ଧର୍ମ

ଉତିଷ୍ଠତ ଜାଗ୍ରତ

ନିଶିକାନ୍ତ ପାଢୀ, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ- ‘ଉତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ, କ୍ଷୁରସ୍ୟ ଧାରା ନିଶିତା ଦୁରତ୍ୟୟା ଦୁର୍ଗଂ ପଥସ୍ତକୁ ବୟୋ ବଦନ୍ତି’। କଠୋପନିଷଦ ପ୍ରଥମ ଅଧ୍ୟାୟର ତୃତୀୟ ବଲ୍ଲାର ଏହା ହେଉଛି ୧୪ ତମ ଶ୍ଳୋକ। ଏହାର ଅର୍ଥ ହେଲା, ହେ ମନୁଷ୍ୟ। ଜାଗ୍ରତ ହୁଅ, ଉଠ ଠିଆ ହୁଅ। ଶ୍ରେଷ୍ଠ ଓ ଜ୍ଞାନୀ ପୁରୁଷଙ୍କ ଠାରୁ ଜ୍ଞାନଲାଭ କରି ପରମାତ୍ମା ତତ୍ୱକୁ ଜାଣ। ଏହାକୁ ଆଧାର କରି ସୁପ୍ତ ମାନବ ଜାତିକୁ ଜାଗ୍ରତ କରାଇବା ପାଇଁ ସ୍ୱାମୀ ବିବେକାନନ୍ଦଙ୍କର ବାଣି ଥିଲା ‘ଉଠ ଜାଗ, ଲକ୍ଷ୍ୟସ୍ଥଳରେ ନ ପହଚିଂବା ପର୍ଯ୍ୟନ୍ତ ଥମି ଯାଅନାହିଁ। ବିଶ୍ୱର ଯୁବସମାଜକୁ ଏହି ବାଣୀ ଦେଇଥିଲା ଅଖଣ୍ଡ ଶକ୍ତି।

ସ୍ୱାମୀଜୀ କହୁଥିଲେ ମୋର ଉଦ୍ଦେଶ୍ୟ ରାମକୃଷ୍ଣ ନୁହଁନ୍ତି, ବେଦାନ୍ତ ନୁହେଁ। ମୋର ଉଦ୍ଦେଶ୍ୟ ସାଧାରଣଙ୍କ ମଧ୍ୟରେ ମନୁଷ୍ୟତ୍ୱ ଆଣିବା। ସ୍ୱାମୀଜୀ ସ୍ୱପ୍ନ ଦେଖୁଥିଲେ ଏକ ଆଦର୍ଶ ତଥା ସଂସ୍କୃତି ସଂପନ୍ନ ଭାରତବର୍ଷ। ଯୁବଶକ୍ତିର ଉତ୍ଥାନ ପାଇଁ ସେ ଦିବା ନିଶି ଚିନ୍ତା କରୁଥିଲେ। ଭାରତର ଆଧ୍ୟାତ୍ମିକ ଜୀବନ ଦର୍ଶନକୁ ସେ ବିଶ୍ୱବ୍ୟାପି ପ୍ରଚାର କରିଥିଲେ। ମାନବଜାତିର ସେବାରେ ସ୍ୱାମୀଜୀ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ସ୍ୱାମୀଜୀଙ୍କର ଆଦର୍ଶରେ ଅନୁପ୍ରାଣୀତ ମାର୍ଗାରେଟ୍ ବିଦେଶିନୀ ହୋଇ ମଧ୍ୟ ଭାରତବାସୀଙ୍କର ସେବା କରି ଭଗିନୀ ନିବେଦିତାରେ ପରିଣତ ହୋଇଥିଲେ। ସ୍ୱାମୀଜୀଙ୍କ ମତରେ ନିଃସ୍ୱାର୍ଥ ଜୀବ ସେବା ହିଁ ସର୍ବୋତମ ଧର୍ମ ସାଧନା।

ଭାରତୀୟ ସଭ୍ୟତାରେ ସେବା ବ୍ରତର ମୂଲ୍ୟବୋଧ ସାରାବିଶ୍ୱରେ ଚର୍ଚ୍ଚିତ। ଯେଉଁ ସେବା ବ୍ରତରେ ନିଜ ଜୀବନକୁ ସମର୍ପଣ କରି ଏଗେନ୍ସ ରାମହା ସେବା ଓ ମମତାର ପ୍ରତିମୂର୍ତୀ ମଦର ଟେରେସାରେ ପରିଣତ ହୋଇଥିଲେ। ଆର୍ଥିକ ଅଭାବ ଅନଟନ ମଧ୍ୟରେ ଜୀବନ ବିତିଥିଲେ ମଧ୍ୟ ଦୀନ, ଦୁଃଖୀ, ରୋଗୀ ତଥା ଭୋକୀମାନଙ୍କର ସେବା କରିବା ପାଇଁ ଅର୍ଥ କେବେ ପ୍ରତିବନ୍ଧକ ସାଜି ନ ଥିଲା। ଶେଷରେ ନୋବେଲ୍ ପୁରସ୍କାରରୁ ପ୍ରାପ୍ତ ଅର୍ଥରାଶିକୁ ମା’ ଟେରେସା ସେବାକାର୍ଯ୍ୟରେ ବିନିଯୋଗ କରି ଏକ ଉଦାର ହୃଦୟବତୀ ନାରୀର ପରିଚୟ ସୃଷ୍ଟି କରିଯାଇଛନ୍ତି। ଆଜି ବିଶ୍ୱର କୋଣେ ଅନୁକୋଣେ ମଦର ଟେରେସା ତଥା ବିବେକାନନ୍ଦଙ୍କର ସେବା କେନ୍ଦ୍ରମାନ ରହିଛି।

ସାରା ବିଶ୍ୱରେ ବେଦଭୂମି ଭାରତ ଭୂଖଣ୍ଡ ଆଜି ଆଧ୍ୟାତ୍ମିକତା, ଶାନ୍ତି ତଥା ଚିରନ୍ତନ ସୁଖର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ହେଲେ ସେହି ଆଧ୍ୟାତ୍ମିକ ମାଟି ଉପରେ ଆଜି ବୁଭୁକ୍ଷୁ ଜନତାମାନଙ୍କର ଦୁଃଖ ଓ ଯନ୍ତ୍ରଣାର ଆର୍ତଚିତ୍କାର ଶୁଭୁଛି। ସାରା ବିଶ୍ୱବାସୀଙ୍କୁ ଭାରତବର୍ଷ ଶାନ୍ତି ଓ ସମତାର ବାର୍ତା ଦେଇଥିବା ବେଳେ ଆଜି ନିଜ ମାଟି ଉପରେ ସୃଷ୍ଟି ହେଉଛି ଅସ୍ଥିରତା, ଅଶାନ୍ତି, ହିଂସା ତଥା ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ କୁତ୍ସିତ କଦାକାର ଅସ୍ପୃଶ୍ୟତା ଓ ଅସହିଷ୍ଣୁତା। ବସୁଧୈବକୁଟୁବକମ୍ ମନ୍ତ୍ରରେ ଭାରତବର୍ଷ ସାରା ବିଶ୍ୱକୁ ଗୋଟିଏ ପରିବାର ମନେ କରେ। ସର୍ବେ ଭବନ୍ତୁର ମନ୍ତ୍ରରେ ଭାରତୀୟମାନେ ବିଶ୍ୱବାସୀଙ୍କର କଲ୍ୟାଣ କାମନା କରନ୍ତି। କିନ୍ତୁ କାହିଁକି ଭାରତର ଆକାଶରେ ବାରମ୍ବାର ଅଶୁଭ ଉଲକା ଦେଖାଦିଏ। ଶାନ୍ତିର କପୋତ ଉଭାନ୍ ହୋଇଯାଏ। ଆଧ୍ୟାତ୍ମିକବାଦରେ ଭୋଗବାଦର କଳଙ୍କ କାଳିମା ସବୁ ବୋଳି ହୋଇଯାଏ।

ଆଜି ଆମ ଦେଶରେ ଧର୍ମ, ଆଧ୍ୟାତ୍ମିକତା, ପ୍ରବଚନକୁ ନେଇ ବେପାର ଚାଲିଛି। ତ୍ୟାଗବାଦ ବଦଳରେ ଭୋଗବାଦର ଆସକ୍ତିକୁ ଆପଣେଇ ନେଉଛନ୍ତି ପ୍ରତାରକମାନେ। ଆତ୍ମା ପରମାତ୍ମା ନାମରେ ଯୌନ କାମନାକୁ ଚରିତାର୍ଥ କରିବା ପାଇଁ ନିରୀହ, ସରଳ ଇଶ୍ୱର ବିଶ୍ୱାସୀ ମଣିଷମାନଙ୍କୁ ବ୍ଲାକମେଲିଂ କରାଯାଉଛି। ଯାହାର ଅନେକ ଉଦାହରଣ ସମୟର ଚିତ୍ରପଟ୍ଟରେ ଘୃଣ୍ୟ ତଥା ଅସଭ୍ୟ ଓ ବର୍ବରତାର ସ୍ମୃତି ହୋଇ ରହିଯାଇଛି। ଆଧ୍ୟାତ୍ମିକତାର ମାର୍ଗରେ ମଣିଷ ନିଜକୁ ପରିଚାଳିତ କରାଇଲେ ତ୍ୟାଗ ଓ ଆଦର୍ଶବୋଧରେ ଉଦବୃଦ୍ଧ ହୋଇ ତଥା ଇନ୍ଦ୍ରିୟସୁଖ ଓ କାମନା ବାସନା ଠାରୁ ଉର୍ଦ୍ଧ୍ୱରେ ରହି ଈଶ୍ୱରଙ୍କର ସତା ଅନୁସନ୍ଧାନ କରିବା ସହିତ ସମଗ୍ର ମାନବ ସମାଜର ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଆଗେଇ ଆସେ।

ବାହାରେ ଆଧ୍ୟାତ୍ମିକ ତଥା ଶାସ୍ତ୍ରବାଣୀ ପ୍ରବଚନ ଦେଇ ଗୀତା, ଭାଗବତ ଓ ଉପନିଷଦର ଫମ୍ପା ଆଲୋଚନା କରି ଦ୍ୱାରରୁଦ୍ଧ କୋଠରୀ ମଧ୍ୟରେ ଯୌନ ସଂଭୋଗର ଉତ୍କଟ କାମନାକୁ ଚରିତାର୍ଥ କରୁଥିବା ନକଲି ଭଗବାନମାନେ ଯେ କି ପ୍ରକାର ପାପ କରୁଛନ୍ତି ତାହା କେବଳ ସେହି ଈଶ୍ୱର ହିଁ ଜାଣିପାରୁଥିବେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ମଣିଷ ଆଧୁନିକ ବିଜ୍ଞାନର ଆଲୋକରେ ଆଲୋକିତ ହୋଇ ସଭ୍ୟ ଓ ଶିକ୍ଷିତ ହୋଇ ମଧ୍ୟ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି। କାହାରି କଥାରେ ଫସିଯିବା କି କୌଣସି ବାବା କି ସନ୍ୟାସୀଙ୍କ ପାଖରେ ଶରଣ ପଶିଗଲେ ଯେ ଆଧ୍ୟାତ୍ମିକ ମାର୍ଗର ଆଦର୍ଶ କି ଆଭିମୁଖ୍ୟ ମିଳିଯିବ ତାହା ଏକ ଭ୍ରାନ୍ତଧାରଣା। ସ୍ୱାମୀଜୀଙ୍କ ଦର୍ଶନରେ ସମସ୍ତ ମନୁଷ୍ୟ ଜାତି ପରଂବ୍ରହ୍ମ ପରମାତ୍ମାଙ୍କର ଦିବ୍ୟ ସନ୍ତାନ ସାଧାରଣ ଜୀବନକୁ ଦିବ୍ୟ ଚିନ୍ତା ଓ ଚେତନାରେ ଉଦବୃଦ୍ଧ କରାଇ ଈଶ୍ୱରଙ୍କ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ ପଥରେ ‘ଚରୈବତି ଚରୈବତି’ ନ୍ୟାୟରେ ଆଗେଇ ନେଲେ ମନୁଷ୍ୟ ଅଶେଷ ସୁଖ ଶାନ୍ତି ଲାଭ କରିବା ସହିତ ପରମାତ୍ମା ପରଂବ୍ରହ୍ମଙ୍କର ଅପାର କରୁଣା ଲାଭକରି ପାରିବ। – ଜଗତସିଂହପୁର, ଓଡିଶା

Leave a Reply

Your email address will not be published. Required fields are marked *