ମହାନଗର

ପାଠ ପରିବର୍ତ୍ତେ ‘ପିଠା’

କଥାରେ ଅଛି ଯୋର୍ ଯାର୍ ମୁଲକ୍ ତାର। କ୍ଷମତାସୀନ ବିଜେଡି ସରକାର କ୍ଷମତାର କଷ ଦେଖାଇବାକୁ ଶେଷରେ ମହାବିଦ୍ୟାଳୟକୁ ବାଛିନେଲା। ଏବେ ନଜର ପକାଇବା ଏ ସମ୍ପର୍କରେ ଆମ ଚଣ୍ଡିଖୋଲ ପ୍ରତିନିଧି ସୁରେଶ ଜେନା ପଠାଇଥିବା ଖବର ଉପରେ।

ଚଣ୍ଡିଖୋଲ, ଶୁଭ୍ ଭାରତ ଟାଇମ୍ସ- ଯାଜପୁର ସଦର ବ୍ଲକ ଅର୍ନ୍ତଗତ ବିଚିତ୍ରପୁର ପଞ୍ଚାୟତରେ ହେବାର ଥିଲା ‘ପିଠା’ କାର୍ଯ୍ୟକ୍ରମ। ‘ପିଠା’ର ପ୍ରାୟୋଜକ ହେଲେ କ୍ଷମତାସୀନ ବିଜୁ ଜନତା ଦଳ ସରକାର। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳ ତଥା ଦଳୀୟ ନେତାଙ୍କ ଆତ୍ମପ୍ରଚାରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ‘ପିଠା’ର ପ୍ରୋମୋ ଶୁଣାଇ ଭୋଟରମାନଙ୍କୁ ଦଳ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ କରିବା ଲକ୍ଷରେ ଏହାକୁ ଲୋକାର୍ପିତ କରାଯାଇଛି। କିନ୍ତୁ ଅସଲ କଥାଟି ହେଲା ଏଥିରେ ସରକାରୀ ବାବୁମାନଙ୍କର ଭୂମିକା କ’ଣ ଥିଲା ତାହା ସମସ୍ତେ ଜାଣିବା ଦରକାର। ସଭାରେ ବିପୁଳ ଜନ ସମାଗମ ପାଇଁ କେତେକ ଅଧ୍ୟାପକ ବିଜେଡିର ପ୍ରଚାରକ ସାଜିଛନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନ ପରିସରରେ ଅତି ଉଚ୍ଚ ସ୍ଵରରେ ମାଇକ୍ ବଜାଇବା ନିଷିଦ୍ଧ କରାଯାଇଥିବା ସତ୍ୱେ ଶାସକ ଦଳ ପକ୍ଷରୁ ସେଠାରେ ଆଇନ୍ ଉଲଂଘନ କରାଯାଇଛି।

ମହାବିଦ୍ୟାଳୟରେ ସେଦିନକୁ ଅଘୋଷିତ ଛୁଟି ଦିବସ ରୁପେ ଘୋଷଣା କରାଗଲା ଓ ଛାତ୍ରଛାତ୍ରୀମାନେ ଘରକୁ ଫେରିଗଲେ। ଏହି କଲେଜରେ ସ୍ୱାଭାବିକ ଭାବେ ମେଧାବୀ ଛାତ୍ରଛାତ୍ରୀମାନେ ହିଁ ଅଧ୍ୟୟନ କରନ୍ତି। କେବଳ ‘ପିଠା’ କାର୍ଯ୍ୟକ୍ରମ ଯୋଗୁଁ ହିଁ ସେହି ମେଧାବୀ ଛାତ୍ରଛାତ୍ରୀମାନଙ୍କର ଗୋଟିଏ ଦିନର ପାଠପଢ଼ା କାର୍ଯ୍ୟ ବ୍ୟାହତ ହେଲା। ଯାହା ପୁଣି ସମ୍ପୂର୍ଣ୍ଣ ବେଆଇନ୍। ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଥିଲା ଜିଲ୍ଲା ପ୍ରଶାସନ ଏମିତି ବେଆଇନ୍ କାର୍ଯ୍ୟକୁ କାହିଁକି ଅନୁମତି ଦେଲା ତଥା କାହା ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନିକ ଅଧିକାରୀଗଣ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ତୁଚ୍ଛ ମନେକରି ବିଜେଡି ଦଳର ଚମଚାଗିରୀ କରୁଥିଲେ! ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ବେଆଇନ୍ କାର୍ଯ୍ୟର ନା ପ୍ରତିବାଦ କଲେ ନା ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବାର ସାହସ ଦେଖାଇଲେ। ଏହି ଘଟଣାଟି ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅଜ୍ଞତା ମଧ୍ୟରେ ହଜିଯିବା ପ୍ରମାଣିତ ହେଲା। ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ କ୍ଷମତାରେ ଅଛନ୍ତି ବୋଲି କ୍ଷମତାସୀନମାନେ କ’ଣ ଏମିତି ମନଇଚ୍ଛା କାମ କରି ଖସି ଯିବେ କି ? ସ୍ଥାନୀୟ ଲୋକେ ବିଜେଡିକୁ କଟାକ୍ଷ କରି କହୁଛନ୍ତି ‘ଧିକ୍ ତୁମ ରାଜନୀତି’।

Leave a Reply

Your email address will not be published. Required fields are marked *