
ପୁରୀ(ସଞ୍ଜୀବ ମହାପାତ୍ର), ଶୁଭ୍ ଭାରତ ଟାଇମ୍ସ, ୨୫.୧୦- ରାଜ୍ୟ ପର୍ଯ୍ୟଟନ ଶିଳ୍ପର ମୂଳ ଉତ୍ସ ଶ୍ରୀକ୍ଷେତ୍ର ପୁରୀ। ପ୍ରଭୂ ଜଗନ୍ନାଥଙ୍କ ଉପସ୍ଥିତି ଜାହିର କରି ବିପୁଳ ଲାଭ ଉଠାଉଛନ୍ତି ଓଡ଼ିଶା ସରକାର, ଏବଂ ଏହାସତ୍ୱେ ପୁରୀ ବାସିନ୍ଦାଙ୍କୁ ଅଣଦେଖା କରିଚାଲିଛନ୍ତି। ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ବେଳେ ପ୍ରସିଦ୍ଧ ସିଦ୍ଧ ମହାବୀର ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଲଗାତର ୩ଦିନ ଯାଏଁ ସ୍ଥାନୀୟ ଲୋକଙ୍କ ଘର ଭିତରେ ପାଣି ଜମି ରହିଥିଲା। ଏଥିରେ ଅତିଷ୍ଠ ଅଧିବାସୀ ନିଜ ଘରେ ତାଲା ପକାଇ ଛୁଆପିଲା ସହ ପୁରୀ ସହର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ ଶୁଭ୍ ଭାରତ ଟାଇମ୍ସ ପ୍ରତିନିଧି ସ୍ଥାନୀୟ ସେନାପତି ବଗିଚା ଓ ଜଗନ୍ନାଥ କଲୋନୀବାସୀଙ୍କୁ ଭେଟିବା ପରେ ଏଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି।

ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ରାଜକୋଷକୁ ଯାଉଥିବା ଆୟର ସିଂହଭାଗ କେବଳ ଶ୍ରୀକ୍ଷେତ୍ର ପୁରୀରୁ ସଂଗ୍ରହ କରାଯାଏ। ପୁରୀ ସହରବାସୀ ସରକାରଙ୍କ ବେପରୁଆ କାର୍ଯ୍ୟକଳାପକୁ ଧର୍ଯ୍ୟର ସହ ସହ୍ୟ କରିଛନ୍ତି। ସରକାରଙ୍କ ‘ଅତିଥି ଦେବୋ ଭବଃ’ ସ୍ଲୋଗାନକୁ ଅକ୍ଷରେ ଅକ୍ଷରେ ପାଳନ କରି ପ୍ରଭୂ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତ୍ରା ପ୍ରତି ସବୁବେଳେ ସଚେତନ ଅଛନ୍ତି। କିନ୍ତୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଣନ୍ତି ନାହିଁ ସରକାର ପୁରୀବାସୀଙ୍କ ଦୈନ୍ୟନ୍ଦିନ ଜୀବନଶୈଳୀକୁ କିଭଳି ମାଟି କରିଚାଲିଛନ୍ତି।

ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଶୁକ୍ରବାର ସୁଦ୍ଧା ପୁରୀରେ ଜଳ ତାଣ୍ଡବ ରଚିଥିଲା। ବଡ଼ଦାଣ୍ଡ ସମେତ ଚୁଡ଼ଙ୍ଗ ସାହି, ହାଡ଼ଗୋଡ଼ିଆ ସାହି, ମଧୁବନ ଲେନ୍, ମାର୍କଣ୍ଡେଶ୍ୱର ସାହି, ନିଳକଣ୍ଠ ନଗର ଇତ୍ୟାଦି ପଶ୍ଚିମ ଦ୍ୱାର ସେକ୍ସନ ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ହୋଇନପାରିବା ଯୋଗୁ ଅତି କଦର୍ଯ୍ୟ ପରିସ୍ଥିତି ଲାଗିରହିଥିଲା। ଏସବୁ ବ୍ୟତୀତ ଭୟାନକ ସ୍ଥିତିରେ ଦିନ କାଟୁଥିଲେ ସିଦ୍ଧ ମହାବୀର କୁମୁଟି ପାଟଣା ସନ୍ନିକଟ ସେନାପତି ବଗିଚା ଓ ଜଗନ୍ନାଥ କଲୋନୀ ଅଞ୍ଚଳର ଅଧିବାସୀ। ଲଗାଣ ବର୍ଷା ସାଙ୍ଗକୁ ଜଳ ନିଷ୍କାସନ ହୋଇନପାରିବା ଯୋଗୁ ସାହି ରାସ୍ତା ତୁଳନାରେ ନିଚ୍ଚାରେ ଥିବା ଘର ଗୁଡ଼ିକରେ ବର୍ଷାଜଳ ଲହଡି଼ ଭାଙ୍ଗୁଥିଲା।

ଏଭଳି ୩ ଦିନ ଲାଗିରହିଥିବା ସତ୍ୱେ ପୁରୀ ପୌର ପରିଷଦ କର୍ତ୍ତୃପକ୍ଷ ଏହାର କୌଣସି ସ୍ଥାୟୀ ପ୍ରତିକାର ଦିଗରେ ଠୋସ୍ ପଦକ୍ଷେପ ନେଇ ନଥିଲେ। ଫଳରେ ସେନାପତି ବଗିଚା ଓ ଜଗନ୍ନାଥ କଲୋନୀବାସୀ ଅତି ଦୟନୀୟ ସ୍ଥିତିରେ ସମୟ କାଟୁଥିଲେ। ଘର ଚଟାଣରେ ପାଣି ଜମି ରହିବା ଯୋଗୁ କେତେକ ଖଟ ଉପରେ ରୋଷେଇ କରି ଚଳୁଥିଲେ ତ ଗ୍ୟାସ ଚୁଲା ରଖିନଥିବା ଲୋକେ ନିଜ ସାମର୍ଥ୍ୟ ଅନୁସାରେ ଚଳି ଭୋକ ଦାଉରେ ଛଟପଟ ହେଉଥିଲେ। ପାଖରେ ପିଇବା ପାଣିର ଘୋର ଅଭାବ ସହ କେତେକଙ୍କ ଘର ଭିତରେ ପାଇଖାନା ପାଣି ଥାଟ୍ଟ ମାରୁଥିଲା। ଏଥିରେ ଅତିଷ୍ଠ ଜନସାଧାରଣ ସରକାରୀ ସହାୟତାକୁ ଚାହିଁ ରହିଥିବା ବେଳେ କୌଣସି ଚପରାସି ବି ଘଟଣାସ୍ଥଳରେ ପହଁଚି ନଥିଲା। ଲୋକେ ଏଭଳି ପୁତିଗନ୍ଧମୟ ପରିବେଶକୁ ଭାଗ୍ୟର ଲିଖନ ଭଳି ଧରି ନେଇ ଭୋକ ଉପବାସରେ ଅତି ନିର୍ଘାତ ସମୟର ସମ୍ମୁଖୀନ ହୋଇଥିଲେ।

ପୁରୀ ପୌର ପରିଷଦ ଅଧିନ ଅଞ୍ଚଳରେ ଲାଗିରହିଥିବା ସମସ୍ୟାର ଖୋଳତାଡରୁ ଜଣାଗଲା ସହରରେ ବୈଷୟିକ ଜ୍ଞାନ କୌଶଳକୁ ଏଡ଼ାଇ ଦେଇ ନିଜ ନିଜ ସୁବିଧା ଅନୁସାରେ ଡ୍ରେନେଜ ନିର୍ମାଣ କରାଯାଇଛି। ଏଠାରେ ଅନେକ ସ୍ଥାନରେ ଡ୍ରେନ୍ ସହ ଅନ୍ୟ ଡ୍ରେନକୁ ସଂଯୋଗ କରାଯାଇନାହିଁ। କୁମୁଟି ପାଟଣାରେ ଏପର୍ଯ୍ୟନ୍ତ ଡ୍ରେନ୍ ଖୋଳାଯାଇନାହିଁ କିମ୍ବା ଭବିଷ୍ୟତରେ ଡ୍ରେନ୍ ନିର୍ମାଣର କୌଣସି ସମ୍ଭାବନା ନଥିବା କୁହାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଯଦି ଡ୍ରେନ୍ ନିର୍ମାଣ କରାଯାଏ ତେବେ ତାହା ମୁଷା ନଈ ସହ ସଂଯୋଗ ହୋଇପାରନ୍ତା। କିନ୍ତୁ କଟକଣା ଯୋଗୁ ଏହି ପ୍ରସ୍ତାବକୁ ଏଡ଼ାଇ ଦିଆଯାଇଛି > ବ୍ୟୁରୋ ହେଡ୍, ପୁରୀ, ଶୁଭ୍ ଭାରତ ଟାଇମ୍ସ


I have gone through the news “The drainage system is the sorrow of Sri Ksh
etra” by Suvbahrat Times. It’s a horrible system of our Sri Khetra Puri. Which is known as one of DHAM of India’s Char DHAM. And also a International Tourist Destination. So I request our present Govt to take care of it. Thanks to Suvbharat Times to serve this type of valuable news. Jai Jagannath.