ମହାନଗର

ବିଜେଡି ପ୍ରାର୍ଥୀ ଟ୍ରଲି ଚାଳକ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୮/୦୪- ଭୋଟରଙ୍କୁ ମନାଇବା ଫର୍ମୁଲାରେ ଆସିଛି ପରିବର୍ତ୍ତନ। ଭୋଟରଙ୍କୁ ଦିଆଯାଉଥିବା ପ୍ରତିଶୃତି ଶୁଣି ଲାଗୁଛି ଆକାଶ ଛିଣ୍ଡାଇ ବାଣ୍ଟି ଦେବେ, ସ୍ୱର୍ଗରୁ ଅପସରାଙ୍କୁ ଆଣି ଘରେ ପହଁଚାଇଦେବେ। ଭଗବାନ କରନ୍ତୁ, ତୁମ ପ୍ରତିଶୃତିର ପ୍ରତିକ୍ରିୟା ସୃଷ୍ଟି ନକରୁ ମହାମାନୀ ଦୁର୍ଯ୍ୟୋଧନର କୁରୁସଭା କିମ୍ବା ଦ୍ରୌପଦୀ ବସ୍ତ୍ରହରଣ। କିନ୍ତୁ ସମାଲୋଚନାର ସୁଯୋଗ ଯୁଟାଇଥିବାରୁ ‘ଶୁଭ୍ ଭାରତ ଟାଇମ୍ସ’ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦ୍ଦେବ। ଆପଣ ବେଗୁନିଆରୁ ଟିକେଟ ହରାଇ ଚିଲିକାରେ ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଛନ୍ତି; ଅଭିମାନୀ ରଘୁନାଥ ସାହୁଙ୍କ ଗଡରେ ଯେଭଳି ଦୁନ୍ଦୁଭି ବଜାଇଛନ୍ତି, ଏହା ସୂଚାଇ ଦେଉଛି ଆସିବ ପରିବର୍ତ୍ତନ।

ଚିଲିକା ଦିନେ ଥିଲା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁର୍ଗ। ଉତ୍ତରାଧିକାରୀ ସୂତ୍ରରେ ଡାକ୍ତର ବିଭୁତିଭୂଷଣ ହରିଚନ୍ଦନଙ୍କ ଭଳି ସୁଯୋଗ୍ୟ ନେତା ଭାଜପା ଟିକେଟରେ ଏହି ନିର୍ବାଚନମଣ୍ଡଳୀରୁ ୩ ଥର ବିଜୟୀ ହେଲେ। ଦଳମତ ନିର୍ବିଶେଷରେ ତାଙ୍କ ନିକଟକୁ ସମର୍ଥକଙ୍କ ସୁଅ ଛୁଟୁଥିଲା। ଏହାସତ୍ୱେ ଚିଲିକାର ସଚେତନ ଭୋଟର ସୁନାରେ ଏସିଡ ମାରି ଅସଲୀ କି ନକଲି ଜାଣିବା ଭଳି ୨୦୦୯ରେ ତାଙ୍କ ହାତରୁ ଚିଲିକା ଛଡାଇ ନେଇ ରଘୁନାଥ ସାହୁଙ୍କୁ ବିଜୟୀ କଲେ। ଭୋଟରଙ୍କୁ ମିଳିଗଲା ନିଜ ନିଜ ମୁର୍ଖାମୀର ଫଳାଫଳ। ଚତୁରତାର ସହ ୨୦୧୪ରେ ରଘୁନାଥ ସାହୁଙ୍କ ହାତରୁ ଛଡାଇ ଆଣିଲେ ଚିଲିକା, କ୍ଷମତାକୁ ଫେରିଲା ଭାଜପା। ଭାଜପାର ଲୋକପ୍ରିୟତା ସ୍ଥାନୀୟ ବିଜେଡି ନେତାଙ୍କ ସମସ୍ୟାକୁ ଏଭଳି ସ୍ଥିତିରେ ପହଁଚାଇଛି କି ଏହି ନିର୍ବାଚନରେ ରଘୁନାଥ ସାହୁ ଦଳୀୟ ଟିକେଟରୁ ବଂଚିତ ହେଲେ।

