ସମ୍ପାଦକୀୟ

ବୃଦ୍ଧି ପାଉଛି ବିଭେଦ

ମନୋରଞ୍ଜନ ପଟ୍ଟନାୟକ- ୨୦୧୯ ନିର୍ବାଚନକୁ ଆଖି ସାମ୍ନାରେ ରଖି ରାମ ମନ୍ଦିର ନିର୍ମାଣ ସ୍ଳୋଗାନକୁ ଯୋରଦାର କରିଛି ଭାଜପା। ଭାଜପାର ଷ୍ଟାର୍ କ୍ୟାମ୍ପେନର୍ ମାନେ କଠୋର ଧ୍ୱନୀ ଦେଇ ବିଭେଦର ଉତ୍ସ ସମୁହକୁ ଉଜାଗର କରୁଛନ୍ତି। ଚଳିତ ବର୍ଷ ଫେବୃୟାରୀ ୧୩ ତାରିଖ ମଙ୍ଗଳବାର ସୁପ୍ରିମକୋର୍ଟରେ ଥିଲା ପୂର୍ବ ମାମଲାର ଶୁଣାଣି। ଆସନ୍ତା ନିର୍ବାଚନରେ ପୁନର୍ବାର ସ୍ଥିତି ବଜାୟ ରଖିବା ଲକ୍ଷରେ ଠିକ୍ ସେହିଦିନ ଠାରୁ ଆରମ୍ଭ ହୋଇଛି ଭାଜପା ରାଜନୀତିର ରଥଯାତ୍ରା।

ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ସମର୍ଥନରେ ଅଯୋଧ୍ୟାରୁ ପୁଣି ଗଡିଛି ରାମ ରାଜ୍ୟ ରଥ”। ଆଜକୁ ୨୮ ବର୍ଷ ପୂର୍ବେ ଏଭଳି ଏକ ରଥଯାତ୍ରା ଗୋଟିଏ ବଡ ଧରଣର ଧାର୍ମିକ ସଙ୍କଟକୁ ଆହ୍ୱାନ ଦେଇଥିଲା। ଯାହା ଦେଶର ଅଖଣ୍ଡତା ଓ ସମୃଦ୍ଧିକୁ ପ୍ରଭାବିତ କଲାଭଳି ପ୍ରତିକ୍ରିୟା ରଖିଦେଇଗଲା।

୯୨ ଦଙ୍ଗାରେ ଉଭୟ ହିନ୍ଦୁ- ମୁସଲମାନ ସମ୍ପ୍ରଦାୟର ଅତି କମରେ ୨ ହଜାର ଆନ୍ଦୋଳନକାରୀ ପ୍ରାଣ ହରାଇଲେ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଲା ଯେ ଏହାର ସର୍ବୋଚ୍ଚ କାରଣ ଥିଲା ୨୫ ଅକ୍ଟୋବର ୧୯୯୦ରେ ଭାଜପା ନେତା ଲାଲକୃଷ୍ଣ ଆଡବାନୀଙ୍କ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ ଲକ୍ଷରେ ବାହାରିଥିବା ରାମ ରଥଯାତ୍ରା”।

ସେହି ରଥଯାତ୍ରା ପରେ ୬ ଡିସେମ୍ବର, ୯୨ରେ ବାବ୍ରୀ ମସଜିଦ୍ ଧ୍ୱଂସ ପାଇଲା। ସେତେବେଳେ ଘଟଣାସ୍ଥଳରେ ୨୦ ଜଣ ପ୍ରାଣ ହରାଇଲେ। ୯୦ ମସିହାର ରାମ ରଥଯାତ୍ରା”ରେ ଭିଏଚପି ଓ ସମଗ୍ର ସଂଘ ପରିବାର ସହ ସମର୍ଥକ ଭାବେ ହାତ ମିଳାଇଥିଲା ଭାଜପା। ପରବର୍ତ୍ତୀ ୯୨ ଦଙ୍ଗା ସମଗ୍ର ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲା ଯେ ଦେଶକୁ ମୌଳବାଦୀଙ୍କ ଆଖଡା ଘର କରିବାକୁ ପ୍ରୟାସ ଚାଲିଛି।

ସେତେବେଳେ ଦେଢ ଲକ୍ଷ କରସେବକଙ୍କୁ ଯେଉଁ କାର୍ଯ୍ୟରେ ନିୟୋଜିତ କରାଗଲା, ତାହା ହୁଏତ ମୋଗଲ ବାଦଶାହା ବାବରଙ୍କ ଅଭିମାନକୁ କ୍ଷୁର୍ଣ୍ଣ କରିବାର ଦମ୍ଭ ହୋଇପାରେ। ମାତ୍ର ବାବ୍ରୀ ମସଜିଦ୍ ଧ୍ୱଂସ ପାଇବା ପରେ ସାମ୍ପ୍ରଦାୟିକ ଶକ୍ତି ସମୂହ ଯେଭଳି ପ୍ରଦର୍ଶନ କଲେ ସେହି ଦଙ୍ଗା ଯୁଗ ଯୁଗ ଧରି ଇତିହାସରେ ଲିପିବଦ୍ଧ ହୋଇରହିବ। ଉଭୟ ସମ୍ପ୍ରଦାୟ ମଧ୍ୟରେ ଯେଭଳି ତିକ୍ତତାର ମଞ୍ଜି ବୁଣି ଦିଆଗଲା ତାହାର ପରିଣତି କେତେ ଭୟାବହ ହୋଇପାରେ ତାହା ଭାଜପା ଓ ସଂଘ ପରିବାରର ବରିଷ୍ଠ ନେତୃତ୍ୱ କ’ଣ ପୂର୍ବାନୁମାନ କରିନଥିଲେ ?

୨ ହଜାର ଲୋକଙ୍କୁ ମୃତ୍ୟୁର ଘାଟରେ ପହଁଚାଇବା ସତ୍ୱେ ୨୮ ବର୍ଷ ପରେ ପୁଣି ରଥଯାତ୍ରା !ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରରେ କୌଣସି ଦଙ୍ଗା ଫସାଦର ସ୍ଥାନ ନାହିଁ। ହେଲେ ବାରମ୍ବାର ଏଭଳି ଧାର୍ମିକ ଆତଙ୍କକୁ କାହିଁକି ପ୍ରୋତ୍ସାହିତ କରାଯାଉଛି। ରାମ ମନ୍ଦିର ନିର୍ମାଣକୁ ମୁଦ୍ଦା କରି ଗୋଟିଏ ଦଳ ତାର ଉତ୍ଥାନ ଚାହୁଁଛି। ଏହି ଧାର୍ମିକ ଆତଙ୍କ ଆରମ୍ଭ ପରେ ଯେଉଁମାନେ ଅକାଳରେ ଜୀବନ ହାରିଲେ,ଏହାକୁ ସେମାନଙ୍କ ବଳିଦାନ କହିବା ନା ଜାଲିଅନଓାଲା ଗଣହତ୍ୟା ?
ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *