ପେଜ୍-ଥ୍ରୀ

ଛୁପା ରୁସ୍ତମ୍

ଶୁଭ୍ ଭାରତ ଟାଇମ୍ସ, ୧୨ ଜୁନ୍, ୧୯- ଗୀତ ଗାଇବା ତାଙ୍କର ରୁଚି। ଏଥିପାଇଁ ଦିନେ ହେଲେ କୌଣସି ଗୁରୁଙ୍କ ସହାୟତାର ଆବଶ୍ୟକ ପଡିନି। ପ୍ରସିଦ୍ଧ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି(ଖୋକା ଭାଇ) ଏବଂ ହିନ୍ଦି ଚଳଚିତ୍ର ସଙ୍ଗୀତର ବାଦଶାହା କିଶୋର ଦା’ ଗାଇଥିବା ଗୀତଗୁଡିକୁ ଶୁଣି ମନ ଭିତରେ ଗୁଣଗୁଣ କରିବାରେ ସେ ଥିଲେ ଓସ୍ତାଦ୍। କିନ୍ତୁ କେବେ ଭାବିନଥିଲେ କି ତାଙ୍କ ଭିତରେ ଏକ ମଧୂର ସ୍ୱର ଲୁଚି ରହିଛି। ସାଙ୍ଗସାଥି ମେଳରେ ଏମିତି ଗୁଣଗୁଣ କରିବା ବେଳେ ଧରାପଡିଯାନ୍ତି। ତାଙ୍କୁ ମନଦେଇ ଶୁଣୁଥିବା ସାଙ୍ଗମାନେ ଏକ ଲୁକ୍କାୟିତ ପ୍ରତିଭାକୁ ଠଉରେଇ ନିଅନ୍ତି। କ୍ରମେ ସାଙ୍ଗମାନଙ୍କ ଟୀକାଟିପଣି ମନ ଭିତରେ ଗୀତ ଗାଇବା ଜାରି ରଖିବାକୁ ପ୍ରେରଣା ଦେଲା। ସେହି ଲୁକ୍କାୟିତ ପ୍ରତିଭା ଏଣିକି ଷ୍ଟେଜ୍ ଉପରକୁ ଚଢିବା ପାଇଁ ମନରେ ଆବେଗ ଭରିଦେଲା। ଦିନେ ହଠାତ୍ ଶ୍ରୋତା ଓ ଦର୍ଶକଙ୍କ ସମ୍ମୁଖୀନ ହେବାକୁ ସାହାସ ବାନ୍ଧି ସିଏ ଆଗେଇ ଆସନ୍ତି।

ବାଥରୁମରେ ଗୁଣୁଗୁଣ ହେଉଥିବା ପ୍ରତିଭାବାନ ଗାୟକଙ୍କ ମୁଠାରେ ମାଇକ୍ରୋଫୋନ୍, ତାଙ୍କ କଣ୍ଠରୁ ଶୁଣିବାକୁ ଚାହିଁରହିଛନ୍ତି ଶହ ଶହ ଶ୍ରୋତା। ନିଚ୍ଛକ ବାସ୍ତବ ଦୃଶ୍ୟ ବି ଅନୁଭବ ଦେଉଥିଲା ସବୁକିଛ ଯେମିତି ସ୍ୱପ୍ନ ବିଭ୍ରମ। ପରିଚିତ ଚେହେରାଙ୍କୁ ଷ୍ଟେଜ୍ ଉପରେ ଏକ ନୂଆ ପ୍ରସ୍ତୁତିରେ ଦେଖି ସାଙ୍ଗସାଥିଙ୍କ ସମେତ ସଙ୍ଗୀତ ପ୍ରେମିଙ୍କ ଉତ୍ସୁକତା ବଢିଯାଇଥାଏ। ସଭିଏଁ ଅପେକ୍ଷା କରିଥିଲେ ଇଏ କ’ଣ ଗାଇବେ! ଏତିକିବେଳେ ମ୍ୟୁଜିକ୍ସିଆନଙ୍କ ବାଦ୍ୟଯନ୍ତ୍ର ବାଜି ଉଠିଲା, କରେଣ୍ଟ୍ ଲାଗିବା ଭଳି ମନରୁ ଭୟ ଓ ସଂଶୟ କେଉଁଆଡେ ଉଭେଇଗଲା। ତାଳକୁ ଲକ୍ଷ୍ୟ କରି ସିଏ ସ୍ୱର ସଂଯୋଗ କରି ଚାଲିଲେ। ସ୍ୱର ତାଳର ମହାସଙ୍ଗମ କରତାଳିର ପ୍ରତିକ୍ରିୟା ରଖିଲା। ମାତ୍ର ୪ ମିନିଟର କସରତ୍ ରୁ ଜନ୍ମ ନେଲା ନୂଆ ସମ୍ଭାବନା। କିଏ ବା ଜାଣିଥିଲା ଏଇ ଟିକକ ପ୍ରୟାସ ଦିନେ ତାଙ୍କୁ ଦେବ ନିଆରା ପରିଚୟ!

ପତ୍ନୀ ସୁଜାତା ମହାନ୍ତି ଏବଂ ଝିଅ ଶ୍ରେୟାଙ୍କ ସହ ଶିବ ମହାନ୍ତି

ବାସ୍ ସେହି ଦିନରୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଶିବ ମହାନ୍ତି। କଟକ ଲିଙ୍କରୋଡରେ ଥିବା ଏଚ୍.ଡି.ଏଫ୍.ସି ଲାଇଫ୍ ଇନସ୍ୟୁରାନ୍ସ ସଂସ୍ଥାର ଫିନ୍ନାସିଆଲ୍ ଆଡଭାଇଜର୍ ଭାବେ ସେ କାର୍ଯ୍ୟ କରନ୍ତି। କଟକ ସନ୍ନିକଟ ବୈୟାଳିଶ୍ ମୌଜା ଅନ୍ତର୍ଗତ ବେଣ୍ଟକାର ଗାଁରେ ଜନ୍ମିତ ଏହି ପ୍ରତିଭା ଏବେ ୪୭ ଅତିକ୍ରମ କଲେଣି। ପିତା ଗୌରୀଶ୍ୟାମ୍ ମହାନ୍ତି ପରଲୋକରେ। ଧୀରେ ଧୀରେ ପରିବାରର ବୋଝ ମୁଣ୍ଡରେ ଲଦି ହେବାରେ ପେଷା ଓ ନିଶାରେ ବାଲାନ୍ସ ରଖିବା ସମ୍ଭବ ହେଉନି। କିନ୍ତୁ ଗୀତ ଗାଇବାକୁ ସେ ଖୁବ୍ ଭଲପାଆନ୍ତି। କଟକ ଜିଲ୍ଲା ମୁଖ୍ୟତଃ ପ୍ରତିଭାମାନଙ୍କର ଜନ୍ମଦାତ୍ରୀ। କଳା ସଂସ୍କୃତିର ତୀର୍ଥକ୍ଷେତ୍ର ଭାବେ ସହରର ସୁନାମ ରହିଛି। ଏହି ସହରବାସୀ ପ୍ରତିଭାର ପୁଜାରୀ। କଳା ପ୍ରସଙ୍ଗରେ କାହାର କୌଣସି କମ୍ପ୍ରୋମାଇଜ୍ ନାହିଁ। ଏହି ଧାରା ବଜାୟ ରଖିଛନ୍ତି ଶିବ ମହାନ୍ତି। ଦୁର୍ଗାପୂଜା ଅବକାଶରେ ଯେତେବେଳେ କଟକ ସହର ସଙ୍ଗୀତ ବର୍ଷାରେ ଭିଜିଯାଏ, ଏହି ସୁଯୋଗ ହାତଛଡ଼ା କରନ୍ତିନି ଶିବ ମହାନ୍ତି। ଷ୍ଟେଜ୍ ଉପରେ ଚାରି ପାଞ୍ଚଟି ଗୀତ ଗାଇ ମନକୁ ଶାନ୍ୱନା ଦିଅନ୍ତି। ତାଙ୍କ ଅନ୍ତର୍ନିହିତ ପ୍ରତିଭାକୁ ନେଇ ସେ ବ୍ୟବସାୟ କରନ୍ତିନି, ବରଂ ଏହାକୁ ସମ୍ନାନ ଜଣାଇ ଯୁବପିଢିଙ୍କୁ ଆହ୍ୱାନ ଦେଇଚାଲିଛନ୍ତି। ଆଜିର ଲୋକପ୍ରିୟ ସୋସିଆଲ୍ ନେଟଓର୍କ ଫେସବୁକ୍ ରେ ଷ୍ଟାରମେକର୍ ମ୍ୟୁଜିକ୍ ସାଇଟ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ଶିବ ମହାନ୍ତିଙ୍କ କଣ୍ଠସ୍ୱର ଶୁଣିବା ପରେ ‘ଶୁଭ୍ ଭାରତ ଟାଇମ୍ସ’ ଏହି ଛୁପା ରୁସ୍ତମଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରିଛି।

Leave a Reply

Your email address will not be published. Required fields are marked *