ଆନ୍ତର୍ଜାତୀୟ

ଲିଓନାର୍ଡ଼ୋ ଡି ସର୍ ଡା ଭିନସି : ମୋନାଲିସାର ସ୍ରଷ୍ଟା

ଶୁଭ୍ ଭାରତ ଟାଇମ୍ସ, ୦୭ ଜୁନ ୧୯- ଇଟାଲୀୟ ଚିତ୍ରଶିଳ୍ପୀ ଲିଓନାର୍ଡ଼ୋ ଡି ସର୍ ଡା ଭିନସି, ୧୫୦୩-୦୬ ମଧ୍ୟରେ ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଛବି ଭାବେ ପରିଗଣିତ ମୋନାଲିସା’ର ସ୍ରଷ୍ଟା। ମୋନାଲିସାକୁ ଫ୍ଲୋରେନ୍ସର ବ୍ୟବସାୟୀ ଫ୍ରାନସିସକୋ ଡେଲ୍ ଜିଓକୋଣ୍ଡୋଙ୍କ ତୃତୀୟ ପତ୍ନୀ ଲିସା ଡି ନୋଲଡୋ ଘେରାରଡିନିଙ୍କ ପ୍ରତିକୃତି ଭାବେ ଗ୍ରହଣ କରାଯାଇଛି। ମୋନାଲିସା ଛବିର ଭୂରୁ ନାହିଁ। ସେହି ସଭ୍ୟତାରେ ସଂଭ୍ରାନ୍ତ ଇଟାଲୀୟ ମହିଳାମାନେ ଭୂରୁକୁ କ୍ଷୌର କରି ପକାଉଥିଲେ। ଡା ଭିନସି ଚାରି ବର୍ଷ ଲାଗି ଲିସାଙ୍କ ପ୍ରତିକୃତି ସଂପୂର୍ଣ୍ଣ କଲାପରେ କିଓକୋଣ୍ଡୋ କିଣିବାକୁ ରାଜି ହୋଇନଥିଲେ। ତେଣୁ ଡା ଭିନସି ସେଇଟିକୁ ଫ୍ରାନସର ରାଜା ପ୍ରଥମ ଫ୍ରାନସିସଙ୍କୁ ବିକି ଦେଇଥିଲେ। ମୋନାଲିସା ବଦଳରେ ତାଙ୍କୁ ମିଳିଥିଲା ଚଉଦ କିଲୋଗ୍ରାମ ସୁନା। ତାଙ୍କର ଅନ୍ୟତମ ପ୍ରସିଦ୍ଧ ଛବି ଦ ଲାଷ୍ଟ ସପର, ମିଲାନର ଷ୍ଟା ମାରିୟା ଡେଲ ଗ୍ରେଜି ମଠ କାନ୍ଥରେ ଶୋଭା ପାଉଛି। ସକାଳୁ ସନ୍ଧ୍ୟା ପ୍ରାୟ ଦୁଇ ବର୍ଷର ଶ୍ରମର ଫଳ ସେଇଟି।

ଡା ଭିନସି ଦୀର୍ଘକାୟ ଓ ଅତି ବଳିଷ୍ଠ ଥିଲେ। ଘୋଡ଼ାନାଲ, ଲୁହା କୁଣ୍ଡଳ ଆଦିକୁ ହାତରେ ଚିପି ବଙ୍କାଇ ପାରୁଥିଲେ। ଧନିଗରିବ ନିର୍ବିଶେଷରେ ଯୋଗ୍ୟତା ଥିବା ସଭିଁଙ୍କୁ ସେ ଖାଦ୍ୟ ଓ ଆଶ୍ରୟ ଦେଉଥିଲେ। ମାକିୟାଭେଲିଙ୍କ ସହ ତାଙ୍କର ବନ୍ଧୁତା ଥିଲା। ସାମସମୟିକ ଶିଳ୍ପୀ ମାଇକେଲ ଏଞ୍ଜୋଲୋଙ୍କୁ ସେ ଅତିଶୟ ଘୃଣା କରୁଥିଲେ। ଡା ଭିନସି ବାମହାତୀ ଓ ଶାକାହାରୀ ଥିଲେ। ପଶୁ-ପକ୍ଷୀଙ୍କୁ ଭଲ ପାଉଥିଲେ। ଚଢ଼େଇ କିଣି ଉଡାଇଦେଉଥିଲେ। ସେ ଆଜୀବନ ଅବିବାହିତ ଥିଲେ। ସେ ସମଲିଙ୍ଗୀ ଥିବା ବିଶ୍ୱାସ କରାଯାଏ। ଏପରିକି ଏକଦା ତାଙ୍କ ବିରୋଧରେ ଏକ ସମଲିଙ୍ଗୀ ଯୌନ ସମ୍ପର୍କ ମାମଲା ଦାଏର ହୋଇଥିଲା। ସେ ଓ ତାଙ୍କର ଚାରିଜଣ ବନ୍ଧୁ ଜଣେ ପୁରୁଷ ବେଶ୍ୟାଙ୍କୁ ଉପଭୋଗ କରିଥିବା ଅଭିଯୋଗ ଅଦାଲତ ଯାଏ ଯାଇଥିଲା। ତେବେ ପ୍ରମାଣ ଅଭାବରୁ ସେମାନେ ଖଲାସ ହୋଇଥିଲେ।

ତାଙ୍କୁ ଚବିଶ ଛୁଇଁବା ବେଳକୁ ସେ କବିତା, ଗପ, ପହଳି ଆଦି ଲେଖୁଥିଲେ। ମାତ୍ର ସେଗୁଡ଼ିକ ପ୍ରକାଶ ପାଇନଥିଲା। ଡା ଭିନସି ନିଜ ବହୁ ପ୍ରତିଭାରେ ପରିପୂର୍ଣ୍ଣ। ସେ ଏକାଧାରରେ ଜଣେ ଉଚ୍ଚ କୋଟିର ଚିତ୍ରଶିଳ୍ପୀ ତଥା କଳା ଭାସ୍କର୍ଯ୍ୟ, ସଂଗୀତରେ ପାରଦର୍ଶୀ, ତାହାସହ କବି, ଯନ୍ତ୍ରୀ, ଶରୀର ବିଜ୍ଞାନୀ, ଉଦ୍ଭିଦ ବିଜ୍ଞାନୀ, ଭୂତତ୍ତ୍ୱବିତ୍, ଜ୍ୟୋର୍ତିବିଜ୍ଞାନୀ ଓ ଦାର୍ଶନିକ। ଆଲାରାମ୍ ଘଡି, ଶୀତତାପ ନିୟନ୍ତ୍ରକ ଯନ୍ତ୍ର, ବଲ ବିୟରିଙ୍ଗ, ଆକାଶ ଛତା, ଟେଲିସ୍କୋପ ଆଦି କେତେକ ଅତ୍ୟାବଶ୍ୟକ ସାମଗ୍ରୀର ନିର୍ମାତା ମଧ୍ୟ। ହେଲିକ୍ୟାପ୍ଟର, ବୁଡ଼ା ଜାହାଜ, ମୋଟର ଗାଡ଼ି, ମେସିନ୍ ଗନ୍ ଝୁଲା ପୋଲ ଆଦି ସଂପର୍କରେ ସେ ପ୍ରଥମେ ଧାରଣା ଦେଇଥିଲେ। ୧୪୫୨ ଏପ୍ରିଲ ମାସରେ ଇଟାଲିର ଫ୍ଲୋରେନ୍ସ ନିକଟରେ ସେ ଜନ୍ମ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *