ସମ୍ପାଦକୀୟ

ବିଚାର ବିଭ୍ରାଟ

ମନୋରଞ୍ଜନ ପଟ୍ଟନାୟକ- ସରକାର ସ୍ୱୀକାର କରିଛନ୍ତି ଚିଟଫଣ୍ଡ ଦୁର୍ନୀତି ହୋଇଛି। ଚାଳିଶ ହଜାର କୋଟିରୁ ଅଧିକ ଟଙ୍କା ନେଇ ଚିଟଫଣ୍ଡ ଠକମାନେ ଅୟେସ୍ କରୁଛନ୍ତି। ଅନେକ ଚିଟଫଣ୍ଡ କମ୍ପାନୀର ବଡ଼ ବଡ଼ ମୁଣ୍ଡିଆଳଙ୍କ ସହ ଶାସକ ଦଳର ନିବିଡ ସମ୍ପର୍କ ରହିଛି। ଚିଟଫଣ୍ଡ ସଂସ୍ଥା ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେତୋଟି ଗଣମାଧ୍ୟମକୁ ବିଜ୍ଞାପନ ଆଳରେ କୋଟି କୋଟି ଟଙ୍କା ଚାନ୍ଦା ଦିଆଯାଇଥିବା ପ୍ରମାଣିତ ହୋଇଛି। ଏପରି ଠକେଇ ପ୍ରସଙ୍ଗ ସୁପ୍ରିମକୋର୍ଟକୁ ଯିବା ପରେ ରାଜ୍ୟ ସରକାର ତରବରିଆ ଭାବେ କ୍ରାଇମବ୍ରାଞ୍ଚ ଓ କମିସନରେଟ ପୁଲିସ ଦ୍ୱାରା ତଦନ୍ତ କରାଇଥିଲେ।

ସେପାଖେ ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାକୁ ରାଜ୍ୟ ସରକାର ବିରୋଧ କରିଥିଲେ। ସରକାରଙ୍କ ଅସହଯୋଗ ଲାଗି ୨୦୧୪ ଜୁନରେ ସୁପ୍ରିମକୋର୍ଟ ଓଡ଼ିଶା ଚିଟଫଣ୍ଡ ମହାଦୁର୍ନୀତିର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶାରେ ସିବିଆଇ ପକ୍ଷରୁ ଛାନଭିନ୍ ପରେ ଖୁଆଡ଼କୁ ବିଜେଡି ନେତାଙ୍କ ଧାଡ଼ି ଲାଗିଲା। ଏହା ଦେଖି ଚିଟଫଣ୍ଡ କ୍ଷତିଗ୍ରସ୍ତ ଆଶା କଲେ କି ସିବିଆଇ ତାଙ୍କୁ ନ୍ୟାୟ ଦେବ। ଟଙ୍କା ହରାଇଥିବା ଲୋକମାନେ ନିଶ୍ଚିତ ହେଲେ କି ତଦନ୍ତ ପରେ ସେମାନେ ନିଜର ଜମା ଅର୍ଥ ଫେରି ପାଇବେ। କିନ୍ତୁ ଏହା ଭିତରେ ଚାରି ବର୍ଷ ବିତିସାରିଲାଣି। ଫଳାଫଳ ଜିରୋ।

ସିବିଆଇ ଜାଲରୁ ଖସି ଶାସକ ଦଳର କେତେକ ନେତା ଆରାମରେ ବୁଲୁଛନ୍ତି। ତୃତୀୟ ମହଲା ଦୟା ଦେଖାଇଲେ ପୁଣି ସକ୍ରିୟ ରାଜନୀତିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏମାନଙ୍କ ବ୍ୟତିତ ବିଜେଡିର ଆଗଧାଡି ନେତା ତଥା ତିନି ଜଣ ପୁର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଦେବୀ ମିଶ୍ର ଏବେ ମଧ୍ୟ ସିବିଆଇ ସ୍କାନରରେ ଅଛନ୍ତି। ଦିନେ ନା ଦିନେ ଏମାନେ ଜେରାର ସମ୍ମୁଖୀନ ହେବା ନିଶ୍ଚିତ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ଭାଜପା ଏସବୁରେ ନିରବ କାହିଁକି ? ତୀବ୍ର ପ୍ରତିବାଦ କରିବା ପରିବର୍ତ୍ତେ ଦଳ ବସି ରହିବାର କଣ ରହସ୍ୟ ଅଛି ! ଓଡ଼ିଶା ଚିଟଫଣ୍ଡ ମହାଦୁର୍ନୀତିର ଚେର ସୁରଟ ପର୍ଯ୍ୟନ୍ତ ଲମ୍ବିଛି। ଅନେକ ନିମ୍ନ ମଧ୍ୟବିତ୍ତ, ଗରିବ ଓ ମଧ୍ୟବିତ୍ତମାନେ ନିଜ ଭବିଷ୍ୟତ ପାଇଁ ଯାହାକିଛି ଏହି ଚିଟଫଣ୍ଡରେ ଖଟାଇଥିଲେ ସେମାନେ ଏବେ ହତାଶ। ଆଶା ଥିଲା କି ସରକାର କର୍ପସ୍ ଫଣ୍ଡରୁ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଭରଣ କରିବେ। ମାତ୍ର ଚାରି ବର୍ଷ ତଳର ପ୍ରତିଶୃତି ଭୁଲିଗଲେଣି ରାଜ୍ୟ ସରକାର। କୁଆଡେ ଗଲା କର୍ପସ୍ ଫଣ୍ଡ ?

ଆଜି ଲକ୍ଷ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଚିଟଫଣ୍ଡ ଠକମାନଙ୍କ ଅର୍ଥରେ ୨୦୧୯ ନିର୍ବାଚନର ତୟାରି ଚାଲିଛି। ଏହା ପରେ ମଧ୍ୟ ଜନସାଧାରଣ ଭରଷା କରିଥିଲେ ଗଣମାଧ୍ୟମ ଉପରେ। ହେଲେ ତାହା ସମ୍ଭବ ନୁହେଁ। ଗଣମାଧ୍ୟମର କଣ୍ଠରୋଧ କରିଛି ବିପୁଳ ବିଜ୍ଞାପନ ଓ ସରକାରୀ ଅଙ୍କୁଶ। ରାଜ୍ୟବାସୀ ଜାଣିଛନ୍ତି ସରକାର ଚାହୁଁଛନ୍ତି ତଦନ୍ତରେ ବିଳମ୍ବ ହେଉ ବୋଲି। ଫଳରେ ୨୦୧୯ ବିଧାନସଭା ନିର୍ବାଚନରେ ଦଳ ସ୍ବଚ୍ଛ ଶାସନର ନାରା ଦେଇ ଦଳର ପୋଷ୍ଟର୍ ବୟ ନବିନ୍ ପଟନାୟକଙ୍କୁ ୫ମ ଥର ଲାଗି ଶାସନକୁ ଫେରାଇବାରେ ସମର୍ଥ ହେବ। ତେଣୁ ଝାଡପଡା ଜେଲରେ କୟେଦ ଥିବା ଅର୍ଥତତ୍ୱ(ଏଟି) ଗୃପ ମୁଖ୍ୟ ପ୍ରଦୀପ ସେଠୀକୁ ମୁହଁ ନଖୋଲିବା ପାଇଁ କେତେକ ନେତା ନିୟମିତ ଧମକ ଦେଉଛନ୍ତି।

ସମ୍ପ୍ରତି ସିବିଆଇ ପଦାଧିକାରୀଙ୍କ ମାମଲାରେ ସମଗ୍ର ଗଣମାଧ୍ୟମ ଯେଭଳି ହଲ୍ଲାପଟା ଚଳାଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ହେଲେ ଓଡିଶା କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗର କାର୍ଯ୍ୟଦକ୍ଷତାକୁ ଲୋକ ସମ୍ମୁଖକୁ ଆଣିବାରେ ସେମାନେ କାହିଁକି ଅଳସୁଆମି ଦେଖାନ୍ତି ତାହା ବୁଝିବା କଷ୍ଟକର। ରାଜ୍ୟର ସମସ୍ତ ବୁଦ୍ଧିଜୀବୀ ଜାଣନ୍ତି ଯେ, ରାଜ୍ୟ ସରକାର କେବଳ ସ୍ୱଚ୍ଛ ଶାସନର ଫମ୍ପା ଆସ୍ଫାଳନ ଦେଖାଉଛନ୍ତି। ଏଥିପାଇଁ ଗରିବ କ୍ଷତିଗ୍ରସ୍ତଙ୍କ ସ୍ୱାର୍ଥ ହାନି ଘଟୁଛି।

ସମସ୍ତ ଘଟଣା ନିୟମିତ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଚିଟଫଣ୍ଡ ଘୋଟାଲାକୁ ଆଖି ଆଗରେ ରଖି ସୋସିଆଲ୍ ମିଡିଆର ୟୁଜର୍ସମାନେ କେତେକ ମିଡିଆ ସଂସ୍ଥା ମାଲିକଙ୍କ ଏକାଉଣ୍ଟରେ ସିଧାସଳଖ ମତ ରଖୁଛନ୍ତି, ମତାମତରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଉଛି। ରାଜ୍ୟ ଶାସକ ଦଳ ଦ୍ୱାରା ଚାଲିଥିବା ଦୁର୍ନୀତିକୁ କେତେକ ମିଡିଆ ହାଉସ୍ ଘଣ୍ଟ ଘୋଡାଉଥିବା ଆକ୍ଷେପ କରାଯାଉଛି। ଯଦି ସେହି ମିଡିଆ ହାଉସ୍ ମାଲିକଙ୍କର ସାହାସ ଅଛି ତେବେ ୟୁଜର୍ସମାନଙ୍କ ନିର୍ଦ୍ଧିଷ୍ଟ ମତାମତ ତଳେ ଉତ୍ତର ରଖନ୍ତୁ। ଆଉ ଦ୍ୱନ୍ଦ ରହିବନି।

ଗଣମାଧ୍ୟମ ନିଜକୁ ଚତୁର୍ଥ ସ୍ତମ୍ଭ ବୋଲି ଦାବି କରୁଛି। ମୋ’ ଭଳି ଅନେକ ପ୍ରକାଶକ/ସମ୍ପାଦକ ନିଜ ନିଜ କାଗଜକୁ ନିଜର ଭବିଷ୍ୟତ, ଭାତହାଣ୍ଡି ଏବଂ ସ୍ୱାଭିମାନ କରି ଧରି ବସିଛନ୍ତି। ଆମ ମଧ୍ୟରୁ ହଜାର ହଜାର ପ୍ରକାଶକ କାଁଭାଁ ବିଜ୍ଞାପନଟିଏ ପାଉଛନ୍ତି କିମ୍ବା ବିଲକୁଲ୍ ପାଉନାହାଁନ୍ତି। ତଥାପି ଅର୍ଥ ଯୋଗାଡ କରି ବହୁ ଦୁଃଖକଷ୍ଟରେ କାଗଜଟିକୁ ଛପାଉଛନ୍ତି। ଆପଣମାନେ ଆଗଧାଡିରେ ଥିବା କାଗଜ ଓ ଟେଲିଭିଜନ୍ ସଂସ୍ଥା ମାଲିକମାନେ ଦୈନିକ ୧୨ପୃଷ୍ଠାର ବିଜ୍ଞାପନ ଛପାଇ ସ୍ପଟ୍ ନିୟୁଜ୍ ନାମରେ ଅନେକ ଚୋରି, ଡକାୟତି, ରାହାଜାନୀ, ନାରୀ ଧର୍ଷଣ ଆଦି ଖବରକୁ ୮ ପୃଷ୍ଠାରେ ଛାପି ୨୦ ପୃଷ୍ଠାରୁ ଆଶାତୀତ ଅର୍ଥ ରୋଜଗାର କରୁଛନ୍ତି। ତଥାପି କ’ଣ ଏଭଳି ଘଟଣା ରହିଛି, ଯେଉଁଥିପାଇଁ ୫ ଟଙ୍କା ଦେଇ ଆପଣମାନଙ୍କ ଖବର କାଗଜ କିଣୁଥିବା ପାଠକର ମୌଳିକ ସମସ୍ୟା ସମାଧାନର ରାସ୍ତା ବାହାରିପାରୁନି।

ଆପଣଙ୍କ ଅବହେଳାର ପ୍ରତିକ୍ରିୟା ଆଜି ସମଗ୍ର ସମାଜ ଭୋଗୁଛନ୍ତି। ନିରପେକ୍ଷ ସାମ୍ବାଦିକତାର ନାରା ଦେଉଥିବା ସଂସ୍ଥା ମାଲିକଙ୍କୁ ଆଜି ପାଠକ ଆହ୍ୱାନ ଜଣାଉଛନ୍ତି କି, ଆପଣ ଆପଣଙ୍କ ସଂସ୍ଥାକୁ ପ୍ରଥମେ ରାଜନୀତି ମୁକ୍ତ କରିପାରିବେ କି ? ଆପଣଙ୍କ ସଂସ୍ଥାରେ କାମ କରୁଥିବା ସାମ୍ବାଦିକଙ୍କୁ ଖବର ପରିବେଷଣର ପୂର୍ଣ୍ଣ କ୍ଷମତା ଦିଅନ୍ତୁ। ତା’ପରେ ଦେଖିବା ସରକାର କେତେଦିନ ଢାଙ୍କୁଣି ଭିତରେ ଘୋଡିହୋଇ ରହିପାରୁଛି।

ଆଧୂନିକ ପାଠକ ଆଜି ଯେଉଁଭଳି ଖବର ପଢିବା ପାଇଁ ବା ଦେଖିବା ପାଇଁ ଚାହୁଁଛି ସେଥିରୁ ବଂଚିତ ହେଉଛି। ଏହାକୁ ଲକ୍ଷ ରଖି ଆମେ ବୁଲେଇ ବଙ୍କେଇ ସମସ୍ତଙ୍କ ଆଶା ପୁରଣ କରୁଛେ ବୋଲି ହୁଏତ ପ୍ରମାଣ କରି ଦେଉଛେ। ମାତ୍ର ସବୁ ଅଘଟଣର ପୁନରାବୃତ୍ତି ଘଟୁଛି କାହିଁକି ? ହୁଏତ ଆମ ଭିତରେ କିମ୍ବା ଆମ୍ଭମାନଙ୍କ ପାଇଁ ନିର୍ଦ୍ଧାରିତ ସୀମା ସରହଦ ଚିହ୍ନଟ ହେବାରେ କେଇଁଠି ତୃଟି ରହିଯାଇଛି। ଯାହାକୁ ଆମ୍ଭମାନଙ୍କ ସମେତ ନିୟମିତ ପାଠକ ଓ ଦର୍ଶକ ଅଣଦେଖା କରି ଚାଲିଛନ୍ତି। ଏଠାରେ ବଡ ବଡ ଉଦାହରଣ ରଖି ମୁଁ ଫୋକସକୁ ଆସିବାର କୌଣସି ଇଚ୍ଛା ରଖିନି। ମାତ୍ର ଆଜି ନିଜେ ନିଜକୁ ପ୍ରଶ୍ନ କରିବାର ସମୟ ଆସିଛି। ହୁଏତ ହୋଇପାରେ ମୋ’ ବିଚାରରେ ବିଭ୍ରାଟ, ତଥାପି ଭାବୁଛି ଯେତେ ବାଧାବିଘ୍ନ ଆସୁଥାଉ ପଛେ ପ୍ରତିବଦ୍ଧତା ଜାରିରହିବ। – ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *