ସମ୍ପାଦକୀୟ

ପୁତୁରା ଅରୁଣଙ୍କ ପାଇଁ ସୁରକ୍ଷିତ ଆସନ ସଂରକ୍ଷଣ କରିଛନ୍ତି ନବୀନ

ମନୋରଞ୍ଜନ ପଟ୍ଟନାୟକ, ୧୮/୩- ବିଜେପୁରରୁ ବିଜୟୀ ହୋଇ ବରପାଲି ବ୍ଳକ କୁମ୍ଭାରୀ ସଭାମଂଚ ଘଟଣାର ବଦଲା ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାଟି ବିଜେପୁର ଉପ-ନିର୍ବାଚନ ସହ ଜଡିତ। ବିଜେପୁର ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁଠି ତାଙ୍କ ଉପରକୁ ଯୋତା ଫୋପଡା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦେହରେ ଯୋତା ବାଜିବା ପୂର୍ବରୁ ତାଙ୍କ ସୁରକ୍ଷା କର୍ମୀ ଯୋତାକୁ ଆୟତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିନଥିଲା ଯୋତା। ବଡଗଡ ଜିଲ୍ଲା ପଦ୍ମପୁର ବ୍ଲକ ବୁଢ଼ାପାଲି ଗ୍ରାମର କାର୍ତ୍ତିକ ମେହର ନାମକ ଯୁବକ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଯୋତା ଫିଙ୍ଗିଥିଲା।

କାର୍ତ୍ତିକ ମେହେର ଯେଭଳି ଲଜ୍ଜାଜନକ ଘଟଣା ସୃଷ୍ଟି କଲା, ତତକାଳୀନ ପରିସ୍ଥିତି ନବୀନଙ୍କ ୧୮ ବର୍ଷର ରାଜନୈତିକ ଜୀବନରେ ପ୍ରଜା ଅସନ୍ତୋଷର ପ୍ରମୁଖ ଘଟଣା ଭାବେ ଉଭା ହେଲା। ସେହି ଜିଲ୍ଲା ତଥା ବିଜେପୁର ବିଧାନସଭା ଅଞ୍ଚଳର ଭୋଟର ବିଜେଡି ପ୍ରତି ବିତସ୍ପୃହ ବୋଲି କାର୍ତ୍ତିକ ମେହେର ମାଧ୍ୟମରେ ଜଣାଇଦେଲେ। ପରୋକ୍ଷରେ ବିଜେପୁର ଆସନରେ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହେଲା। ସେତେବେଳେ ଗୋଟିଏ ଉପ- ନିର୍ବାଚନକୁ ବିଜେଡି ଯେଭଳି ଗୁରୁତ୍ତ୍ୱ ଦେଇଥିଲା, ସେଥିରୁ ସ୍ପଷ୍ଟ ହୋଇଥିଲା କି ଦଳ ପକ୍ଷେ ବିଜେପୁର ଆସନ ଟଳମଳ। ଏଣେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଯୋତା ଫିଙ୍ଗା ଘଟଣା। ଶେଷରେ ସମଗ୍ର ଘଟଣାକୁ ପର୍ଦ୍ଦା ଆଢୁଆଳକୁ ନେଇଥିଲା ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିଜୟ।

ଘଟଣାକୁ ବେଶ୍ କିଛିଦିନ ବିତିଗଲାଣି। କୁମ୍ଭାରୀ ସଭାମଂଚରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଯୋତା ଫିଙ୍ଗା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦୃଢ ନିନ୍ଦା କରିଥିଲେ। ମାତ୍ର ରାଜ୍ୟର ଜଣେ ଶ୍ରେଷ୍ଠ ବ୍ୟକ୍ତି, ରେକର୍ଡଧାରୀ ମୁଖ୍ୟମନ୍ତ୍ରୀ ଓ ଝଡର ଇଗଲ୍ ବିଜୁ ପଟ୍ଟନାୟକଙ୍କର ସେ ସୁପୁତ୍ର, ତାଙ୍କୁ ଯୋତା ଫୋପଡାଯିବା ଘଟଣାକୁ ସେ ଭୁଲନ୍ତେ ବା କେମିତି। ଏହାର ପ୍ରତିକାର ଲାଗି ଅଥବା ଘଟିଯାଇଥିବା କଳଙ୍କିତ ଘଟଣାର ପ୍ରତିଶୋଧ ନେବା ଲକ୍ଷରେ ସ୍ୱୟଂ ନବୀନ ପଟ୍ଟନାୟକ ଶେଷରେ ନିଷ୍ପତ୍ତି ନେଇଛନ୍ତି।

ମାର୍ଚ୍ଚ ୧୮ ତାରିଖ ମଧ୍ୟାହ୍ନରେ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବେଳେ ନବୀନ ଏକାବେଳେ ୨ଟି ଆସନରୁ ପ୍ରାର୍ଥୀ ହେଉଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ସେମଧ୍ୟରୁ ଗୋଟିଏ ହେଉଛି ତାଙ୍କର ପୁରୁଣା ବିଧାନସଭା ଆସନ ହିଞ୍ଜିଳି। ଯେଉଁଠୁ ୪ଥର ବିଜୟୀ ହୋଇ ସେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ତାହାସହ ନବୀନ ଆଜି ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି, ସେଥିରୁ ସ୍ପଷ୍ଟ ହେଲା ଯେ, ନବୀନ ୨୦୧୯ ସାଧାରଣ ନିର୍ବାଚନରେ ଏକାବେଳେ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହେଉଛନ୍ତି। ଗତ ୧୯ ବର୍ଷ ମଧ୍ୟରେ ଯାହା ଘଟିନଥିଲା, ସେଭଳି ନୂଆ ସଂସ୍କରଣକୁ ଆରମ୍ଭ କରିବାକୁ ଯାଉଛନ୍ତି ନବୀନ। ବିଜେଡି ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ଗୋଟିଏ ଯୋତା ଫୋପାଡିଥିବା ଦୁବୃତ୍ତଠୁଁ କେବଳ ପ୍ରତିଶୋଧ ନେବାରେ ସିମିତ ନୁହେଁ ବରଂ ଆଗକୁ ଦଳର ଉତ୍ତରାଧିକାରୀ ତଥା ନିଜ ପୁତୁରା ଅରୁଣ ପଟ୍ଟନାୟକଙ୍କ ପାଇଁ ସୁରକ୍ଷିତ ଆସନ ସଂରକ୍ଷଣର ବିଧିବଦ୍ଧ ପ୍ରୟାସ। ପୂର୍ବରୁ ରାଜନୀତିରେ ଅରୁଣଙ୍କ ପ୍ରବେଶକୁ ନେଇ ଯାଜପୁର ଜିଲ୍ଲାକୁ ଯେଭଳି ଫୋକସରେ ରଖାଯାଇଥିଲା, ସେଥିରୁ ଲାଭ ହେବନି ବୋଲି ନବୀନ ଉପଲବଧି କଲେଣି। ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ଘୋଷଣା ପୁର୍ବରୁ ଗୀତା ମେହେଟାଙ୍କ ଭୁବନେଶ୍ୱର ଆଗମନ ବୁଦ୍ଧିଜୀବୀଙ୍କ ସନ୍ଦେହ ଦୁରିଭୂତ କରିଛି। କେବଳ ଦେଖିବାକୁ ବାକି ରହିଲା ଜନତା ଦନାର୍ଦ୍ଦନ ବିଜେଡିର ଏହି ଲକ୍ଷ ଭେଦି ଅସ୍ତ୍ରକୁ କିଭଳି ସହ୍ୟ କରିବେ।
ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *