ସମ୍ପାଦକୀୟ

ନିର୍ଜନତାର ଝଡ

ନିର୍ଜନତାର ଝଡ / ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ / www.suvbharattimes.in / Suvbharat Times 29/03 > ସବୁଆଡେ ନିର୍ଜନ, ନିଶବ୍ଦ। କିନ୍ତୁ ନିଧିଆର ଦେଖା ନଥିଲା। ଗୁରୁବାରୀ ଆଉ ସମ୍ଭାଳି ପାରିଲାନି। ମନକୁ ଦମ୍ଭ ଦେଲା, ବୋଧ ଦେଲା। ନାଲିଠିଣି ଟା ଲଗେଇଲା। ଆରେ ତା ମୁଣ୍ଡ ଖରାପ ନା କଣ। ଏ ସହର ଭିତରେ ତୋଫା ବିଜୁଳି ଆଲୁଅରେ ସେ ଲଣ୍ଠନଟା ଧରି କାହିଁକି ଯାଉଛି। ତଥାପି ସେ ଚାଲିଲା, ଚାଲିଲା ମଣିଷ ହାଟ ଠେଇକି। ଯେଉଁଠି ସେ ନିଧିଆକୁ ପ୍ରଥମେ ଭେଟିଥିଲା। ନିଧିଆତ ଆସିଥିଲା ବରମପୁରରୁ, ଇଏ ଆସିଥିଲା ବାରିପଦାରୁ। ସେଇଠି ଦେଖା, ସେଇଠି ପ୍ରେମ, ଏକାଠି କାମ। ଆଜି ଅଖଞ୍ଜିଆ ମଣିଷ ବୋଲି ନିଧିଆ ତାକୁ କାମକୁ ଯିବାକୁ ମନା କରିଛି। ନହେଲେ ଏକାଠି ଆସନ୍ତି, ଏକାଠି ଘରକୁ ଫେରନ୍ତି। ଗୁରୁବାରୀ ଦେଖିଲା ସେ ମଣିଷ ହାଟରେ କେହି ନାହାନ୍ତି। ଚାରିଦିଗ ସୁନସାନ। ଦୂରରେ ପୋଲିସ ଟା ଟ୍ରାଫିକ ପାଖରେ ଘୁମେଇ ପଡିଛି .. / କରୋନା ଉପଲକ୍ଷେ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ କଲମରୁ ଏକ ବିଶେଷ ଗଳ୍ପ “ନିର୍ଜନତାର ଝଡ” Follow: twitter.com/@suvbharat_times / www.linkedin.com/in/suvbharat-times

ନିଧିଆ ବାରିକ ଗୁରୁବାରୀର ଫୁଟୁବଲ ପରି ପୁରିଲା ପେଟକୁ ଥରକୁ ଥର ଆଉଁସୁଥିଲା। ତା ଚମ୍ପା ଫୁଲିଆ ଗୋରୀ ମୁହଁଟାକୁ ଖାଲି ଚାହୁଁଥିଲା। ଦିନ କେଇଟାରେ ତାର ଚମ୍ପାଫୁଲିଆ ମୁହଁଟା ପୁରା କଳା କାଠ ପଡ଼ି ଯାଇଥିଲା। ନିଧିଆକୁ ନିଦ ଲାଗୁନଥିଲା। ଛଟପଟ ହେଉଥିଲା। ହାତ ତାର ସେମିତି ବୁଲୁଥିଲା ଗୁରୁବାରୀ ପେଟ ଉପରେ। ତାଆରି ଭିତରେ ପରା ତିଆରି ହେଉଛି ତା ଘରର ବଂଶର ଭବିଷ୍ୟତ। ଯିଏ ବାହାରକୁ ଆସିବ, ସଂସାର ଆଲୋକ ଦେଖିବ। ଛୋଟରୁ ବଡ଼ ହେବ, ସିଏ ହେବ ତା ବଂଶର ଉତ୍ତରାଧିକାରୀ। ତା କୁଳ ପ୍ରଦୀପ, ତା କୁଳ ନନ୍ଦନ। ତା ଇଶାଣ ବଡ଼ବଡ଼ିଆରେ ସେ ପାଣି ଦେବ। ଏମିତି ଭାବି ଭାବି ଖାଲି ଦୀର୍ଘ ନିଶ୍ଵାସ ପକାଉଥିଲା ନିଧିଆ।

ଡାକ୍ତର କହିଥିଲା ବୁଝିଲୁ ଗୁରୁବାରୀ, ଏଣିକି ତୁ ଆଉ ଉପାସ ରହିବୁନି। ତୁ ଉପାସ ରହିଲେ ତୋ ପେଟ ଭିତରେ ଯିଏ ଅଛି ସିଏବି ଉପାସ ରହିବ। ତୁ ଯୋଉ ଖାଦ୍ୟ ଖାଇବୁନିକି ସେଥିରେ ପରା ତାର ଭାଗ ଅଛି। ତୁ ଯାହା ଖାଇବୁ, ଜାଣିଛୁ ପୋଖରୀ ଭିତରେ ମାଛକୁ ଯେମିତି ଖୁଦ ପକେଇଲେ ଟାଣି ନିଏ ତୋ ପେଟ ପୋଖରୀରେ ଯିଏ ନାହିଁ କିଲୋ ସେମିତି ତୁ ଯାହା ଖାଇବୁ ସେ ମାଛ ଭଳି ସବୁ ଖାଇ ଖାଇ ଦେଉଥିବ। ଆଉ ତୁ ଯଦି ଉପାସ ରହିବୁ ସିଏ ବି ଉପାସ ରହିବ। ଏଇକଥା କେତେଥର ଡାକ୍ତର କାନେ କାନେ କହିଥିଲା ନିଧିଆ ଖାଲି ଭାବୁଛି। ମୁଁ ତ ଉପାସ, ଗୁରୁବାରୀତ ଉପାସ, ସେ ପିଲାଟାବି ଉପାସ।

ସରକାରୀ ଵାଲା ଥରକୁ ଥର ଟିଭିରେ କହୁଛି, ରେଡ଼ିଓରେ କହୁଛି,ମାଇକି ବଜେଇକି ବୁଲୁଛି। କାମକୁ ଯାଆନା, ବାହାରକୁ ଯାଆନା। ହେଲା ବାବା, ତମକଥା ମାନିଲୁ। ଦିନେ ମାନିଲୁ, ଦିଦିନ ମାନିଲୁ, ତିନିଦିନ ମାନିଲୁ, ଖାଇବୁ କଣ, ଆମ ସଂସାର ଚାଲିବ କେମିତି ଏକଥାତ କେହି ବୁଝନ୍ତ। କାହାକୁ କହିବୁ, କିଏ ଶୁଣିବ, ନିଧିଆ ଏଇ କଥା ଭାବି ଭାବି ମୋଟେ ସୋଇପାରୁନଥିଲା। ଖାଲି କଡଲେଉଟାଉ ଥିଲା। ଗୁରୁବାରୀର ଫୁଟୁବଲ ଭଳି ପେଟଟାକୁ ଯେତେ ଚାହିଁବନି ବୋଲି ଭାବୁଥିଲା, ଆଖିତାର ପଡୁଥିଲା ସେଇଠି। ଗୁରୁବାରୀ ଶୋଇଛି। ଯେମିତି ପୁରା ଝାଉଁଳି ପଡିଛି। ନିଧିଆ କିଛି ଭାବିଲାନି। ଭୋଅରୁ ଭୋଅରୁ ଉଠିଲା। ବାହାରିଲା। ସେ ଯିବ। ଗୁରୁବାରୀ ପଚାରିଲା କୁଆଡେ ଯିବ।
କାମକୁ।

ସରକାରୀ ଘର ମନାକରିଛନ୍ତି ବାହାରକୁ ଯିବାକୁ ପରା। ନିଧିଆ କହିଲା ସରକାରୀ ଘର କଣ ଖାଇବାକୁ ଦେଉଛନ୍ତି। ଆଲୋ ମୁଁ ତ ଉପାସ ଅଛି ସେକଥା ମୋତେ ବାଧୁନି। ତୁ ଉପାସ ଅଛୁ ଯେତେ ବାଧୁନି ହେଲେ ଡାକ୍ତର କଣ କହିଥିଲେ ମନେଅଛି ତ। ଡାକ୍ତର ବାବୁପରା ଥର ଥର କରି ଚେତେଇକି କହିଥିଲେ ତୁ ଉପାସ ରହିଲେ ପିଲାଟା ଉପାସ ରହିବ, ତୁତ ତିନିଦିନ ହେଲା ଖାଡା ଉପାସ ରହିଲୁଣି ସେ ପିଲାଟାର ଅବସ୍ଥା କଣ ହେବ ଭାବିଛୁ। ମୁଁ କିଛି ମାନିବିନି, ମୁଁ ଯିବି, ମାନେ ଯିବି। ନିଧିଆ କହିଲା ଓ ବାହାରିଲା। ପାଦ ପରେ ପାଦ ପକେଇ ପହଞ୍ଚିଲା ମଣିଷ ହାଟରେ। ଯୋଉଠି ସବୁଦିନ ସେ ଯାଇକି ମଣିଷ ମାନଙ୍କ ଗହଣରେ ଠିଆହୁଏ। ଯେମିତି ଗୋରୁ ହାଟରେ, ଛେଳି ହାଟରେ, କୁକୁଡ଼ା ହାଟରେ, ପରିବା ହାଟରେ ସବୁ ମୂଲ ହୁଏ, ୟଙ୍କୁ ସେମିତି ସବୁଦିନ ଆସି କଣ୍ଟ୍ରାକ୍ଟର ମାନେ ମୂଲ କରନ୍ତି। ସେ ଶଳା ରସିକ କଣ୍ଟ୍ରାକ୍ଟର ଯେତେଥର ଆସେ, ବରମପୁରିଆ ରସିକ ଟୋକା କଣ୍ଟ୍ରାକ୍ଟର ବ। ଟୋକା ଶଳା ଭାରି ଚଇନି ଚିକଣ ହୋଇଥାଏ। ବଡ଼ ସୁନା ମୁଦିଟା, ବଡ଼ ସୁନା ଚେନଟା ପକେଇ ଥାଏ। ଖାଲି ଜୁଆନିଆ ଝୁଅ ଦେଖିକି ବାଛିକି ନେବ, ଶଳା କଣ କମ ରସିକ, ଆଉ ଆମେ ଯିଏ ଖଟିବା ଲୋକ। ଏକାବେଳେ ଦିଇଟା ପଥର ଟେକିକି ଛାତ ଉପରକୁ ନେଇଯିବୁ। ଏକା ଥରକେ ଛାତ ପକେଇ ଦେବୁ। ଶଳା ଆମ ମୁହଁକୁ ମୋଟେ ଚାହେଁନି।

ଏମିତି ଭାବୁ ଭାବୁ ନିଧିଆ ଦେଖିଲା ଆଜି ବେଶି ଲୋକ ନାହାନ୍ତି। ଅଳ୍ପ କେତେଜଣ ଛିଡା ହୋଇଛନ୍ତି। ତାଆରି ଭିତରେ ନିଧିଆ ଛିଡାହେଲା। କୁଆଡେଥିଲେ କେଜାଣି ପୋଲିସ ପଲେ ମାଡି ଆସିଲେ। ଧମକେଇଲେ। ପୋଲିସରତ ଗୋଟେ ଭାଷା ଅଛି। ସେ ଭାଷା ନକହିଲେ କୁଆଡେ ଲୋକେ ପୋଲିସ ବୋଲି କହିବେନି। ପୋଲିସ ଭାଇ ମାନେ କହନ୍ତି କୁଆଡେ ମାଟିଆ ଡ୍ରେସଟା ପିନ୍ଧିଲେ ସେ ଭାଷାଟା ଆପେଆପେ ବାହାରିଯାଏ। ହଠାତ କିନା ଗୋଟେ ପୋଲିସ ଵାଲା କହିଲା ସଳେ ଗାଲୁଆଏ ତମକୁ ଖାଲି ମାଡ଼ ଦରକାର। ଆବେ ତମକୁ କିଛି ଜଣା ପଡୁନି। ଘରେ ଟିଭି ନାହିଁ, ରେଡ଼ିଓ ନାହିଁ, କାନକୁ ଶୁଭୁନି ସରକାରଙ୍କ ଡାକରା, ପ୍ରଧାନମନ୍ତ୍ରୀ ପରା କହିଛନ୍ତି, ଆରେ ମୁଖ୍ୟମନ୍ତ୍ରୀ ପରା କହିଛନ୍ତି ଘରୁ ବାହାରିବନି। ବାହାରିବନି ମାନେ ବାହାରିବନି। ଦିନେ ହଉ, ଦିଦିନି ହଉ, ସାତଦିନି ହଉ, ପନ୍ଦର ଦିନି ହଉ।

ନିଧିଆ ମୁଣ୍ଡକୁ ଆଉଁସିଲା। କହିଲା ବାବୁ ଆପଣେ ଗୋଟେ କଥା କହିବି ବୋଲି ଭାବୁଛି ସାହାସି ପାରୁନି। ଛେପ ଢ଼ୋକି କହିଲା, ବାବୁ ଆମେ ତିନିଦିନି ହେଲା ତିନି ପ୍ରାଣୀ ଖାଢା ଉପାସ ଏକଥା ବୁଝୁଛ। ସରକାର ବୁଝୁଛି। ସେମିତି ଘରେ କାହିଁକି ପଡ଼ିପଡି ମରିବୁ। ଏମିତି ରୋଗ ବୈରାଗ ହୋଇ ମଲେ ମରିବୁ। ପୋଲିସବାବୁ ତା ପୋଲିସିଆ ଭାଷାରେ ଚାରି ପାଞ୍ଚ ପଦ ଗାଳି ଦେଇ କହିଲା ଏ ଶଳା ଡିହା ଗାଲୁଆଙ୍କୁ ମାଡ ଦରକାର। ବିନା ମାଡରେ ଏ ସାଧ୍ୟ ହେବେନି। ହଠାତ ଦେଖାଗଲା ସବନିସ୍ପେକ୍ଟର ଆସି ପହଁଚିଲେ। ସାଙ୍ଗରେ କିଛି ପୋଲିସ। ଗାଡି ଅଟକୁ ଅଟକୁ ଆଗରୁ ଛିଡା ହୋଇଥିବା କନେଷ୍ଟବଳ ମାନେ ସବନିସ୍ପେକ୍ଟର’ଙ୍କୁ ସାଲୁଟ ମାରୁ ମାରୁ କହିଲେ, ସାର ଏ ଗାଲୁଆ ଦଳଙ୍କୁ ଘଣ୍ଟାଏ ହେଲା ବୁଝେଇ ବୁଝେଇ ଆମେ ନାକେଦମ ହେଲୁଣି। ଶଳା କୋଉ ବୁଝୁଛନ୍ତି ନାଁ ଆମକଥା ଶୁଣୁଛନ୍ତି। ସବନିସ୍ପେକ୍ଟର କହିଲେ ଶୀଘ୍ର ବୁଝା ନହେଲେ ମାଡ ଦେଇକି ତଡ। ଆଉ ଦଶ ମିନିଟ ପରେ ଏଇ ରାସ୍ତାରେ ମୁଖ୍ୟମନ୍ତ୍ରୀ ଯିବେ, ତାଙ୍କ ଲୋକମାନେବି ଯିବେ। ତାଙ୍କ ଡାକାରା ସଫଳ ହୋଇଛି କି ନାହିଁ ସେ ନିଜେ କୁଆଡେ ଦେଖିବେ। ପ୍ରଧାନମନ୍ତ୍ରୀଙ୍କ ପାଖକୁ ବାର୍ତା ଯିବ। ସେଥିପାଇଁ ଏମାନଙ୍କୁ ଯେତେଶିଘ୍ର ପାରୁଛ ତଡ ଏଠୁ।

