ମହାନଗର

ଏଆରସିଏସଙ୍କୁ ଧନ୍ୟବାଦ ଦେଲେ ଚାଷୀ

ସୋରଣ, ଶୁଭ୍ ଭାରତ ଟାଇମ୍ସ(ସ୍ୱ.ପ୍ର),୧୪/୨- ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟିସ(ଏଆରସିଏସ୍), ଖୋର୍ଦ୍ଧା ଶ୍ରୀ ପ୍ରମୋଦ ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସୋରଣ ସେବା ସମବାୟ ସମିତିର ଶତାଧିକ ଚାଷୀ। ଏଆରସିଏସ ମହାପାତ୍ରଙ୍କ ଉଦ୍ୟମରେ ସମିତି ସମ୍ପାଦକ ଏବଂ ପରିଚାଳନା ପରିଷଦ ସଭ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦର ଅବସାନ ଘଟିଛି। ବୁଧବାର ଅପରାହ୍ନରେ ଏନେଇ ଖୋର୍ଦ୍ଧା ସ୍ଥିତ ଏଆରସିଏସ୍ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କ ସମେତ ପରିଚାଳନା ପରିଷଦ ସଭାପତି ଜୟକୃଷ୍ଣ ବେହେରା, ପୂର୍ବତନ ସଭାପତି ପ୍ରେମାନନ୍ଦ ବେହେରା, ସୁଜ୍ଞାନୀ ମହାରଣା, ଲକ୍ଷ୍ମୀଧର ଜେନା, ମହେଶ୍ୱର ଚମ୍ପତି ପ୍ରମୁଖ ଉପସ୍ଥିତ ଥିଲେ। ସମଗ୍ର ଘଟଣାର ପୁଂଖାନୁପୁଂଖ ଆଲୋଚନା ପରେ ଏଆରସିଏସ୍ ମହାପାତ୍ର ଚାଷୀଙ୍କୁ ଯଥାଶୀଘ୍ର ରବି ଋଣ ବଣ୍ଟନ କରିବାକୁ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଚଳିତ ୧୭ ତାରିଖରୁ ଋଣ ବଣ୍ଟନ ସହ ସମିତି ସମ୍ପାଦକଙ୍କୁ ତାଙ୍କର ସମସ୍ତ ବକେୟା ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ଖୋର୍ଦ୍ଧା ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ବାଲୁଗାଁ ଶାଖା ଅଧିନରେ ପରିଚାଳିତ ସୋରଣ ସେବା ସମବାୟ ସମିତି ଲିଃ ରେ ଦୀର୍ଘଦିନରୁ ଅଚଳାବସ୍ଥା ଲାଗିରହିଥିଲା। ପରିସ୍ଥିତି ଏଭଳି ଅସମ୍ଭାଳ ହେଲା, ଯଦ୍ୱାରା ସମିତି ଅନ୍ତର୍ଭୂକ୍ତ ୪ ହଜାର ଚାଷୀ ଅଦ୍ୟାବଧି ରବି ଋଣ ନ ପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯଦିଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ଧାନ ମଣ୍ଡି ଏବଂ କେତେକ ଚାଷୀମାନଙ୍କ ଋଣ ଖାତା ନୂଆ ପୁରୁଣା କାର୍ଯ୍ୟ ରିତିମତ ଚାଲିଥିଲା। ସେତେବେଳେ ସମିତି ଉପରେ ଆସ୍ଥା ରଖି କୃଷି ଋଣ ପାଇବାକୁ ଚାହିଁ ରହିଥିବା ଚାଷୀ ସମିତି ମୁଣ୍ଡିଆଳଙ୍କ ଲଢେଇରେ ହନ୍ତସନ୍ତ ହେଉଥିଲେ। ବିଗତ ଦିନର ସେହି କରୁଣ ପରିସ୍ଥିତି ସୁଧାରିବାକୁ ଜିଲ୍ଲା ସମବାୟ ଅଧିକାରୀଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିଲା।
ଅବହେଳିତ ଚାଷୀଙ୍କ ସୂଚନା ଆଧାରରେ ପାକ୍ଷିକ ଖବରକାଗଜ “ଶୁଭ୍ ଭାରତ ଟାଇମ୍ସ” ପର୍ଯ୍ୟାୟକ୍ରମେ ପ୍ରତିଟି ଖବର ଉପରେ ନଜର ରଖିଥିଲା। ସାମଗ୍ରିକ ଶୀର୍ଷକ ମଧ୍ୟରୁ ୧୯/୩/୧୮ରେ ପ୍ରକାଶିତ ଶୀର୍ଷକ ‘ମନ୍ତ୍ରୀ ଗାଲୁଆ, କର୍ମଚାରୀ ଚୋର’, ୩/୫/୧୮- ‘ସୋରଣ ସମବାୟ ସମିତିରୁ ୧୨ ଲକ୍ଷ ୭୭ ହଜାର ଲୁଟ୍’, ୨୧/୫/୧୮- ‘ସୋରଣ ଏସ୍.ସି.ଏସ୍ : ଶୁଝିଲେ ୭, ଲୁଚିଛନ୍ତି ୬’, ୨୮/୮/୧୮- ‘ଏଆରସିଏସ୍ (ଖୋର୍ଦ୍ଧା)ଙ୍କୁ ଚିଠି’, ୭/୧୧/୧୮- ‘ଋଣ ଆଦାୟକୁ କେନ୍ଦ୍ରକରି ସମ୍ପାଦକଙ୍କୁ ଆକ୍ରମଣ ଉଦ୍ୟମ’, ୧୫/୧/୧୯- ‘ସରକାରଙ୍କୁ ବଦନାମ କରୁଛି ସମବାୟ ବିଭାଗ’, ୨୬/୧/୧୯- ‘ଜାତୀୟ ପତାକାକୁ ଅବଜ୍ଞା’, ୭/୨/୧୯ ‘ସୋରଣ ସମିତି ସମ୍ପାଦକ ବିଜେଡି ନେତା’, ୧୦/୨/୧୯- ‘ଚରିଗଲେ ୪ କୋଟି, ଭିଜିଲାନ୍ସ ବିଭାଗ ଜଳକା’ ଆଦି ଖବର ସମଗ୍ର ଘଟଣାର କାର୍ବନ କପି କହିଲେ ଅତ୍ୟୁକ୍ତି ହେବନି। ଖବର ପଢିବାକୁ ଚାହୁଁଥିଲେ ବିଭିନ୍ନ ସୋସିଆଲ୍ ସାଇଟ୍ ରୁ କିମ୍ବା ନିଜ ମୋବାଇଲ୍ ରେ ଗୁଗୁଲ କ୍ରୋମ ଖୋଲି ‘ସର୍ଚ୍ଚ ଅର୍ ଟାଇପ୍ ଓଏବ୍ ଆଡ୍ରେସ’ ଲେଖାଥିବା ବକ୍ସ ଭିତରେ suvbharattimes.in ଟାଇପ୍ କରି ସର୍ଚ୍ଚ କରନ୍ତୁ। ‘ମହାନଗର’ ପୃଷ୍ଠାରେ କ୍ଳିକ୍ କରି ନିଜ ପସନ୍ଦର ଖବର ପଢପାରିବେ।

Leave a Reply

Your email address will not be published. Required fields are marked *