ଜାତୀୟ

ଐତିହାସିକ ସହର କୋଲକାତା

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଭାରତର ଆତ୍ମା ହେଉଛି କୋଲକାତା। ୧୯୧୨ ମସିହା ପର୍ଯ୍ୟନ୍ତ ଏହି ବୃହତ୍ତମ ମହାନଗର ଥିଲା ଆମ ଦେଶର ରାଜଧାନୀ। ଏକ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କୋଲକାତା ଭାରତର ରୁଚି ଓ ସଂସ୍କୃତିର ମହାନଗର। ଭିକ୍ଟୋରିଆ ଇଂଲଣ୍ଡର ଛାପ ଏବେ ମଧ୍ୟ କୋଲକାତାର କୋଠାବାଡି, ରାଜମାର୍ଗ ଏବଂ ଜନଜୀବନରେ ପରିଦୃଷ୍ଟ ହୁଏ। ଏହା ପୂର୍ବ ଭାରତର ବୃହତ୍ତମ ବାଣିଜ୍ୟ କେନ୍ଦ୍ର। ଝୋଟକଳ, ବସ୍ତ୍ର ଶିଳ୍ପ, ଚମଡା କାରଖାନା, ଔଷଧ ପ୍ରସ୍ତୁତି, ରସାୟନିକ ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ଏହା ଭାରତର ଅନ୍ୟତମ ଅଗ୍ରଣୀ ନଗରୀ।

ଭାରତର ସବୁ ପ୍ରାନ୍ତରର ଲୋକ କୋଲକାତାକୁ ନିର୍ଭର କରନ୍ତି। ରାଜକୀୟ ପ୍ରାସାଦ, ସଂକୀର୍ଣ୍ଣ ଗଳିକନ୍ଦି, ପଞ୍ଚତାରକା ହୋଟେଲ୍, ଆବର୍ଜ୍ଜନା ପୂର୍ଣ୍ଣ ବସ୍ତି, ରମଣୀୟ ପ୍ରମୋଦ ଉଦ୍ୟାନ, ଏବଂ ଜୀବନ୍ତ ନର୍କ ସ୍ୱରୂପ ଶ୍ରମିକ ବସ୍ତିଗୁଡିକ କୋଲକାତାର ଜନଜୀବନର ଗୋଟିଏ ଲେଖାଏଁ ପ୍ରତିଛବି। ସଂଗୀତ, କଳା, ରଙ୍ଗମଞ୍ଚ ଏବଂ କ୍ରୀଡା କ୍ଷେତ୍ରରେ ଏ ନଗର ସମଗ୍ର ଦେଶରେ ଅଗ୍ରଗଣ୍ୟ। ଏହା ହେଉଛି ରବୀନ୍ଦ୍ର ନାଥ ଟାଗୋର, ଚିତ୍ତରଞ୍ଜନ ଦାଶ, ଖୁଦିରାମ, ସୁବାଷ ଚନ୍ଦ୍ର ବୋଷ, ସତ୍ୟଜିତ୍ ରାୟ, ମୃଣାଳ ସେନଙ୍କ ପରି ବିଶ୍ୱସ୍ତରୀୟ ପ୍ରତିଭାମାନଙ୍କର କର୍ମଭୂମି।

ଏହି ଉତ୍ସବ ମୁଖର ମହାନଗରରେ ବର୍ଷ ସାରା ସଂଗୀତ ଆସର, ଚିତ୍ରକଳା ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଜ୍ଞାନମେଳା, କ୍ରୀଡା ପ୍ରତିଯୋଗିତା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଲାଗି ରହିଥାଏ। କୋଲକାତାର ସ୍ମୃତି ଅବକ୍ଷୟହୀନ, ସଦାଜୀବନ୍ତ ଅମଳୀନ। କୋଲକାତା ସ୍ମୃତିର ପ୍ରଧାନ ଉପାଦାନ ହେଉଛି ହାୱଡା ବ୍ରିଜ୍। ୨୭୦ ଫୁଟ ଉଚ୍ଚତା ବିଶିଷ୍ଠ ଦୁଇଟି ବିଶାଳକାୟ ଲୌହସ୍ତମ୍ଭକୁ ଆଶ୍ରା କରି ରହିଛି ଏହି ଝୁଲନ୍ତା ବ୍ରିଜ୍। ହାୱାଡା କୋଲକାତାକୁ ସଂଯୋଗ କରୁଛି ଏହି ବ୍ରିଜ୍।

ମହାନଗରର ମଧ୍ୟ ଭାଗରେ ରହିଛି ଏକ ବିସ୍ତୀର୍ଣ୍ଣ, ସବୁଜ, ସମତଳ ପ୍ରନ୍ତର- ମୈଦାନ। ବାସ୍ତବରେ ମୈଦାନ ହେଉଛି ଏହି କୋଲକାତାର ନିଶ୍ୱାସବାହୀ ଯନ୍ତ୍ର। ଜନସମୁଦ୍ରର ଦୁର୍ବିସହ ଯଂତ୍ରଣାରୁ ରକ୍ଷା ପାଇବାର ଏକମାତ୍ର ପ୍ରତିଷେଧକ। ଏହାର ପଶ୍ଚିମ ଦିଗରେ ରହିଛି ଚିରସ୍ରୋତା ହୁଗୁଳୀ ନଦୀ, ପୂର୍ବରେ ସଦା ଜାଗ୍ରତ ଚୈରଙ୍ଗୀ ରାଜପଥ। ମୈଦାନର ଦକ୍ଷିଣରେ ଅଛି ପ୍ରସିଦ୍ଧ ସ୍ମାରକୀ ଭିକ୍ଟୋରିଆ ମେମୋରିଆଲ୍ ହଲ୍। ଏହି ମାର୍ବଲ ନିର୍ମିତ ପ୍ରକାଣ୍ଡ ସୌଧ ମଧ୍ୟରେ ରହିଛି ଆର୍ଟ ଗାଲେରୀ। ମୈଦାନ ଉତ୍ତର ପାଶ୍ୱର୍ରେ ରହିଛି ୪୮ ମିଟର ଉଚ୍ଚ ଶହୀଦ ମୀନାର।

ଏହାର ପାଖରେ ପ୍ରସିଦ୍ଧ ଇଡେନ୍ ଗାର୍ଡେନନ୍ସ କ୍ରୀଡା ପ୍ରାଙ୍ଗଣ। ଗୋଟିଏ ମନୋରମ କ୍ଷୁଦ୍ର ହ୍ରଦ ମଧ୍ୟ ଏହାର ଶୋଭା ବର୍ଦ୍ଧନ କରୁଛି। ଇଷ୍ଟବେଙ୍ଗଲ, ମୋହନ ବାଗାନ୍ ଏବଂ ମହମ୍ମଡାନ୍ ସ୍ପୋଟିଂ ଆଦି ନାମଜାଦା ଫୁଟବଲ୍ କ୍ଳବ ମାନଙ୍କ ଖେଳ ପଡିଆ ଏହି ଅଞ୍ଚଳରେ ଅବସ୍ଥିତ। ଏହି ମୈଦାନର ଅନତି ଦୂରରେ ରହିଛି ବିରଲା ପ୍ଲାନେଟୋରିୟମ୍ ଓ ଇଣ୍ଡିୟାନ୍ ନ୍ୟାସନାଲ୍ ମ୍ୟୁଜିୟମ୍। ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍, ନେହେରୁ ଚିଲଡ୍ରେନ୍ସ ମ୍ୟୁଜିୟମ୍, ବିର୍ଲା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍ଚର୍, ରବୀନ୍ଦ୍ର ଭାରତୀ ମ୍ୟୁଜିୟମ୍ ଏବଂ ଆଶୁତୋଷ ସମାଧି ମନ୍ଦିର ଆଦି ସ୍ମାରକୀରେ ସମୃଦ୍ଧ ଏହି ଐତିହାସିକ ନଗର।

ଆଲିପୁସ୍ଥିତ ଚିଡିଆଖାନା ସାରା ଭାରତରେ ପ୍ରସିଦ୍ଧ। ଗବେଷକମାନଙ୍କ ପାଇଁ ନ୍ୟାସନାଲ୍ ଲାଇବ୍ରେରୀ ହେଉଛି ଏକ ଜ୍ଞାନଲୋକ ବର୍ତ୍ତିକା। ବ୍ରାବର୍ଣ୍ଣ ରୋଡ୍ ସ୍ଥିତ ୧୬୫୦ ମସିହାର ଆର୍ମେନିଆନ୍ ଚର୍ଚ୍ଚ ଏହି ନଗରର ପ୍ରାଚୀନ କୀର୍ତ୍ତୀମାନଙ୍କ ମଧ୍ୟରେ ଅନ୍ୟତମ। ରବୀନ୍ଦ୍ର ସରଣୀସ୍ଥିତ ନାଖୋଡା ମସ୍ଜିଦ୍ ମଧ୍ୟରେ ଦଶ ହଜାର ଭକ୍ତ ଏକତ୍ର ପ୍ରାର୍ଥନା କରିବାର ବ୍ୟବସ୍ଥା ରହିଛି।

କୋଲକାତା ଠାରୁ ଦଶ କିଲୋମିଟର ଦୂରରେ ରହିଛି ବେଲୁର୍ ମଠ ଓ ରାମକୃଷ୍ଣ ମଠ, ଯାହାକି ଆଧୁନିକ ବେଦାନ୍ତ ଆନ୍ଦୋଳନର ମହକୁମା। ହୁଗୁଳି ନଦୀର ପଶ୍ଚିମ ତଟରେ ରହିଛି ବଟାନିକାଲ୍ ଗାର୍ଡେନ ବା କଂପାନୀ ବାଗାନ୍। ଏଠାକାର ପ୍ରକାଣ୍ଡ ବଟବୃକ୍ଷର ବ୍ୟାସ ହେଉଛି ନଅ ଶହ ଫୁଟ। ଉଚ୍ଚତା ୨୬ ମିଟର। ବୟସ ଦୁଇ ଶହ ବର୍ଷ। ସହର ଠାରୁ ଏହାର ଦୂରତ୍ୱ ହେଉଛି ଆଠ କିଲୋମିଟର। କୋଲକାତା ଉପକଣ୍ଠରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ‘ସୁନ୍ଦରବନ’ ଜଙ୍ଗଲ।

ଗାଙ୍ଗେୟ ତ୍ରିକୋଣ ଭୂମି ଅଞ୍ଚଳରେ ଏହି ଘଞ୍ଚ ଅରଣ୍ୟ ‘ରୟାଲ ବେଙ୍ଗଲ ଟାଇଗର’ ପାଇଁ ବିଶ୍ୱ ପ୍ରସିଦ୍ଧ। ଏହି ସୁନ୍ଦରବନ ଅଞ୍ଚଳରୁ ପ୍ରବାହିତ ଗଙ୍ଗା ନଦୀ ମଧ୍ୟରେ ସ୍ଥାପିତ ହୋଇଛି କୁମ୍ଭୀର ପାଳନ କେନ୍ଦ୍ର। ବିଭିନ୍ନ ରଙ୍ଗର ସର୍ପ, ସରିସୃପ ଏବଂ ପକ୍ଷୀମାନେ ଏଠାରେ ଦୃଷ୍ଟି ଗୋଚର ହୁଅନ୍ତି। କୋଲକାତା ଠାରୁ ୪୮ କିଲୋମିଟର ଦୂରରେ ହୁଗୁଳି ନଦୀ ମୁହାଣରେ ରହିଛି ‘ଡାଇମଣ୍ଡ’ ହାର୍ବର ବନ୍ଦର।ଏହି ନଗର ଠାରୁ ୧୩୬ କିଲୋମିଟର ଦୂରରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରତିଷ୍ଠିତ ‘ଶାନ୍ତି ନିକେତନ’ ବିଶ୍ୱ ବିଦ୍ୟାଳୟ।

ପାର୍ବଣ ଋତୁ ଆସିଲେ ଦୂର୍ଗାପୂଜା ହେଉଛି କୋଲକାତାର ସାର୍ବଜନୀନ ଉତ୍ସବ। ବଙ୍ଗାଳୀ ସ୍ୱାଭିମାନର ପ୍ରତୀକ। ଦଶ ଦିନ ବ୍ୟାପୀ ଏହି ଶାରଦୀୟ ଉତ୍ସବରେ ଆତ୍ମ ବିଭୋର ହୁଏ କୋଲକାତା। ଲକ୍ଷ ଲକ୍ଷ ମୃଣମୟ ପ୍ରତିମା ହଜାର ହଜାର ସୁସଜ୍ଜିତ ମଣ୍ଡପରେ ପୂଜା ପାଆନ୍ତି। ଢୋଲ, ମର୍ଦଳ, ଶଙ୍ଖ ନାଦରେ ସମଗ୍ର ମହାନଗର ପ୍ରକମ୍ପିତ ହୁଏ। ମନେହୁଏ ସ୍ୱର୍ଗର ଦେବତାମାନେ କୋଲକାତାରେ ପଦାର୍ପଣ କରିଛନ୍ତି ଏହି କେତେ ଦିନ। ବର୍ଷସାରା ଗଚ୍ଛିତ ସମସ୍ତ ଅର୍ଥକୁ ବଙ୍ଗଳୀମାନେ ଆରବୀୟ ଅମୀର ପରି ଖର୍ଚ୍ଚ କରନ୍ତି। ଉତ୍ତମ ଖାଦ୍ୟ, ପୋଷାକ ଓ ନୂତନ ଘରକରଣା ଖର୍ଦ୍ଦିରେ ମାତି ଯାଆନ୍ତି ସେମାନେ।

ପୂଜା ମଣ୍ଡପ ନିକଟରେ ବଙ୍ଗୀୟ ଲଳନାମାନେ ପରୀ ରାଇଜର ଅପସରା ଭଳି ସଂଶୟ ସୃଷ୍ଟି କରନ୍ତି। ଦୂର୍ଗାପୂଜା ବ୍ୟତୀତ ଗଣେଷ ଚତୁର୍ଥୀ, ସରସ୍ୱତୀ ପୂଜା, ବସନ୍ତ ଉତ୍ସବ, ଖ୍ରୀଷ୍ଟମାସ୍ ଏବଂ ନୂତନ ବର୍ଷ ଆଦି ପର୍ବ ବେଶ୍ ଧୂମଧାମରେ ଏଠାରେ ପାଳନ କରାଯାଏ। କୋଲକାତାରେ ଅଛି ଆନ୍ତର୍ଜାତିୟ ବିମାନ ବନ୍ଦର। ବିଶ୍ୱର ସମସ୍ତ ସହର ସହିତ ଏହାର ଉତ୍ତମ ଯୋଗାଯୋଗ ରହିଛି। ଦେଶ ମଧ୍ୟରେ ଥିବା ସମସ୍ତ ବଡ ସହର କୋଲକାତା ସହିତ ରେଳ, ସଡକ, ଆକାଶ ପଥ ଦ୍ୱାରା ଉନ୍ମୁକ୍ତ। କୋଲକାତାର ଅନୁଭବ କେବଳ ଅନୁଭବି ହିଁ ବର୍ଣ୍ଣନା କରିପାରେ।

Leave a Reply

Your email address will not be published. Required fields are marked *