ଏଇ ବେଳେ ହଠାତ କିନି ମୁଖ୍ୟମନ୍ତ୍ରୀ ଆସିବାର ସାଇରନ ଗାଡି ଶବଦ ଶୁଭିଲା। ପୁଲିସ ଆଉ ସମ୍ଭାଳି ପାରିଲାନି, ଆରମ୍ଭ କଲା ଲାଠି ପ୍ରହାର। ସାଇରନ ଯେତିକି ନିକଟତର ନିକଟତର ହେଉଥିଲା ପୁଲିସ ଛାତିରେ ଛାନିଆ ପଶୁଥିଲା। ପୁଲିସର ବାଡ଼ି ସେତିକି ଷ୍ଟ୍ରଙ୍ଗ ହେଉଥିଲା। ଏମାନଙ୍କ ପିଠିରେ ସେତିକି ଜୋରରେ ମାଡ ବାଜୁଥିଲା। ଶେଷରେ ବାଡ଼େଇଲେ ତ ବାଡ଼େଇଲେ, ପାଖରେ ଥିବା ନାଳକୁ ବାଡେଇ ବାଡେଇ ଫିଙ୍ଗି ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଗାଡି ଆସିଲା ସାଇରନ ଦେଇକି। ଯିବା ପୂର୍ବରୁ କିଛି ସମୟ ପାଇଁ ଗାଡିଟା ଟିକେ ଅଟକି ଗଲା। ପୋଲିସ ଭାଇମାନେ ସାଲୁଟ ମାରିଲେ। ମୁଖ୍ୟମନ୍ତ୍ରୀ ହସ ହସ ମୁହଁରେ ଧନ୍ୟବାଦ ଜଣେଇଲେ। ପଛଗାଡିରୁ କିଛି ସମର୍ଥକ ଉଚ ସ୍ୱରରେ କହିଲେ ସକସେସ… ସକସେସ… ଫୁଲ ସକସେସ। ମୁଖ୍ୟମନ୍ତ୍ରୀଙ୍କ ଡାକରା ଫୁଲ ସକସେସ। ହସ ଆନନ୍ଦ ଭିତରେ ଗାଡି ଚାଲିଲା, ପୋଲିସ ବି ଖୁସିରେ ଚାଲିଲେ।

ରାତି ଆସିବ ଆସିବ ହଉଥିଲା ଆସି ନଥିଲା। ସୂର୍ଯ୍ୟ ବୋଧେ ବୁଡି ନଥିଲେ। ସହର ଟା ଆଜି ନିରବ ନିଶବ୍ଦ ଥିଲା। ତଥାପି ଅପେକ୍ଷାଥିଲା ଅନ୍ଧାରକୁ। ଅନ୍ଧାର ଆସିବା ପୂର୍ବରୁ ଆସ୍ତେ ଆସ୍ତେ ସହରର ଷ୍ଟ୍ରୀଟ ଲାଇଟ ସବୁ ଜଳି ଉଠିଲା। ରାତି ବେଳକୁ ବେଳ ବଢ଼ିଲା। ଏଣେ ଗୁରୁବାରୀ ଘରେ ଛଟପଟ ହେଉଥିଲା। ଘରକୁ ଦାଣ୍ଡ ଦୁଆର ହଉଥିଲା। କେମିତି ଏକାଜିଦିଆ ମଣିଷ, ଯାହା ବୁଝିଥିବ ସେଇଆ। ଯୋଉକଥାରେ ମନ ଲାଗିଥିବ ସେଇଆ। ଯେତେକହିଲି ମାନିଲାନାହିଁ ଗଲାଯେଗଲା ଏଯାଏଁ ଦେଖା ନାହିଁ। ନିଜେ କଣ ଖାଇଲାକି ନଖାଇଲା ଘରେ ଆମେତ ଉପାସ। ରାତିତ ବଢ଼ିଲାଣି, ସମସ୍ତେ ଫେରିଲେଣି। ତୁ ହେଲେ ଫେରନ୍ତୁ। ଘରେ ଅଖଞ୍ଜିଆ ମଣିଷ ମୁଁ। ପେଟରେ ପିଲା। ଭଲ ମନ୍ଦ ଅଛି। ସବୁତ କବାଟ ତାଟି ଦେଇ ଘରେ ପସିଲେଣି। କାହାକୁ କହିବି ଏଇନା ଭଲ ମନ୍ଦରେ। କାହାକୁ ପଚାରିବି ସେ କୁଆଡେ ଗଲେ।

ଗୁରୁବାରୀ ଏମିତି ଖାଲି ଛଟପଟ ହେଉଥିଲା। ବେଳକୁ ବେଳ ଅଭିମାନ କରୁଥିଲା। ଆଜିସେ ଫେରନ୍ତୁ, ତାଙ୍କର ଦିନେକୁ ମୋର ଦିନେ। ଆଜିତାଙ୍କୁ ମୁଁ ମୋଟେ କଥା କହିବିନି। ସେ ଯାହା ଆଣିଥିବେ ନାଁ ମୁଁ ରୋଷେଇ କରିବି ନାଁ ଖାଇବି। ନାଁ ମୋର ଦେହରେ ମୁଣ୍ଡରେ ତାଙ୍କ ହାତ ମରେଇଦେବି। ମୋଟେ ତ ତାଙ୍କ କଥା ଶୁଣିବିନି। ତାଙ୍କ ମୁହଁ କୁ ଚାହିଁବିନି। କାନିରେ ଗଣ୍ଠି ପକଉଛି ମୋ ଦେହ ମୁଣ୍ଡରେ ହାତ ମରେଇ ଦେବିନି। ଏହା ସତ, ସତ, ସତ। ଯେତେ ଯାହା ହେଲେ ମୁଁ ଆଜି ମୋ ରାଗରୁ ତିଳେହେଲେ ଓହରିବିନି। ପୁଣି ଗୁରୁବାରୀ ଭାବିଲା ମୁଁ କୋଉ ସଜିଲ ମଣିଷ କି, ସେ ପରା ଆସି କାନ ପାଖରେ ଫୁସ ଫୁସ କରି ମିଠା କଥା ଦିପଦ ଯଦି କହିଦେବ, ପଛପଟୁ ଧରି ଯେବେ ଗେଲ କରିଦେବ ମୋ ମନରେ ପିରତି ନିଆଁ ଦିକି ଦିକି ହୋଇ ଜଳିବ। ସବୁ ରାଗ ବରଫ ହୋଇ ନିମିସେକେ କୁଆଡେ ପାଣିଭଳି ତରଳି ଯିବ। ମୁଁ କୋଉ ଆଉ ମୁଁ ହୋଇ ରହେ। ମୁଁ ତ ଗୋଟାପଣେ ସରିଯାଏ ଯେ ସରିଯାଏ। ତାଙ୍କ କୋଳକୁ ନିଜେ ଆଉଜି ପଡେ। କିନ୍ତୁ ଆଜି ନୁହଁ। ଆଜି ମୁଁ ସେମିତି ଅଟଳ ମହାମେରୁ ହୋଇ ରହିବି। ଗୁରୁବାରୀର ଭାବନା ଏମିତି ବଢ଼ୁଥିଲା। ରାତି ବି ବଢ଼ୁଥିଲା। ରାତି ପକ୍ଷୀବି ରାବିବା ଆରମ୍ଭ କରିଥିଲା। ସବୁଆଡେ ନିର୍ଜନ, ନିଶବ୍ଦ। କିନ୍ତୁ ନିଧିଆର ଦେଖା ନଥିଲା।

ଗୁରୁବାରୀ ଆଉ ସମ୍ଭାଳି ପାରିଲାନି। ମନକୁ ଦମ୍ଭ ଦେଲା,ବୋଧ ଦେଲା। ନାଲିଠିଣି ଟା ଲଗେଇଲା। ଆରେ ତା ମୁଣ୍ଡ ଖରାପ ନା କଣ। ଏ ସହର ଭିତରେ ତୋଫା ବିଜୁଳି ଆଲୁଅରେ ସେ ଲଣ୍ଠନ ଟା ଧରି କାହିଁକି ଯାଉଛି। ତଥାପି ସେ ଚାଲିଲା, ଚାଲିଲା ମଣିଷ ହାଟ ଠେଇକି। ଯେଉଁଠି ସେ ନିଧିଆକୁ ପ୍ରଥମେ ଭେଟିଥିଲା। ନିଧିଆତ ଆସିଥିଲା ବରମପୁରରୁ, ଇଏ ଆସିଥିଲା ବାରିପଦାରୁ। ସେଇଠି ଦେଖା, ସେଇଠି ପ୍ରେମ, ଏକାଠି କାମ। ଆଜି ଅଖଞ୍ଜିଆ ମଣିଷ ବୋଲି ନିଧିଆ ତାକୁ କାମକୁ ଯିବାକୁ ମନା କରିଛି। ନହେଲେ ଏକାଠି ଆସନ୍ତି, ଏକାଠି ଘରକୁ ଫେରନ୍ତି। ଗୁରୁବାରୀ ଦେଖିଲା ସେ ମଣିଷ ହାଟରେ କେହି ନାହାନ୍ତି। ଚାରିଦିଗ ସୁନସାନ। ଦୂରରେ ପୋଲିସ ଟା ଟ୍ରାଫିକ ପାଖରେ ଘୁମେଇ ପଡିଛି। ଚାରି କାତ ମେଲେଇ ଫାଗଡ଼ାଦେଇ ଘୁଙ୍ଗୁଡ଼ି ଛାଡୁଛି। ଗୁରୁବାରୀ ତାକୁ ଉଠେଇ ଦେବାକୁ ସାହାସ କଲାନି। ସବୁ ଆଡ଼ିକି ନଜର କଲା। ତାକୁ କାନ୍ଦ ଲାଗିଲା। କୁଆଡେ ଗଲାସେ ମଣିଷ କାହାକୁ ପଚାରିବ। ଗାଡି ମଟର ତ କିଛି ନାହିଁ, ଜନ ଜନ୍ତୁତ କେହି ନାହାନ୍ତି। ସେ ଭୋ କିନା ରଡ଼ିଛାଡି କାନ୍ଦିବାକୁ ଲାଗିଲା। ତା କାନ୍ଦ ଶବ୍ଦରେ ପାଖନାଳରୁ ଗୋଟେ ଖଡ଼ ଖଡ଼ ଶବ୍ଦ ଶୁଭିଲା। ଗୋଟେ ଗାଈ ଗୋରୁଟା ପଡିଯାଇଛି ନା କଣ କେଜାଣି।

ଗୁରୁବାରୀ ସିଆଡିକି ଅନେଇଲା। ଆଲୋମା ପାଟିଟିଏ କରି ଗୁରୁବାରୀ ଚମକି ପଡିଲା। ସେଇ ନାଳ ଭିତର କୋତରା ପାଣିରୁ କଳା ମଚ ମଚ ମଣିଷ ଟା ବାହାରି କହୁଛି, ଗୁରୁବାରୀ, ଗୁରୁବାରୀ ମୁଁ ଏଇଠି। ଗୁରୁବାରୀ ଚିତ୍କାର କଲା ଭୁତ ଭୂତ, କିଏ କୋଉଠି ଅଛ ଧାଇଁ ଆସ ମୁଁ ମରିଗଲି। ଗୁରୁବାରୀର ଚିତ୍କାର କରୁ କରୁ ଚେତା ବୁଡ଼ିଗଲା। ସେ ଭିତରୁ ନିଧିଆ ବାହାରିକି କହିଲା,  ଗୁରୁବାରୀ, ଗୁରୁବାରୀ, ଗୁରୁବାରୀ ମୁଁ ଭୁତ ନୁହେଁ ଲୋ ମୁଁ ପରା ତୋ ନିଧିଆ। ସେତେବେଳକୁ ଗୁରୁବାରୀର ଚେତା ବୁଡିସାରିଥିଲା। ନିଧିଆ ଗୁରୁବାରିକି କୋଳେଇକି ଧଇଲା। ସେଇ କଳା ମଚ ମଚ ପାଣିରେ ତା ମୁହଁ ପୋଛି ପକେଇଲା। ତା କାନ ଫୁଙ୍କିଲା, ତା ନାକ ନିଶ୍ୱାସ ବନ୍ଦ କଲା। ଗୁରୁବାରୀର ଚେତା ଫେରିଲା। ସେ ବିଶ୍ୱାସ କରି ପାରୁନଥିଲା ସତରେ ନିଧିଆ ନା ନିଧିଆର ଭୁତ। ଆଖି ଖୋଲିଲା ବେଳକୁ ପୁଣି ଗୋଟେ ଚିତ୍କାର ତା ପାଟି ଭିତରୁ ବାହାରି ଆସିଲା, ନା ଭୁତ ତମେ ଭୁତ। କୋଳକୁ ସାଉଁଳି ନେଇ ନିଧିଆ କହିଲା, ଆରେ ନା,ନା,ନା ଭୁତ ନୁହେଂଲୋ ମୁଁ ତୋର ନିଧିଆ,ନିଧିଆ,ନିଧିଆ। ଗୁରୁବାରୀ ଆଖିଖୋଲି ନିଧିଆକୁ ଚାହିଁଲା ବେଳକୁ ତା ତଳି ପେଟକୁ ଜୋରରେ ଚାପି ଧରି ନିଧିଆ ଉପରକୁ ଆଉଜି ପଡି କାନ୍ଦିବାକୁ ଲାଗିଲା, ସବୁ ସାରିଗଲାରେ ସରିଗଲା। ଯାହା ପାଇଁ ଏତେ କଥା ସେ ମୋ ପେଟ ଛାଡି ଚାଲିଗଲାରେ ଚାଲିଗଲା। ସେତବେଳକୁ ତା ଦେହ ସାରା ରକ୍ତ ଯୁଡୁବୁଡୁ ହୋଇ ଚାରି ଆଡେ ବୋହି ଯାଉଥିଲା। ଏପଟେ କଳା ମଚ ମଚ ପାଣି ବାହାରୁଥିଲା ନିଧିଆ ଦେହରୁ। ରକ୍ତ ଆଉ ନର୍ଦମା ପାଣି ରେ ଭିଜି ନିଧିଆ ଓ ଗୁରୁବାରୀ ପରସ୍ପରକୁ କୁଣ୍ଡେଇ ଭୋ ଭୋ ରଡି ଚାଢି ଗଡି ଯାଉଥିଲେ ବିକଳରେ। ଦୂରରୁ ଦିଶୁଥିଲା ଦିଟା ବଣୁଆ ପଶୁ ଯେମତି ଚାତ୍କାର କରୁଛନ୍ତି ଆଉ ସେ ଶବ୍ଦ ଓ ଦୃଶ୍ୟ ଶୁଣିବାକୁ  କେହି ନାହିଁ। କେବଳ ନିର୍ଜନତା ଛଡା।Follow:  #twitter.com/@suvbharat_times #facebook.com/suvbharattimes.web #linkedin.com/in/suvbharat_times

Leave a Reply

Your email address will not be published. Required fields are marked *