ସମ୍ପାଦକୀୟ

ବିଶ୍ୱାସଘାତ

ମନୋରଞ୍ଜନ ପଟ୍ଟନାୟକ / ୧ ଫେବୃୟାରୀ, ୨୦୧୮- ଅତି ଅମାନୁଷିକ ନିଷ୍ପତ୍ତିର ଶିକାର ହୋଇଆସୁଛନ୍ତି ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା। ବିଜେଡି ଏଭଳି ଏକ ଦଳ ଯାହାର ସୁପ୍ରିମୋ ନିଜେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ତାଙ୍କର ଅନ୍ତରଙ୍ଗ ଚାଟୁକାରମାନେ ଏବେ ପ୍ରତି ପ୍ରଶ୍ନରେ ଏଭଳି ଉତ୍ତର ଦେଉଛନ୍ତି। ସେମାନଙ୍କ ମନସ୍ତାପର କାରଣ ତ ଅନେକ ଅଛି, ହେଲେ ବର୍ତ୍ତମାନ ସମୟର ମୁଖ୍ୟ କାରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ବିଜେଡିର ନିର୍ଦ୍ଧିଷ୍ଟ କେତେକ ନେତା ପବଲିସିଟି ପାଇବାରୁ ବଂଚିତ ହୋଇଯିବେ। ଦଳର ବ୍ରାଣ୍ଡ ଆମ୍ବାସ୍ୟାଡର୍ ଭଳି ଯେଉଁ ଓଡଆ ଟେଲିଭିଜନ୍ ଚାନାଲ୍ ବିଜେଡିର କେତୋଟି ଅଯୋଗ୍ୟ ନେତାଙ୍କୁ ବାରମ୍ବାର ଅତିଥି ଆସନରେ ବସାଇ ମାଇଲେଜ୍ ସହ କଲେକ୍ସନ୍ ଯୁଟାଉଥିଲା, ସୁପ୍ରିମୋଙ୍କ ନିଷ୍ପତ୍ତି ଯୋଗୁଁ ସେ ମାଉଁସିଆ ପନହାରୁ ହଠାତ୍ ସେମାନଙ୍କ ଥୋଡି ଛିଡିପଡିଲା। ନିଜେ ନିଜକୁ ବଖାଣିବା ପାଇଁ ସେମାନଙ୍କୁ ଆଉ କେବେ ଏମିତି ସରକାରୀ ପ୍ଳାଟଫର୍ମ ହୁଏତ ମିଳିନପାରେ। ସେହି ସୁଯୋଗ ହାତରୁ ଯିବା ପରେ ଏବେ ଦୂତଙ୍କୁ ପଠାଇ ରାଜମହଲ ଛକର ବନାରସି ପାନ ପାଟିରେ ଜାକିବା ଛଡା ଉପାୟ ନାହିଁ।

ହୁଏତ ଉକ୍ତ ଟିଭି ଚାନାଲ ଦୟା ଦେଖାଇ ପୁନର୍ବାର ଡାକିପାରନ୍ତି।  ମାତ୍ର ତାଙ୍କ ଆଙ୍କରମାନେ ଆଉ ବିଜେଡିକୁ ସୁହାଇବା ଭଳି ପ୍ରଶ୍ନ ନ ପଚାରି ଅତି କଷ୍ଟକର ପ୍ରଶ୍ନ ପଚାରିବେ। ଯଦି ଠିକଠାକ୍ ସବୁ ପାଟିରୁ ବାହାରି ପଡିଲା ତେବେ ବୈଜୟନ୍ତଙ୍କ ଦଶା ଭୋଗିବେ ଅତିଥି। ପୂର୍ବରୁ ଏଭଳି ଅନେକ ଘଟଣା ଘଟିଯାଇଛି, ଯାହା ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ପ୍ୟାରିମୋହନ ମହାପାତ୍ର ଓ ନିକଟରେ ଡାକ୍ତର ଦାମୋଦର ରାଉତ ଏବଂ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ କ୍ୟାରିଅର୍ ଆଗରେ ପ୍ରତିବନ୍ଧକ ସାଜିଛି। ସୁପ୍ରିମୋ ଯେଭଳି ବି ନିଷ୍ପତ୍ତି ନେଉଛନ୍ତି, ତାହାକୁ ଦଳର କେତୋଟି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅତି ଉତ୍ସାହର ସହ ଗ୍ରହଣ କରୁଛନ୍ତି। ଠିକ୍ ଯେମିତି ନବୀନ ପଟ୍ଟନାୟକ ତାଙ୍କ ଜନ୍ମ କଲା ବାପା। ତାହା ବି ଠିକ୍, ନହେଲେ ପୁଳାଏ ପାଣିଆ, ପାଣିଚିଆ, ଅଧୂଆମୁହାଁ ନିଜର କୌଣସି ସାଙ୍ଗଠନିକ ଦକ୍ଷତା ନଥାଇ ବିନା ଦ୍ୱିଧାରେ ନିଜ ନିଜ ଆସନରୁ ବିଜୟୀ ହୋଇଛନ୍ତି। ସେମାନେ କଷ୍ଟ କରି ନିଜ ଦମ୍ ରେ ନିର୍ବାଚନ ଜିତିଥିଲେ ଦଳର ବରିଷ୍ଠଙ୍କୁ ସମ୍ନାନ ଦେବା ଶିଖିଥାନ୍ତେ।

