍ତନ ଓ ତତ୍କାଳୀନ ବିଂଶ ଶତାବ୍ଦୀର ତୃତୀୟ ଦଶକରେ ରାଜନୈତିକ ମହଲକୁ ଚର୍ଚ୍ଚିତ କରିଥିବା ବିରାଟ ବଡ଼ ବ୍ୟକ୍ତିତ୍ୱ ଥିଲେ ଭଗବତୀ ଚରଣ ପାଣିଗ୍ରାହୀ। ରାଜନୈତିକ କ୍ଷେତ୍ରରେ ବଡ଼ ବିଚିତ୍ରତା ଥିଲା ଏହା ଯେ ଭଗବତୀ ଚରଣ ପାଣିଗ୍ରାହୀ ସମସ୍ତଙ୍କ ପ୍ରିୟ ବାପୁଜୀଙ୍କର ଅହିଂସାର ପଥକୁ ଗ୍ରହଣ ନକରି କମ୍ରେଡ୍ ଲେଲିନଙ୍କ ଚିନ୍ତନକୁ ଆପଣାଇଥିଲେ। ପାଣିଗ୍ରାହୀଙ୍କ ନେତୃତ୍ୱ ସମର୍ଥନରେ ଓଡ଼ିଶାରେ ବିଶେଷକରି ଯୁବକମାନଙ୍କ ମଧ୍ୟରେ ଏକ ପ୍ରକାର ଶିହରଣ ସୃଷ୍ଟି ହେବା ସହ ଇଂରେଜମାନଙ୍କୁ ଭାରତରୁ ତଡ଼ିବା ପାଇଁ ସେସବୁ ସହାୟକ ହୋଇଥିଲା। ଖୋର୍ଦ୍ଧାର ବିଶିଷ୍ଟ ଜନନାୟକ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ତାଙ୍କର ପିଲାବେଳର ସାଥି ଥିବାରୁ ପରବର୍ତ୍ତୀ ସମୟରେ ସେମାନଙ୍କ ଘନିଷ୍ଠତା ବଢ଼ିଥିଲା। ଦୁହେଁ ପୁରୀ ଜିଲ୍ଲା ସ୍କୁଲରେ ପଢ଼ୁଥିଲେ।

୧୯୩୬ରେ ଏହି ଦୁଇ ବନ୍ଧୁ ଓ ଗୁରୁଚରଣ ପଟ୍ଟନାୟକ ଓଡ଼ିଶାରେ ବିଧିବଦ୍ଧ ଭାବେ କମ୍ୟୁନିଷ୍ଟ ଦଳ ଗଠନ କରିଥିଲେ। ଭଗବତୀ ଚରଣ ନବଗଠିତ କମ୍ୟୁନିଷ୍ଟ ଦଳର ସଂପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧୀ ଥିଲେ। ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ ହେଁ ପୂଜାପାଠ ସହ କୌଣସି ସଂପର୍କ ନଥିଲା। ଏପରିକି ଉପବୀତ ସୁଦ୍ଧା ଧାରଣ କରୁନଥିଲେ। ତାଙ୍କ ପାଇଁ ମାନବ ସେବା ହିଁ ଥିଲା ମାଧବ ସେବା। ସେ ଥିଲେ ବନ୍ଧୁବତ୍ସଳ, ମଉଜିଆ ମଣିଷ। ସାହିତ୍ୟ କ୍ଷେତ୍ରରେ ନବ ଭାବଧାରା ଓ ଚେତନା ସୃଷ୍ଟି ପାଇଁ ବନ୍ଧୁମାନଙ୍କ ହସ ମିଶି ସେ ଗଢ଼ିଥିଲେ ନବଯୁଗ ସାହିତ୍ୟ ସଂସଦ। ଏହି ସଂଗଠନର ମୁଖପତ୍ର ଥିଲା ‘ଆଧୁନିକ ପତ୍ରିକା’। ସାହିତ୍ୟକୁ ସେ ସମାଜ ପରିବର୍ତ୍ତନ କାର୍ଯ୍ୟରେ ବ୍ୟବହାର କରୁଥିଲେ। ଭଗବତୀ ଚରଣଙ୍କ ସାହିତ୍ୟ ହେଉଛି ସର୍ବହରାର ସାହିତ୍ୟ ଏବଂ ଗଣସାହିତ୍ୟ। ସେ ସମୟରେ ପାଠକଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ପତ୍ରିକାରେ ସେ ବେଶ୍ ଖୋଲା ଅର୍ଥରେ ସୁସ୍ପଷ୍ଟ କରିଥିଲେ ଯେ ‘ସୃଜନଶୀଳ ସାହିତ୍ୟ ମାନବର ମନରେ କର୍ମ ତତ୍ପରତା ସୃଷ୍ଟି କରିବା ସହ ଜୀବନକୁ ପ୍ରତିଟି ମୁହୂର୍ତ୍ତରେ ଆସନ୍ନ ଘଟଣାକୁ ସାମ୍ନା କରିବା।’ ସେ ସାହିତ୍ୟକୁ ଏକ ସାଧନା ଭାବରେ ବିଚାର କରି ମତ ପ୍ରକାଶ କରିଥିଲେ ଯେ ‘ଘରର ତଥାକଥିତ ଆନନ୍ଦଦାୟକ ଆରାମ ଚୌକିରେ ବସି ବିଳାସ ବା ସୌଖୀନ ସାହିତ୍ୟ ଜଣଙ୍କୁ ପ୍ରଭାବିତ କରୁ ଯାହାକି କଣ୍ଟକିତ ଜୀବନ ସଂଘର୍ଷକୁ ବୁଝାଇବା ପାଇଁ ବେଶ୍ ସମର୍ଥ ହୋଇପାରିବ।’

ଏକାଧାରରେ ସେ ଥିଲେ କବି, ଗାଳ୍ପିକ, ପ୍ରାବନ୍ଧିକ ଓ ଅନୁବାଦକ। ଅଗଣିତ ଓଡ଼ିଆମାନଙ୍କ ଭିତରେ କମ୍ୟୁନିଷ୍ଟ ଚିନ୍ତାଧାରାକୁ ବୁଝାଇବା ଓ କମ୍ୟୁନିଷ୍ଟ ଚିନ୍ତନର ପୁସ୍ତକ ହାତପାହାନ୍ତାରେ ଉପଲବ୍ଧ ହେବାପାଇଁ ସେ ଚିନ୍ତା କରି ମାର୍କସ ଓ ଏଞ୍ଜେଲ୍ଙ୍କ କମ୍ୟୁନିଷ୍ଟ ମାନିଫେଷ୍ଟୋ ଓଡ଼ିଆରେ ଅନୁବାଦ କରିଥିଲେ। ବୈଜ୍ଞାନିକ ସମାଜବାଦ ନାମରେ ତାହା ପ୍ରକାଶ ପାଇଥିଲା। ପାଣିଗ୍ରାହୀଙ୍କ ସୃଜନଶୀଳତା ଆଖପାଖର ସତ୍ୟନିଷ୍ଠ ଚରିତ୍ରମାନଙ୍କୁ ଦେଖି ସେହିପରି ରଚନା ରହୁଥିଲା। ତାଙ୍କର ଯେଉଁ କିଛି ଗପ କୋଟି କୋଟି ଓଡ଼ିଆଙ୍କ ହୃଦୟକୁ ଛୁଇଁ ପାରିଛି ତାହା ହେଉଛି ‘ଶିକାର’, ‘ହାତୁଡ଼ି’ ଓ ‘ଦାଆ’, ‘ମିଶ୍ରଙ୍କ କୋପ’, ‘ସମୟାତୀତ’, ‘ଝଡ’ ଆଦି ତାଙ୍କର କେତେକ ଅଭୁଲା ଗଳ୍ପ। ଦ୍ୱିଧା ଓ ଲେନିନ୍ ନାମରେ ଦୁଇଟି କବିତା ଲେଖିଥିଲେ। ଲେନିନ୍ ତାଙ୍କ ପାଇଁ ଏକ ପ୍ରତୀକ। ସେ ଲେଖିଛନ୍ତି ‘ଲେନିନର ଯୁଗ ସାରା ଦୁନିଆରେ ଗଢ଼ିଉଠୁଅଛି ଦେଖ; ଦିଗ ଭାଗ ଏବେ ଦିଶିଲାଣି ତାର ମହନୀୟ ରୂପରେଖ; ଜାଗ ନରନାରୀ। ସେ ଯୁଗ ଚରଣେ ତୁଟାଇ ସକଳ ମାୟାରେ’। ଓଡ଼ିଆ ସାହିତ୍ୟକୁ ସେ ଅନେକ କାଳଜୟୀ ସୃଷ୍ଟି ଅର୍ପଣ କରିଯାଇଛନ୍ତି। ସେ ସବୁବେଳେ ତଥାକଥିତ ସାମାଜିକ ଶ୍ରେଣୀଚେତନା ଓ ସାମ୍ୟବାଦୀ ଚିନ୍ତନଧାରାକୁ ପ୍ରେରଣା ଯୋଗାଉଥିଲେ। ସମାଜରେ ଜାତିବାଦ ପ୍ରଥାର ସେ ତୀବ୍ର ବିରୋଧି ଥିଲେ। ତାଙ୍କ ମତ ହେଉଛି ‘ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ଏବଂ ପରସ୍ପର ପରସ୍ପରକୁ ସ୍ନେହ, ପ୍ରେମ ଓ ସହଯୋଗ କରିବା ଦ୍ୱାରା ସମାଜ ଓ ଜାତିର ପ୍ରଗତି ସମ୍ଭବ।’ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପ୍ରକାଶିତ ଓଡ଼ିଆ ଲେଖକ ପରିଚୟ ପୁସ୍ତକ ଅନୁଯାୟୀ ୧୯୦୮ ଫେବୃଆରୀ ୧ ତାରିଖ ବିଶ୍ୱନାଥପୁରରେ ଜନ୍ମ ହୋଇଥିଲେ ଏହି ମହାନ୍ ବିପ୍ଳବୀ ଲେଖକ। 
ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର



Leave a Reply

Your email address will not be published. Required fields are marked *