ମହାନଗର

ହଟିଲେ ବିକେ ଶର୍ମା, ସତ୍ୟଜିତ୍ ମହାନ୍ତି ଅସ୍ଥାୟୀ ଡିଜିପି

ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୦.୧୧- ରାଜ୍ୟ ସରକାର ଡିଜିପି ଦାୟିତ୍ୱରେ ଥିବା ବିକେ ଶର୍ମାଙ୍କୁ ତତ୍କାଳ ଡିଜିପି ପଦରୁ ହଟାଇ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଅସ୍ଥାୟୀ ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି। ଏହାସହିତ ରାଜ୍ୟର ପରବର୍ତ୍ତୀ ଡିଜିପି ଭାବେ ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।

ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇପିଏସ୍ ବିଜୟ କୁମାର ଶର୍ମାଙ୍କ ବିରୁଦ୍ଧରେ ଆସିଥିଲା ଅନିୟମିତତାର ସଙ୍ଗୀନ ଅଭିଯୋଗ। ଗତ ୨ବର୍ଷ ଧରି ଅଗ୍ନିଶମ ବାହିନୀର ଡିଜି ପଦବୀରେ ଥିବା ବିକେ ଶର୍ମା ବିଭିନ୍ନ ସଂସ୍ଥାକୁ ଅଗ୍ନିଶମ ପ୍ରମାଣପତ୍ର ଦେବାରେ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିଥିବାର ଅଧିକାଂଶ ଅଭିଯୋଗ ଆସିଥିଲା। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ତତ୍କାଳ ଡିଜିପି ପଦବୀରୁ ହଟାଇ ଦେଇଛନ୍ତି। ଏହାସହିତ ରାଜ୍ୟ ପୁଲିସ୍ ବିଭାଗରେ ସବୁବେଳେ ଚର୍ଚ୍ଚାରେ ଥିବା ବିକେ ଶର୍ମାଙ୍କୁ ଶେଷରେ ମାତ୍ର ୩ମାସର ବ୍ୟବଧାନରେ ଡିଜିପି ପଦରୁ ବିଦା ହେବାକୁ ପଡ଼ିଛି। ସେପାଖେ କେନ୍ଦ୍ରୀୟ ଡେପୁଟେସନରୁ ଆଇପିଏସ୍ ଅଭୟ ଫେରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ଅସ୍ଥାୟୀ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ। ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ରାଜ୍ୟରେ ନୂଆ ଡିଜିପି ଚୟନ ନେଇ ଗତ ୧୩ତାରିଖରେ କେନ୍ଦ୍ର ଲୋକସେବା ଆୟୋଗଙ୍କ ଚୟନ କମିଟି ପକ୍ଷରୁ ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ଡିଜିପି ପଦ ପାଇଁ ୩ଜଣିଆ ଆଇପିଏସଙ୍କ ତାଲିକା ଗତକାଲି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିଲା। ବରିଷ୍ଠତା ଦୃଷ୍ଟିରୁ ଅଭୟ, ପ୍ରଦୀପ କାପୁର ଓ ବିକେ ଶର୍ମାଙ୍କ ନାଁ ଉପରେ ବିଚାର ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଥିଲା। କିନ୍ତୁ ବିଭିନ୍ନ ଅନିୟମିତତାର ତଦନ୍ତ ପାଇଁ ଶର୍ମାଙ୍କୁ ତତ୍କାଳ ଡିଜିପି ପଦରୁ ହଟାଯିବା ସହ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଠନ ହୋଇଛି। କମିଟିରେ ଉନ୍ନୟନ କମିଶନର ଓ ଗୃହ ସଚିବ ସଦସ୍ୟ ଅଛନ୍ତି। ଆଜି ରାଜ୍ୟ ସରକାର ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଅଭୟଙ୍କୁ ରାଜ୍ୟର ପରବର୍ତ୍ତୀ ଡିଜିପି ପଦରେ ଆସୀନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଭୟ ୨୦୨୧ ଜୁନ୍ ମାସରେ ସରକାରୀ ଚାକିରିରୁ ଅବସର ନେବେ। ଏହାସହ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ମଧ୍ୟ କେତେକ ଅଦଳବଦଳ କରିଛନ୍ତି। ସତ୍ୟଜିତ୍ ମହାନ୍ତିଙ୍କୁ ଗୁଇନ୍ଦା ଡିଜି ଭାବେ ଅବସ୍ଥାପିତ କରିଥିବା ବେଳେ ସେଠାରେ ଥିବା ଆଇପିଏସ୍ ସୁନୀଲ ରଏଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରିଛନ୍ତି।

Leave a Reply

Your email address will not be published. Required fields are marked *