ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୮.o୯- ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି। ସେପାଖେ ବିଜେପୁରକୁ ଫୋକସ୍ ଏରିଆ କରାଯିବ କହି ରୀତା ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି। କିନ୍ତୁ ପଛରେ ପଡିଯାଇଛି ବିଜେପି। ଏନେଇ ସମାଲୋଚନା ଆରମ୍ଭ ହେବା ପରେ ଶନିବାର ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ଯେ ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳିରୁ ଲଢି ଦୁଇଟି ଯାକ ବିଧାନସଭା ଆସନରୁ ଜିତିଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ କେତେକ ରାଜନୈତିକ ବିଶ୍ଳେଷକ ସବୁ ଅଙ୍କକଷା ଛାଡି ବିଜେପି ପଛରେ ପଡିଯାଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ନେତୃତ୍ୱ ରାଜ୍ୟ ନେତୃବର୍ଗଙ୍କୁ କାହିଁକି ଗୁରୁତ୍ୱ ଦେଉନାହାଁନ୍ତି।

ସମ୍ପ୍ରତି ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀଙ୍କ ନାମ ଘୋଷଣା ହେବାରେ ଯେଭଳି ବିଳମ୍ବ ଘଟୁଛି, ଗତ ପାଟକୁରା ଉପନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାରରେ ମଧ୍ୟ ସେଭଳି ବିଳମ୍ବ ଘଟିଥିଲା। ରାଜ୍ୟ ନେତୃବର୍ଗ ବିଭିନ୍ନ ପ୍ରସଙ୍ଗରେ କେବଳ ସାମ୍ବାଦିକ ସମ୍ମିଳନୀ ଡକାଇ ନବୀନ ଓ ବିଜେଡି ବିରୋଧରେ ଯେଉଁଭଳି ରଣହୁଙ୍କାର ଦେଉଛନ୍ତି, ସେସବୁ ଲୋମଟାଙ୍କୁରା ଭାଷଣକୁ ଫେଣାଫେଣୀ କରି ରାଜ୍ୟର ସମସ୍ତ ଓଡିଆ ଟେଲିଭିଜନ ଚାନାଲ୍ କେମିତି ଟିଆରପି ବଢାଇବେ ସେଥିରେ ବେଶ୍ କିଛି ଘଣ୍ଟା ବିତାଉଛନ୍ତି। ଶେଷରେ ଫଳାଫଳ ଶୁନ୍। ରାଜ୍ୟ ବିଜେଡି ସରକାର ଯେମିତି ଉପାୟରେ ହେଉନା କାହିଁକି ନିଜ ଲକ୍ଷସ୍ଥଳରେ ପହଁଚିଯାଉଛି। ଏକଥା ସାବ୍ୟସ୍ତ ହୋଇଛି ପୁରୀ ଏବଂ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ। ଏହି ଦୁଇଟି ନିର୍ବାଚନମଣ୍ଡଳୀରେ ବିଜେପି ବାଜିମାତ୍ କରିଥିବାବେଳେ ପୁରୀରେ ଆତଙ୍କବାଦୀ ଆକ୍ରମଣ ନାମରେ ଲୋକଙ୍କୁ ବାସହରା କରାଯାଉଛି। ସେପାଖେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରାଜ୍ୟ ବିଜେପି ନେତାଙ୍କ ପାରିବା ପଣିଆରେ ବିଶ୍ୱାସ କରି କଂଗ୍ରେସ ଛାଡି ଯେଉଁ ଭୁଲ୍ କରିଛନ୍ତି, ପଶ୍ଚାତାପରେ ନିର୍ବାଚନମଣ୍ଡଳୀକୁ ଏକବାର ଭୁଲିଯାଇଛନ୍ତି।

ରାଜ୍ୟବାସୀ ଏଥିପାଇଁ ଚିନ୍ତିତ ଯେ କେନ୍ଦ୍ରରେ ଉପା ସରକାର ଥାଉ କିମ୍ବା ବିଜେପି ସରକାର, ସେମାନେ ବିଜେଡିକୁ କାହିଁକି ମୁଣ୍ଡରେ ବସାନ୍ତି। ଏହାର ଉତ୍ତର ହୁଏତ ଉଭୟ ବିଜେପି ଓ କଂଗ୍ରେସ ନେତାଙ୍କୁ ଭଲଭାବେ ଜଣାଅଛି। ଯଦି ରାଜନୈତିକ ବିଶ୍ଳେଷକଙ୍କ ଆଶା ଆଶଙ୍କା ଓ ନେତାଙ୍କ ଉତ୍ତର ମଧ୍ୟରେ ତାଳମେଳ ରହିଛି, ତେବେ ଓଡିଶାର ବିଜେପି ନେତାଙ୍କୁ ପ୍ରଶ୍ନ, ଆପଣମାନେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ କ’ଣ ଠିକା ନେଇଛନ୍ତି ?
ତେବେ ଶୁଣିବାକୁ ମିଳୁଛି ବିଜେପୁର ଉପନିର୍ବାଚନ କ୍ଷେତ୍ରରେ ବିଜେପି ଯାହାଙ୍କ ନାମ ଘୋଷଣା କରିବାକୁ ସ୍ଥିର କରିଛି ସେ ହେଲେ ସନତ ଗଡ଼ତିଆ। ଗତ ନିର୍ବାଚନରେ ସନତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ନିକଟରେ ତାଙ୍କ ନାଁରେ ନାମାଙ୍କନ ପତ୍ର ମଧ୍ୟ କିଣାଯାଇଛି। ତେଣୁ ଦଳ ତାଙ୍କୁ ପୁଣି ରିପିଟ୍ କରିବାର ସମ୍ଭାବନା ଅଛି ବୋଲି ଚର୍ଚ୍ଚା ହେଉଛି।
