ମହାନଗର

ମାଫିଆ ସିଗନାଲ ଦେଲେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହୁଏ

ଖୋର୍ଦ୍ଧା(ହରିହର ରଣା), ଶୁଭ୍ ଭାରତ ଟାଇମ୍ସ, ୧୪.୧୧- ବିଧିବଦ୍ଧ ଯୋଜନା ଅଭାବରୁ ଚିଲିକାରୁ ଘେରି ଉଚ୍ଛେଦ ପ୍ରହସନରେ ପରିଣତ ହୋଇଛି। ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ସରକାର ଏହି ଦାୟିତ୍ୱ ନ୍ୟସ୍ତ କରିଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ କିଭଳି ଢଙ୍ଗରେ ତୁଲାଉଛି, ଏସବୁ ଖବର ରଖିବାକୁ ସରକାରଙ୍କ ପାଖରେ ସମୟ ନାହିଁ। ସେପାଖେ ଚିଙ୍ଗୁଡ଼ି ମାଫିଆଙ୍କ ଠାରୁ ଅନୁମତି ନେବା ପରେ ଜିଲ୍ଲା ପ୍ରଶାସନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ କରେ। ଏଥିପାଇଁ ତହସିଲଦାରମାନଙ୍କୁ ଚିଲିକାର ବିଭିନ୍ନ ଘେରି ଅଞ୍ଚଳକୁ ଏଗଜାବେଟର ସହ ପଠାଯାଏ। ବିଚରା ତହସିଲଦାରମାନେ ପରିସ୍ଥିତିର ଦାସ। ସେମାନେ ଘେରି ଉଚ୍ଛେଦ କରିବାକୁ ଯାଇ ଧାଡି ଧାଡି ହୋଇ ପୋତା ହୋଇଥିବା ଜିରୋ ନେଟ୍ ଉଠାଇ ଆଣନ୍ତି। କିନ୍ତୁ ଘେରି ଉଚ୍ଛେଦ ପୂର୍ବରୁ ମାଫିଆ ସେସବୁ ଅଞ୍ଚଳରୁ ଚିଙ୍ଗୁଡ଼ି ଖାଲି କରିଦେଇଥାନ୍ତି।

ଚିଲିକା ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଚିଲିକାର ଦୂରାବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ଓ ଚିଲିକା ଡେଭେଲପମେଣ୍ଟ ଅଥରିଟି(ସିଡିଏ) ସମ୍ପୂର୍ଣ୍ଣ ଦାୟୀ। ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବାର୍ଷିକ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ସିଡିଏ ମାଧ୍ୟମରେ ଖର୍ଚ୍ଚ ହେଉଥିବା ଏହି ରାଶି  ବାସ୍ତବରେ  ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ କେତେଦୂର ଲାଭଦାୟକ, ଏହି ତଥ୍ୟ ଖୋଦ୍ ସରକାରଙ୍କ ନିକଟରେ ମଧ୍ୟ ନାହିଁ। ପ୍ରଶାସନିକ ଅଧିକାରୀମାନେ ଡବଲ ଲାଭ ପାଇବା ଆଶାରେ ଘେରି ମାଫିଆଙ୍କ ସହ ହାତ ମିଳାଇଛନ୍ତି। ଯାହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କୁ ବେରୋଜଗାରୀ କରିଛି।

ଯୋଜନା ପରେ ଯୋଜନା ଗଲାଣି, ସିଡିଏରୁ ଅନେକ ଅଧିକାରୀ ମଧ୍ୟ ଗଲେଣି। ଚିଲିକା ଡେଭେଲପମେଣ୍ଟ  ଅଥରିଟି’ର ପ୍ରାକ୍ତନ ମୁଖ୍ୟ ନିର୍ବାହୀ ଅଜିତ୍ ପଟ୍ଟନାୟକ ଓ ସୁଦର୍ଶନ ପଣ୍ଡାଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଆଶାତୀତ ସ୍ୱପ୍ନ ଦେଖାଇ ଫେରିଗଲେଣି। ଏଥିପାଇଁ ଦେଶ ବିଦେଶରୁ ଭରପୂର ଅର୍ଥ ଆସିଛି, କିନ୍ତୁ ପରିସ୍ଥିତି ସୁଧୁରିଲାନି। ଚିଲିକା ଆଜି ଶ୍ରୀହୀନ।

ଆଜି ଯେଉଁମାନେ ସ୍ୱର ଉଠାଇବା କଥା ସେମାନେ ନିଜର ପ୍ରତିଷ୍ଠା ପାଇଁ ନିଜେ ଏବଂ ନିଜ ସଂସ୍ଥାକୁ ରାଜ୍ୟ ସରକାରଙ୍କ ବଚସ୍କର କରିଦେଇଛନ୍ତି। ଚିଲିକା, କେବଳ ଏକ ରମଣୀୟ ପର୍ଯ୍ୟଟନସ୍ଥଳୀ ନୁହେଁ ବରଂ ଉପକୂଳବର୍ତ୍ତୀ ୩ଟି ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି। ସରକାରୀ ଉଦାସୀନତା ପାଇଁ ଚିଲିକାରେ ରାଜ୍ କରୁଛନ୍ତି ଚିଙ୍ଗୁଡ଼ି ମାଫିଆ। ଚିଲିକାକୁ ଘେରି ରହିଥିବା ଉପକୂଳ ଜିଲ୍ଲାଗୁଡ଼ିକର ଅନ୍ୟୁନ୍ୟ ୪ ଲକ୍ଷ ମତ୍ସ୍ୟଜୀବୀ ପରିବାରରୁ ଶତକଡ଼ା ୭୫ ଭାଗ ପରିବାର ଚିଲିକାରୁ ଉତ୍ପାଦନ ହରାଇ ନିଜ ନିଜ ବୃତ୍ତିରୁ ଓହରି ଗଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମତ୍ସ୍ୟଜୀବୀ ପରିବାରର ମହିଳାମାନେ ପ୍ରତିଦିନ ବଡ଼ି ଭୋରରୁ ଟ୍ରେନରେ ଆସି ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ମୂଲଟିଏ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଏବଂ ଗୋତି ଖଟୁଛନ୍ତି। ସ୍ପଷ୍ଟ ଦିବାଲୋକରେ ରାଜଧାନୀ ଛାତି ଉପରେ ଠିଆ ହୋଇଥିବା ଏହି ମତ୍ସ୍ୟଜୀବୀ ଘରର ମହିଳାମାନେ ହିଁ ସରକାରଙ୍କ ଚିଲିକା ଉନ୍ନତ୍ତିକରଣ ଯୋଜନାର ଟିକନିଖ୍ ତଥ୍ୟ ଦେଇପାରିବେ > ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଖୋର୍ଦ୍ଧା, ଶୁଭ୍ ଭାରତ ଟାଇମ୍ସ

One Reply to “ମାଫିଆ ସିଗନାଲ ଦେଲେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହୁଏ

  1. People of fishermen’s family are in very very worst condition. They have been leaving their home to go out side the state for better earning. Odisha government should take care about this.

Leave a Reply

Your email address will not be published. Required fields are marked *