ବିଜ୍ଞାନ

ମଙ୍ଗଳ ଦୋଷ

ନିରଞ୍ଜନ ସେନାପତି, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ- ଅଧିକାଂଶ ଲୋକ ସାକ୍ଷାତରେ ହେଉ କିମ୍ବା ଫୋନ୍ ମାଧ୍ୟମରେ ହେଉ, ମଙ୍ଗଳ ଦୋଷ ବିଷୟରେ ପ୍ରତ୍ୟେକ ଦିନ ପଚାରୁଛନ୍ତି। ତା’ଛଡା ଲୋକମାନେ ବିବ୍ରତ ହୋଇ ପଡ଼ିଛନ୍ତି ଯେମିତିକି ମଙ୍ଗଳ ଗ୍ରହ ଏକ ପରମାଣୁ ବୋମା ଅଥବା ନର୍ଥ କୋରିଆର ଏବେକାର ରାଷ୍ଟ୍ରପତି। ତା’ର କାରଣ ହେଉଛି ଯେ, କିଛି ଅନଭିଜ୍ଞ ଜ୍ୟୋତିଷ ନିଜର ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ଭୟଭୀତ କରାଇ ଶାସ୍ତ୍ର ବିରୋଧୀ ମତ ପ୍ରକାଶ କରୁଛନ୍ତି।

ଏବେ ମଙ୍ଗଳ ଗ୍ରହ ବିଷୟରେ ଆଲୋଚନା କରିବା। ସାଧାରଣତଃ ମଙ୍ଗଳ ଦୋଷ ଚାରି ପ୍ରକାରର ଏବଂ ୫ଟି ସ୍ଥାନରୁ ଗଣନା କରାଯାଇଥାଏ ତାହା ହେଉଛି : ୧- ଜନ୍ମଲଗ୍ନ, ୨- ଚନ୍ଦ୍ରଲଗ୍ନ, ୩- ସୂର୍ଯ୍ୟଲଗ୍ନ, ୪- ଶୁକ୍ରଲଗ୍ନ ଏବଂ ପାଞ୍ଚଟି ସ୍ଥାନ ହେଉଛି, ୧- ଲଗ୍ନଠାରୁ ଦ୍ୱିତୀୟ-୨(ଉପରୋକ୍ତ ସବୁ ପ୍ରକାରର ଲଗ୍ନ ଠାରୁ), ୨- ଲଗ୍ନ ଠାରୁ ଚତୁର୍ଥ- ୪, ୩- ଲଗ୍ନଠାରୁ ସପ୍ତମ- ୭, ୪- ଲଗ୍ନଠାରୁ ଅଷ୍ଟମ- ୮, ୫- ଲଗ୍ନଠାରୁ ଦ୍ୱାଦଶ-୧୨ଏବେ ଆଉ କେତେକ ଜ୍ୟୋତିଷ ଜନ୍ମ ଲଗ୍ନରେ ମଙ୍ଗଳଙ୍କ ଉପସ୍ଥିତିକୁ ମଧ୍ୟ ଦୋଷ ଭାବେ ଗଣନା କରୁଛନ୍ତି। ଅବଶ୍ୟ ଏହା ସମ୍ପୂର୍ଣ୍ଣ ଭୁଲ୍ ନହେଲେ ମଧ୍ୟ କିଛି ମାତ୍ରାରେ ଠିକ୍। କିନ୍ତୁ ମୋ ମତରେ ଜନ୍ମ ଲଗ୍ନରେ ମଙ୍ଗଳଙ୍କ ଉପସ୍ଥିତିକୁ ଦୋଷ ବୋଲି ନ ମାନିଲେ କିମ୍ବା ଦୋଷ ବୋଲି ବିଚାର ନକଲେ ମଧ୍ୟ କିଛି ଅସୁବିଧା ନାହିଁ।

କେତେକ ଜ୍ୟୋତିଷ ଜନ୍ମ ଲଗ୍ନରେ ମଙ୍ଗଳ ଗ୍ରହ ଉପସ୍ଥିତିକୁ ବିଚାରକୁ ନେଉନଥିବା ବେଳେ ଆଉ କିଛି ଜନ୍ମ ଲଗ୍ନରେ ଦ୍ୱିତୀୟ ସ୍ଥାନରେ ମଙ୍ଗଳ ଉପସ୍ଥିତିକୁ ବିଚାରକୁ ନେଉନାହାନ୍ତି। ତା’ପରେ ସବୁଠାରୁ ବଡ଼କଥା ହେଲା ଯେ ଜନ୍ମ ଲଗ୍ନ ବ୍ୟତୀତ ଅନ୍ୟ ତିନୋଟି ଲଗ୍ନ ବିଷୟରେ ଜ୍ୟୋତିଷମାନେ ବିଚାର କରୁନାହାନ୍ତି। ମଙ୍ଗଳ ଗ୍ରହ ଅଗ୍ନିତତ୍ୱର ପ୍ରତିନିଧିତ୍ୱ କରନ୍ତି। ତାଙ୍କ ସ୍ୱଭାବରେ ପ୍ରଚଣ୍ଡତା ଥାଏ।

ଦୋଷଯୁକ୍ତ ମଙ୍ଗଳ ପତି- ପତ୍ନୀଙ୍କ ସମ୍ବନ୍ଧକୁ ଜଳେଇ ଦେଇଥାଏ, ମାନସିକ ଯନ୍ତ୍ରଣା ଦେଇଥାଏ ଏବଂ କେତେକ କ୍ଷେତ୍ରରେ ଛାଡ଼ପତ୍ର (ଡିଭୋର୍ସ) ପର୍ଯ୍ୟନ୍ତ କଥା ଚାଲିଯାଏ ତ ଆଉ କେଉଁଠି ପତି- ପତ୍ନୀଙ୍କ ମଧ୍ୟରୁ କାହାରି ମୃତ୍ୟୁ ହୋଇଥାଏ ବୋଲି କିଛି ନାମୀ ଜ୍ୟୋତିଷ ଶାସ୍ତ୍ରର ଦ୍ୱାହି ଦେଇ ପ୍ରଚାର କରି ଚାଲିଛନ୍ତି। ଯେହେତୁ ମଙ୍ଗଳ ଏକ ପୁରୁଷ ଗ୍ରହ। ଯିଏ କି ସୌର୍ଯ୍ୟ, ବୀର, ସାହସ, ଶକ୍ତି ଏବଂ ଓଜସ୍ୱୀର ପ୍ରତୀକ ଅଟନ୍ତି। ମଙ୍ଗଳଙ୍କ ପକ୍ଷେ ସାଲିସ୍ କରିବା ବହୁତ କଷ୍ଟକର। ଯେଉଁମାନଙ୍କ ଜାତକର ଜନ୍ମ ଲଗ୍ନରେ ମଙ୍ଗଳ ଅବସ୍ଥିତ, ସେମାନେ ଉପରୋକ୍ତ ସ୍ୱଭାବଯୁକ୍ତ। ଏସବୁ ଭଲ ଗୁଣ ହୋଇଥିଲେ ମଧ୍ୟ ଯଦି ସାଲିସ୍ କରିବାର ଧୈର୍ଯ୍ୟ ନଥାଏ, ତେବେ ବିପରୀତ ପରିସ୍ଥିତିରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନିଶ୍ଚୟ ଅଧିକ। ସେଥିପାଇଁ କେତେକ ଜ୍ୟୋତିଷ ଲଗ୍ନସ୍ଥିତ ମଙ୍ଗଳଙ୍କୁ ଦୋଷଯୁକ୍ତ ବୋଲି ଗଣନା କରିଥାନ୍ତି। ତେବେ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ।

ଆଉ ଏକ ଭୂଲ ଧାରଣା ବିଷୟରେ ଏବେ ବିଚାର କରିବା। ‘ମଙ୍ଗଳ ଦୋଷ ପାଇଁ ପତି-ପତ୍ନୀଙ୍କ ମଧ୍ୟରୁ କାହାର ଜଣଙ୍କର ମୃତ୍ୟୁ’। ଯଦି ଆପଣ କୌଣସି ଜ୍ୟୋତିଷଙ୍କୁ ପଚାରିବେ ଯେ କାହାରି ମୃତ୍ୟୁ ବିଷୟରେ ପୂର୍ବାନୁମାନ କେମିତି କରିହେବ ? ସେହି ଉତ୍ତରଗୁଡ଼ିକ ଭିତରେ ମଙ୍ଗଳ ଦୋଷ ବିଷୟରେ ଗୋଟିଏ ଶବ୍ଦ ମଧ୍ୟ ନଥିବ। ତେବେ ପତି-ପତ୍ନୀଙ୍କ ମୃତ୍ୟୁ ପାଇଁ କିପରି ଭାବେ ମଙ୍ଗଳଙ୍କୁ ଦାୟୀ କରାଯାଇ ପାରିବ? ତା’ଛଡ଼ା ପତି- ପତ୍ନୀଙ୍କ କଳହ ଭୂଲ ବୁଝାମଣା ଇତ୍ୟାଦି ପାଇଁ ଜାତକରେ ଶନି, ରାହୁ ଓ କେତୁଙ୍କ ଅବସ୍ଥିତିକୁ ମଧ୍ୟ ବିଚାର କରାଯିବା ଉଚିତ। କିନ୍ତୁ ଏକମାତ୍ର ମଙ୍ଗଳଙ୍କୁ ନୁହେଁ।

ଆୟୁ ବିଚାର- ଲଗ୍ନ ଓ ଲଗ୍ନାଧିପତି, ଅଷ୍ଟମ ଭାବ ଓ ଅଷ୍ଟମାଧିପତି, ଦ୍ୱିତୀୟ ଭାବ ଓ ତୃତୀୟାଧିପତି ସପ୍ତମ ଭାବ ଓ ସପ୍ତମାଧିପତି ତଥା ଆୟୁର କାରକ ଗ୍ରହ ଶନି, ଏ ସବୁ ବଳବାନ ହେଲେ ମଣିଷ ଦୀର୍ଘାୟୁ ହୁଏ, ମଧ୍ୟମ ବଳଯୁକ୍ତ ହେଲେ କ୍ଷୀଣ ଦୀର୍ଘାୟୁ ଏବଂ ଦୁର୍ବଳ ହେଲେ କ୍ଷୀଣାୟୁ ବା ଅଳ୍ପାୟୁ ହୁଏ। ଆଉ ଏକ ଦ୍ୱିବିଧା- ରାଶି ଚକ୍ରରେ ବାରଟି ସ୍ଥାନ ଅଛି। ସେଥିମଧ୍ୟରୁ ୫ଟି କିମ୍ବା ୬ଟି ସ୍ଥାନରେ ମଙ୍ଗଳ ଦୋଷାଯୁକ୍ତ ଅର୍ଥାତ ପୃଥିବୀରେ ୪୦ଶତକଡ଼ା ରୁ ୫୦ ଶତକଡ଼ା ଲୋକ ମଙ୍ଗଳଙ୍କ ଦ୍ୱାରା ପୀଡ଼ିତ। ଈଶ୍ୱରଙ୍କ ସୃଷ୍ଟିରେ ଏହା କେତେଦୂର ଯୁକ୍ତି ସଙ୍ଗତ ? ତେଣୁ ଜାତକ ବିଚାର ପାଇଁ ବିଶେଷ କରି ମଙ୍ଗଳ ଦୋଷ କିମ୍ବା ବିବାହ ମେଳକ ପାଇଁ ଉତ୍ତମ ଓ ଅଭିଜ୍ଞ ଜ୍ୟୋତିଷଙ୍କୁ ପରାମର୍ଶ କରିବା ଉଚିତ।
ବିଶାଖାପାଟନମ୍ 

Leave a Reply

Your email address will not be published. Required fields are marked *