ସମ୍ପ୍ରତି ଚିଲିକାରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଚାରର ଦୃଶ୍ୟ ଫେସବୁକ୍ ପେଜରେ ଭାଇରାଲ୍ ହେଉଛି। ବେଗୁନିଆ ବିଧାୟକ ଭାବେ, ଗତ ୫ ବର୍ଷ ମଧ୍ୟରେ ଜଗଦ୍ଦେବ ଯେଭଳି କିର୍ତ୍ତି ସାଇତି ଆସିଥିଲେ; ତା’ର କିଛି କିଛି ଝଲକ ମଧ୍ୟ ନଜରକୁ ଆସୁଛି। ସାଂସ୍କୃତିକ ମଞ୍ଚ ଉପରେ ରଙ୍ଗବତୀ ତାଳରେ ନର୍ତ୍ତକୀ ସହ ପ୍ରଶାନ୍ତଙ୍କ ନୃତ୍ୟ, ପୁଣି କେଉଁଠି ତଲୱର ବୁଲାଇ ଖଣ୍ଡାୟତ ପୁଅର ପରିଚୟ ଦେବାର ଭିଡିଓ ଚିତ୍ର; କେବେ ପୁଣି ଜଣେ କେହି ବିଜେଡି ସୁପ୍ରିମୋଙ୍କ ନାଁ ନେଇ ପ୍ରଶାନ୍ତଙ୍କ କୋପରୁ ମୁକ୍ତି ଚାହୁଁଥିବା ବ୍ୟକ୍ତି ଆଗରେ ନବୀନଙ୍କ ଔକାତ ବଖାଣିବା ଆଦି ଅନେକ ଦୃଶ୍ୟାବଳୀ ମୋବାଇଲରେ ବିନ୍ଦାସ ବୁଲୁଛି। ଏବେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏପ୍ରିଲ୍ ୮ ତାରିଖରେ ବାଲୁଗାଁ ବଜାର ଇଲାକାରେ ପ୍ରଚାର ବେଳେ ପ୍ରଶାନ୍ତ ଟ୍ରଲି ଚଳାଉଥିବା ଫଟୋ ଭାଇରାଲ୍ ହୋଇଛି। ଏହି ଚିତ୍ର କେତେକ ଥିଏଟର ପରିଚାଳକଙ୍କୁ ଆଚମ୍ବିତ କରିଛି। ଏ ସମ୍ପର୍କରେ ଓଡିଶାର ଏକ ପ୍ରସିଦ୍ଧ ଯାତ୍ରା ପାର୍ଟିର ମାଲିକ ପ୍ରଶାନ୍ତଙ୍କ ପାଇଁ ବାର୍ତ୍ତା ରଖିଛନ୍ତି କି ‘ଧନ୍ୟ ତୁମେ ବିଜେଡି ନେତା, ମଞ୍ଚ ନାଟକ ଲେଖିବା ପୂର୍ବରୁ ତୁମଠୁ ନିଶ୍ଚୟ ପରାମର୍ଶ ନେବୁ’।

ଗତ ୫ ବର୍ଷ ମଧ୍ୟରେ ଚିଲିକାରେ ବିଜେଡି ଛାରଖାର ହୋଇଯାଇଛି। ପ୍ରଶାନ୍ତଙ୍କ ଆବିର୍ଭାବ ନୂଆ ଆଶା ସୃଷ୍ଟି କରିଥିବା ବେଳେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦେହରୁ ନିଶ୍ୱାସ କ୍ଷୀଣ ହେବାରେ ଲାଗିଛି। ପ୍ରଶାନ୍ତ ଚିଲିକାରୁ ଲଢିବା ପାଇଁ ଟିକେଟ ପାଇବା ପରେ ସର୍ବପ୍ରଥମେ ରଘୁଙ୍କ ଶରଣ ନେଲେ। ରଘୁନାଥ ବିନା ସର୍ତ୍ତରେ ପ୍ରଶାନ୍ତଙ୍କ ସହ ଗାଁ କୁ ଗାଁ ବୁଲିଲେ। ପ୍ରତ୍ୟେକ ବୈଠକରେ ପ୍ରଶାନ୍ତ କହିଲେ, “ଏ ସଂଗଠନ ରଘୁ ଭାଇର, ସେ ଶ୍ରୀରାମ ମୁଁ ତାଙ୍କ ହନୁମାନ।” ପ୍ରଚାର ଆରମ୍ଭ ପରଠୁଁ ଏମିତି ରୀତିମତ ଚାଲିଥିଲା। ଗତ ୨ ଦିନ ତଳେ ହଠାତ ରଘୁ ଅସୁସ୍ଥ ହୋଇପଡିଲେ। ବାଲୁଗାଁର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଗଲା। ପରେ ବିଶ୍ରାମ ନେବା ଲାଗି ରଘୁଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏହାକୁ କ୍ଳାନ୍ତ ଜନିତ ରୋଗ କୁହାଯାଇପାରେ, କିନ୍ତୁ ଅନୁଭବ କହୁଛି, ରଘୁଙ୍କ ମାନସିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି।

କଥାରେ ଅଛି, ଅଯାଗା କଷ୍ଟ ଦେଖେଇ ହୁଏନି କିମ୍ବା କାହାରିକୁ କହି ହୁଏନି, ଠିକ୍ ଏହାର ଉପଲବଧି ରଘୁଙ୍କ ପ୍ରତିକ୍ରିୟାରୁ ପ୍ରତିଫଳିତ ହୋଇଛି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ରଘୁନାଥ ରାଜନୀତି କ୍ଷେତ୍ରରୁ ଯାହା ଆଶା କରିଥିଲେ, ତାହା ଏବେ ଭୁଲୁଣ୍ଠିତ ହେବାରେ ଲାଗିଛି। ଆଗକୁ ୨୦୧୯ର ଚିଲିକା ନିର୍ବାଚନମଣ୍ଡଳୀ ଫଳାଫଳ ପ୍ରାକ୍ ଜନତା ଦଳର ବିଜୁପ୍ରେମୀଙ୍କୁ ଏକତ୍ର କରାଇବା ସୁଯୋଗ ଆଣିପାରେ। ସେତେବେଳେ ଫିରିଙ୍ଗ’ ମାନଙ୍କ ସଂଖ୍ୟା ନ୍ୟୁନରୁ ଧ୍ୱଂସ ଆଡକୁ ମୁହାଁଇବ। ଏଭଳି ଦ୍ୱନ୍ଦ ରଘୁନାଥଙ୍କ ଅସୁସ୍ଥତାର ମୁଖ୍ୟ କାରଣ।

ସ୍ତ୍ରୀ ଥାଇ ଶାଳୀକୁ ବିବାହ କଲେ, ସ୍ତ୍ରୀ ବେଡସିଟ୍ ଘୋଡି ହୋଇ ଲୁହ ଗଡାଏ। ଆଜି ଚିଲିକା ନିର୍ବାଚନମଣ୍ଡଳୀର ଭୋଟର ଏହାର ନିଚ୍ଛକ ସତ୍ୟ ଖୋଲା ଆଖିରେ ଦେଖୁଛନ୍ତି। କଂଗ୍ରେସ ପରିତ୍ୟାଗୀ ରଘୁନାଥ, ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ। ଦଳକୁ ସଜାଡିବାକୁ ଅକ୍ଳାନ୍ତ ପରିଶ୍ରମ କରି ସଫଳ ହେଲେ। ମାତ୍ର ଦଳ ଶେଷରେ ତାଙ୍କୁ ଧୋକା ଦେଲା। ଇଏତ ‘ଶୁଭ୍ ଭାରତ ଟାଇମ୍ସ’ର ଟ୍ରେଲର୍, ଆଗକୁ କ’ଣ ହେବ ତା’ର ବିବରଣୀ ଦେବାକୁ ଆମେ ପ୍ରତିଶୃତିବଦ୍ଧ, ଦୟାକରି ଅପେକ୍ଷା କରନ୍ତୁ।

Leave a Reply

Your email address will not be published. Required fields are marked *