ମହାନଗର

୫୦ ହଜାର ଶ୍ରମିକଙ୍କ ଦାନାପାଣି ବନ୍ଦ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୧୨ ଜୁନ୍, ୧୯- ଦୀର୍ଘ ଦଶନ୍ଧି ଧରି ଯାହା ଉପରେ ନିର୍ଭର କରୁଥିଲା ପରିବାରର ଦାନାପାଣି ତାହା ଆଜି ଉଜାଡ଼ି ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଆଜକୁ ମାସେ ହେଇଗଲା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଗଲାନାହିଁ। ହାତରେ କାମଧନ୍ଦା ନାହିଁ କିମ୍ବା ପାଖରେ ଅର୍ଥ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି ସେମାନଙ୍କୁ ଉପାସ ଭୋକରେ କାଳାତିପାତ କରିବାକୁ ବାଧ୍ୟ କରିଛି। ସେମାନେ ଯେଉଁଠୁ ଆସିଥିଲେ, ସେଠାକୁ ଫେରିବା ମଧ୍ୟ ଆଉ ସମ୍ଭବ ନୁହେଁ, କାରଣ ରକ୍ଷଣାବେକ୍ଷଣ ଅଭାବରୁ ଗାଁର ଭିଟାମାଟି ଖଣ୍ଡିକ ଛାରଖାର ହୋଇଯାଇଛି। ଫଳରେ ଅଝାଡ଼ ଝାଡ଼ ଖରାରେ ଅଧା ପେଟରେ ପରିବାର ସହ ପ୍ରଶାସନିକ ନିଷ୍ପତ୍ତିକୁ ଚାହିଁ ରହି ଦିନ କାଟୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କାଇପଦର, ଛତ୍ରମା, ବାଜପୁର, ତାପଙ୍ଗ, ଦଧିମାଛଗାଡ଼ିଆ ଓ ମଳିପଡ଼ା ଅଞ୍ଚଳରେ ଥିବା ୫ ଶହ ଗ୍ରାନାଇଟ୍ ଷ୍ଟୋନ୍ କ୍ରସର୍ ଗୁଡ଼ିକରେ ମଜୁରିଆ ଭାବେ କାମ କରୁଥିବା ୫୦ ହଜାର ମଜୁରିଆ। ପୂର୍ବରୁ ମୋଟା ରକମ ଚାନ୍ଦାଭେଦା ପାଇ ଆଖିରେ ଅନ୍ଧପୁଟୁଳି ବାନ୍ଧି ବେଆଇନ୍ କାମକୁ ବିନ୍ଦାସ ଚଳାଇଥିବା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବେ ସ୍ଥାନୀୟ ନବନିର୍ବାଚିତ ବିଧାୟକଙ୍କ ସହମତିରେ ୫୦ ହଜାର ଦିନ ମଜୁରିଆଙ୍କ ଜୀବନକୁ ମାଟି କରିବାରେ ଲାଗିପଡ଼ିଛି । ଧରପଗଡ଼ ଆଳରେ ବିନା ଟେଣ୍ଡରଧାରୀଙ୍କ ସମେତ ଲିଜ୍ କୁଆଁରୀରୁ ସ୍ପଲ୍ ଆଣୁଥିବା କ୍ରସର୍ ଗୁଡ଼ିକ ଉପରେ ରାତିଅଧିଆ ଦବଙ୍ଗଗିରି ଚଳାଇଛି ସ୍ଥାନୀୟ ପୁଲିସ୍।

ଏ ସଂକ୍ରାନ୍ତରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ, “ପ୍ରଭୂ ଜଗନ୍ନାଥଙ୍କର ଯେତେ ଗ୍ରାନାଇଟ୍ ଖଣି ଅଛି ସେଥିରୁ ୪୨ଟି ନିଲାମ ହେଇଥିଲା। ନିଲାମଧାରୀମାନେ ଟଙ୍କା ଦେଇଛନ୍ତି କିନ୍ତୁ ସେମାନେ କାମ କରୁପାରୁନଥିଲେ। କାହିଁକିନା କିଛି ଲୋକାଲ୍ ପିଲା ସେଠାରେ ଇଲିଗାଲ୍ ଅପରେସନ୍ କରୁଛନ୍ତି। ତେଣୁ ଟେଣ୍ଡର୍ ନେଇଥିବା ଲୋକଗୁଡାକ ହଇରାଣ ହେଉଛନ୍ତି।”

ବିଧାୟକ ମିତ୍ରଙ୍କୁ ଯେତେବେଳେ ପଚରାଗଲା କି ଏବେ ୫୦ ହଜାର ଶ୍ରମିକ ବେସାହାରା ଅବସ୍ଥାରେ, କିଏ ଘର ଛାଡ଼ିଲେଣି ତ କିଏ କୁଆଡ଼େ ଗଲେଣି, କିଏ ରୋଗରେ ପଡ଼ିଲେଣି; ତାଙ୍କ କଥା ବୁଝିବା ପାଇଁ କେହି ନାହିଁ। ସେଥିପାଇଁ ଆପଣ କ’ଣ ପଦକ୍ଷେପ ନେଇଛନ୍ତି? ଏହାର ଉତ୍ତରରେ ବିଧାୟକ ମିତ୍ର କହିଲେ, “କ’ଣ, ଘର କିଏ ଛାଡ଼ିଲା! ସେ ଶ୍ରମିକମାନଙ୍କ କଥା ଆମେ କ’ଣ ବିଝିବୁ, ସେମାନେ କ୍ରସର ଥ୍ରୁରେ ଆସିଥିଲେ। କ୍ରସର ମାଲିକଙ୍କୁ ଡ଼କାହେଇଥିଲା ସେମାନେ କହିଛନ୍ତି ଲିଗାଲି ଖଣି ଗୁଡାକ ଅପରେସନ୍ ହେଉ, ଇଲିଗାଲି ନହେଉ। ଏଇଟା ହେଉଛି ସମସ୍ତଙ୍କ ମତ।”

ଶୁଭ୍ ଭାରତ ଟାଇମ୍ସ ପ୍ରତିନିଧି ଖୋର୍ଦ୍ଧା ବିଧାୟକଙ୍କୁ ଯେତେବେଳେ ପଚାରିଲେ କି, ଏବେ କେଉଁ ବିଭାଗ ପକ୍ଷରୁ ଚଢାଉ ଚାଲିଛି ?ଏହାକୁ ଏଡ଼ାଇକୁ ଚେଷ୍ଟା କରି ବିଧାୟକ ଅସ୍ପଷ୍ଟ ଉତ୍ତର ଦେଇଥିଲେ, କହିଲେ କି, “ଯେଉଁମାନେ ବିନା ଟେଣ୍ଡରରେ ଇଲିଗାଲ୍ ଅପରେସନ୍ କରୁଛନ୍ତି”..। ବିଧାୟକଙ୍କ ଠାରୁ ସଠିକ୍ ଉତ୍ତର ନମିଳିବାରୁ ଆମେ ଆଉଥରେ ମନେ ପକାଇଦେଲୁ କି, ଯେଉଁ ଲିଜଧାରୀମାନେ ଅଛନ୍ତି ସେମାନଙ୍କ ଉପରେ ବି ଚଢାଉ ଚାଲିଛି। ସେମାନଙ୍କ ପାଖକୁ ଯେଉଁ ଗାଡ଼ି ଗୁଡ଼ାକ ଯାଉଛି ତାକୁ ବି ଜବତ କରୁଛନ୍ତି ପୁଲିସ୍। ବିଧାୟକ କହିଲେ, “ଯେଉଁମାନେ ‘କେ’ ଫର୍ମ ଦେଉଛନ୍ତି ସେ ଗାଡ଼ି ଗୁଡ଼ାକୁ ସେମାନେ ଧରୁନାହାଁନ୍ତି।

କେବେ ଏସବୁର ସମାଧାନ ହେବ ବୋଲି ଆପଣ ଆଶା କରୁଛନ୍ତି, ଆଉ କେତେ ଦିନ ଲାଗିବ ପ୍ରଶ୍ନରେ ବିଧାୟକ କହିଲେ, “ଲିଜଧାରୀମାନେ ଯଦି ଚେଷ୍ଟା କରିବେ ତାହାଲେ ସମାଧାନ ହେଇଯିବ।” ଆମେ ପୁଣି ପଚାରିଲୁ, ପଇସାପତ୍ର ଆଦାୟ କରିବା ପାଇଁ ସେମାନଙ୍କୁ କିଛି ସେମିତି ଡ଼େଡ୍ ଲାଇନ୍ ଦିଆଯାଇଛି କି? ବିଧାୟକ ଉତ୍ତର ଦେଲେ କି, “ହଁ ସେମାନେ ଗୋଟିଏ ଲେଖାଏଁ ଇନଷ୍ଟାଲମେଣ୍ଟ ଦେଇଛନ୍ତି, ଆହୁରି ଦେବେ। ପ୍ରଥମେ ଇଲିଗାଲ୍ ଅପରେସନକୁ ବନ୍ଦ କଲେ କ୍ରସର୍ ଚାଲିବ” ବୋଲି ସେ ସ୍ପଷ୍ଟ କରିଥିଲେ।

ସାମ୍ପ୍ରତିକ ସମସ୍ୟା ସ୍ପଷ୍ଟ ଆଭାସ ଦେଉଛି ଯେ ତାପଙ୍ଗ ଇଲାକାରେ ଚାଲିଥିବା ଧରପଗଡ଼ କେବଳ ଚାନ୍ଦାଭେଦା ବୃଦ୍ଧି କରିବାର ଏକ ହୀନ ପ୍ରୟାସ। ଯାହା ପରୋକ୍ଷରେ ଇଙ୍ଗିତ ଦେଉଛି କି, ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ୫୦ ହଜାର ଶ୍ରମିକଙ୍କୁ ବେରୋଜଗାରୀ କରାଇ ସରକାର ଅଥବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥାନୀୟ ବିଧାୟକଙ୍କ ମାଧ୍ୟମରେ କୁଆଁରୀ ମାଲିକଙ୍କୁ କରାୟତ କରିବାକୁ ପ୍ରୟାସ କରିଛନ୍ତି। ଏଥିପାଇଁ ଜିଲ୍ଲାରୁ ପୁରୁଣା ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରି ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ଏଠାରେ ଚାଲିଥିବା ଧରପଗଡ଼ରେ କେଉଁମାନେ ସାମିଲ୍, ସରକାରଙ୍କ କେଉଁ ବିଭାଗ ପକ୍ଷରୁ ଏଭଳି ଅତର୍କିତ ଚଢାଉ କରାଯାଉଛି, ଏସଂକ୍ରାନ୍ତରେ ଗଣମାଧ୍ୟମ ପାଖରେ କୌଣସି ସୂଚନା ନାହିଁ, କିମ୍ବା ଗଣମାଧ୍ୟମର ମୁହଁ ବନ୍ଦ କରାଯାଇଛି ବୋଲି ବହୁମତ ଆସୁଛି। ଅନ୍ୟପକ୍ଷରେ ବ୍ୟାଙ୍କରୁ ଋଣ ଆଣି ଟ୍ରକ୍, ଟିପର୍, ହାଇୱ।, ୪୦୭ ଭଳି ଗାଡ଼ିଗୁଡ଼ିକ କିଣିଥିବା ଗାଡ଼ି ମାଲିକମାନେ ଦର୍ଶିତ ଇଲାକାରୁ ଚିପ୍ସ୍, ମେଟାଲ୍, ବଜୁରୀ ଆଣି କାରବାର କରିବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ କ୍ରସରରୁ ଚିପ୍ସ୍, ମେଟାଲ୍ କିଣି ଫେରିବା କ୍ଷଣି ଖୋର୍ଦ୍ଧା ସଦର ଥାନାରେ ଅପେକ୍ଷା କରିଥିବା ଗୋଷ୍ଠୀ ବିଭିନ୍ନ ଆଳ ଦେଖାଇ ଗାଡ଼ିକୁ ମାଡ଼ି ବସୁଛନ୍ତି।  ଅର୍ଦ୍ଧ ରାତିରେ ସାଧା ପୋଷାକରେ ଆସି ଗାଡି ଓ କ୍ରସର ଉପରେ ଚଢାଉ କରୁଛନ୍ତି। ଏମାନେ କେଉଁ ବିଭାଗର ଅଧିକାରୀ ନା କୌଣସି ବ୍ୟୁରୋକ୍ରାଟଙ୍କ ପାଳିତ ଗୁଣ୍ଡା ! ଏନେଇ ଗାଡ଼ି ମାଲିକ, ସପ୍ଲାୟର୍ ଓ କ୍ରସର୍ ବ୍ୟବସାୟୀମାନେ ଭୟଭୀତ। ଏବେ କିଭଳି ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବେ ଏନେଇ ସେମାନେ ଚିନ୍ତିତ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *