ସମ୍ପାଦକୀୟ

ନଳଘାସ ଉଜାଡି ଦେଇଛି ମତ୍ସ୍ୟଜୀବୀର ସଂସାର

ମନୋରଞ୍ଜନ ପଟ୍ଟନାୟକ- ଲାସ୍ୟମୟୀ ଚିଲିକାର ଉତ୍ତର-ପୂର୍ବ ଉପକୂଳ ଅତୀତରେ ନିଜ ଅବବାହିକାର ମତ୍ସ୍ୟଜୀବୀଙ୍କ ପାଇଁ ଭାଗ୍ୟଦେବୀ ସାଜିଥିଲା। ଏବେ ଉପକୂଳର ପ୍ରାୟ ୨ଶହ ବର୍ଗ କିଲୋମିଟର ଜଳଭାଗ ନଳଘାସ ଜଙ୍ଗଲରେ ପରିପୂର୍ଣ୍ଣ। ଏହାର ମୂଳୋତ୍ପାଟନ ପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି (ସି.ଡି.ଏ) ୨୦୦୮ ମସିହାରେ ଏକ ରସାୟନିକ ଦ୍ରବ୍ୟ ପ୍ରୟୋଗ କରି ପରିକ୍ଷାମୂଳକ ପଦକ୍ଷେପ ନେଇଥିଲା। ହେଲେ ରସାୟନିକ ଦ୍ରବ୍ୟ ପ୍ରୟୋଗରେ ତୃଟି ରହିବାରୁ ନଳଘାସ କଟାରେ ନିୟୋଜିତ ଶ୍ରମିକ ଦେହରେ ପୋଡ଼ାଜଳା ଅନୁଭବ କରି ଅଧାରୁ କାମ ଛାଡ଼ି ପଳାୟନ କଲେ।

ସେବେଠାରୁ ନଳଘାସ ମୂଳୋତ୍ପାଟନ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଯାହାଦ୍ବାରା ପୁରୀ ଜିଲ୍ଲା ବୋରବକୁଦି ଠାରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ କୁମାଣ୍ଡଳପାଟଣା ଉପକୂଳ ଅଞ୍ଚଳରେ ନଳଘାସ ଜଙ୍ଗଲ କାୟା ବିସ୍ତାର କରିଛି। ତା’ର ପ୍ରଭାବରେ ଗରିବ ଶ୍ରେଣୀର ମତ୍ସ୍ୟଜୀବୀ ନିଜର ପାରମ୍ପରିକ ବେଉଷା ହରାଇ ରୋଜଗାର ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଦାଦନ କାମକୁ ଆଦରି ନେଇଛନ୍ତି।

ସ୍ଥାନୀୟ ଧିବରମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୯୯ ମସିହା ମହାବାତ୍ୟା ପରେ ସରୁ ବାଉଁଶ ଗଛ ଭଳି ଭ୍ରମ ସୃଷ୍ଟି କରୁଥିବା ଏକ ପ୍ରକାର ଘାସ ଚିଲିକା ଉତ୍ତର- ପୂର୍ବ ଉପକୂଳରେ କାଁଭାଁ ଦେଖିବାକୁ ମିଳୁଥିଲା। ଏହି ବିରଳ ପ୍ରଜାତିର ଘାସ ଗତ ୨୦ ବର୍ଷ ମଧ୍ୟରେ ଚିଲିକା ଉପକୂଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ସହ ଅବବାହିକାର ମତ୍ସ୍ୟଜୀବୀଙ୍କୁ ତଳି ତଳାନ୍ତ କରିଚାଲିଛି। ଏହା ସତ୍ୱେ ଚିଲିକା ଉନ୍ନୟନ କର୍ତୃପକ୍ଷ (ସି.ଡି.ଏ) ହ୍ରଦର ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯାଇ ମିଥ୍ୟା ପକ୍ଷୀ ଗଣନା ରିପୋର୍ଟ ମାଧ୍ୟମରେ ସମଗ୍ର ପରିବେଶପ୍ରେମୀଙ୍କୁ ଭୁଆଁ ବୁଲାଇ ଚାଲିଛି। ବିଭିନ୍ନ ମତ୍ସ୍ୟଜୀବୀ ମହାସଂଘ ଚାପରେ ୨୦୦୮ ଜାନୁୟାରୀ ମାସରେ ନଳଘାସ ମୂଳୋତ୍ପାଟନ ପାଇଁ ଯୋଜନା ପ୍ରସ୍ତୁତ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କୁମାଣ୍ଡଳପାଟଣା ସନ୍ନିକଟ ଖଇଙ୍ଗା ବନ୍ଧ ଉପତ୍ୟକାରୁ ନଳଘାସ କଟା ଆରମ୍ଭ କରାଗଲା।

ଘାସ କଟାରେ ନିୟୋଜିତ ହେଲେ ୭୦ଜଣ ଶ୍ରମିକ। ସେମାନେ କିଛି କାଟିବା ପରେ, କଟା ଘାସର ମୂଳଭାଗରେ ଚେମ୍ମିନ୍ନୋଭା କମ୍ପାନୀ ଦ୍ୱାରା ପ୍ରସ୍ତୁତ ‘ଗ୍ଲାଇଫସ୍ ସାଇଡ’ ନାମକ ଏକ କେମିକାଲ୍ ପ୍ରୟୋଗ କରାଗଲା। କେମିକାଲ୍ ପ୍ରୟୋଗ ଦ୍ୱାରା ଉତ୍ପନ୍ନ ଉତ୍କଟ ଗ୍ୟାସ୍ ପ୍ରଭାବରେ ଶ୍ରମିକମାନେ ଦେହରେ ପୋଡାଜଳା ଅନୁଭବ କଲେ ଓ ଘଣ୍ଟାଏ ମଧ୍ୟରେ କାମ ଛାଡି ପଳାଇଗଲେ। କେମିକାଲର ଉତ୍କଟ ବାଷ୍ପରେ ଅଣନିଶ୍ୱାସି ହୋଇଯାଉଥିବାରୁ ପରବର୍ତ୍ତୀ ସମୟରେ କେହି ଜଣେ ହେଲେ ମଧ୍ୟ ନଳଘାସ କାଟିବାକୁ ରାଜିହେଲେ ନାହିଁ।

ଗ୍ଲାଇଫସ୍ ସାଇଡ୍’ ପ୍ରଭାବରେ କୁମାଣ୍ଡଳପାଟଣା ଚିଲିକା ଅବବାହିକା ଜଳ ବିଷାକ୍ତ ହେବାରେ ମାଛ ମରି କୂଳରେ ଭାଷିଲେ। ଏହା ଦେଖିବା ପରେ ଉପକୂଳରୁ ମାଛ ମାରି ଚଳୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଶେଷରେ ଜଣାପଡିଲା କି ବିଶେଷଜ୍ଞଙ୍କ ଅନୁପସ୍ଥିତିରେ କେମିକାଲ୍ ପ୍ରୟୋଗ କରାଯାଉଛି। ସି.ଡି.ଏ ଦ୍ବାରା ନିୟୋଜିତ ଅଧିକାରୀ ଏସ୍.ଏସ୍ ସାହୁ ମନ ମୁତାବକ କେମିକାଲ୍ ପ୍ରୟୋଗ କରିଥିଲେ। ନିର୍ଦ୍ଧିଷ୍ଟ ପଦ୍ଧତିରେ ‘ଗ୍ଳାଇଫସ୍ ସାଇଡ୍’ ପ୍ରୟୋଗ କରାଯାଇଥିଲେ ନିଶ୍ଚିତ ସଫଳତା ମିଳିଥାନ୍ତା ବୋଲି ଚେମ୍ମିନ୍ନୋଭା କମ୍ପାନୀର ଓଡ଼ିଶା ମୁଖ୍ୟ ମତ ରଖିଥିଲେ। ବିଭାଗୀୟ କର୍ମଚାରୀଙ୍କ ଅବହେଳା ସତ୍ୱେ ସିଡିଏ’ର ତତ୍କାଳିନ ନିର୍ବାହୀ ଅଧିକାରୀ କେମିକାଲ୍ ପ୍ରୟୋଗ ତୃଟି ସୁଧାରିବାରେ କୌଣସି ପଦକ୍ଷେପ ନେଲେନାହିଁ। ସେବେଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ନଳଘାସ ମୂଳୋତ୍ପାଟନ ଯୋଜନା ସ୍ଥଗିତ ରହିଲା।

ଚିଲିକାର ପ୍ରତିକୂଳ ପରିସ୍ଥିତି ମତ୍ସ୍ୟଜୀବୀଙ୍କ ହାତରୁ ଜାଲ, ଖେପାଜାଲ ଛଡାଇ ନେଇ କୋଡି, ଫାଉଡା, କୋଦାଳ ଧରାଇ ଦେଇଛି। ଅନୁଭବ ଅଭାବରୁ ଦାଦନ ଖଟୁଥିବା ଅନେକ ମତ୍ସ୍ୟଜୀବୀ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ନିଜର କୌଳିକ ବୃତ୍ତି ହରାଇବା ପରେ ଭୋକ ଦାଉରୁ ମୁକ୍ତି ପାଇଁ ସେମାନେ ଦାଦନ ଖଟୁଛନ୍ତି। ସେପାଖେ ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି। ଉପଯୁକ୍ତ ଶିକ୍ଷା ଓ ଯତ୍ନ ଅଭାବରୁ ଉତ୍କଟ ସମସ୍ୟା ସୃଷ୍ଟି କରିଛି ନଳଘାସ। ସମ୍ପ୍ରଦାୟର ପରପିଢିଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ପୁରୀ, ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ପରିବାର ଆଜି ଅବନତି ଓ ଅନଗ୍ରସର ତାଲିକାର ଶୀର୍ଷରେ ପହଁଚିଛନ୍ତି। ଚିଲିକାର ବୈଭବ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ନିଜର କୌଳିକ ବୃତ୍ତି ପାଇଁ ସେମାନେ ଗର୍ବ ଅନୁଭବ କରୁଥିଲେ। ନିଜ ନିଜର ରୋଜଗାର ଦୃଷ୍ଟିରୁ ନିଜ ଅଞ୍ଚଳର ଅନ୍ୟାନ୍ୟ ବର୍ଗଙ୍କ ସହ ସମକକ୍ଷ ହୋଇପାରିଥିଲେ। ଏବେ ନଳଘାସ ସାଜିଛି ବଇରୀ, ଚିଲିକାରୁ ନଳଘାଷ ମୁଲୋତ୍ପାଟନ ପାଇଁ ଅନୁମୋଦିତ ଶହ ଶହ କୋଟି ଟଙ୍କା ବିନିଯୋଗ ହେବା ପରିବର୍ତ୍ତେ, ବିଭିନ୍ନ ଏନ.ଜି.ଓ ଏବଂ ଚିଲିକା ଉନ୍ନୟନ କର୍ତୃପକ୍ଷ (ସି.ଡି.ଏ) ଭାଗବାଣ୍ଟି ଲୁଟୁଛନ୍ତି।

ଆର୍ଥିକ ସମ୍ବଳ ଅଭାବରୁ ଯେଉଁମାନେ ଖେପାଜାଲ, ପୋଳୁହ, ବନିଷି ଖାଡି ମାଧ୍ୟମରେ ଉପକୂଳ ଚିଲିକାରୁ ମାଛମାରି ପରିବାରର ସଭିଁଙ୍କୁ ମୁଠେ ଖାଇବାକୁ ଦେଉଥିଲେ, ନଳଘାସ ପାଇଁ ଉଜୁଡି ଯାଇଛି ସେମାନଙ୍କ ହସଖୁସିର ସଂସାର। ଅର୍ଥାଭାବରୁ ଜାଲ, ଡଙ୍ଗା ଓ ଡଙ୍ଗା ମେସିନ୍ କିଣିବାର ସାମର୍ଥ୍ୟ ଜୁଟାଇ ପାରୁନଥିବା ମତ୍ସ୍ୟଜୀବୀ ଏବେ ଦାଦନ ଶ୍ରମିକ। ପରୋକ୍ଷରେ ନଳଘାସରେ ଆଚ୍ଛାଦିତ ପୁରୀ ଜିଲ୍ଲା କଣାସ ବ୍ଲକ୍, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଓ ଚିଲିକା ବ୍ଲକର ସମୁଦାୟ ୭୦ଟି ଗାଁର ପ୍ରାୟ ୨ଲକ୍ଷ ମତ୍ସ୍ୟଜୀବୀ ପରିବାରର ଜୀବିକା ବିପନ୍ନ ହୋଇଛି। ସେମାନେ ମାଛ ମାରିବାକୁ ଚିଲିକା ଯିବା ପରିବର୍ତ୍ତେ ପ୍ରତିଦିନ ବଡିଭୋରରୁ ଭୁବନେଶ୍ୱର ଆସି କାମଧନ୍ଦା ଖୋଜୁଛନ୍ତି।

ପୂର୍ବତଟ ରେଳପଥର ଖୋର୍ଦ୍ଧା ଡ଼ିଭିଜନ୍ ସଲଗ୍ନ ଚିଲିକା ରେଳଷ୍ଟେସନରୁ ଆରମ୍ଭ କରି ବାଲୁଗାଁ, ସୋଲରୀ, ଗଙ୍ଗାଧରପୁର, କୁହୁଡି, କାଳୁପଡ଼ାଘାଟ, ମୁକ୍ତେଶ୍ୱର, ଭୁଷଣ୍ଡପୁର ଓ ନିରାକାରପୁର ରେଳଷ୍ଟେସନରୁ ହଜାର ହଜାର ମତ୍ସ୍ୟଜୀବୀ ସପରିବାର ପ୍ରତିଦିନ ଭୁବନେଶ୍ୱର ଆସୁଛନ୍ତି। ମଜୁରିଆ ଭାବେ କାମଟିଏ ପାଇବା ଲାଗି କଳ୍ପନା ଛକ ଓ ପୁରୁଣା ଷ୍ଟେସନ ଛକ ଇତ୍ୟାଦି ସ୍ଥାନରେ ଅପେକ୍ଷା କରୁଛନ୍ତି। ଅନ୍ୟାନ୍ୟ କେତେକ ମତ୍ସ୍ୟଜୀବୀ କେରଳ, ଆନ୍ଧ୍ର ପ୍ରଦେଶ, ଚେନ୍ନାଇ ଏବଂ ତାମିଲନାଡୁରେ ରହି ବିଭିନ୍ନ କାରଖାନାରେ କାମ କରୁଛନ୍ତି।

ସେପାଖେ ନଳଘାସ ସମସ୍ୟା ପାଇଁ ଚିଲିକା ସହ ସଂଯୋଗ ହୋଇଥିବା ୪୨ଟି ନଦୀର ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ବନ୍ୟା ଜଳରେ ଭାଷି ଆସୁଥିବା ଆବର୍ଜନା ନଳଘାସ ମୂଳରେ ଜମା ହୋଇ ଉପକୂଳ ପୋତି ହୋଇଯାଉଥିବା ବେଳେ ଚିଲିକା ଅବବାହିକାର ପରିବେଶ ଉପରେ ଏହାର କୁ-ପ୍ରଭାବ ପଡୁଛି। ଏହି ଦୁଷିତ ବର୍ଷାଜଳ ନିଷ୍କାସନରେ ବିଳମ୍ବ ଘଟୁଥିବାରୁ ଉପକୂଳର ଭୁତଳ ଜଳ ମଧ୍ୟ ପ୍ରଭାବିତ ହେଉଛି। ପରିବେଶ ପ୍ରଦୁଷଣ ଯୋଗୁଁ ଚିଲିକା ଅଂଚଳରେ ନାନା ପ୍ରକାରର ରୋଗବ୍ୟାଧି ବ୍ୟାପିବାରେ ଲାଗିଛି। ପ୍ରକୃତିର ଏହି ଐଶ୍ୱର୍ଯ୍ୟମୟ ଉପହାର ଯାହାଦିନେ ଅବବାହିକାକୁ ବୈଭବଶାଳୀ କରିପାରିଥିଲା ରକ୍ଷଣାବେକ୍ଷଣ ଅଭାବରୁ ତାହା ଆଜି ନଷ୍ଟହେବାରେ ଲାଗିଛି। ସେପଟେ ଚିଲିକାର ପୁନଋଦ୍ଧାର ଏବଂ ଚିଲିକାକୁ ନେଇ ଇକୋ-ଟୁରିଜିମ୍ ସ୍ୱପ୍ନ ଦେଖାଉଥିବା ସି.ଡ଼ି.ଏ ଏଭଳି ପରିସ୍ଥିତିକୁ ଅଣଦେଖା କରିବା ଘଟଣା ପରିବେଶପ୍ରେମୀଙ୍କ ସନ୍ଦେହ ବଢାଇ ଦେଇଛି। ରାଜ୍ୟବାସୀ ଅନୁଭବ କଲେଣି ଯେ ସିଡିଏ’ର ଏଭଳି ଅବହେଳା ପଛରେ ଚିଙ୍ଗୁଡ଼ି ମାଫିଆଙ୍କ ହାତ ରହିଛି, ଯାହାର ଜବାବ୍ ଦେବେ ମତ୍ସ୍ୟଜୀବୀ।
ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ, ୪ ଏପ୍ରିଲ, ୨୦୧୯

Leave a Reply

Your email address will not be published. Required fields are marked *