ସମ୍ପାଦକୀୟ

ପ୍ରକୃତିର ଆହ୍ୱାନ

ଶୁଭ୍ ଭାରତ ଟାଇମ୍ସ, ୪ ଜୁନ୍ ୧୯(ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର)- ପରିବେଶ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ସୁସ୍ଥ ପରିବେଶ ହିଁ ଆମ ଜୀବନଶୈଳୀ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଧୁନିକତାର ବଶବର୍ତ୍ତୀ ମଣିଷ ପାଇଁ ପରିବେଶ ଦିନକୁ ଦିନ କଳୁଷିତ ହୋଇଚାଲିଛି ଓ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ୧୯୭୩ ମସିହାରୁ ଏଭଳି ପଦକ୍ଷେପ ନିଆଯାଉଛି। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ୱ। ସେଥିପାଇଁ ଆଜିର ଦିନରେ ସରକାରୀ ତଥା ବେସରକାରୀସ୍ତରରେ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଫୋକସ୍ କରେ ଏବଂ ସେହି ବିଷୟ ଅନୁସାରେ ବିଶ୍ୱବାସୀଙ୍କୁ ପରିବେଶ ଦିବସର ସଚେତନତା ସମ୍ପର୍କରେ ବାର୍ତ୍ତା ପ୍ରେରଣ କରେ।

ପ୍ରଜାପତି ହେଉ ବା ଅନ୍ୟ କୀଟପତଙ୍ଗ ହୁଅନ୍ତୁ, ସେମାନଙ୍କର ସୁନ୍ଦର ଦୁନିଆ ଏବେ ସଙ୍କୁଚିତ ହେବାରେ ଲାଗିଛି। ଏହା କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ପାଇଁ ନୁହେଁ, ମନୁଷ୍ୟର ଅସ୍ତିତ୍ୱ ପାଇଁ ମଧ୍ୟ ବିପଦର ସଙ୍କେତ। କୀଟପତଙ୍ଗ କେବଳ ଜୈବ ବିବିଧତାର ଅଂଶ ନୁହନ୍ତି। ସେମାନଙ୍କର ପରିଶ୍ରମ ଏବଂ ସେମାନଙ୍କର ସଂଖ୍ୟା ବହୁଳତା ମନୁଷ୍ୟର ଅସ୍ତିତ୍ୱ ପାଇଁ ଖୁବ୍ ଜରୁରୀ। ମନୁଷ୍ୟର ଖାଦ୍ୟ ଉତ୍ପାଦନ ପାଇଁ ସେମାନେ ସାରାଦିନ ଖୁବ୍ ପରିଶ୍ରମ କରନ୍ତି। ଫୁଲଟିଏ ଫଳ ପାଲଟିବା ପାଇଁ ଆବଶ୍ୟକ ପରାଗ ସଙ୍ଗମ ସେମାନଙ୍କ ଦ୍ୱାରା ସଂପନ୍ନ ହୁଏ। କୀଟପତଙ୍ଗ ଦ୍ୱାରା ହେଉଥିବା ପ୍ରାକୃତିକ ପରାଗ ସଙ୍ଗମ ଯୋଗୁଁ ମନୁଷ୍ୟ ଜାତିକୁ ପ୍ରାୟ ୨୨୫ରୁ ୨୩୦ ନିୟୁତ ଡଲାର ପ୍ରକୃତିଦତ୍ତ ଖାଦ୍ୟ ଉପହାର ମିଳେ। ପରାଗ ସଙ୍ଗମରେ ସବୁଠାରୁ ସକ୍ରିୟ ଯୋଗଦାନ ଥିବା କୀଟପତଙ୍ଗ ମଧ୍ୟରେ ମହୁମାଛି ସ୍ଥାନ ସବୁଠାରୁ ଆଗରେ। ଏହାପରେ ପ୍ରଜାପତି ଏବଂ ଅନ୍ୟ କୀଟପତଙ୍ଗଙ୍କ ସ୍ଥାନ ରହିଛି। ସବୁଠାରୁ ଚିନ୍ତାର ବିଷୟ ସାରା ବିଶ୍ୱରେ ବିଶେଷ କରି ଆମେରିକା ଓ ୟୁରୋପରେ ମହୁମାଛିଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ସେମାନଙ୍କ ସଂଖ୍ୟା କମ୍ ହେବା ପ୍ରାକୃତିକ ମହୁ ଉତ୍ପାଦନକୁ ହ୍ରାସ କରିଛି। ଏଥିସହ ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ କମ୍ କରିଛି।

ସର୍ବେକ୍ଷଣରୁ ଜଣାପଡ଼ିଛି ବ୍ରିଟେନରେ ୨୦୧୨ ଓ ୨୦୧୩ ମସିହାରେ ମହୁମାଛିଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି। ଇଟାଲୀରେ ଏମାନଙ୍କ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ହ୍ରାସ ପାଇଛି। ଭାରତରେ ମଧ୍ୟ ସେମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ସବୁଜ ବିପ୍ଳବର ସ୍ୱପ୍ନକୁ ସାକାର କରିବା ପାଇଁ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ହେଉଛି। ସାର ଯୋଗୁଁ ମାଟିର ମାନ ହ୍ରାସ ପାଉଛି। କୀଟନାଶକ ହିତକାରୀ କୀଟପତଙ୍ଗ ପାଇଁ ବିପଦ ସୃଷ୍ଟି କରୁଛି। ଏହା ବ୍ୟତୀତ ପ୍ରଦୂଷଣ ଓ ଗ୍ଲୋବାଲ୍ ୱାର୍ମିଂ ମଧ୍ୟ କୀଟପତଙ୍ଗ ସଂଖ୍ୟା ହ୍ରାସ କରୁଛି। ହିମାଳୟ ଅଞ୍ଚଳ ମଧ୍ୟ ଗ୍ଲୋବାଲ୍ ୱାର୍ମିଂ ସମସ୍ୟାରୁ ମୁକ୍ତ ନୁହେଁ। ଏହି ଅଞ୍ଚଳରେ ଜଳ ବିଦ୍ୟୁତ୍ ପରିଯୋଜନା ପାଇଁ ନିର୍ମାଣ ହୋଇଥିବା ବନ୍ଧ ଯୋଗୁଁ ଏଠାରେ ତାପମାତ୍ରା ବଢ଼ୁଛି। ଏହି ତାପ ବୃଦ୍ଧିକୁ ସ୍ଥାନୀୟ କୀଟପତଙ୍ଗ ସହ୍ୟ କରିପାରୁ ନାହାନ୍ତି। ଏବେ କେବଳ ପରିବେଶବିଦ୍ ନୁହନ୍ତି, କୃଷି ବିଜ୍ଞାନୀମାନେ ମଧ୍ୟ ଏହି ସମସ୍ୟାକୁ ବୁଝିବାରେ ଲାଗିଲେଣି। ଏବେ ସାଧାରଣ ଲୋକେ ଏହାକୁ ବୁଝିବାର ସମୟ ଆସିଯାଇଛି।

ବୈଜ୍ଞାନିକମାନେ ମଧ୍ୟ ମହୁମାଛିଙ୍କ ସଂଖ୍ୟା ଏତେ ଦ୍ରୁତ ଗତିରେ କାହିଁକି ହ୍ରାସ ପାଉଛି ତା’ର ରହସ୍ୟଭେଦ କରିପାରୁନାହାନ୍ତି। ତେବେ କୀଟନାଶକ ଅତ୍ୟଧିକ ବ୍ୟବହାର, ଗ୍ଲୋବାଲ୍ ୱାର୍ମିଂ, ତେଜଷ୍ଟ୍ରିୟ ବିକିରଣ ମୋବାଇଲ ଟାୱାର ଏବଂ ପରିବେଶ ପ୍ରଦୂଷଣ ମହୁମାଛିମାନଙ୍କ ସଂଖ୍ୟା ହ୍ରାସର ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ ବୋଲି ପ୍ରକୃତିବିଦ୍ମାନେ ମତ ଦିଅନ୍ତୁ। ଏହି ସଙ୍କଟକୁ ବର୍ତ୍ତମାନ ପର୍ଯ୍ୟନ୍ତ କୃଷିବିଦ୍ମାନେ ଗମ୍ଭୀରତାର ସହ ନେଇ ନାହାନ୍ତି। କାରଣ ଶସ୍ୟଜାତୀୟ ଫସଲର ଉତ୍ପାଦନ ନିମନ୍ତେ ବାହ୍ୟକାରକର ଆବଶ୍ୟକତା ନଥାଏ। ମାତ୍ର ଅନେକ ଫଳ ଓ ପନିପରିବାର ପରାଗ ସଙ୍ଗମ କୀଟପତଙ୍ଗ ସହଯୋଗ ବିନା ସଂପୂର୍ଣ୍ଣ ହୋଇପାରେନାହିଁ। କୀଟପତଙ୍ଗ ସଂଖ୍ୟା ହ୍ରାସ କଖାରୁ, ପାଣିକଖାରୁ, ଲାଉ, ଭେଣ୍ଡି, ଲଙ୍କା, କାକୁଡି ଆଦି ପନିପରିବା ଏବଂ କଦଳ. ସେଓ, କମଳା, ପେସ୍ତାବଦାମ ଆଦି ଫଳର ଉତ୍ପାଦନ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି। ଚୀନ୍ ପରେ ଭାରତ ବିଶ୍ୱର ସବୁଠାରୁ ବଡ଼ ପନିପରିବା ଉତ୍ପାଦକ ଦେଶ। ଏଠି ପ୍ରତିବର୍ଷ ପ୍ରାୟ ୭୫ ଲକ୍ଷ ଟନ୍ ପନିପରିବା ଉତ୍ପାଦନ ହୁଏ। ଏହା ସାରା ବିଶ୍ୱର ପନିପରିବା ଉତ୍ପାଦନ ପ୍ରାୟ ୧୪ ପ୍ରତିଶତ। ପରିବା ବିନା ଭୋଜନ ବିଷୟରେ ଭାରତୀୟମାନେ ଚିନ୍ତା କରିପାରନ୍ତି ନାହିଁ। ଏ ସମ୍ପର୍କରେ କୋଲକତା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡ. ପାର୍ଥବ ବସୁ କହିଛନ୍ତି, ଆମ ଜିଡ଼ିପିରେ କୃଷି ଯୋଗଦାନ ୨୦ ପ୍ରତିଶତ। ପନିପରିବା ଓ ଫଳ ଉତ୍ପାଦନ କମ୍ ହେଲେ ଏହାର ପ୍ରଭାବ ଜିଡ଼ିପି ଉପରେ ପଡ଼ିବ।

Macro of honey bee eating nectar

ଏହାର ସମାଧନ କେବଳ ଇକୋ-ଫ୍ରେଣ୍ଡଲି ଫାର୍ମିଂ ବୋଲି କହିଛନ୍ତି। କୃଷିରେ ଜୈବିକ ଉର୍ବରକ ବ୍ୟବହାର କରିବା ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥାନଗୁଡ଼ିକୁ ନଷ୍ଟ ନକରିବା ଦ୍ୱାରା ସେମାନଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି କରାଯାଇପାରିବ ବୋଲି ଡ.ବସୁ କହିଛନ୍ତି। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଫୁଡ଼୍ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍)ର ରିପୋର୍ଟ ଅନୁଯାୟୀ ବିଶ୍ୱର ୧୫୦ଟି ଦେଶରେ ଖାଦ୍ୟଶସ୍ୟର ଶହେଟି ମୁଖ୍ୟ ପ୍ରଜାତି ବିଶ୍ୱର ୯୦ ପ୍ରତିଶତ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପୂରଣ କରେ। ଏଗୁଡ଼ିକ ମଧ୍ୟରୁ ୭୧ଟି ପ୍ରଜାତି ଫସଲର ପରାଗସଙ୍ଗମ ମହୁମାଛି ଦ୍ୱାରା ହୋଇଥାଏ। ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଏଫ୍ଏଓ ଭାରତ ସମେତ ୭ଟି ଦେଶର କୀଟପତଙ୍ଗ ସଂଖ୍ୟା ହ୍ରାସକୁ ରୋକିବା ଏବଂ ପରାଗ ସଙ୍ଗମ ପରିଚାଳନାକୁ ଦୃଢ଼ କରିବା ନିମନ୍ତେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ସମସ୍ୟା ବିଶ୍ୱ ପାଇଁ ଖାଦ୍ୟାଭାବ ସୃଷ୍ଟି କରିବ ବୋଲି ଏଫ୍ଏଓ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *