ମହାନଗର

ଚିଲିକା ବିଜେଡି ପ୍ରାର୍ଥୀ ପାଟ୍ଟଶାଣୀ !

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୨୬/୩- “ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ନୂଆ ମୁହଁ” ଶୀର୍ଷକ ଖବର ଖୁବଶୀଘ୍ର ଚିଲିକାର ଅପେକ୍ଷାରତ ଭୋଟରଙ୍କ ସଂଶୟ ଦୂରକରିବ। ମାର୍ଚ୍ଚ ୨୦ ତାରିଖ ପାକ୍ଷିକ ଖବରକାଗଜ ‘ଶୁଭ୍ ଭାରତ ଟାଇମ୍ସ’ ମହାନଗର ପୃଷ୍ଠାରେ ପ୍ରକାଶିତ ଖବର ସୁଚାଇ ଦେଇଥିଲା କି, ଏଥର ପୂର୍ବତନ ବିଧାୟକ ରଘୁନାଥ ସାହୁ କିମ୍ବା ଟିକେଟ ଆଶାରେ ବାୟୋଡାଟା ପଠାଇଥିବା କୌଣସି ନେତାଙ୍କୁ ମିଳିବନି ବିଜେଡି ଟିକେଟ୍। ଏବେ ଦଳୀୟ ମୁଖ୍ୟାଳୟରୁ ଯାହା ସୂଚନା ମିଳୁଛି ଚିଲିକାରୁ ଲଢିବେ ପାଟ୍ଟଶାଣୀ।

ବିଜେଡିର ତୟାରି ସୂଚାଉଛି କି ୧୯ ଆଣିବ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀଙ୍କ ଉଇନିବିଲିଟି ଫର୍ମୁଲା ଅନୁସାରେ ନିର୍ବାଚନରୁ ବଳି ପଡୁଛନ୍ତି ଅନେକ ଆଶାୟୀ। ଯାହାର ପ୍ରତିକ୍ରିୟା ସମଗ୍ର ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛି। ଯେଉଁମାନେ କାଳବେଳ ଦେଖି ଅନ୍ୟ ଦଳକୁ ଲାତମାରି ବିଜେଡିରେ ଧସେଇ ପଶିଥିଲେ, ସେମାନେ ଏବେ ନିରାଶ। ଏହି ଟିକେଟ୍ ହରାଉଥିବା ନେତାମାନଙ୍କ ମଧ୍ୟରୁ କେତେକ ଗତଦିନରେ ନିଜ ଦଳକୁ ଗୋଇଠା ମାରିଛନ୍ତି, ଏବେ ସୁପ୍ରିମୋଙ୍କ ନିଷ୍ପତ୍ତି ସେମାନଙ୍କୁ ପୁଣି ଆଉ କେଉଁ ଦଳର ରାସ୍ତା ଦେଖାଇବ ତାହା ଅନୁମାନ କରିବା କଷ୍ଟକର।

ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ଏକ ଲୋକହସା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଦିନରେ କଂଗ୍ରେସ ଦଳରୁ ଆସି ବିଜେଡିରେ ଯୋଗଦେଇଥିଲେ ଚିଲିକା ନିର୍ବାଚନମଣ୍ଡଳୀର ଦୁଇ ଜଣ ହେଭିୱେଟ୍ ନେତା। ଚଳିତ ନିର୍ବାଚନରେ ଟିକେଟ ପାଇବା ଆଶାରେ ଧାଁଦୌଡ ଚଳାଇଥିଲେ। ମାତ୍ର ବିଜେଡି ସୁପ୍ରିମୋଙ୍କ ଘୋଷଣାନାମା ଖୁବ୍ ଶୀଘ୍ର ଏହି ସଂଶୟ ଦୂର କରିବ। ଚିଲିକା ଭାଜପା ପ୍ରାର୍ଥୀ ପୃଥିରାଜ ହରିଚନ୍ଦନଙ୍କ ବିପକ୍ଷରେ ବିଜେଡି କେଉଁ ପାଟ୍ଟଶାଣୀଙ୍କୁ ଲଢେଇ କରିବାକୁ ଛାଡିବ ସେଥିନେଇ ଅଙ୍କ କଷାକଷି ଚାଲିଛି। ମୁଖ୍ୟତଃ ‘ପାଟ୍ଟଶାଣୀ’ ଟାଇଟଲ୍ ଭେଟେରାନ୍ ଡକ୍ଟର ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ଇଂଗିତ କରୁଥିବା ବେଳେ ସେହି ଟାଇଟଲ୍ ପୁର୍ବରୁ ପ୍ରଶନ୍ନ ରହିବେ ନା ତାଙ୍କ ସାନପୁଅ ଅନିଲଙ୍କ ନାମ ଯୋଡା ହେବ ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ।

ଚିଲିକା ବିଜେଡି ସଂଗଠନର ପ୍ରମୁଖ ଆଶାୟୀଙ୍କ ମଧ୍ୟରୁ ଯେଉଁ ଦୁଇ ଜଣ ନେତାଙ୍କ ନାମ ଚର୍ଚ୍ଚାର ଶୀର୍ଷରେ ଥିଲା, ସେମାନଙ୍କ ମଧ୍ୟରୁ ଜଣେ ହେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ରଘୁନାଥ କଂଗ୍ରେସ ଗୋଷ୍ଠୀ କନ୍ଦଳରେ ଛନ୍ଦି ହୋଇ ବିଜେଡିରେ ଯୋଗଦେଲେ। ୨୦୦୯ରେ ଚିଲିକାରୁ ବିଜେଡି ଟିକେଟରେ ଲଢି ବିଜୟୀ ହେଲେ। ଚିଲିକାରେ ରଘୁରାଜ୍ ୫ ବର୍ଷ ଧରି କାୟମ୍ ରହିଲା। ୨୦୧୪ ନିର୍ବାଚନରେ ଭୋଟର ତାଙ୍କୁ ଧୂଳି ଚଟାଇଲେ। ଯାହାର ପ୍ରତିକ୍ରିୟା ବିଜେଡିରେ ତାଙ୍କର ଉପସ୍ଥିତି ପ୍ରସଂଗକୁ ନେଇ ଏକ ଚାଲେଞ୍ଜ ଭାବେ ଠିଆ ହେଲାଣି। ଟିକେଟ୍ ମିଳିଯିବା ଆଶାରେ ରଘୁନାଥ ସାହୁ ନିର୍ବାଚନମଣ୍ଡଳୀ ଅଧିନ ବିଭିନ୍ନ ଗାଁଗଂଡା ବୁଲି ସଭାସମିତି ଚଲାଇଛନ୍ତି। ହେଲେ ଖୁବଶୀଘ୍ର ସାବ୍ୟସ୍ତ ହେବ ଯେ, ତାଙ୍କୁ ଭାଗ୍ୟ ସାଥ୍ ଦେଉନି; ଯାହାର କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଗଲାଣି।

ଚିଲିକାରୁ ଟିକେଟ୍ ନେବା ଲାଗି ପାଗ ଭିଡିଥିବା ଅନ୍ୟତମ ଆଶାୟୀ ହେଲେ ପୂର୍ବତନ କଂଗ୍ରେସ ନେତା ମାନସ ମଙ୍ଗରାଜ। ପୁର୍ବରୁ ଚିଲିକାରୁ କଂଗ୍ରେସ ଟିକେଟରେ ଲଢି ୧୧ ହଜାର ଭୋଟ ସହ ପରାଜିତ ହୋଇଥିବା ମାନସ ନିକଟରେ ବିଜେଡିରେ ଯୋଗଦେଇଥିଲେ। ମାନସଙ୍କ ବିଜେଡି ଆଗମନରେ ମୁଖ୍ୟମନ୍ତ୍ରୀ କାଳେ “ରଘୁ ଚିନ୍ତା”ରୁ ମୁକ୍ତ ହେବେ ବୋଲି ଗୁଜବ ସୃଷ୍ଟି ହେଲା। ହେଲେ ଚିଲିକା ବିଜେଡି ସଂଗଠନ ଥିଲା ରଘୁଙ୍କ ମୁଠାରେ। ଯେଉଁଠି ମାନସଙ୍କ ବ୍ୟକ୍ତିଗତ ପ୍ରତିଷ୍ଠାକୁ ସୌତୁଣୀ ଭୁମିକାରେ ପ୍ରଦର୍ଶିତ କରାଇଲା। ଉଭୟ ନିଜ ନିଜକୁ ଯେତେ ନିକଟତର କରିବାର ପ୍ରୟାସ କଲେ ମଧ୍ୟ ଦଳର ଚାଟୁକାରମାନେ ତାହା କରାଇଦେଲେନି। ପରିସ୍ଥିତି ଏଭଳି ହେଲା କି ଚଳିତ ନିର୍ବାଚନରେ ମାନସ ନିଜ ଲୋକପ୍ରିୟତା ହରାଇବା ଭୟରେ ପତ୍ନୀ ଗାୟତ୍ରୀବାଳା ପଣ୍ଡାଙ୍କ ନାମରେ ଟିକେଟ୍ ଆପ୍ଲାଇ କରିବାକୁ ବାଧ୍ୟ ହୋଇଥିଲେ। ଉଇନିବିଲିଟି ଫର୍ମୁଲା ମାନସ ଓ ରଘୁନାଥଙ୍କ ସମେତ ଟିକେଟ୍ ଲାଗି ଆଶାୟୀ ନୀଳମଣି ପଣ୍ଡା ଓ ଶ୍ରୀକତା ଦାସ (ହରିଚନ୍ଦନ)ଙ୍କୁ ମଧ୍ୟ ନିରାଶ କରିଛି।

Leave a Reply

Your email address will not be published. Required fields are marked *