ଧର୍ମ

ନାଗା ବେଶରେ ଦର୍ଶନ ଦେଲେ ପ୍ରଭୁ ସିଦ୍ଧ ମହାଵୀର

ପୁରୀ(ସଞ୍ଜୀବ ମହାପାତ୍ର), ଶୁଭ୍ ଭାରତ ଟାଇମ୍ସ, ୧୭.୧୧- ଆଜି ମାର୍ଗଶୀର ମାସର ପବିତ୍ର ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ସିଦ୍ଧମହାବୀର ମନ୍ଦିରରେ ପଞ୍ଚତୀର୍ଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ ସିଦ୍ଧ ମହାଵୀର ନାଗା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।

ମନ୍ଦିର ରୀତିନୀତି ଅନୁସାରେ ଏହି ପବିତ୍ର ତିଥିରେ ନାଗା ବେଶରେ ସଜ୍ଜିତ ସିଦ୍ଧ ମହାବୀରଙ୍କୁ ରସଗୋଲା ଭୋଗ ଅର୍ପଣ କରାଯାଇଥିଲା।  ପ୍ରଭୂଙ୍କୁ ଏଭଳି ବେଶରେ ଦର୍ଶନ କରିବା ଲକ୍ଷ୍ୟରେ ମନରେ ଦୁର୍ବାର ଆଗ୍ରହ ରଖି ଆଜି ପୁରୀ ସହରବାସୀଙ୍କ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଏହି ପାବନ କ୍ଷେତ୍ରରେ ଭିଡ ଲଗାଇଥିଲେ। ବର୍ଷକେ ଥରେ ଅର୍ଥାତ ମାର୍ଗଶୀର ମାସର ପବିତ୍ର ପଞ୍ଚମୀ ତିଥିରେ ପ୍ରଭୁ ସିଦ୍ଧ ମହାବୀରଙ୍କୁ ନାଗା ବେଶରେ ଦର୍ଶନ କରିବାର ସୁଯୋଗ ମିଳେ। ଏଥିପାଇଁ କୋଳାହଳରେ ପରିପୁର୍ଣ୍ଣ ପୀଠ ପରିସର। ଭକ୍ତଗଣଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଏଠାରେ ମେଳା ଆୟୋଜିତ ହୋଇଥିଲା।

ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଯେଉଁସବୁ ମେଳା ମହୋତ୍ସବ ପାଳିତ ହୁଏ, ସେଗୁଡିକ ଭିନ୍ନ ଭିନ୍ନ କାରଣରୁ ପ୍ରସିଦ୍ଧି ଲାଭ କରିଛି। ଆଜି ସିଦ୍ଧମହାବୀର ମେଳାରେ ଦେଖିବାକୁ ମିଳିଥିବା ତାଳପତ୍ରରେ ପ୍ରସ୍ତୁତ ଗୃହପୋକରଣ ସାମଗ୍ରୀ ତାହାର ଦୃଷ୍ଟାନ୍ତ ରଖିଛି। ବିଶେଷ କରି ତାଳପତ୍ର କୁଲା, ଡାଲା, ଭୋଗେଇ, ବାଉଁସିଆ, ଝୁମକା ଓ ଆକର୍ଷଣୀୟ ୱାଲ ହାଂଗିଙ୍ଗ ଆଦି ସାମଗ୍ରୀ ସମସ୍ତଙ୍କୁ ଆକୃଷ୍ଟ କରୁଛି। ତା’ସହ ବାଉଁଶରୁ ପ୍ରସ୍ତୁତ ନାନା ପ୍ରକାରର ହସ୍ତକଳା ସାମଗ୍ରୀର ସମଷ୍ଟି ଦେଖିଲେ ଉତ୍ସବଟି ଏକ ହସ୍ତଶିଳ୍ପ ମେଳା ବୋଲି ଭ୍ରମ ସୃଷ୍ଟି କରୁଛି। ଏତଦବ୍ୟତୀତ କଳା ମୁଗୁନି ପଥରରେ ନିର୍ମିତ ମନୋରମ ହନୁମାନ ମୁର୍ତ୍ତି ଗୁଡିକର ମଧ୍ୟ ଖୁବ୍ ଚାହିଦା ରହିଛି। ପୁରାଣକାର ଏବଂ ତତ୍ୱଦର୍ଶୀଙ୍କ ମତରେ ସନ୍ଥ ତୁଳସୀ ଦାସ ଏହି ମନ୍ଦିରରେ ଅବସ୍ଥାନ କରିଥିଲେ। ଆଜି ଶ୍ରୀକ୍ଷେତ୍ରବାସୀ ମହାବୀରଙ୍କ ଅନୁଗତ ଭକ୍ତମାନେ ଏହି ପ୍ରାଚୀନ ଉକ୍ତିର ଗୁରୁତ୍ୱ ବୃଦ୍ଧି କରିବାକୁ ପ୍ରାଣପଣ ଉଦ୍ୟମ କରୁଛନ୍ତି > ବ୍ୟୁରୋ ହେଡ୍, ପୁରୀ ଡିଷ୍ଟ୍ରିକ୍ଟ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *