ସ୍ୱାସ୍ଥ୍ୟ

ମାଲେରିଆ ଓ ଯକୃତ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ପ୍ରତିବର୍ଷ ବିଶ୍ୱରେ ୩.୩ ନିୟୁତ ଲୋକ ମାଲେରିଆ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ୨୦୧୬ରେ ହୋଇଥିବା ଅଧ୍ୟୟନ ଅନୁଯାୟୀ ମାଲେରିଆରେ ଆକ୍ରାନ୍ତ ହୋଇ ପ୍ରତି ବର୍ଷ ୬ଲକ୍ଷ ୮୪ ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଏସିଆ, ଆଫ୍ରିକ ଓ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ମାଲେରିଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଅଧିକ। ମାଲେରିଆ ମୃତ୍ୟୁ ଏବଂ ପ୍ରଭାବ ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମୋଦନ ଲାଭ କରିଥିବା ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ପ୍ରକାର ସଚେତନତା ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ସାଧାରଣତଃ ମଶା କାମୁଡ଼ିବା ଦ୍ୱାରା ମାଲେରିଆ ବ୍ୟାପିଥାଏ। ମଶା କାମୁଡ଼ାରୁ ବର୍ତ୍ତିବାକୁ ହେଲେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି। ମାଲେରିଆର ପ୍ରଭାବ ବୃଦ୍ଧିକୁ ଆଖି ଆଗରେ ରଖି ଚଳିତ ବର୍ଷ ମାଲେରିଆ ନିରାକରଣ ଦିଗରେ ଅଧିକ ନିବେଶ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସମୁଦାୟକୁ ଆହ୍ୱାନ ଜଣାଇଛି।

୨୦୧୭ ବିଶ୍ୱ ମାଲେରିଆ ଦିବସରେ ମାଲେରିଆକୁ ଚିର ବିଦାୟ ନେବା ନିମିତ୍ତ ଆହ୍ୱାନ ଦିଆଯାଇଛି। ମାଲେରିଆ ଜୀବାଣୁ ସ୍ପୋରୋଜୋଏଟସ୍ ମନୁଷ୍ୟ ଶରୀରକୁ ପ୍ରବେଶ କରି ପ୍ରଥମେ ଯକୃତକୁ ଆକ୍ରମଣ କରେ। ଯକୃତରେ ଥିବା ରକ୍ତନଳୀରୁ ତାହା ଯାଇ ଯକୃତ କୋଷ ଭିତରେ ପ୍ରବେଶ କରେ। ଯକୃତ କୋଷ ଭିତରେ ତାହା ବୃଦ୍ଧିପ୍ରାପ୍ତ ହୋଇ ଶରୀରର ରକ୍ତକୋଷକୁ ଆକ୍ରମଣ କରେ। ମାଲେରିଆ ଜୀବାଣୁ ଲିଭର ଭିତରେ ଥାଇ ରୋଗ ପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରି ଲୋହିତ ରକ୍ତ କଣିକାକୁ ଆକ୍ରମଣ କରେ। ମାଲେରିଆରେ ଯକୃତ ଆକ୍ରାନ୍ତ ହେଲେ ଜଣ୍ଡିସ ହୁଏ। ରକ୍ତରେ ଲିଭର ଏନଜାଇମ୍ସ ଗୁଡ଼ିକ ବଢ଼ିଯାଆନ୍ତି। ଲୋହିତ ରକ୍ତ କଣିକା ନଷ୍ଟ ହୁଏ। ଗ୍ଲୁକୋଜ-୬ ଫସ୍ପେଟ ଅଭାବ ଥିଲେ ଲୋହିତ ରକ୍ତ କଣିଆ ଆହୁରି ବେଶୀ ଭାବରେ ନଷ୍ଟ ହୁଏ। ମାଲେରିଆ ଔଷଧ ସେପ୍ଟିସିମିଆ ଓ ଡିଆଇସି ଇତ୍ୟାଦି କାରଣ ଯୋଗୁଁ ମଧ୍ୟ ଜଣ୍ଡିସ୍ ଦେଖାଦିଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ମାଲେରିଆ ପ୍ରବଣ ଦକ୍ଷିଣ ଏସିଆ ଅଞ୍ଚଳରେ ଏ ଘାତକ ଜ୍ୱରର ପ୍ରକୋପ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱର ସବୁଠାରୁ ଅଧିକ ମାଲେରିଆ ପ୍ରବଣ ୧୦ଟି ଦେଶ ମଧ୍ୟରୁ ଛଅଟି ଦେଶ ଏହି ଅଞ୍ଚଳରେ ଅବସ୍ଥିତ। ବିଶ୍ୱର ପ୍ରାୟ ଚଉଠେ ଲୋକ ବସବାସ କରୁଥିବା ଏ ଅଞ୍ଚଳରେ ମାଲେରିଆର ପ୍ରକୋପ ଏତେ ବେଶି ଯେ, ପ୍ରତି ଚାରିଜଣରେ ତିନିଜଣ ଏହାଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ବିଗତ ଗୋଟିଏ ଦଶକମଧ୍ୟରେ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ମାଲେରିଆ ଆକ୍ରାନ୍ତ ଓ ମାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଏବେ ବି ଏହା ଜୀବନ ପାଇଁ ଘାତକ ଏବଂ ଜୀବିକା ପାଇଁ ବିପଦ ହୋଇ ରହିଛି। ଦକ୍ଷିଣ ପୂର୍ବ ଏସିଆର ଅନ୍ୟ ମାଲେରିଆ ପ୍ରବଣ ଦେଶ ଅପେକ୍ଷା ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏ ରିପୋର୍ଟକୁ ଅଧିକ ଗୁରୁତ୍ୱର ସହ ନେଇ ଏକ ଚେତାବନୀ ଭାବେ ବିଚାର କରୁଛି।

ବିଶ୍ୱର ସର୍ବାଧିକ ମାଲେରିଆ ପ୍ରବଣ ୧୦ଟି ଦେଶର ତାଲିକାରେ ଭାରତ ରହିଛି। ଅନ୍ୟ ଦେଶମାନେ ଯେଉଁ, ଅନୁପାତରେ ମାଲେରିଆ ନିୟନ୍ତ୍ରଣରେ ସଫଳତା ହାସଲ କରି ପାରିଛନ୍ତି, ଭାରତ ସେ ଅନୁପାତରେ ଏ ଘାତକ ଜ୍ୱରର ମୁକାବିଲାର ସଫଳ ହୋଇପାରିନାହିଁ। ୨୦୦୦ ମସିହାରୁ ୨୦୧୨ ମଧ୍ୟରେ ନେପାଳ, ଭୁଟାନ, କୋରିଆ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଆଦି ଦେଶମାନେ ମାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ପ୍ରତିଶତ ହ୍ରାସ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଭାରତ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ୨୦୧୫ ଶେଷ ବେଳକୁ ଯାଇ ଭାରତ ମାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ସମର୍ଥ ହୋଇପାରେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏ ଅଞ୍ଚଳର ଅନ୍ୟତମ ଦେଶ ମାଳଦ୍ୱୀପରେ ୧୯୮୪ରୁ ଆଉ କେହି ଜଣେ ହେଲେ ମାଲେରିଆରେ ଆକ୍ରାନ୍ତ ହୋଇ ନାହାନ୍ତି। ଶ୍ରୀଲଙ୍କା ମଧ୍ୟ ମାଲେରିଆର ସମ୍ପୂର୍ଣ୍ଣ ନିରାକରଣ ଲକ୍ଷ୍ୟ ହାସଲର ନିକଟତର। ଭାରତରେ ଏବେ ବି ମାଲେରିଆର ପ୍ରକୋପ ଭୟଙ୍କର। କେବଳ ଦୁଇଟି ରାଜ୍ୟ ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶକୁ ଛାଡ଼ିଦେଲେ ଦେଶର ଅବଶିଷ୍ଟ ସବୁ ରାଜ୍ୟ ମାଲେରିଆ ପ୍ରବଣ।

ଲୋକସଂଖ୍ୟାର ପାଖାପାଖି ୭୦ ପ୍ରତିଶତ ମାଲେରିଆ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହିଁ ମାଲେରିଆ ଭାରତ ପାଇଁ କେମିତି ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ତାର ସୂଚନା ଦିଏ। ପ୍ରତିବର୍ଷ ପ୍ରାୟ ୯୫ଲକ୍ଷ ଲୋକ ଦେଶର ମାଲେରିଆ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ଏବଂ ସେଥିରୁ ପ୍ରାୟ ୪୫ ହଜାର ପୀଡ଼ିତଙ୍କ ମୃତ୍ୟୁ ହୁଏ। ଉଲ୍ଲେଖନୀୟ ହେଲା ସମଗ୍ର ବିଶ୍ୱରେ ମାଲେରିଆ ଜନିତ ବାର୍ଷିକ ମୃତ୍ୟୁ ସଂଖ୍ୟା ଯେତେ, ସେଥିରେ ଦକ୍ଷିଣ ପୂର୍ବ ଏସିଆର ଭାଗ୯୮ ପ୍ରତିଶତ ଏବଂ ସମଗ୍ର ଦକ୍ଷିଣ ପୂର୍ବ ଏସିଆର ମାଲେରିଆରେ ଯେତିକି ମୃତ୍ୟୁ ହୁଏ ସେଥିରେ ଭାରତର ଭାଗ ୩୮ ପ୍ରତିଶତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହା ରିପୋର୍ଟ ଅନୁଯାୟୀ, ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ମାଲେରିଆ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। କ୍ରମଶଃ ଦେଶର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଅଧିକ ମାଲେରିଆ ପ୍ରବଣ ହୋଇପଡ଼ୁଛି।

ଅନିୟନ୍ତ୍ରିତ ସହରୀକରଣ ଏବଂ ଯୋଜନା ବିହୀନ ଶିଳ୍ପାୟନ ଯୋଗୁଁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଅନେକ ସ୍ଥାନରେ ଦୂଷିତ ଆବର୍ଜନାପୂର୍ଣ୍ଣ ପାଣି ଜମି ରହୁଛି। ଏହା ହିଁ ମଶା ବଂଶ ବୃଦ୍ଧିର କାରଣ ହୋଇ ମାଲେରିଆ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ରିପୋର୍ଟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଆଉ ଏକ ସତର୍କ ସଙ୍କେତ। ରିପୋର୍ଟରେ ଥିବା ତଥ୍ୟରୁ ଏହା ସ୍ପଷ୍ଟ ଯେ ଦୀର୍ଘ ବର୍ଷ ହେଲା ଜାତୀୟ ସ୍ତରରେ ମାଲେରିଆ ନିୟନ୍ତ୍ରଣ ଅଭିଯାନ ଚାଲିଥିଲେ ସୁଦ୍ଧା, ସେଥିରୁ ଈପ୍ସିତ ସୁଫଳ ମିଳି ନାହିଁ। ମାଲେରିଆ ନିରାକରଣ ଅଭିଯାନକୁ ଆହୁରି ଜୋରଦାର କରାଯିବାର ଆବଶ୍ୟକତା ରହିଛି। ଅବଶ୍ୟ ସବୁ ରୋଗର ନିୟନ୍ତ୍ରଣ ପରି ମାଲେରିଆର ମୁକାବିଲା ପାଇଁ ମଧ୍ୟ ସରକାରୀ ଅଭିଯାନ ଅପେକ୍ଷା ଜନସଚେତନତା ଉନ୍ନତ ପରିମଳ ବ୍ୟବସ୍ଥା ଅଧିକ ଆବଶ୍ୟକ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

Leave a Reply

Your email address will not be published. Required fields are marked *