ଜାତୀୟ

ସାତକୋଶିଆରେ ଘଡ଼ିଆଳ ଘାଇଲା

ଅନୁଗୋଳ, ଶୁଭ୍ ଭାରତ ଟାଇମ୍ସ, ୦୨/୪- ଘଡିମୁହାଁ ବଡ କୁମ୍ଭୀର ଅର୍ଥାତ୍ ଘଡ଼ିଆଳ। ବିଶ୍ୱର ଏକ ବିଲୁପ୍ତ ପ୍ରାପ୍ତ ପ୍ରାଣୀ। ଏହି ପ୍ରଜାତିର କୁମ୍ଭୀର ଅନୁଗୋଳ ଜିଲ୍ଲା ଟିକିରପଡ଼ା ଉପକଂଠ ମହାନଦୀ ସାତକୋଶିଆ ଗଣ୍ଡରେ ବହୁଳ ସଂଖ୍ୟାରେ ରହି ଆସିଥିଲେ। ହେଲେ ଦୁର୍ଭାଗ୍ୟ, ଗତ ୨ ଦଶନ୍ଧି ମଧ୍ୟରେ ଏମାନଙ୍କ ବଂଶ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସପାଇଛି। କାରଣ, ଶିକାରୀଙ୍କ ଅବାଧ ପ୍ରବେଶ, ମାଛ ମାରିବା ପାଇଁ ମହାନଦୀ ଜଳରେ ବିଷ ପ୍ରୟୋଗ ଓ ବିସ୍ଫୋରକ ଦ୍ରବ୍ୟର ବହୁଳ ବ୍ୟବହାର।

ଘଡ଼ିଆଳ କୁମ୍ଭୀରଙ୍କ ମୃତ୍ୟୁ ପ୍ରସଙ୍ଗରେ ପରିବେଶପ୍ରେମୀ କୁହନ୍ତି, ପୂର୍ବରୁ ଆଠମଲ୍ଲିକ, ବୌଦ୍ଧ, ରେଢାଖୋଲ, ଫୁଲବାଣୀ, ଟିକରପଡ଼ା ଓ ନୟାଗଡ଼ ଅବବାହିକା ମହାନଦୀ ବକ୍ଷରେ ଚୌଦ୍ୱାର କାଗଜ କଳ ପାଇଁ ବାଉଁଶ ଭେଳା ଯାଉଥିଲା। ଯଦ୍ୱାରା ମହାନଦୀ ଜଳ ଦୁଷିତ ହେବା ସହ ବାଉଁଶ ଭେଳାରେ ଲାଖି ଘଡ଼ିଆଳଙ୍କ ମୃତ୍ୟୁ ଘଟୁଥିଲା। ଅନ୍ୟ କାରଣଟି ହେଲା ଗଣ୍ଡରୁ ବେଆଇନ୍ ମାଛ ମାରିବା ଘଟଣା। ମାଛ ଧରା ଜାଲରେ କୁମ୍ଭୀର ଲାଖିଗଲେ ଜାଲକୁ କୁମ୍ଭୀର ମୁକ୍ତ କରିବା ପାଇଁ ଧିବର ଘଡ଼ିଆଳକୁ ମାରିଦେଉଛନ୍ତି। ଏଥିପାଇଁ ସାତକୋଶିଆ ବନଖଣ୍ଡ କାର୍ଯ୍ୟାଳୟର କେତେକ ଅସାଧୂ କର୍ମଚାରୀ ଶିକାରୀ ମାନଙ୍କ ସହ ହାତ ମିଳାଇଥିବାରୁ କୁମ୍ଭୀର ଶିକାର ସୁରଖୁରରେ ଚାଲିଛି। ଅନ୍ୟପକ୍ଷରେ ବିଶ୍ୱ ବଜାରରେ ମଲା କୁମ୍ଭୀର ଚମଡ଼ାର ମଧ୍ୟ ଚାହିଦା ରହିଛି।

କୁମ୍ଭୀର ଚମଡାକୁ ଦାମୀ ଜୋତା, ମନିପର୍ସ ଓ ବିଭିନ୍ନ ମନଲୋଭା ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି। ଏହିସବୁ ସାମଗ୍ରୀ ଆଧୂନିକ ମହିଳାମାନଙ୍କର ଖୁବ୍ ପସନ୍ଦ। ଏତଦବ୍ୟତିତ ଘଡ଼ିଆଳ ମାଂସରୁ ତେଲ ବାହାର କରି ଏହାକୁ ବାତ ରୋଗ ନିରାକରଣ ଆଳରେ ବିକ୍ରି କରାଯାଏ। ଏମିତି ଭଳି କି ଭଳି ମନଲୋଭା ସୁଯୋଗ ହାତଛଡା ନକରି, ଏଥିରୁ ମାଲାମାଲ୍ ହେବା ଲକ୍ଷରେ ଚୋରା ବେପାରି ଦଳ କୁମ୍ଭୀର ମାରି କଳାବଜାରରେ ବିକ୍ରୀ କରୁଥିଲେ। ସେପାଖେ ବିନିକେଇ- ନରସିଂହପୁର ଅଂଚଳରେ ମହାନଦୀ ଜଳରେ ବିଷ ପ୍ରୟୋଗ ଏବଂ ଡିନାମାଇଟ୍ ଫୁଟାଇ ମାଛମରା ଘଟଣା ଘଡ଼ିଆଳ ବିନାଶର ପ୍ରମୂଖ କାରଣ। କିନ୍ତୁ ବନ ବିଭାଗ ସଫେଇ ଦେଉଛି କି ହିରାକୁଦ୍ ବଢି ପାଣି ଛାଡ଼ିବା ପରେ ଯେଉଁ ବନ୍ୟାପାଣି ଆସୁଛି ସେଥିରେ ନିରିହ ଘଡ଼ିଆଳ ଭାସି ଯାଇ ସମୁଦ୍ରକୁ ପଳାଉଛନ୍ତି। ମହାନଦୀ ଗଣ୍ଡରେ କୌଣସି ପ୍ରକାର ପାଣିକୁ ଅଟକ ରଖାଯାଇପାରିଲେ ଘଡ଼ିଆଳ ନିୟନ୍ତ୍ରଣ ସହ ସେମାନଙ୍କ ବଂଶ ବିସ୍ତାରରେ ସହାୟକ ହେବ।

ଦିନଥିଲା ସୌନ୍ଦର୍ଯ୍ୟମୟୀ ସାତକୋଶିଆ ଓ ଏହାର ଜିବଜନ୍ତୁ ଉତ୍ସର ବ୍ୟବହାର କରି ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଦ୍ରୁତ ବର୍ଦ୍ଧିତ ଶିଳ୍ପ ରୂପେ ଗୃହିତ ହୋଇଥିଲା। ଦୀର୍ଘ ୨୨ କିଲୋମିଟର ଦୈର୍ଘ୍ୟର ବିସ୍ତିର୍ଣ୍ଣ ଗଣ୍ଡ ତଥା ୭୯୫.୫୨ ବର୍ଗ କିଲୋମିଟର ପରିବ୍ୟାପ୍ତ ପ୍ରାକୃତିକ ଶୋଭାରାଜି ହେଲା ସାତକୋଶିଆର ଆୟତନ। ଏହାକୁ ମନଭରି ଉପଭୋଗ କରିବା ଲାଗି ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଥିଲା। ବିଶେଷ କରି ସାତକୋଶିଆ ଗଣ୍ଡରେ ଘଡ଼ିଆଳ କୁମ୍ଭୀରଙ୍କ ବିଚରଣର ଚମତ୍କାର ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରୁଥିଲା। ଟିକରପଡ଼ା ଗଣ୍ଡ ଆଖପାଖରେ ତଥା ବୌଦ୍ଧରୁ ନରାଜ ମଧ୍ୟରେ ବିଭିନ୍ନ ପଥର ଖୋଲରେ ପ୍ରାୟ ୮ ଫୁଟରୁ ୧୦ ଫୁଟ ଲମ୍ବର ୪/୫ ଟି ଘଡ଼ିଆଳ ଓ ୩ଟି ଛୋଟ ଘଡ଼ିଆଳ ରହିଥିବାର ଲୋକେ ଦେଖି ଆସୁଥିଲେ। ସେହିଭଳି ଆଠମଲ୍ଲିକ ଅଂଚଳର କେତେକ ଜଳ ଟାପୁରେ ମଧ୍ୟ ମଗର ଥିବା ତଥ୍ୟଭିଜ୍ଞ ମହଲରୁ ପ୍ରକାଶ। ଏଠାରେ ମଗର ଓ ଘଡ଼ିଆଳଙ୍କ ଉପସ୍ଥିତି ଗବେଷକମାନଙ୍କୁ ଉତ୍ସାହିତ କରିବା ସହ ଟିକରପଡ଼ା ଗଣ୍ଡରେ ଏକ ପ୍ରଜନନ କେନ୍ଦ୍ର ଖୋଲିବା ପାଇଁ ଖୋରାକ ଯୋଗାଇଥିଲା।

୧୯୭୫ ଏପ୍ରିଲରେ ପ୍ରଥମକରି ଗଣ୍ଡୁକି ନଦୀରୁ ୭୨ଟି କୁମ୍ଭୀର ଅଣ୍ଡା ଉକ୍ତ ପ୍ରଜନନ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରଜନନ ପାଇଁ ଏଠାରେ ପ୍ରସ୍ତୁତ ହେଚଲିଙ୍କ ଶେଡ୍ରେ ଅଣ୍ଡାଗୁଡ଼ିକୁ ୨୯ରୁ ୩୯ ଡିଗ୍ରୀ ସେଲସିଅସ୍ ତାପମାତ୍ରାରେ ବାଲିରେ ପୋତି ରଖାଯାଇଥିଲା। ସେହିବର୍ଷ ଜୁଲାଇ ୧୮ ତାରିଖରେ ପ୍ରଥମ କରି ୪୨ ଘଡ଼ିଆଳ ଶାବକ ଜନ୍ମ ହୋଇଥିଲେ। ବିଶ୍ୱ ବନ୍ୟପ୍ରାଣୀ ଇତିହାସରେ ଏହା ଥିଲା ଏକ ବିରଳ ଘଟଣା। ସେହିବର୍ଷ ଅଗଷ୍ଟ ମାସରେ ତାମିଲନାଡ଼ୁରୁ ୨ଟି ମାଇ ଘଡ଼ିଆଳ ଅଣାଯାଇ ନଦୀରେ ଛଡ଼ା ଯାଇଥିଲା। ପୁନର୍ବାର ୟୁନାଇଟେଡ୍ ନେଶନ୍ ଡେଭଲପମେଂଟ୍ ପ୍ରୋଗାମ୍ (ୟୁ.ଏନ୍.ଡି.ପି) ଜରିଆରେ ସେପ୍ଟେମ୍ବର ମାସରେ ୧୦ ଘଡ଼ିଆଳ ଶାବକ ଅଣାଯାଇ ଟିକରପଡ଼ା ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା। ଏଠାରେ ପୂର୍ବରୁ କୃତ୍ରିମ ଭାବେ ଅଣ୍ଡାରୁ ଛୁଆ ଜନ୍ମ ହୋଇଥିବା ୪୨ଟି ଶାବକ ମିଶାଇ ସମୁଦାୟ ୫୨ଟି ଶାବକଙ୍କୁ ଲାଳନପାଳନ କରାଯାଇଥିଲା।

୧୯୭୬ ପର୍ଯ୍ୟନ୍ତ ୪୧ଟି ଶାବକ ତିଷ୍ଠି ରହିବା ସହ ୧.୪ ମିଟର ଲମ୍ବା ହୋଇଥିବା ବେଳେ ପ୍ରାୟ ସବୁ ଶାବକ ୬ କେଜି ଓଜନର ହୋଇଥିଲେ। ୧୯୭୭ ରେ ନେପାଳରୁ ଅଣାଯାଇଥିବା୨୩୦ ଅଣ୍ଡାରୁ ୪୦ ଶାବକ ଜନ୍ମ ହୋଇଥିଲେ। ୧୯୭୮ରେ ସେଠାରୁ ପୁଣି ୪୦୦ ଟି ଘଡ଼ିଆଳ ଶାବକ ଅଣାଯାଇଥିଲା। ୧୯୭୯ ଜୁଲାଇ ୧ ପହିଲାରେ ନେପାଳର ଚିତୁଆଲ୍ ନ୍ୟାଶନାଲ୍ ପାର୍କରୁ ଅଣାଯାଇଥିବା ୫୯୦ ଅଣ୍ଡାରୁ ୪୩୦ ଘଡ଼ିଆଳ ଶାବକ ମିଳିଥିଲା। କୌଣସି କାରଣବସତଃ ସେଥିରୁ କିଛି ଶାବକଙ୍କର ମୃତ୍ୟୁ ଘଟିଲା। ଏଥିସହ ଶିମିଳିପାଳ ଜଙ୍ଗଲରେ ଥିବା ଛୋଟନାଳ ବୁଢାବଳଙ୍ଗ ନଦୀର କ୍ୟାଚମେଂଟ୍ ଅଂଚଳରୁ ୨୦ ମଗର ଶାବକଙ୍କୁ ଆଣି ହେଚଲିଙ୍ଗ ପୋଲରେ ଲାଳନପାଳନ କରାଯାଇଥିଲା। ସେପାଖେ ଘଡ଼ିଆଳ ଓ ମଗରଙ୍କ ମଧ୍ୟରେ ସାମାନ୍ୟ ସାମଂଜସ୍ୟ ଥିଲା। ଘଡ଼ିଆଳ ଭୟାଳୁ ପ୍ରବୃତିର ତ ମଗର ଥିଲା ହିଂସ୍ର। ଏଭଳି ସ୍ଥିତିରେ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଲାଳନପାଳନ କରାଯିବା ପରେ ମହାନଦୀ ଗଣ୍ଡରେ ପ୍ରାୟ ୮୦୦ ରୁ ୯୦୦ ଘଡ଼ିଆଳ ଓ ୨୮୪ ଟି ମଗର ଛଡାଗଲା। ସଂପ୍ରତି ସେସବୁ ଘଡ଼ିଆଳଙ୍କ ସଂଖ୍ୟା ମାତ୍ର କେତୋଟି ଆଙ୍ଗୁଠି ଗଣତି ସଂଖ୍ୟାରେ ପହଂଚିଛି।

ଏକ ସର୍ବେକ୍ଷଣରୁ ଜଣାପଡିଛିଯେ, ଟିକରପଡ଼ା ଠାରେ ବିଚରଣ କରୁଥିବା ଘଡ଼ିଆଳ ସଂଖ୍ୟା ସମୁଦାୟ ୧୫। ସେମଧ୍ୟରୁ ୭ଟି ଘଡ଼ିଆଳଙ୍କୁ ପ୍ରଜନନ କେନ୍ଦ୍ରରେ ରଖା ଯାଇଥିବା ବେଳେ ମହାନଦୀ ଗଣ୍ଡରେ ଅଛନ୍ତି ୯ଟି। ଘଡ଼ିଆଳ କୁମ୍ଭୀରଙ୍କ ଅହେତୁକ ହ୍ରାସ ଘଟିବା ଘଟଣା ବିଶ୍ଳେଷକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଶେଷଜ୍ଞଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି। ମୁଖ୍ୟତଃ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ସବୁଠାରୁ ମହତ୍ୱପୂର୍ଣ୍ଣ ପାଲଟିଥିବା ଶିମିଳିପାଳ ଅଭୟାରଣ୍ୟରେ ଘଡ଼ିଆଳ ସଂଖ୍ୟା ହ୍ରାସ ରାଜସ୍ୱ ହାନି ଦିଗଟିକୁ ଉନ୍ମୁକ୍ତ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ, ଉଭୟ ଦେଶ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଶିମିଳିପାଳରେ ଘଡ଼ିଆଳ ବିଚରଣ ଦେଖିବା ଲାଗି ବିଶେଷ ଆଗ୍ରହୀ। ଯେଉଁଥିପାଇଁ ରାଜ୍ୟ ସରକାର ଏକୋ ସିଷ୍ଟମ୍ ବ୍ୟବସ୍ଥାକୁ ଆୟର ସର୍ବୋତମ ପନ୍ଥା ବୋଲି ଗ୍ରହଣ କରିଥିଲେ। ମାତ୍ର ସାତକୋଶିଆର ଆକର୍ଷଣ ହ୍ରାସ ପାଉଥିବାରୁ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବିକାଶରେ ବାଧା ସୃଷ୍ଟି ହେବା ସହ ସ୍ଥାନୀୟ ଅଧିବାସୀଙ୍କ ଜୀବିକା ପ୍ରଭାବିତ ହେଉଛି।

Leave a Reply

Your email address will not be published. Required fields are marked *