ଜାତୀୟ

ଜମ୍ମୁ କଶ୍ମୀର ସ୍ଥିତିରେ ଅସନ୍ତୁଷ୍ଟ ଆଇଏଏସ୍ ଅଫିସର୍ ଇସ୍ତଫା ଦେଲେ

ଥିରୁଅନନ୍ତପୁରମ, ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ),୨୫ ଅଗଷ୍ଟ- ଜମ୍ମୁ କଶ୍ମୀରବାସୀଙ୍କ ସମସ୍ୟାରେ ଅତିଷ୍ଠ ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥାନ୍ ଇସ୍ତଫା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଅଗଷ୍ଟ ୨୧ ତାରିଖରେ ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି।

କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ସେ ନିଜର ମତାମତ ନରଖିଥିଲେ ମଧ୍ୟ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ ବୋଲି ପରୋକ୍ଷରେ ସୁଚାଇ ଦେଇଛନ୍ତି। ଗୋପୀନାଥାନ୍ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ଜମ୍ମୁ କଶ୍ମୀରରେ ୨୦ ଦିନ ହେଲା ଧାରା ୩୭୦ ଉଚ୍ଛେଦ ହୋଇଛି। ତେଣୁ ଲକ୍ଷ ଲକ୍ଷ ଜମ୍ମୁ କଶ୍ମୀର ଅଧିବାସୀ ନିଜ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ କଶ୍ମୀର ବାସୀ ଯଦି ବି ଆନ୍ଦୋଳନ କରିଥାନ୍ତେ ତାହା ତାଙ୍କର ମୌଳିକ ଅଧିକାର। ଦେଶର ଗୋଟିଏ ରାଜ୍ୟରେ ଏଭଳି ସ୍ଥିତି ରହିଥିବା ବେଳେ ସାରା ଭାରତ ଏହାକୁ ସମର୍ଥନ କରୁଛି’ ବୋଲି ସେ କହିଛନ୍ତି।

ଯୁବ ଆଇଏଏସ୍ ଅଫିସର କାନନ୍ ଗୋପିନାଥାନ ତାଙ୍କ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ସ୍ଥାନୀୟ ସରକାରଙ୍କ ବିଦ୍ୟୁତ୍ ବିଭାଗ କ୍ଷତିରେ ଚାଲୁଥିବା ବେଳେ ସେ ତାଙ୍କର ନିଜସ୍ୱ ଉଦ୍ୟମରେ ବିଭାଗକୁ ଲାଭ ପହଁଚାଇବାରେ ସଫଳ ହୋଇଥିଲେ। କେରଳ ବନ୍ୟା ସମୟରେ ନିଜର ଅସଲି ପରିଚୟ ଛୁପାଇ ଜଣେ ଭଲୁଣ୍ଟିୟର ଭଳି ବନ୍ୟା ପୀଡିତଙ୍କ ପାଇଁ ରିଲିଫ୍ ବଣ୍ଟନ କାର୍ଯ୍ୟରେ ସହଯୋଗ ଜରିଥିଲେ।

ସେପାଖେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ଖରାପ ହେବା ଆଶଙ୍କାରେ ସେଠାରେ ଧାରା ୧୪୪ ଲାଗୁ କରିଥିଲେ। ଏଥିସହ ଆତଙ୍କବାଦୀ ଆଶଙ୍କା ଥିବାରୁ ସମସ୍ତ ସ୍ଥାନରେ ଅତିରିକ୍ତ ସେନା ମୁତୟନ କରିଥିଲେ। ଏମିତିକି ଫୋନ୍ ଏବଂ ଇଣ୍ଚରନେଟ୍ ସେବା ବନ୍ଦ ରହିଥିଲା। ଚଳିତ ସପ୍ତାହର ଆରମ୍ଭରୁ ଜମ୍ମୁ କଶ୍ମୀରରେ ଧାରା ୧୪୪ କୋହଳ କରାଯିବା ସହିତ ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି।

Leave a Reply

Your email address will not be published. Required fields are marked *