ସମ୍ପାଦକୀୟ

ଚର୍ଚ୍ଚାର ଶୀର୍ଷରେ ସେଣ୍ଟ୍ରାଲ- ଭୁବନେଶ୍ୱର ଆସନ

ମନୋରଞ୍ଜନ ପଟ୍ଟନାୟକ- ସରକାର ଗଢିବା ପୂର୍ବରୁ ଦଳର ମୁଖିଆ କେତେକ ସମଭାବାପନ୍ନ ଉଦଯୋଗୀ ବ୍ୟକ୍ତିଙ୍କୁ ନିଜ ଟିମ୍’ରେ ନେବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥାନ୍ତି। ଲକ୍ଷଥାଏ ରାଜ୍ୟବାସୀଙ୍କ ବିଶ୍ୱାସକୁ କାଏମ୍ ରଖିବା। ହେଲେ ସାଂମ୍ପ୍ରତିକ ରାଜନୀତି ବିଜୁ ଜନତା ଦଳକୁ ରାଜଧାନୀବାସୀଙ୍କ ସାମ୍ନାରେ ନିଚ୍ଚା ଦେଖାଇବା ଭଳି ସୁଯୋଗ ସୃଷ୍ଟି କରିଛି। ଯଦିଓ ନିର୍ବାଚନ ଶେଷ ହୋଇନି କିମ୍ବା କୌଣସି ନିଣ୍ଣାୟକ ଫଳାଫଳ ସାମ୍ନାକୁ ଆସିନି, ମାତ୍ର ବିଜୁ ଜନତା ଦଳ ସୁପ୍ରିମୋ ୫ମ ଥର କ୍ଷମତାକୁ ଫେରିବା ଆଶାରେ ଯେଭଳି ପ୍ରାର୍ଥୀ ଚୟନ କରିଛନ୍ତି; ରାଜ୍ୟର ବୁଦ୍ଧିଜୀବୀଙ୍କ ଲାଗି ଏହା ଆଜି ବଡ ପ୍ରସଙ୍ଗ।

ବିଜେଡି ସୁପ୍ରିମୋଙ୍କ ଦ୍ୱାରା ସ୍ୱୀକୃତ୍ତି ଲଭିଥିବା ଏଭଳି ଏକ ରୋଚକ ପ୍ରସଙ୍ଗ ସାରା ସହରବାସୀଙ୍କୁ ଦ୍ୱନ୍ଦରେ ପକାଇଛି। ଚଳିତ ନିର୍ବାଚନରେ ରାଜଧାନୀର ତିନୋଟି ବିଧାନସଭା ଆସନ ମଧ୍ୟରୁ କେବଳ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବ ପ୍ରାର୍ଥୀଙ୍କ ଉପରେ ଆସ୍ଥା ରଖିଥିବା ପ୍ରମାଣ କରିଛି, ଏବଂ ଉତ୍ତର ଓ ମଧ୍ୟ- ଭୁବନେଶ୍ୱରରେ ୨ ଜଣ ନୂଆ ପ୍ରାର୍ଥୀଙ୍କୁ ଛିଡା କରିଛି। ତେବେ ଚର୍ଚ୍ଚିତ ବିଷୟଟି ମଧ୍ୟ- ଭୁବନେଶ୍ୱର ବିଜେଡି ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଇଙ୍ଗିତ କଲାଭଳି ଉପସ୍ଥାପନର ଉପଲବଧି ଆଣିପାରେ, କିନ୍ତୁ ଆରମ୍ଭରୁ ସ୍ପଷ୍ଟ କରୁଛୁ ରାଜନୀତିରେ ବ୍ୟକ୍ତିର ବ୍ୟକ୍ତିତ୍ୱ ସବୁଠାରୁ ମହତ୍ୱପୂର୍ଣ୍ଣ। ଦେଶର ସ୍ମାର୍ଟ ସିଟି ରୂପେ ପୁରସ୍କୃତ ଭୁବନେଶ୍ୱର ସହର ସବୁ ଦିଗରୁ ସୁରକ୍ଷିତ କି ? ଆଜି ମଧ୍ୟ- ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅଧିନ ୨୧ଟି ୱାର୍ଡର ବିରୋଧି ଗୋଷ୍ଠୀଙ୍କ ପ୍ରଶ୍ନ, ବିଜେଡିରେ କ’ଣ ଆଉ କେହି ଯୋଗ୍ୟ ବ୍ୟକ୍ତି ନଥିଲେ !

ବିରୋଧିଙ୍କ ସ୍ୱର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତୃତୀୟ ମହଲାରେ ପ୍ରତିପାଳିତ ତାଙ୍କର ୨ଟି ଗୁମାସ୍ତାଙ୍କ ଆଡକୁ ଅଙ୍ଗୁଳି ଉଠାଇଛି। ନବୀନଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ପାୱାର କରିଡର’ ର ପରାମର୍ଶ ନିହିତ। ନବୀନଙ୍କୁ ଏମାନେ ଜୀତାଜାଗତା ରୋବର୍ଟ ଭଳି ବ୍ୟବହାର କରି ବିଜୁ ସାମ୍ରାଜ୍ୟକୁ ଧ୍ୱଂସାଭିମୁଖୀ କରିଛନ୍ତି। ନବୀନଙ୍କ ବିରୋଧରେ, କେବଳ କୋଇଲା ଦୁର୍ନୀତକୁ ନେଇ ସିବିଆଇ ଜେରା ଘଟଣାକୁ ବାଦ୍ ଦେଲେ, ବିରୋଧି ଏଯାଏଁ କୌଣସି ନିର୍ଦ୍ଧିଷ୍ଟ ଦୁର୍ନୀତିର ପ୍ରମାଣ ଯୁଟାଇ ପାରି ନାହାଁନ୍ତି। ସେଥିପାଇଁ ଚିଟଫଣ୍ଡ୍ କେଳେଙ୍କାରୀରେ ସଂମ୍ପୃକ୍ତ ନେତାମାନଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଗଲା ଏବଂ ସେମାନଙ୍କ ପିଲାମାନେ ବିଜେଡି ଟିକେଟରେ ଲଢିବାକୁ ସୁଯୋଗ ପାଇଲେ। ତେଣୁ ରାଜ୍ୟର ଭୋଟର ପ୍ରତିକ୍ରିୟା ରଖୁଛନ୍ତି କି ଚିଟଫଣ୍ଡ କେଳେଙ୍କାରୀରେ ସଂମ୍ପୃକ୍ତ ନେତାମାନଙ୍କ ଔରସରୁ ଜନ୍ମିତ ପିଲାମାନେ, କ’ଣ ତାଙ୍କ ନିଜର ନଥିଲେ ! ଏହିଭଳି ଭାବେ ଚଳିତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ନବୀନ ସରକାର ନିନ୍ଦା ଅପବାଦର ଶିକାର ହୋଇଛି।

ପୂର୍ବରୁ ରାଜଧାନୀର ମଧ୍ୟ- ଭୁବନେଶ୍ୱର ଆସନକୁ ବାରମ୍ବାର ଦଖଲ କରିଥିଲେ ବିଜେଡି ନେତା ବିଜୟ ମହାନ୍ତି। ବମିଖାଲ ଓଭର୍ ବ୍ରିଜ୍ ଭୁଷୁଡିବା ଘଟଣା ବ୍ୟତୀତ ବିଜୟଙ୍କ ଅମଳରେ ସେମିତି ଆଖିଦୃଶିଆ ଘଟଣା ତାଙ୍କୁ ଟିକେଟ ନମିଳିବା ଭଳି ପ୍ରସଙ୍ଗ ଠିଆ କରିନି। ଓଭର୍ ବ୍ରିଜ୍ ଭୁଷୁଡିବା ଘଟଣାରେ ବିଜୟଙ୍କ ସଂମ୍ପୃକ୍ତି ଥାଉ ବା ନଥାଉ, ଘଟଣାର ମାଷ୍ଟରମାଇଣ୍ଡ ଭାବେ ନିନ୍ଦିତ ସରକାରୀ କର୍ମଚାରୀ ନଳିନୀ ପ୍ରଧାନ ଆଜି ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ତେବେ କେଉଁ ଆଧାରରେ ବିଜୟଙ୍କ ଟିକେଟ କାଟି, ଗୋଟିଏ ଯୈାନ କେଳେଙ୍କାରୀ ମାମଲା ଓ ରିଷି ପଟ୍ଟନାୟକ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ତତକାଳୀନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦିଆଗଲା ଏସମ୍ପର୍କରେ ନବୀନ ସ୍ପଷ୍ଟ ବିବୃତ୍ତି ରଖନ୍ତୁ।

ଯୈାନ କେଳେଙ୍କାରୀ ମାମଲା ଶେଷରେ ଏକ କପୋଳକଳ୍ପିତ କାହାଣୀରେ ପରିଣତ ହୋଇପାରିଲା, ମେୟର ନିଜ ପକ୍ଷରୁ କୋଟିଏ ଟଙ୍କାର ମାନହାନୀ ମୋକଦ୍ଦମା କରି ନିଜକୁ ଦୋଷମୁକ୍ତ କଲେ; କିନ୍ତୁ ଘଟଣାକୁ ନେଇ ରାଜଧାନୀ ପାଲଟିଥିଲା ରଣାଙ୍ଗନ। କଂଗ୍ରେସ ଓ ଭାଜପା, ଉଭୟ ବିରୋଧି ଗୋଷ୍ଠୀର ହଜାର ହଜାର ସମର୍ଥକଙ୍କ ପକ୍ଷରୁ ରାଜଧାନୀରେ ପୋଡାଜଳା, ଧସ୍ତାଧସ୍ତି, ସଭାସମିତି, ଶୋଭାଯାତ୍ରା ସବୁକିଛି କେବଳ ତାମସା ଥିଲା ବୋଲି ବିଜୁ ଜନତା ଦଳ ପ୍ରମାଣିତ କରିଦେଲା। ଏହି ଦେଶରେ ନୋତାଜୀ ସୁବାଷ ଚନ୍ଦ୍ର ବୋଷ ନିଖୋଜ୍ ମାମଲା ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେବି ରହସ୍ୟାବୃତ୍ତ। ସେଭଳି ଏହି ଘଟଣା ଦୁନିଆର ଅତ୍ୟାଧୁନିକ ଯନ୍ତ୍ରାଂଶର ଯୁଗକୁ ଠୋକର୍ ମାରି ଛପି ଯାଇଛି। ଯୌନାଚାର ସମୟର ଏକ ଅରୁଚିକର ଦୃଶ୍ୟ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଥିବା ବେଳେ ଆଇନ୍ ବ୍ୟବସ୍ଥାରେ ସମସ୍ତେ ଅନ୍ଧ ବୋଲି ସ୍ବୀକାର କଲେ। ମେୟରଙ୍କୁ ନେଇ ଆଲୋଚିତ ସନ୍ଦିଗ୍ଧ ନାରୀ ଶୋଷଣ ମାମଲା ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କେଉଁଆଡେ ଓଭେଇ ଗଲା। ବିଜେଡିର ଏହି ବିବାଦୀୟ ବ୍ୟକ୍ତିତ୍ୱ ଆଜି ମଧ୍ୟ- ଭୁବନେଶ୍ୱରର ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ। ଏହାଙ୍କ କାରନାମାକୁ ନେଇ ଭୁବନେଶ୍ୱର ମହାନଗର ଗୁମୁରି ଗୁମୁରି କାନ୍ଦୁଛି। ନବିନ ପଟ୍ଟନାୟକଙ୍କୁ ଲଗାତର ୪ ଥର କ୍ଷମତାରେ ବସାଇଥିବା ଜନତା, ମୁଁହରେ ତାଲା ପକାଇ ଅନୁଭବ କରୁଛନ୍ତି ଏଥର କାହାକୁ ନିଜର ପ୍ରିୟ ନେତା ବୋଲି ବାଛିବେ !
ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ, (୧୧ ଏପ୍ରିଲ୍, ୨୦୧୯)

Leave a Reply

Your email address will not be published. Required fields are marked *