ମହାନଗର

୨୦ ପ୍ରଶ୍ନର ଉତ୍ତର ମିଳିଲାନି

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ)- ୧୮ ବର୍ଷର ଓଡ଼ିଶାବାସୀଙ୍କ ଜନ ଆଶୀର୍ବାଦ ଓ ଚାରି ଚାରି ଥର ସରକାର ଗଠନ କରିଛି ବିଜେଡି। ଦଳର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତିଙ୍କୁ ଓଡ଼ିଶାବାସୀଙ୍କ ୨୦ଟି ପ୍ରଶ୍ନର ଜବାବ ମାଗିଥିଲା ଭାଜପା। ହେଲେ ଆଜି ସୁଦ୍ଧା କୌଣସି ଗୋଟିଏ ବି ପ୍ରଶ୍ନର ଉତ୍ତର ପାଇଲେନି ରାଜ୍ୟ ଭାରତୀୟ ଜନତା ପାର୍ଟି ନେତୃତ୍ୱ। ଓଡ଼ିଶାବାସୀଙ୍କର ଜନ ସମସ୍ୟାକୁ ଜନ ଆନ୍ଦୋଳନର ରୂପ ଦେଇ ଭାଜପା ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପରାଗତା ଓ ଦୁର୍ନୀତିର ମୁଖା ଖୋଲି ଦେଇଥିବା କୁହାଯାଉଥିବା ବେଳେ ବିଜେଡି ସୁପ୍ରିମୋ ନିଦାବିଷ୍ଣୁ।

ପରୋକ୍ଷରେ ଏହାକୁ କଟାକ୍ଷ କରିଛି ଭାଜପା। ଦଳ ପକ୍ଷରୁ କୁହାଯାଇଛି କି ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାର ମୁଖ୍ୟ ଚେଲା ବାବୁଙ୍କୁ ଏଯାଏଁ ହାତ ଲେଖା ଦେଇନଥିବାରୁ କାଳେ ବିଳମ୍ବ ଘଟିଛି। ତେବେ ଭାଜପା ଉଠାଇଥିବା ପ୍ରଶ୍ନ ଗୁଡିକ ଉପରେ ଆଉଥରେ ନଜର ପକାଇବା। ଦଳ ପକ୍ଷରୁ ପଚରାଯାଇଛି କି, ବିଜେଡ଼ି ନେତାଙ୍କର ଛତ୍ରଛାୟା ତଳେ ସଂଗଠିତ ଚିଟଫଣ୍ଡ ମହାଦୁର୍ନୀତିରେ ସାଧାରଣ ଓଡ଼ିଆ ସର୍ବସ୍ୱାନ୍ତ। କେବେ ମିଳିବ ସେହି ଅର୍ଥ ? କୁଆଡ଼େ ଗଲା ବହୁ ଚର୍ଚ୍ଚିତ କର୍ପସ ଫଣ୍ଡ ? ସରକାରୀ ପ୍ରୋତ୍ସାହନରେ ଖଣି ଚୋରୀ ଓ ପରେ ୬୧ କୋଟି ଟଙ୍କା ମୂଲ୍ୟର ଜରିମାନା ନୋଟିସ ଓ କୋର୍ଟଙ୍କ ରାୟ ଆଳରେ ଏହା ୧୭ ହଜାର କୋଟିରେ ସୀମିତ କାହିଁକି ? ଅଯାଚିତ ଅନୁକମ୍ପା ଦେଖାଇ ଖଣି ଲିଜଧାରୀଙ୍କୁ ଖସି ଯିବା ପାଇଁ ଗାଳା ବାଟ କାହିଁକି ଦେଖାଉଛନ୍ତି ରାଜ୍ୟ ସରକାର ?

