ଜାତୀୟ

ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ ନବୀନ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ)୨୦ ଅଗଷ୍ଟ- ଚଳିତ ମାସ୨୬ରେ ନୂଆଦିଲ୍ଲୀରେ ନକ୍ସଲପ୍ରବଣ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ଏକ ବୈଠକ ଡାକିଛନ୍ତି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ।। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ଜଣାପଡ଼ିଛି।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ୨୬ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଡାକିଥିବା ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଶ୍ରୀ ପଟ୍ଟନାୟକ ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ପୁଲିସ ଡିଜି ବିକେ ଶର୍ମା ମଧ୍ୟ ଏହି ଦିନିକିଆ ବୈଠକରେ ଯୋଗଦେବେ। ନକ୍ସଲ ସମସ୍ୟାକୁ ମୂଳପୋଛ କରିବା ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତି ନିମନ୍ତେ ଏହି ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଉଥିବା ସ୍ଥିର ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ପରଠୁ ସମଗ୍ର ଦେଶରେ ନକ୍ସଲ ହିଂସା ଅପେକ୍ଷାକୃତ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ଗତ କିଛିବର୍ଷ ମଧ୍ୟରେ ନକ୍ସଲ ହିଂସା ନିୟନ୍ତ୍ରଣରେ ରହିଛି। ତେଣୁ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହାଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇବେ।

ଓଡ଼ିଶାରେ ନିଜ ସରକାରକୁ ସୁରକ୍ଷିତ ରଖିବା ଓ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କ ଗତିବିଧି ଉପରେ ଅଙ୍କୁଶ ଲଗାଇବା ପାଇଁ ବିଜେଡି ସୁପ୍ରିମୋ ଏବେ ଜାତୀୟସ୍ତରରେ ବିଜେପି ନେତାମାନଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ସତ୍ତ୍ବେ ସେ ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *