ସମ୍ପାଦକୀୟ

ପରିଚୟ

ମନୋରଞ୍ଜନ ପଟ୍ଟନାୟକ- ଭାରତରେ ରାଜନୈତିକ ପରିବେଶ ପାଇଁ ଏକ ଚର୍ଚ୍ଚିତ ବିଷୟବସ୍ତୁ ପାଲଟି ଯାଇଛନ୍ତି ଭାରତୀୟ ମୁସଲୀମ୍। ଦେଶ ସ୍ୱାଧୀନତା ପୂର୍ବରୁ ଏମାନଙ୍କୁ ନେଇ ଚାଲିଛି ଖେଳ। ପୂର୍ବାପର ଭୁଲ୍ ସୁଧାରିବାକୁ ଯାଇ ରାଜୀବ ଗାନ୍ଧୀ ସରକାର ଆରମ୍ଭ କରିଥିଲେ ମୁସଲୀମ୍ ସନ୍ତୁଷ୍ଟିକରଣ ପ୍ରକ୍ରିୟା। ପ୍ରାୟତଃ ସେହି ସମୟ ଠାରୁ ଏହି ସମ୍ପ୍ରଦାୟ ବିଭିନ୍ନ ଅଭିଯୋଗର ଶିକାର ହେଉଛନ୍ତି। ୧୯୭୦ ବେଳକୁ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ଦେଖାଦେଲା। ୧୯୮୦ ସୁଦ୍ଧା ମୁସଲମାନମାନେ ଭାରତ ପ୍ରତି ଆନୁଗତ୍ୟ ଥିବାର ପ୍ରତିପାଦନ କଲେ କ୍ରିକେଟ ମାଧ୍ୟମରେ। ବି.ସି.ସି.ଆଇ ଅନୁମତିରେ ଭାରତ ପକ୍ଷରୁ ଖେଳୁଥିବା ମୁସଲୀମ୍ କ୍ରିକେଟିୟରଙ୍କୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବାକୁ ପଡୁଥିଲା।

୧୯୯୦ ବେଳକୁ ସେମାନଙ୍କୁ ମହଜିଦ୍ ଗମ୍ବୁଜ ତଳେ ଆତ୍ମଗୋପନ କରିବାକୁ ପଡିଲା। ଶେଷରେ ନୂତନ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଗୋଧ୍ରା ଦଙ୍ଗାରୁ ସେମାନେ ଶିକ୍ଷା ଲାଭ କଲେ। ବିବାଦୀୟ ଅଯୋଧ୍ୟା ମାମଲାର ଶୁଣାଣିରେ ମୁସଲମାନ୍ ଭାଇମାନେ ଯେଉଁଭଳି ଭାବେ ସମ୍ନାନ ଓ ପରିପକ୍ୱତାର ସହିତ ପ୍ରତିକ୍ରିୟା ବ୍ୟକ୍ତ କଲେ ତାହା ଏକ ସୂଚନା ଯେ ଉଠିଥିବା ଧୂଳି ବସିବା ଆରମ୍ଭ କରିଛି ଏବଂ ଖୁସିର ମୁହୂର୍ତ୍ତଗୁଡିକ ଆଗକୁ ଆସିବାର ରାସ୍ତା ଦେଖାଇ ଦେଇଛି। ମାତ୍ର ଅତୀତରୁ ମୁକୁଳିବା ଏତେ ସହଜ ନୁହେଁ। ଅତୀତର କିଛି ଦଶନ୍ଧି ମଧ୍ୟରେ ଏମାନେ ବହୁ ଝଡର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ କିଛି ବି ଘଟଣା ଦୃଶ୍ୟମାନ ହେଉନାହିଁ, ଯାହାକି ଅତୀତକୁ ଆମନ୍ତ୍ରଣ କରିବ। ଏହା ମୁଖ୍ୟତଃ କଷ୍ଟସାଧ୍ୟ, ଅତୀତ ଯେତେବେଳେ ଘଟଣାର ମୋଡରେ କଣ୍ଠାଗ୍ରତ ହୋଇଥାଏ। ଯାହାକି ଭୟ ଓ ଅବିଶ୍ୱାସ ସୃଷ୍ଟିକରେ। ଧର୍ମକୁ ନେଇ ଆରମ୍ଭ ହୋଇଥିଲା ସଂଘର୍ଷ। କୃର ମଣିଷ ହିଁ ନିରୀହଙ୍କ ରକ୍ତରେ ହୋଲି ଖେଳିଥିଲା। ନିଜ ଧର୍ମର ଜୟ ଜୟକାର କରି ଅନ୍ୟ ଧର୍ମ ପ୍ରତି କୁତ୍ସାଭାବ ପ୍ରଦର୍ଶନ କରିଥିଲା। କାହିଁକି ଏଭଳି ଅସହିଷ୍ଣୁତା ?

ଭାରତୀୟ ରାଜନୈତିକ ପୁରୋଧାମାନେ ବୋଧେ ଭାବନ୍ତିନାହିଁ ଅନ୍ୟାନ୍ୟ ଦେଶଗୁଡିକରେ ମୁସଲମାନଙ୍କ ପରିଚୟ କେବଳ ଭାରତୀୟ। ଦେଶର କେଉଁଠି ନା କେଉଁଠି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟୁଛି। ତାହାକୁ ନେଇ ସାଧାରଣ ମୁସଲୀମ୍ ଭୟରେ ଥରି ଉଠନ୍ତି। କାଶ୍ମୀରରେ ପାକିସ୍ଥାନ ପଟରୁ ମୋର୍ଟାର ମାଡ କରାଯାଉଛି। ମୋର୍ଟାର ମାଡରେ କ୍ଷତି ସହୁଥିବା ଅଧିକାଂଶ ନାଗରିକ ହେଲେ ଭାରତୀୟ ମୁସଲମାନ। ତଥାପି ଭାରତର ସଂଖ୍ୟାଗରିଷ୍ଠଙ୍କ ଭିଡରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତିନାହିଁ, ବରଂ ଭାବବିହ୍ୱଳ ହୋଇ କୁହନ୍ତି ଯେ ଏଥିପାଇଁ କେବେହେଲେ ପାକିସ୍ଥାନ କିମ୍ବା ବାଙ୍ଗଲାଦେଶକୁ ପସନ୍ଦ କରିନଥାନ୍ତେ। ହେଲେ ମୁସଲୀମମାନଙ୍କ ସମ୍ପୃକ୍ତି ଥିବା ଯେକୌଣସି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିବା ବେଳେ ଅନ୍ୟାନ୍ୟ ସମ୍ପ୍ରଦାୟ ଏସବୁରେ କିଭଳି ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି, ତାହାର ଲକ୍ଷ ଲକ୍ଷ ନମୁନା ଦେଶବାସୀଙ୍କ ଆଖି ସାମ୍ନାରେ ଘୁରି ବୁଲୁଛି। ଅସ୍ଥିରତା ମଧ୍ୟରେ ଗତି କରୁଛନ୍ତି ଏହି ସମ୍ପ୍ରଦାୟ, ଯଦିଓ ଏକ ସମଷ୍ଟିଗତ ନୂତନ ପିଢିର ପରିପ୍ରକାଶ ହୋଇଛି।

ଅନ୍ୟାନ୍ୟ ସମ୍ପ୍ରଦାୟ ଅପେକ୍ଷା ଆମ ଦେଶରେ ୧୬୫ ନିୟୁତ ମୁସଲମାନ ରହିଛନ୍ତି। ଦେଶର ଅନେକ ନିର୍ବାଚନ ମଣ୍ଡଳୀରେ ମୁସଲୀମ୍ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ତୁଲାଇଥାନ୍ତି। ଭୋଟ ସମୟରେ ନେତାମାନେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରନ୍ତି। ଏମାନଙ୍କୁ ବ୍ୟବହାର କରି ଫାଇଦା ଉଠାଉଛନ୍ତି ବିଭିନ୍ନ ରାଜନୈତିକ ଦଳ। ଭାରତରେ ବସବାସ କରୁଥିବା ମୁସଲୀମଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ କେବଳ ଭୋଟ ବ୍ୟାଙ୍କ୍ ହୋଇ ରହିଯାଇଛନ୍ତି। ଭାରତ ସରକାରଙ୍କ ଚାକିରି ଓ ସୁରକ୍ଷା ସଂସ୍ଥାରେ ମୁସଲୀମଙ୍କ ପ୍ରତିନିଧିତ୍ୱ କମ୍। ଯାହାକି ଅଧିକ ହେବା ଉଚିତ୍। ସର୍ବଭାରତୀୟ ସାକ୍ଷରତା ହାର ୭୦ ପ୍ରତିଶତ ହୋଇଥିବା ବେଳେ ମୁସଲମାନଙ୍କ ସାକ୍ଷରତା ହାର ୫୮ ପ୍ରତିଶତ। ଏଥିପାଇଁ ସହଯୋଗ ଜୁଟାଇ ଦେଲେ ସେମାନଙ୍କ ସାକ୍ଷରତା ହାର ହିନ୍ଦୁଙ୍କ ସାକ୍ଷରତା ହାର ସହ ସମକକ୍ଷ ହୋଇପାରିବ। ଆଜି ଜଣେ ମୁସଲୀମ୍ ଶିଶୁ ୩ ବର୍ଷ ୪ ମାସରୁ ବିଦ୍ୟାଳୟକୁ ଯାଇପାରୁଛି। ଯେତେବେଳେ ଏହାର ସାକ୍ଷରତା ହାର ରହିଛି ୪ ବର୍ଷ। ବାସ୍ତବରେ ମୁସଲୀମ୍ ଓ ଅବଶିଷ୍ଟ ଭାରତୀୟଙ୍କ ମଧ୍ୟରେ ଦେଖାଦେଇଥିବା ଶିକ୍ଷାଗତ ପ୍ରଭେଦ ଯଦି ହ୍ରାସ ପାଇବ, ପ୍ରତ୍ୟେକ ଜିନିଷରେ ତାରତମ୍ୟ ମଧ୍ୟ ହ୍ରାସ ପାଇବ। ପ୍ରତିବଦଳରେ ସେମାନଙ୍କ ଆଶା, ଆକାଂକ୍ଷା ଏବଂ ଚିନ୍ତାଧାରାରେ ନିଶ୍ଚୟ ପରିବର୍ତ୍ତନ ଆସିପାରିବ। ମାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ଏମାନଙ୍କ ବିକାଶକୁ ରଦ୍ଧ କରିଦିଆଯାଇଛି।

ଭାରତରେ ବସବାସ କରୁଥିବା ପ୍ରତ୍ୟେକ ଧର୍ମାବଲମ୍ବୀଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ଉଦ୍ଦେଶ୍ୟ। ଭାରତ ମାଟିରେ ସର୍ବଧର୍ମର ସମନ୍ୱୟ ଘଟିଛି । ପ୍ରତ୍ୟେକ ସମ୍ପ୍ରଦାୟର ବ୍ୟକ୍ତି ନିଜ ଧର୍ମ ମତର ପ୍ରଚାର ପ୍ରସାର ପାଇଁ ଅବାଧ ସ୍ୱାଧିନତା ଲାଭ କରିଛନ୍ତି। କୌଣସି ଧର୍ମ ଉପରେ ଅନ୍ୟ କୌଣସି ଧର୍ମାବଲମ୍ବୀ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ତଥାପି ଦେଶ ଭିତରେ ବେଳେବେଳେ ସୃଷ୍ଟି ହେଉଥିବା ଧାର୍ମିକ ଆତଙ୍କ ବିଶ୍ୱ ସମୁଦାୟକୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି। କିନ୍ତୁ ପ୍ରତିକ୍ରିୟା ନିରବି ଯାଇଛି। ଭାରତର ଗଣତନ୍ତ୍ରକୁ ସମ୍ନାନ ଦେଇ ଏମାନେ ନରମି ଯାଇଛନ୍ତି। ଭାରତର ସାର୍ବଭୌମ ପ୍ରତି ତାଙ୍କର ଅନୁରକ୍ତିକୁ ସାରା ଦେଶ ହୃଦୟଙ୍ଗମ କରୁଛି। ତଥାପି ଏହି ଦେଶରେ ମୁସଲମାନଙ୍କ ପରିଚୟ ସଂଖ୍ୟାଲଘୁ।
– ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ (୧୫ ଫେବୃୟାରୀ, ୨୦୧୮)

Leave a Reply

Your email address will not be published. Required fields are marked *