ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୧୦ ଅଗଷ୍ଟ, ୨୦୧୯- ଅବିଭକ୍ତ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବାଳୟ ଚଣ୍ଡେଶ୍ୱର ପୀଠ। ପ୍ରଗଲ୍ଭ ଭକ୍ତ ବାବାଙ୍କୁ ଶ୍ରଦ୍ଧାରେ ଚଣ୍ଡୀହର ଦେବ ବୋଲି ସମ୍ବୋଧନ କରନ୍ତି। ଏଠାରେ ଦେବ ଦେବ ମହାଦେବ ଚଣ୍ଡେଶ୍ୱରଙ୍କ ଆବିର୍ଭାବ ସମ୍ବନ୍ଧରେ ସଠିକ ତଥ୍ୟ ଦେବା ଅସହଜ। ଐତିହାସିକଙ୍କ ମତରେ ଆଜକୁ ଅଢେଇ ହଜାର ବର୍ଷ ପୂର୍ବେ ଗଜପତି ଚୋଡ଼ଗଙ୍ଗଦେବଙ୍କ ସମୟରେ ଏହି କାରୁକାର୍ଯ୍ୟମୟ ମନ୍ଦିରଟି ନିର୍ମିତ। ମନ୍ଦିରର ପୀଠାଧୀଶ ପ୍ରଭୂ ଚଣ୍ଡେଶ୍ୱର ଦେବଙ୍କ ସହ ଅଷ୍ଟଶମ୍ଭୁ ଓ ଷୋଡ଼ଶମ୍ଭୁ ସ୍ୱତନ୍ତ୍ର ଆସନରେ ବିରାଜମାନ କରିଛନ୍ତି। ପ୍ରଭୂଙ୍କ ପାର୍ଶ୍ବ ଦେବାଦେବୀ ରୂପେ ମା’ ଅଷ୍ଟଭୂଜା ଦୁର୍ଗା, ପୀଠପାଳ ଶ୍ରୀ ଲକ୍ଷ୍ମୀନାରାୟଣ ଦେବ, ମହାବୀର ହନୁମାନ, ଶ୍ରୀରାଧାକୃଷ୍ଣ ଓ ମର୍ଯ୍ୟାଦା ପୁରଷୋତ୍ତମ ଶ୍ରୀରାମ, ସୀତାମାତା ଓ ଲକ୍ଷ୍ମଣଙ୍କ ସହ ବିରାଜମାନ। ମନ୍ଦିର ପରିସରରେ ପବିତ୍ର ଯଜ୍ଞ ମଣ୍ଡପ, ପ୍ରାର୍ଥନା ମଣ୍ଡପ, ରୋଷଘର, ଧର୍ମଶାଳା, କଲ୍ୟାଣ ମଣ୍ଡପ ଓ ସମ୍ମୁଖରେ ପ୍ରାଚୀନ କାଳିକା ପୁଷ୍କରିଣୀର ଅବସ୍ଥିତି।

କୋଲକାତା- ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରୁ ଅନ୍ୟୁନ ୩୬ କିଲୋମିଟର ଦୂର ଅତିକ୍ରମ ପରେ ଚଣ୍ଡେଶ୍ୱର ବସ୍ ଷ୍ଟପେଜ। ବସ୍ ଷ୍ଟପେଜରୁ ମାତ୍ର କିଛି ପାହୁଣ୍ଡ ପରେ ବାବା ଚଣ୍ଡେଶ୍ୱରଙ୍କ ପାବନ କ୍ଷେତ୍ର। ମନ୍ଦିରକୁ ଦୂରତ୍ୱ ହ୍ରାସ ପାଇବା କ୍ଷଣି ସୁଉଚ୍ଚ ପାଚେରୀଟି ଆଗନ୍ତୁକଙ୍କୁ ଆପେ ଆପେ ମନ୍ଦିର ଅଭିମୁଖେ ରାସ୍ତା କଢାଇନେବ। କ୍ଷୁଦ୍ର ବନାନୀର ସ୍ନିଗ୍ଧ ସୁଶୀତଳ ବାୟୁ ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଭରିଦିଏ। ପ୍ରଚଳିତ ନୀତି ନିର୍ଘଣ୍ଟ ଅନୁସାରେ ଭିନ୍ନ ଭିନ୍ନ ପକ୍ଷରେ ପ୍ରତ୍ୟୁଷରୁ ମନ୍ଦିରରେ ମହାପ୍ରଭୂଙ୍କ ମହାସ୍ନାନ, ବଲ୍ଲଭ ମଣୋହି, ଦହିଖଇ, ସକାଳ ଧୂପ, ମଧ୍ୟାହ୍ନରେ ବଡ଼ ଧୂପ ଓ ସଂଧ୍ୟା ଅଳତୀ ସମେତ ଏଣ୍ଡୁରୀ ପୁଡ଼ା ଭୋଗ ଆଦି ସମର୍ପଣ ପୂଜା ସମ୍ପଣ୍ଣ ହୁଏ।

ଓଡ଼ିଶାର ଅନ୍ୟାନ୍ୟ ଶିବାଳୟ ଭଳି ତୁଳନାତ୍ମକ ଭାବେ ବର୍ଷର ବିଭିନ୍ନ ସମୟରେ ଏଠାରେ ପାରମ୍ପରିକ ଶୈବ ଉତ୍ସବ ଖୁବ୍ ଧୂମଧାମରେ ପାଳନ କରାଯାଏ। ପୀଠାଧୀଶ ବାବା ଚଣ୍ଡେଶ୍ୱରଙ୍କ ଅବସ୍ଥିତି ନେଇ ପ୍ରଚୀନ ପୁରାଣକାରମାନେ ଅନେକ ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି। ଏହି କ୍ଷେତ୍ର ତଥା ପୀଠାଧୀଶ ଚଣ୍ଡେଶ୍ୱରଙ୍କ ମହିମା ଶ୍ରୀକ୍ଷେତ୍ର ପୁରୀ ମୁକ୍ତିମଣ୍ଡପର ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରୀ ଲିଙ୍ଗରାଜ ଓ ଶ୍ରୀ କପିଳନାଥଙ୍କ ପ୍ରସିଦ୍ଧ କ୍ଷେତ୍ରବାସୀ ଏବଂ ସମଗ୍ର ଶୈବ ଉପାସକଙ୍କୁ ଭଲଭାବେ ଅବଗତ।

କିମ୍ବଦନ୍ତୀ ଅନୁସାରେ ଏହି ଶୈବ ପୀଠ ପ୍ରସିଦ୍ଧ କେଶର କ୍ଷେତ୍ର ଭାବରେ ପରିଚିତ। ପବିତ୍ର କୌସୁମୀ ନଦୀ ତୀରରେ ଏକଦା ଚମ୍ପା, ନାଗେଶ୍ୱର, ବଉଳ, ଆମ୍ବ, କନିଅର, ମନ୍ଦାର, କେତକୀ ଆଦି ବୃକ୍ଷଲତାରେ ପରିପୂର୍ଣ୍ଣ ଏକ ପ୍ରକୃତିଭରା ରମଣୀୟ ପରିବେଶ ମଧ୍ୟରେ ମନ୍ଦିରର କୀର୍ତ୍ତିରାଜି ଶୋଭା ପାଉଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହାର ବହୁଳାଂଶ କାଳକ୍ରମେ ଲୋପ ପାଇଯାଇଛି। ୧୯୫୫ ମସିହା ଅକ୍ଟୋବର ୯ ତାରିଖ ଆଶିନ୍ନ ଶୁକ୍ଳ ଚତ୍ତୁର୍ଦ୍ଦଶୀ ତିଥିର ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ସେହି କାଳ ତିଥିରେ ସୁଉଚ୍ଚ ଚଣ୍ଡେଶ୍ୱର ମନ୍ଦିରର ଆଠ ଅଣା ଅଂଶ ଭୂଷୁଡ଼ି ପଡ଼ିଥିଲା। ଯାହା ଚିଲିକାର ଲୁଣା ଜଳବାୟୁ ଏବଂ ପ୍ରବଳ ଝଡ଼ ତୋଫାନ ଜନିତ ସମ୍ଭବ ହେଲା ବୋଲି କୁହାଯାଉଛି। ଏହି ଅଶୁଭ ଦିନରେ ମନ୍ଦିର ଭିତରେ ଓ ବାହାରେ ବଡ଼ ବଡ଼ ପଥର ଖଣ୍ଡମାନ ଉପରୁ ଖସି ପଡ଼ିଥିଲେ ବି ପ୍ରଭୂଙ୍କ ମହାଲିଙ୍ଗକୁ ପଥର ଖଣ୍ଡର ସାମାନ୍ୟ ଟୁକୁରା ଖଣ୍ଡେ ବି ସ୍ପର୍ଶ କରିପାରିନଥିଲା।

ପ୍ରାୟ ଦେଢ ଦଶନ୍ଧି ପୂର୍ବେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇ ପୂର୍ଣ୍ଣାଙ୍ଗ ମନ୍ଦିର ଭାବେ ରତ୍ନମୁଦ ସମ୍ପଣ୍ଣ ହୋଇଥିଲା। ଏ ସମ୍ପର୍କରେ ମନ୍ଦିରର ମୁଖ୍ୟ ସେବକ ଧୋବା ରଣାଙ୍କ ସମେତ ବୟୋଜ୍ୱେଷ୍ଠ ସେବାୟତ କାର୍ତ୍ତିକ ରଣା, ଭରତ ରଣା, ବିଜୟ ମହାପାତ୍ର ଓ ବାଟୁ ମହାପାତ୍ର ପ୍ରମୁଖ କହିଥିଲେ ଯେ ଶ୍ରୀଚଣ୍ଡେଶ୍ୱର ଦେବଙ୍କ ମନ୍ଦିର ଚୂଡ଼ାରୁ ଉଣ୍ଡିଲେ ଶ୍ରୀ ମନ୍ଦିର ପୁରୀ ଦୃଶ୍ୟମାନ ହେଉଥିଲା। ହେଲେ ପ୍ରତ୍ନତତ୍ୱ ବିଭାଗ ଯଥାକଥା କରି ଭଗ୍ନ ମନ୍ଦିରର ଉଚ୍ଚତା ନିର୍ଣ୍ଣୟ କରି ନିର୍ମାଣ ଶେଷ କରିଛି। ତେବେ ଶ୍ରୀ ଲିଙ୍ଗରାଜ ଏବଂ ଶରଣକୂଳ ଅଧୀଶ୍ୱର ଶ୍ରୀଲଡ଼ୁବାବାଙ୍କ ପୀଠ ଭଳି ଏଠାରେ ୧୨ ମାସରେ ୧୪ ପର୍ବ ପାଳିତ ହୁଏ। ମନରେ ଭକ୍ତି ଓ ବିଶ୍ୱାସ ରଖି ଏହି ପ୍ରଭୂଙ୍କୁ ଗୁହାରୀ କରିବାକୁ ଆସିଥିବା ଭକ୍ତ କେବେ ଜୀବଦଶାରେ ଚଣ୍ଡେଶ୍ୱରଙ୍କ ଅପାର ମହିମା ବିସ୍ମରଣ କରିପାରେନି। ରିପୋର୍ଟ- ହରିହର ରଣା, ସ୍ୱତନ୍ତ୍ର ପ୍ରତିନିଧି, ଚିଲିକା