ଫସଲହାନୀ ଓ ଋଣଜନିତ ଚାଷୀ ଆତ୍ମହତ୍ୟା କେବେ ମାନିବେ ସରକାର ? ମୃତ ଚାଷୀମାନଙ୍କ ପରିବାରକୁ କ୍ଷତିପୂରଣ ମିଳିବ କେବେ ? କେନ୍ଦ୍ର ଧାନ କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କାର ଏମଏସପି ପ୍ରଦାନ କରୁଥିବା ବେଳେ ୭୦୦-୮୦୦ ଟଙ୍କାରେ ଚାଷୀ କାହିଁକି ଧାନର ଅଭାବୀ ବିକ୍ରୀ ଚଳାଇଛି ? ନକଳି ବିହନ ଓ କୀଟନାଶକ ବିକି ଚାଷୀଙ୍କୁ ସର୍ବସ୍ୱାନ୍ତ କରିଥିବା ନେତା- ଅଫିସରଙ୍କ ବିରୁଦ୍ଧରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ? ଗତ ପାଞ୍ଚ ବର୍ଷ ଧରି କୃଷି କମିଶନ ରିପୋର୍ଟ ପଡ଼ି ରହିଥିବା ବେଳେ କେବେ ଏହାକୁ କାର୍ଯ୍ୟକାରୀ କରାଯିବ ? ଭାଗଚାଷୀଙ୍କ ପାଇଁ କେବେ ବନ୍ଦ ହେବ କୁମ୍ଭୀର କାନ୍ଦଣା ଓ ସେମାନଙ୍କୁ ମିଳିବ ଚାଷୀ ଅଧିକାର ? ମନରେଗାରେ ବର୍ଷକୁ ଅନ୍ୟୁନ ୧୫୦ ଦିନର କାମ ମିଳିବାର ବ୍ୟବସ୍ଥା ଥିବାବେଳେ କାହିଁକି ମିଳୁନି ୫୦ ଦିନର କାମ ? ଓଡ଼ିଶାର କୋଇଲାରେ ସାରା ଦେଶରେ ଆଲୋକ ଯୋଗାଇଛି। ରାଜ୍ୟର କୋଟିଏ ଘରୁ ୩୬ ଲକ୍ଷ ଘରେ କାହିଁକି ପହଞ୍ଚିନି ବିଜୁଳୀ ? କେତେଦିନ ଡିବିରି ଆଲୁଅରେ କଟିବ ଦିନ ?

କାହିକିଁ ଭୁଷୁଡ଼ିଛି ରାଜ୍ୟର ସ୍ୱାସ୍ଥ ସେବା ? ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ୫୭% ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ୨୫ % ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି। ଡାକ୍ତରଖାନା କାର୍ହିକି ଡାକ୍ତରଶୂନ୍ୟ ? କାହିଁକି ହଜାରେରୁ ଅଧିକ ଡାକ୍ତର ପଦବୀ ରହିଛି ଖାଲି ? କେବେ ପୁରଣ ହେବ ଏହି ସବୁ ପଦବୀ ? ସ୍ୱାସ୍ଥ୍ୟ ସେବା ପାଇଁ ମୌଳିକ ଭତ୍ତିଭୂମିର ଅଭାବ ପୁରଣ ହେବ କେବେ ? ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନାହିଁ, ୧୭୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇପ ପାଣି ସଂଯୋଗ ନାହିଁ।

୫୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପରେସନ ଥିଏଟର ନାହିଁ। ଅନ୍ୟପଟେ କ’ଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଏବଂ ନସିଂ ଷ୍ଟାଫ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ? ରୋଗୀ ସେବା ବ୍ୟାଘାତ ପାଇଁ ଦାୟୀ କିଏ ? ଏ ବିପର୍ଯ୍ୟସ୍ତ ସ୍ଥିତି ସୁଧୁରିବ କେବେ ? ଶିକ୍ଷା ବ୍ୟବସ୍ଥାରେ ଅରାଜକତା କାହିଁକି ? ସ୍କୁଲମାନଙ୍କରେ ଖାଲି ପଡ଼ିଥିବା ୪୪ ହଜାର ଶିକ୍ଷକ ପଦ ପୂରଣ ହେବ କେବେ ? ସମାନ କାମ- ସମାନ ଦରମା ନୀତି କେବେ ଲାଗୁ କରିବେ ରାଜ୍ୟ ସରକାର ? ପ୍ରସୂତି ମହିଳା ଅଟୋରେ, ଖଟରେ, ବେତ ଟୋକେଇରେ ବୁହାହୋଇ ରାସ୍ତା ଘାଟରେ ପ୍ରସବ କରୁଛି। ଏହା କ’ଣ ମାଁ କୁ ସମ୍ମାନ ?

ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନବାଡ଼ିରେ ଟେକ ହୋମ ରାସନ ଖାଇବା ଯୋଗ୍ୟ ନଥିବା ନିମ୍ନମାନର ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ ହୋଇ କେବେ ମିଳିବ ଉଚିତ ମାନର ଖାଦ୍ୟ ଓ ଦୁର୍ନୀତିର କୀର୍ପଟଦାର ମାନଙ୍କୁ କେବେ ମିଳିବ ଦଣ୍ଡ ? ୩୦ ପ୍ରତିଶତ ଜମି ବି ଜଳ ସେଚନର ସୁବିଧାରୁ ବଞ୍ଚିତ। କୁଆଡ଼େ ଗଲା ଜଳସେଚନ ପାଇଁ ଲମ୍ବା ପ୍ରତିଶ୍ରୁତି ? ରାଜ୍ୟର ୧୨ ହଜାର ୪୪୨ଟି ଗ୍ରାମକୁ ଏ ପର୍ଯ୍ୟନ୍ତ କାହିଁକି ନାହିଁ ସବୁ ଦିନିଆ ରାସ୍ତା ? ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ନ ପହଞ୍ଚିବା କାରଣରୁ ଜୀବନ ହାନୀର କିଏ ନେବ ଦାୟିତ୍ୱ ? ଆଳୁ ମିଶନ, ପିଆଜ ମିଶନ ଫେଲ୍। ୨୦୦୦ ମସିହାରେ ସରକାରଙ୍କ ୫ ସଚଳ ଶୀତଳ ଭଣ୍ଡାର ଥିବା ବେଳେ ୨୦୧୭ରେ ବି ୫ ଚାଷୀଙ୍କୁ ପ୍ରତାରିତ କରିଛି କିଏ ?

ଲକ୍ଷ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ସତ୍ବେ ବେକାରୀ ବୃଦ୍ଧି ଏବଂ ଓଡ଼ିଆ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାର ଦାୟିତ୍ୱ କାହିଁକି ମୁଣ୍ଡକୁ ନେଇ ନାହାନ୍ତି ସରକାର ? ଲଘୁ ବନଜାତ ଦ୍ରବ୍ୟର ଏମଏସପି କେନ୍ଦ୍ର ସରକାର ଘୋଷଣା କରିବା ସତ୍ୱେ କ’ଣ ପାଇଁ ଗରୀବ ଓଡ଼ିଆ ଆଦିବାସୀକୁ ମିଳୁନି ସରକାରୀ ମୂଲ୍ୟ ? ଆଜି ତାରିଖରେ ରାଜ୍ୟର ୧୦୦୦ ଉର୍ଦ୍ଧ ଗ୍ରାମ ଅପପୃଷ୍ଟିର ଶିକାର ହୋଇଛି। ଓଡ଼ିଶାରେ ଅପପୃଷ୍ଟିର ଶିକାର ହୋଇ ନଗଡ଼ା ଭଳି ଅନେକ ଗ୍ରାମର ସ୍ଥିତି ସୁଧୁରିବ କେବେ ? ଅପପୃଷ୍ଟିର ଶିକାର ହୋଇଥିବା ମହିଳା, ଯୁବକ ଓ ଶିଶୁଙ୍କୁ ରାଜ୍ୟ ସରକାର ଏଭଳି ସ୍ଥିତିରୁ କେବେ ଉଦ୍ଧାର କରିବେ ? ଏହି୨୦ଟି ପ୍ରଶ୍ନର ଉତ୍ତର ଆପଣ ଦିଅନ୍ତୁ। ତାହେଲେ ଓଡ଼ିଶା ପ୍ରଦେଶ ଜାଣିବ ଯେ ଆପଣଙ୍କ ସସୁଶାସନ ପାଇଁ ପ୍ରତିବଦ୍ଧତା ଅଛି। ନଚେତ୍ ଆପଣଙ୍କର ୧୮ ବର୍ଷର ସରକାରର ଅକର୍ମା ଓ ନିକମ୍କାପଣିଆ ପ୍ରତିଷ୍ଠିତ ହେବ ବୋଲି ଭାଜପା ପ୍ରତିକ୍ରିୟା ରଖିଥିଲା।

Leave a Reply

Your email address will not be published. Required fields are marked *