ଜାତୀୟ

ସଲମାନ ଖାନଙ୍କ ବିଗତ ୨୦ ବର୍ଷ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଠିକ୍ ୨୦ ବର୍ଷ ତଳର ଘଟଣା। ଚୁଲବୁଲ୍ ଚେହେରା ସହ ଚମତ୍କାର ଅଭିନୟରେ ପୁରା ବଲିଉଡ ସିନେମା ପ୍ରେମୀଙ୍କୁ ବାନ୍ଧି ରଖିଥିବା ଷ୍ଟାର୍ ଥିଲେ ସଲମାନ ଖାନ୍। ତାଂକ ଅଭିନିତ ‘ମୈନେ ପ୍ୟାର୍ କିୟା’ର ଅପୂର୍ବ ସଫଳତା ପରେ ଚଳଚିତ୍ର ନିର୍ମାତା ସୁରଜ୍ ବଡଜାତ୍ୟା ତାଙ୍କର ପରବର୍ତ୍ତୀ ଫିଲିମ୍ ‘ହମ୍ ସାଥ୍ ସାଥ୍ ହେ’ ର ହିରୋ ଭାବେ ଡ୍ୟାସିଂ ସଲମାନ ଖାନଙ୍କୁ ଷ୍ଟାର୍ କାଷ୍ଟରେ ରିପିଟ୍ କରିଥିଲେ।

ବିରଳ କୃଷ୍ଣସାର ମୃଗ ହତ୍ୟା ଘଟଣା ଦିନ ଫିଲିମ୍ ‘ହମ୍ ସାଥ୍ ସାଥ୍ ହେ’ର ସୁଟିଂ ଥିଲା ରାଜସ୍ଥାନ ଯୋଧପୁରରେ। ଏଥିପାଇଁ ଭବାଡ୍ ଓ ମଥାନିଆର ୨ଟି ଫାର୍ମ ହାଉସରେ ରହିଥିଲେ ସଲମାନ ଓ ସିନେମାରେ ଅଭିନୟ କରୁଥିବା ସୈଫ୍ ଅଲ୍ଲୀ ଖାନ୍, ସୋନାଲୀ ବେନ୍ଦ୍ରେ, ନୀଲମ୍ ଓ ତବୁ। ଶୁଣିବାକୁ ମିଳୁଛି ଯୋଧପୁର ରହଣି କାଳରେ କୃଷ୍ଣସାର ମୃଗ ଶିକାର ପାଇଁ ସଲମାନଙ୍କୁ ତାଙ୍କ ସାଥୀ କଳାକାରମାନେ ଉସକାଇଥିଲେ।

ଯେଉଁମାନଙ୍କ କଥାରେ ପଡି ସଲମାନ ଭିନ୍ନ ଭିନ୍ନ ସ୍ଥାନରୁ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ଆସିଥିଲା। ପ୍ରଥମେ ୨୬ ତାରିଖ ରାତିରେ ଯୋଧପୁରର ଭବାଡ୍ ଗ୍ରାମରେ ସଲମାନ କୃଷ୍ଣସାର ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୧୭ ଫେବୃଆରୀ ୨୦୦୬ରେ ଯୋଧପୁର ଅଦାଲତ୍ ସଲମାନଙ୍କୁ ୧ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଘୋଡା ଫାର୍ମରେ ଏକ କୃଷ୍ଣସାର ଶିକାର ମାମଲାରେ ୧୦ ଅପ୍ରେଲ୍ ୨୦୦୬ରେ ଯୋଧପୁର ଜିଲ୍ଲା କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ।

ଏଥିପାଇଁ ସଲମାନ୍ ୩ ଦିନ ଜେଲରେ ରହିବା ସହ ଜାମିନରେ ମୁକୁଳିଥିଲେ। ୨୦୦୬ ଜୁନ୍ ମାସରେ ଯୋଧପୁର ଅଦାଲତ୍ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୫୧ରେ ସଲମାନଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା ଏବଂ ଧାରା ୫୨ରେ ସୈଫ୍ ଅଲ୍ଲୀ ଖାନ୍, ସୋନାଲୀ ବେନ୍ଦ୍ରେ, ନୀଲମ୍ ଓ ତବୁଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦୁଶ୍ୟନ୍ତ ସିଂଙ୍କ ବିରୋଧରେ ମଧ୍ୟ ଚାର୍ଜଫ୍ରେମ୍ ହୋଇଥିଲା।

୨୦୧୩ ନଭେମ୍ବର ମାସରେ ରାଜସ୍ଥାନ ହାଇକୋର୍ଟ ୨୦୦୬ ଅପ୍ରେଲରେ ସଲମାନଙ୍କୁ ମିଳିଥିବା ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ହେଲେ ୨୦୧୫ ଜାନୁଆରିରେ ରାଜସ୍ଥାନ ହାଇକୋର୍ଟଙ୍କ ରହିତାଦେଶକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କଲେ। ୨୦୧୬ ଜୁଲାଇରେ ଦୁଇଟି କୃଷ୍ଣସାର ଶିକାର ମାମଲାରେ ରାଜସ୍ଥାନ ହାଇକୋର୍ଟ ସଲମାନଙ୍କୁ ଦୋଷମୁକ୍ତ କଲେ।

୨୦୧୭ ଜାନୁଆରିରେ ଯୋଧପୁର କୋର୍ଟ ତାଙ୍କୁ ଅସ୍ତ୍ରଶସ୍ତ୍ର ମାମଲାରେ ଦୋଷମୁକ୍ତ କଲେ, ଯେଉଁଥିରେ ସେ ବିରଳ କୃଷ୍ଣସାର ମୃଗ ଶିକାର ପାଇଁ ଲାଇସେନ୍ସ ଅବଧି ସରିଥିବା ବନ୍ଧୁକ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।ମାତ୍ର ୫ ଅପ୍ରେଲ୍, ୨୦୧୮ରେ ଯୋଧପୁର କୋର୍ଟ ସଲମାନଙ୍କୁ ୧୦ ହଜାର ଟଙ୍କା ଜୋରିମାନା ସହ ୫ ବର୍ଷର କାରାଦଣ୍ଡାଦେଶ ଶୁଣାଇବା ସହ ସୈଫ୍, ତବୁ, ନୀଲମ୍, ସୋନାଲୀ ଓ ଦୁଶ୍ୟନ୍ତ ସିଂଙ୍କୁ ସାକ୍ଷ୍ୟପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି।

ଶେଷରେ ବଲିଉଡ ଟାଇଗର୍ ସଲମାନ ଖାନଙ୍କ ଲୋକପ୍ରିୟତା ତଥା ବଲିଉଡ୍ ପ୍ରଡ଼କସନ୍ ହାଉସର ଆବଶ୍ୟକତାକୁ ଦୃଷ୍ଟି ରଖି ମାନ୍ୟବର ଅଦାଲତ ୨୦୧୮ ଅପ୍ରେଲ୍ ୭ ତାରିଖରେ ତାଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ। ଯୋଧପୁର ଜିଲ୍ଲା କୋର୍ଟରେ ବିଚାରପତି ରବିନ୍ଦ୍ର କୁମାର ଯୋଶୀ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ସହ ବିଭିନ୍ନ ସର୍ତ ରଖି ସଲମାନଙ୍କ ଜାମିନ୍ ମଂଜୁର୍ କରିଛନ୍ତି। 

Leave a Reply

Your email address will not be published. Required fields are marked *