ଜାତୀୟ

ଉତ୍ତପ୍ତ ଏନ୍.ଏଚ୍ – ୧୬

ଶୁଭ୍ ଭାରତ ଟାଇମ୍ସ/ ଲକ୍ଷ୍ମୀଧର ମହାପାତ୍ର- ଗୋଟିଏ ଗଛ, ଗୋଟିଏ ଜୀବନ। ଜୀବନ ଚଲାପଥରେ ସେ ଏକମାତ୍ର ସହଯାତ୍ରୀ। ଏନ୍ତୁଡି ଶାଳରୁ ମଶାଣି ଯାଏଁ ସବୁଠି ତାର ଆଦର। ତାର ଦୃଢତା ଓ ଦାମ୍ଭିକତା ଆଗରେ ଝୁଙ୍କିପଡେ ପ୍ରକୃତିର ତାଣ୍ଡବ। ତଥାପି ସେ ଅବହେଳିତ। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ୪ଶହ ୪୦ କିଲୋମିଟର ଦୀର୍ଘ ୧୬ ନମ୍ବର ଜାତୀୟ ରାଜପଥ ଓ ତାର ଆଖପାଖ ଦୃଶ୍ୟପଟରେ।

ସ୍ୱର୍ଣ୍ଣ ଚତୁର୍ଭୂଜ ବା ଗୋଲଡେନ୍ କ୍ୱାଡ୍ରିଲିଟରାଲ୍ ହାଇବ୍ୱେ ପ୍ରକଳ୍ପ ଆଳରେ ଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରୁ ପ୍ରାୟ ୨.୫ ଲକ୍ଷ ପୁରାତନ ଗଛଗୁଡିକୁ କାଟି ସଫା କରିଦିଆଯାଇଛି। ଆଧୂନିକକରଣ ନାମରେ ରାସ୍ତା ଡିଭାଇଡରରେ କନିଅର ଫୁଲ ଓ କାଗଜି ଫୁଲ ଗଛ ଲଗାଇ ଛାଡି ଦିଆଯାଇଛି। ସେଥିରୁ କେଉଁଟି ବଂଚିଲା କେଉଁଟି ବିଲକୁଲ୍ ଗଜା ନଦେଲା ସେଥିପାଇଁ ନ୍ୟାସନାଲ୍ ହାଇବେଜ୍ ଅଥରିଟି ଅଫ୍ ଇଣ୍ଡିଆ (ଏନ୍.ଏଚ୍.ଏ.ଆଇ)ର ଆଞ୍ଚଳିକ ପଦାଧିକାରୀମାନେ କେବେ କୌଣସି ପଦକ୍ଷେପ ନିଅନ୍ତି ନାହିଁ।

ସରକାରୀ ରେକର୍ଡ କହୁଛି, ଚେନ୍ନାଇ, କୋଲକାତା, ଦିଲ୍ଲୀ ଓ ମୁମ୍ବାଇ ଆଦିି ଦେଶର ଚାରୋଟି ମେଟ୍ରୋପଲିଟାନ୍ ସହରକୁ ଗୋଟିଏ ରାସ୍ତାରେ ସଂଯୋଗ କରିବାକୁ ୫ହଜାର ୮ଶହ ୪୬ କିଲୋମିଟର ବା ୩ହଜାର ୬ଶହ ୩୩ ମାଇଲ୍ସ ଲମ୍ବ ଗୋଲଡେନ୍ କ୍ୱାଡ୍ରିଲିଟରାଲ୍ ହାଇବେ ବା ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ସେଥିପାଇଁ ୬ ଶହ ବିଲିଅନ୍ ୟୁଏସ୍ ଡଲାର୍ ଖର୍ଚ୍ଚର ଏକ ବ୍ୟୟ ଅଟକଳ ରଖାଗଲା। କେନ୍ଦ୍ରରେ ଏନ.ଡି.ଏ ସରକାର ଶାସନ କାଳରେ ୧୯୯୯ ମସିହା ଜାନୁଆରୀ ୬ ତାରିଖରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାର ଶୁଭାରମ୍ଭ କରିଥିଲେ।

୨୦୦୬ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ୨୦୧୨ ଜାନୁଆରୀ ୭ ତାରିଖରେ କାମ ଶେଷ ହେଲା ବୋଲି ସରକାରୀ ଭାବେ ଘୋଷଣା କରାଗଲା। ଭାରତର ସର୍ବବୃହତ୍ ଏବଂ ବିଶ୍ୱର ଏହି ପଞ୍ଚମ ବୃହତ୍ ପ୍ରକଳ୍ପ ଥିଲା ଦେଶବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏନ.ଡି.ଏ ସରକାରର ସର୍ବଶ୍ରେଷ୍ଠ ଉପହାର। ଯେଉଁଥିରୁ ଓଡ଼ିଶାକୁ ମିଳିଥିଲା କୋଲକାତା ଠାରୁ ଚେନ୍ନାଇ ମଧ୍ୟବର୍ତ୍ତୀ ୪ଶହ ୪୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥର ପ୍ରଶସ୍ତିକରଣ ସୁବିଧା।

କୌଣସି ସରକାରଙ୍କ ପ୍ରଶଂସାରେ ଆମେ ରାଜ୍ୟବାସୀଙ୍କ ସ୍ୱାର୍ଥହାନୀକୁ ଏଡାଇବାର କୌଣସି ଅଭିପ୍ସା ରଖିନୁ। ଏଠାରେ ସ୍ପଷ୍ଟ ଭାବେ କହିରଖୁଛୁ ଆମ ରାଜ୍ୟରେ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରୁ କଟାଯାଇଥିବା ପ୍ରାୟ ୨.୫ ଲକ୍ଷ ପୁରାତନ ଗଛଗୁଡିକ ବଦଳରେ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ରୋଡ୍, ଟ୍ରାନ୍ସପୋର୍ଟ ଆଣ୍ଡ୍ ହାଇେଓଜ୍ ଅଧିନ ନ୍ୟାସନାଲ୍ ହାଇେଓଜ୍ ଅଥରିଟି ଅଫ୍ ଇଣ୍ଡିଆ (ଏନ୍.ଏଚ୍.ଏ.ଆଇ) କେତେ ସଂଖ୍ୟକ ବୃକ୍ଷ ରୋପଣ କରିଛି, ତାହାର ସଠିକ୍ ହିସାବ ଲୋକଲୋଚନକୁ ଅଣାଯାଉ। କାହିଁ କେଉଁ ଅମଳର ସେହି ପୁରାତନ ବୃକ୍ଷଗୁଡିକ, ଯାହା ୫ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ପ୍ରତି ୧୫ ରୁ ୨୦ ଫୁଟ ବ୍ୟବଧାନରେ ଛିଡା ହୋଇଥିଲା। ସେଗୁଡିକୁ ମୂଳୋତ୍ପାଟନ କରି ବଦଳରେ ଏନ୍.ଏଚ୍.ଏ.ଆଇ ଓଡ଼ିଶାକୁ କିଭଳି ସନ୍ତୁଷ୍ଟ କରିଛି, ଏକଥା ସ୍ପଷ୍ଟ କରାଯାଉ।

ନୂଆ ନମ୍ବରିଂ ସିଷ୍ଟମରେ ୫ ନମ୍ବରରୁ ୧୬ ନମ୍ବରର ପରିଚୟ ପାଇଛି ଓଡ଼ିଶା ମଧ୍ୟବର୍ତ୍ତୀ ଜାତୀୟ ରାଜପଥ। ଏଠାରେ କୋଲକାତା ସୀମାନ୍ତରୁ ଆରମ୍ଭ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ଶ୍ରୀକାକୁଲମ୍ ବର୍ଡର ପର୍ଯ୍ୟନ୍ତ ପହଂଚିଥିବା ଜାତୀୟ ରାଜପଥକୁ ଏନ୍.ଡି.ଏ ସରକାରଙ୍କ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପରେ ସାମିଲ୍ କରାଗଲା। ପ୍ରକଳ୍ପ ଅନୁସାରେ ନବନିର୍ମିତ ଜାତୀୟ ରାଜପଥ କେବଳ ପ୍ରଶସ୍ତିକରଣ ନୁହେଁ ବରଂ ସୁରକ୍ଷା ଦୃଷ୍ଟିକୋଣରୁ ରାଜପଥର ଉଭୟ ପାଶ୍ୱର୍ରେ ସୁଦୃଢ ବାହୁ ଓ ହାଇ ଭିଜିବିଲ୍ଟି ସାଇନ୍ ବ୍ୟବସ୍ଥା କରାଯାଇଛି।

ଗଛଟିଏ ତାର ବିସ୍ତିର୍ଣ୍ଣ ଚେର ଗୋଚ୍ଛାରେ ଭୁତଳ ମାଟିକୁ ଜଡାଇ ଧରିରଖେ। ତାର ଅସଂଖ୍ୟ ଶାଖାର ଛାଇ ତଳେ ଶାନ୍ତିପ୍ରଦ ଆଶ୍ରୟ ନେଉଥିଲେ ମଣିଷ, ପଶୁପକ୍ଷୀ ଓ ସରିସୃପ। ଅଝାଡ ଝାଡ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇଁ ପଥିକ ସେହି ଗଛ ତଳେ କିଛି ମୁହୂର୍ତ୍ତର ଆଶ୍ରୟ ପାଉଥିଲା। ମାତ୍ର କେନ୍ଦ୍ର ଯୋଜନା କେବଳ ଯାନବାହାନ ପରିବହନ ପ୍ରତି ଗୁରୁତ୍ବ ଦେଇଥିଲା। ଓଡ଼ିଶା ଦେଇ ଯାତାୟତ କରୁଥିବା ନୂଆପିଢି ତାଙ୍କ ଜୀବକାଳରେ ସେହି କଲ୍ୟାଣକାରୀ ପ୍ରକୃତିଦତ୍ତ ସମ୍ପଦ ଦେଖିବାର କେବେ ତ ସୁଯୋଗ ପାଇବେନି, କିନ୍ତୁ ଓଡ଼ିଶାକୁ ଶ୍ରୀହୀନ କହିବାରେ କୌଣସି କୁଣ୍ଠାବୋଧ କରିବେନି। ଏନେଇ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ରୋଡ୍, ଟ୍ରାନ୍ସପୋର୍ଟ ଆଣ୍ଡ୍ ହାଇବେଜ୍ ବିଭାଗ ବିରୋଧରେ ସ୍ୱର ଉତ୍ତୋଳନ କରିବା ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ।
ସୂଚନା ଅଧିକାର ଆଇନ କୋର୍ କମିଟି ସଦସ୍ୟ, ଖୋର୍ଦ୍ଧା ଜିଲ୍ଲା

ସୁଚନା ଅଧିକାର ଆଇନ କୋର୍ କମିଟି ସଦସ୍ୟ, ଖୋର୍ଦ୍ଧା ଜିଲ୍ଲା

Leave a Reply

Your email address will not be published. Required fields are marked *