ଅତିକମରେ ମୁଖ୍ୟମନ୍ତ୍ରୀ ନେଉଥିବା ନିଷ୍ପତ୍ତିକୁ ଦଳ ପକ୍ଷରୁ ଅଳ୍ପେ ବହୁତେ ବିରୋଧ କରାଯାଇଥିଲେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟବାର, ତୃତୀୟବାର.. ବାରମ୍ବାର ନିଜ ଦଳୀୟ ସହଯୋଗୀଙ୍କୁ ତଣ୍ଟିଆ ମାରୁନଥାନ୍ତେ। ପରୋକ୍ଷରେ ଏକଥା ସ୍ପଷ୍ଟ ହୋଇଛି ଯେ, ଦଳରେ ନେତାମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ। ତାହାସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କଲା ଭଳି ବ୍ୟକ୍ତିତ୍ୱର ଅଭାବ ରହିଛି। ବାସ୍ତବରେ ବିଜେଡି ଦଳରେ ଏସବୁ ଆଶା କରାଯିବା ବେକାର। ଶାସକ ଦଳର ୧୮ ବର୍ଷର ଶାସନକାଳ ମଧ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଛଡା ଦଳର କୌଣସି ନେତା ଓଡ଼ିଶା ରାଜନୀତିର ମଙ୍ଗ ଧରିବାକୁ ଅକ୍ଷମ ବୋଲି ଜନତାଙ୍କ ମନରେ ଧାରଣା ସୃଷ୍ଟି ହେଲାଣି। ଏମାନେ କେବଳ ଅକ୍ଷମ ନୁହନ୍ତି, ସ୍ୱାର୍ଥପର ମଧ୍ୟ। ଏହି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଥାଟ୍ଟ ପକାଇଥିବା ସରୋଜ ସାହୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ କେବେ ସାହାସ କରିନାହାଁନ୍ତି। ନେତାମାନଙ୍କ ଅପାରଗତା ପାଇଁ ରାଜ୍ୟର ଲକ୍ଷ ଲକ୍ଷ ଚିଟଫଣ୍ଡ ଜମାକାରୀ ହତାଶ। ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଚିଟଫଣ୍ଡ ଠକମାନଙ୍କ ଫଟୋ ଦେଖି, ସରକାରଙ୍କ ସମ୍ପୃକ୍ତିରେ ଆସ୍ଥା ରଖି ଯେଉଁମାନେ ଚିଟଫଣ୍ଡ ସଂସ୍ଥା ଗୁଡିକରେ ଅର୍ଥ ଲଗାଣ କରିଥିଲେ ସେମାନେ ଏବେ ମୁଣ୍ଡ ପିଟି କାନ୍ଦୁଛନ୍ତି। ଏଭଳି କୋଣଠେସାଙ୍କ ପାଇଁ ସର୍ବସାଧାରଣରେ ଦଳ ପ୍ରତି ଓ ବିଜୁବାବୁଙ୍କ ପ୍ରତି ରହିଥିବା ସମ୍ନାନ ହ୍ରାସ ପାଇବାରେ ଲାଗିଛି।

ପଦାରେ ଆଲୋଚନା ହେଉଛି ଏଭଳି ସ୍ୱାର୍ଥସର୍ବସ୍ୱ ରାଜନୀତିରେ ଏମାନେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଲଢେଇ କରିବାର ପ୍ରଶ୍ନ ଉଠୁଛି କେଉଁଠି ! ସମସ୍ତେ ଅନୁଭବ କଲେଣି ଦଳ ଧିରେ ଧିରେ ତଳମୁହାଁ ହେଇଗଲାଣି। ଦଳର ଆଉ ପୂର୍ବ ଗ୍ଳେଜ୍ ନାହିଁ। ଏବେ ବି ଗାଁ ଗଣ୍ଡା ଲୋକେ ମନେ ପକାଉଛନ୍ତି ବିଜୁବାବୁଙ୍କୁ; ସେଭଳି ବ୍ୟକ୍ତିତ୍ୱଙ୍କ ନାମରେ ବିଜେଡି ଯେଉଁ ଲୋକପ୍ରିୟତା ଅର୍ଜନ କରିଥିଲା, ଦଳୀୟ ସମ୍ବିଧାନ କଣ ବିଜୁବାବୁଙ୍କର ସେ ମହାନତାକୁ ଆଦର୍ଶ ରୂପେ ଗ୍ରହଣ କରିଛି ? ଯଦି ଏହି ପ୍ରସଙ୍ଗରେ ରାଜ୍ୟବାସୀ ଏକମତ ତେବେ ବିତାଡିତ ସାଂସଦ ବୈଜୟନ୍ତ ପଣ୍ଡା ବିଜୁବାବୁଙ୍କ ସମାଧି ନିକଟରେ ଲୁହ ଗଡାଇବା ଭଳି ପରିସ୍ଥିତି ଉପୁଜିନଥାନ୍ତା। ବିଜୁ ଜନତା ଦଳର ଭୋଟରମାନେ ମଧ୍ୟ ପ୍ରଶ୍ନ କରୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଏଭଳି ନିଷ୍ଠୁର ରାକ୍ଷସ କେଉଁଠୁ ଜନ୍ମ ନେଇଛି ! ଏଭଳି ପରିସ୍ଥିତିରେ ପୂର୍ବତନ ଆସାମ ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। ଜାନକୀବାବୁଙ୍କୁ ଅଞ୍ଜନା ମିଶ୍ର ମାମଲାରେ ଛନ୍ଦି ବଦନାମ କରିଥିବା ତତ୍କାଳୀନ ଜନତା ଦଳର ବହୁ ନେତା ଏବେ ମଧ୍ୟ ବିଜେଡିରେ ଅଛନ୍ତି। ସେମାନେ ଥରେ କୁହନ୍ତୁ ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ଘଟିଥିବା ବେବିନା, ଇତିଶ୍ରୀ, କୁନ୍ଦୁଲି, ବାଣପୁର ତୁମୁରାପୁଟ ପଚାଂୟତ ସୁଆଁପଡିଆ ଗ୍ରାମର ଦୁଷ୍କର୍ମ ପୀଡିତା ମୃତ୍ୟୁ ଅଭିଯୋଗ କାହା ମୁଣ୍ଡରେ ଲଦିବେ, ନା ନିଜେ ମୁଣ୍ଡାଇବେ ! ଇଏତ କେବଳ ସରକାରୀ ହିସାବ ନିକାଶ। ରାଜ୍ୟର ବିଭିନ୍ନ ଜିଲ୍ଲା ଅଧିନ ଗାଁଗଣ୍ଡା ଗୁଡିକରେ ପ୍ରତିଦିନ ରେଡକ୍ରସ୍ ପାଣ୍ଠିରୁ ଦଶ ଦଶ ହଜାର ଧରାଇ ଅନେକ ଦୁଷ୍କର୍ମ ପୀଡିତାଙ୍କୁ ପାଉଁଶ କରି ଉଡାଇ ଦିଆଯାଉଛି।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧି ଦଳ ଭଳି ଦୁର୍ବଳ ହୋଇପଡିଛି। ଓଡ଼ିଶାର ଗଳି କନ୍ଦିରେ ବୁଲି ପ୍ରମାଣ ଖୋଜିବା ଦରକାର ନାହିଁ। ଖୋଦ୍ ରାଜଧାନୀର ଝିଅଟେ ଭୋର ୫ଟାରେ ଭୁବନେଶ୍ୱର ରେଳେଷ୍ଟସନରେ ପହଂଚି ମାଷ୍ଟର୍ କ୍ୟାଣ୍ଟିନରୁ ଜନପଥରେ ଚାଲିଚାଲି ଯାଉଥିବା ବେଳେ ବାରମ୍ବାର ଆଗପଛକୁ ଚାହୁଁଛି। ସେହି ସମୟରେ ରାସ୍ତାରେ ଖବରକାଗଜ ବିକ୍ରେତାଙ୍କ ଧାଁଦୌଡ ଚାଲିଥିବା ସତ୍ୱେ ସେ ନିଜକୁ ସୁରକ୍ଷିତ ମନେକରୁନି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଏହି ଦଳରେ ଯେଉଁମାନେ ଅଛନ୍ତି ଏବଂ ଆଉ ଯେଉଁମାନେ ଯୋଗ ଦେଉଛନ୍ତି, ସେମାନେ ନବୀନଙ୍କୁ ଏତେ ଡରନ୍ତି କାହିଁକି ! ଆମ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ କେହି କେବେ କହିବେନି ସେ ଜଣେ ରାଗି କିମ୍ବା ଘୁସଖୋର୍ ବୋଲି। ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବିରୋଧିମାନେ ମଧ୍ୟ ସମ୍ନାନ ଜଣାଇବାକୁ କୁଣ୍ଠାବୋଧ କରନ୍ତିନି। ତେବେ ଡର କାହାକୁ ? ହୁଏତ ପାଠକ ବନ୍ଧୁ ତୃତୀୟ ମହଲା ପ୍ରଶ୍ନ ଉଠାଇ ପାରନ୍ତି, ଯେଉଁମାନେ ଆଭ୍ୟନ୍ତରୀଣ ରାଜନୀତି ବିଷୟରେ ଅବଗତ। କିନ୍ତୁ ଓଡ଼ିଶାର ଆତ୍ମା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅସଂଖ୍ୟ ସମର୍ଥକମାନେ ତୃତୀୟ ମହଲା କିମ୍ବା କେଉଁ ପାଣ୍ଡିଆନଙ୍କୁ ଭୋଟ ଦେଇନଥିଲେ।

ସତ୍ ସାହାସ ଅଛିତ ଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁଭବ କରିବାକୁ ପରାମର୍ଶ ଦିଆଯାଉ, ଘରଦ୍ୱାର ଛାଡି ଲୋୟର୍ ପି.ଏମ୍.ଜିରେ ହକ୍ ମାଗୁଥିବା ଆନ୍ଦୋଳନକାରୀ ସଂଗଠନ ଗୁଡିକର ସଦସ୍ୟମାନଙ୍କ ସହ ମିଶି ସମସ୍ୟା ସୁଧାରିବାର ଉପାୟ କାଢନ୍ତୁ। ଯେଉଁ ସାହାସରେ ତାଙ୍କ ପୂଜ୍ୟପିତା ବିଜୁ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ନିଜେ ସାଇକେଲ ଚଳାଇ ନବୀନ ନିବାସରୁ ସଚିବାଳୟ ଆସିଥିଲେ। ନବୀନବାବୁ ବିନା ସିକ୍ୟୁରିଟିରେ ଓଡ଼ିଶାର ପୁରପଲ୍ଲୀକୁ ଯାଆନ୍ତୁ, ସେ ନିଶ୍ଚୟ ଅନୁଭବ କରିବେ ଲୋକେ ତାଙ୍କୁ କେତେ ଭଲ ପାଆନ୍ତି। ତୁମ ସରକାର ପାଖରେ ଏତେ ସିକ୍ୟୁରିଟି ଫୋର୍ସ ନଥିବେ ମୁଖ୍ୟମନ୍ତ୍ରୀଙ୍କୁ ପୁରପଲ୍ଲୀର ଜନସାଧାରଣ ଯେଭଳି କର୍ଡନ କରି ପାଛୋଟି ନେଇ ବିଦାୟ ଦେବେ। ହେଲେ ଆଉ ନୁହେଁ। ସେ ସମୟ ଆଉ ସାଥ୍ ଦେଉନି ବୋଲି ବିଜେଡିର ବିଜେପୁର ସଜବାଜ ଓଡ଼ିଶାର ସାଢେ ଚାରି କୋଟି ଓଡ଼ିଆଙ୍କୁ ବାର୍ତ୍ତା ଦେଇ ସାରିଛି। ମାତ୍ର ଗୋଟିଏ ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ଦଳ ଯେଉଁ ଭଳି କଳବଳ କୌଶଳ ପ୍ରୟୋଗ କରୁଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜଧାନୀର ପ୍ରତ୍ୟେକ ଚା’ ଖଟିରେ ମୁଖ୍ୟ ରୋଚକ ଖବର ପାଲଟିଛି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହେବା ଠାରୁ ଦଳର ପରାମର୍ଶଦାତାଙ୍କ ମନରେ ଛନକା ପଶିଛି। ପରାମର୍ଶଦାତା ମଧ୍ୟ ନିଜେ ଅନୁଭବ କଲେଣି ଏଣିକି ଓଡ଼ିଶା ମାଗିବ ଯବାବ। ତୃତୀୟ ମହଲା ଅବଶ୍ୟ ନିଶ୍ଚିନ୍ତ ଯେ, ବିଭିନ୍ନ ଭାତବଣ୍ଟା କେନ୍ଦ୍ରରେ ୫ ଟଙ୍କାରେ ମିଲସ୍ ଦିଆଯାଉଛି, ଘର ପାଇଁ କିଲୋ ପିଛା ୨ ଟଙ୍କିଆ ଚାଉଳ ପଠାଯାଉଛି। ଏ ହେଉଛି ଆମ ରାଜ୍ୟର ପ୍ରଗତିର ଚିତ୍ର। ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରଙ୍କ ପରାମର୍ଶ କିଭଳି ଲୋକ ଚକ୍ଷୁରେ ବିଶ୍ୱାସଘାତକ ସଜାଉଛି ତାହା ଜନସାଧାରଣ ବିଚାର କରନ୍ତୁ > ସମ୍ପାଦକ,  ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *