ଶବ୍ଦର ଖେଳ

ମକର ମହୋତ୍ସବ

ନାରାୟଣ ଚନ୍ଦ୍ର ଦାଶ, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ- ବସନ୍ତ ଋତୁର ବର୍ଣ୍ଣନା କରି କବି ଗଙ୍ଗାଧର ମେହେର ଲେଖିଥିଲେ, “ବସନ୍ତ ଆଗମ ବାରତା ପ୍ରସରିଲା ଭୂବନେ, ପାଦପ ଆନୀତ ପତର ପରଭୃତ ପଠନେ, ଗ୍ରହରାଜ କର୍ଣ୍ଣେ ପଡିଲା ଋତୁ ସମ୍ରାଟ ଭାଷା, ଗମିଲେ ସରଳ ପଥରେ ତେଜି ଦକ୍ଷିଣା ଆଶା।”
କବି ଗଙ୍ଗାଧର ମେହେର ସୂର୍ଯ୍ୟଦେବଙ୍କୁ ଗ୍ରହରାଜ ଆକ୍ଷ୍ୟା ଦେବା ସହ ତାଙ୍କୁ ସକଳ ଶକ୍ତିର ଆଧାର ବୋଲି ଦର୍ଶାଇଛନ୍ତି।

ବସନ୍ତ ଆଗମନରେ ଧରାପୃଷ୍ଠରେ ଧିରେ ଧିରେ ଶୀତର ପ୍ରାଦୁର୍ଭାବ ହ୍ରାସ ପାଏ। ପୃଥିବୀର ଉଷ୍ମତା ବୃଦ୍ଧି ପାଇବା ସହ ନାତିଶତୋଷ୍ଣ ପରିବେଶ ଓ ଜୀବଜଗତକୁ ଶୀତ ବିଦାୟର ଉତ୍ସବରେ ମଜ୍ଜି ଯିବାକୁ ଉସକାଏ।

ଦିନ ବଢିଚାଲେ, ରାତ୍ରି ହୁଏ ସଙ୍କୁଚିତ। ନବକଳେବରରେ ମସଗୁଲ ଉଦ୍ଭିଦ ଜଗତ ନିଜର ଶାଖା ପ୍ରଶାଖାକୁ ଝଙ୍କାୟିତ କରିବାରେ ନିମଗ୍ନ ହୁଏ।

ଫୁଲ ମହକରେ ବସନ୍ତ ଖେଳାଇଦିଏ ଉନ୍ମାଦନା, କବି ହୁଏ ଭାବପ୍ରବଣ। ଋତୁରାଜ ବସନ୍ତର ଶ୍ରେଷ୍ଠତା ମନୁଷ୍ୟ ମନରେ ଆଣିଦିଏ ଦିବ୍ୟ ଆନନ୍ଦର ଅନୁଭବ।

ପବିତ୍ର ମକର ତିଥିରେ ଘରେ ଘରେ ପିଠାପଣାର ଆସର। ଆଖୁରସରେ ପ୍ରସ୍ତୁତ ପିଠା, ଛେନା ସହ ଦରଭଙ୍ଗା ଅରୁଆ ଚାଉଳ, ସାକର, ନଡିଆ, କଦଳୀ ଓ ସୁଗନ୍ଧିତ ମସଲା ମିଶ୍ରିତ ‘ମକର ଚାଉଳ’ ଘରେ ଇଷ୍ଟ ଦେବଙ୍କୁ ଭୋଗ ଲାଗିହୁଏ। ପ୍ରତ୍ୟେକ ହିନ୍ଦୁ ମନ୍ଦିରରେ ସେଦିନର ପ୍ରମୁଖ ପ୍ରସାଦ ସ୍ୱାଦଭରା ‘ମକର ଚାଉଳ’।

ଏହି ପର୍ବ କେଉଁ ଆବାହମାନ କାଳରୁ ଆରମ୍ଭ ତାହାର ସମୀକ୍ଷା କଷ୍ଟସାଧ୍ୟ, ହେଲେ ସମଗ୍ର ଦେଶରେ ଆଜି ମକର ଉତ୍ସବ ତା’ର ସ୍ୱାତନ୍ତ୍ର୍ୟ ବଜାୟ ରଖିଛି। ଆମ ସାଂସ୍କୃତିକ ଜୀବନଧାରାକୁ ପରିପୃଷ୍ଟ କରିବାକୁ ଏବଂ ଚେତନା ଓ ନୂତନ ଆଶା ଆକାଂକ୍ଷାଗୁଡିକ ଉର୍ଦ୍ଧମୂଖୀ ହେବା ଲକ୍ଷରେ ବର୍ଷର ଭିନ୍ନ ଭିନ୍ନ ମାସରେ ନାନାଦି ଉତ୍ସବ ପାଳନ କରାଯାଏ। ଉତ୍ତର ଓ ଦକ୍ଷିଣ ଭାରତରେ ମୁଖ୍ୟତଃ ସୂର୍ଯ୍ୟଙ୍କ ଗତି ନିର୍ଣ୍ଣାୟକ ଦିବସଟି ପବିତ୍ର ମକର ସଂକ୍ରାନ୍ତି ରୂପେ ନିର୍ଦ୍ଧାରିତ ହୋଇଛି।

ସୂର୍ଯ୍ୟଙ୍କ ଅବସ୍ଥିତିକୁ ନେଇ ଗଣନା କହୁଛି, ଦକ୍ଷିଣ ଗୋଲାର୍ଦ୍ଧର ମକର ସଂକ୍ରାନ୍ତିରୁ ଉତ୍ତର ମୂଖରେ ବିଷୁବ ବୃତ୍ତ ଏବଂ ଉତ୍ତର ଗୋଲାର୍ଦ୍ଧର କର୍କଟ ସଂକ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟଦେବ ଉତ୍ତରାଭିମୂଖୀ ହୁଅନ୍ତି। ପ୍ରକାରାନ୍ତରେ ପୂର୍ବ ନିର୍ଦ୍ଧାରିତ ଗଣନା ସୂଚିତ କରୁଛି ଏହି ଦିନଟି ମକର ସଂକ୍ରାନ୍ତି। କେହି କେହି ଏହାକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲି ଧରିନେଇଛନ୍ତି। ସର୍ବଶେଷରେ ଦିନଟି ଏକ ସାର୍ବଜନୀନ ସାଂସ୍କୃତିକ ଉତ୍ସବର ମାହୋଲ ସୃଷ୍ଟି କରିଛି।

ଏହି ପବିତ୍ର ଦିନରେ ଦେବାଦେବୀଙ୍କ ମିଳନ ଯାତ୍ରା ସମେତ ମକର ମେଳା, ମକର ମିଳନ, ମକର ଉତ୍ସବ ଇତ୍ୟାଦି ଭିନ୍ନ ଭିନ୍ନ ଆକାରେ ପର୍ବ ପାଳିତ ହୋଇଆସୁଛି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ସତ୍ୱେ ଏହାର ପରମ୍ପରା ମହାନ। ଚଷା ପୁଅ ଠାରୁ ଆରମ୍ଭ କରି ସମଗ୍ର ହିନ୍ଦୁ ଧର୍ମାବଲମ୍ବୀ ମକର ମହୋତ୍ସବର ଭରପୁର ମଜ୍ଜା ଉଠାନ୍ତି। ଏଥିପାଇଁ ସେମାନଙ୍କ ଉଦ୍ୟମ, ନିଷ୍ଠା, ଆଧ୍ୟତ୍ମିକ ପ୍ରବୃତ୍ତି ଓ ଭାବପ୍ରବଣତା ସର୍ବାଦୌ ପ୍ରଶଂସନୀୟ। ଯାହା ଏହି ଜାତିର ଉତ୍ତର ଦାୟାଦଙ୍କୁ ପ୍ରେରଣା ଦେବ।
ଅବସରପ୍ରାପ୍ତ ଶିକ୍ଷକ, ଲୋକପ୍ରିୟ କର୍ମକାଣ୍ଡୀ ବ୍ରାହ୍ମଣ
ଖଇରଙ୍ଗ, ଜଗତସିଂହପୁର

Leave a Reply

Your email address will not be published. Required fields are marked *