ଜାତୀୟ

ସୁରଥରେ ବନ୍ଧା ପଡିଛି ଓଡ଼ିଆଙ୍କ ଭାଗ୍ୟ

ସୁରଥ, ଶୁଭ୍ ଭାରତ ଟାଇମ୍ସ, ୬/୦୪ (ବିଜୟ କୁମାର ସାହୁ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମ। ପ୍ରତିବର୍ଷ ଏଠାରୁ ହଜାର ହଜାର ସଂଖ୍ୟକ ଅଧିବାସୀ ସୁରଥ ଆସି ବିଭିନ୍ନ ସୁତା କାରଖାନାରେ କାମ କରୁଛନ୍ତି। ଦେଶର ଟେକ୍ସଟାଇଲସ୍ ବଜାରରେ ଯେଉଁ ନାମିଦାମୀ ଶାଢୀର ଚାହିଦା ରହିଛି, ସେଥିରେ ଅଛି ଓଡିଆ ପୁଅର ହାତର ସ୍ପର୍ଶ। କିନ୍ତୁ ସୁରଥ- ଓଡ଼ିଶା ମଧ୍ୟରେ କେବଳ ବାବୁ ଆଉ ଗୁମାସ୍ତାର ସମ୍ପର୍କ। ଲେଖିବାକୁ ଲାଜ ଲାଗୁଛି ଖଣି ଖାଦାନର ସ୍ୱର୍ଣ୍ଣାଭ ଓଡ଼ିଶା ଆମର ଜନ୍ମଭୂମି। ଓଡ଼ିଆ ପୁଅ ଗୁଜୁରାଟ ସରକାର ଅଧିନରେ ଝାଳ ବୁହାଇ ଗୁଜୁରାଟ ରାଜ୍ୟକୁ ସମୃଦ୍ଧ କରୁଥିଲେ ବି ନିଜେ ନିଜ ଗୋଡରେ ଠିଆ ହେଇପାରୁନି।

ଶିଳ୍ପ ସମୃଦ୍ଧ ସୁରଥ ସହର, ଗରିବ ଓଡ଼ିଆଙ୍କ ଆତ୍ମା। ଖଣିଜ ସଂପଦ ପରିପୂର୍ଣ୍ଣ ଓଡ଼ିଶାରେ କାମଧନ୍ଦା ନପାଇ ଭିଟାମାଟି ଛାଡି ସୁରଥ ଆସିଛନ୍ତି ଲକ୍ଷାଧିକ ଓଡ଼ିଆ। ଏଠାରେ ଥିବା ହଜାର ହଜାର ସୁତା କାରଖାନା ଗୁଡିକରେ ସେମାନେ ନିୟୋଜିତ। ସାମାନ୍ୟ ଅନୁଭୁତିକୁ ପାଥେୟ କରି ବିଭିନ୍ନ ବିଭାଗରେ ନଯୁକ୍ତି ପାଇ ଗୁଜୁରାଣ ମେଂଟାଉଛନ୍ତି। ଓଡ଼ିଆ ଶ୍ରମିକଙ୍କ ପାଇଁ ସୁଧୁରିଛି ଗୁଜୁରାଟର ଆର୍ଥିକ ମାନଦଣ୍ଡ, କିନ୍ତୁ ଭାଙ୍ଗିଗଲାଣି ଓଡ଼ିଆଙ୍କ ନିଜ ମେରୁଦଣ୍ଡ। ନିୟମିତ ଗଧ ଖଟଣି ସତ୍ୱେ ସମୟ ଅନୁସାରେ ମିଳୁନି ପଗାର୍ (ଦରମା)। ତା’ସହ ସେମାନଙ୍କ ଅଧିଲଭ୍ୟ ଅର୍ଥ ବା ବୋନସ୍ ଆଉ ପାଉଣା, ସବୁକିଛି କାରଖାନା ମାଲିକ ହାତରେ। ଖଟାଇ ଖଟାଇ ଓଡ଼ିଆଙ୍କର ରକ୍ତ ଶୋଷୁଛନ୍ତି ଗୁଜୁରାଟୀ।

ସୁରଥ ସୁତା କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ କେତେକ ତନ୍ତ ମେସିନ୍ ଅପରେଟର୍, କଲର୍ ପ୍ରିଂଟିଙ୍ଗ୍ ଅପରେଟର୍, ଓାରପିନ୍ ଟେକ୍ନିସିଆନ୍, ଟି.ଏଫ୍.ଓ ଅପରେଟର୍, ପାଓାରଲୁମ୍ ଅପରେଟର୍, ଏମ୍ବ୍ରୋଡରି ଅପରେଟର୍ ଇତ୍ୟାଦିରେ ନିଯୁକ୍ତି ପାଇ କାମ କରୁଛନ୍ତି। କେତେକ ଶ୍ରମିକ ଦୈନିକ ସକାଳ ୭ ରୁ ସଂଧ୍ୟା ୭ ଡ଼େ ସିଫ୍ଟ୍ କରୁଛନ୍ତି ଏବଂ ଆଉ କେତେକ ସଂଧ୍ୟା ୭ ରୁ ସକାଳ ୭ ଯାଏଁ ନାଇଟ୍ ସିଫ୍ଟରେ କାମ କରୁଛନ୍ତି। ଆଗରୁ ୪ଟି ପାଓାରଲୁମ୍ ମେସିନ୍ ଚଳାଇବାରେ ଯେତିକି ଅର୍ଥ ମିଳୁଥିଲା, ଏବେ ତିନି ଗୁଣା ଅଧିକ ମେସିନ୍ ଅପରେଟ କରି ମଧ୍ୟ ସେତିକି ଅର୍ଥ ମିଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କାର୍ଯ୍ୟର ସମୟସୀମା। ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ କର୍ମଚାରୀଙ୍କ କାର୍ଯ୍ୟ ଅବଧି ୮ ଘଂଟା। ମାତ୍ର ସୁରଥର ବିଭିନ୍ନ ସୁତା କାରଖାନାରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଗୋଟିଏ ସିଫ୍ଟରେ ୧୨ ଘଂଟା ଖଟୁଛନ୍ତି। ପାଠକଙ୍କ ମନରେ ପ୍ରଶ୍ନ ଆସୁଥିବ, ଅଧିକ ୪ ଘଂଟା ପାଇଁ ହୁଏତ ଓଭର୍ ଟାଇମ୍ ଖର୍ଚ୍ଚ ମିଳୁଥିବ ! କିନ୍ତୁ ନା, ସୁତା କାରଖାନାରେ ଯୋଗଦେବା ବେଳେ ଧାର୍ଯ୍ୟ ହୋଇଥିବା ଦରମାରେ ଓଡ଼ିଆଙ୍କୁ ୧୨ ଘଂଟା ପରିଶ୍ରମ କରିବାକୁ ପଡୁଛି। ଦୀର୍ଘ ବର୍ଷ ବର୍ଷ ଧରି ସୁରଥରେ ଏଭଳି ଗୋତି ଖଟୁଛନ୍ତି ଆମ ଓଡ଼ିଆ।

ପେଟ ଚାଖଣ୍ଡେ ପାଇଁ ନାଟ। ମାତ୍ର ଓଡ଼ିଆ ଶ୍ରମିକମାନଙ୍କୁ ସେମାନଙ୍କର ବକେୟା ପାଉଣା ନିର୍ଦ୍ଧାରିତ ସମୟରେ ମିଳୁନାହିଁ। ସେମାନଙ୍କୁ ବୋନସ୍ ଟଙ୍କା ଓ ହକ୍ ଦାବି (ହକୁରାଜ୍) ଦିଆଯାଉନି। ପାରିଶ୍ରମିକ ମିଳିବାରେ ବିଳମ୍ଭ ଯୋଗୁଁ ଘର ଭଡା, ବିଜୁଳି ଦେୟ, ପିଲାଙ୍କ ପାଠପଢା ଖର୍ଚ୍ଚ ଓ ଘର ଖର୍ଚ୍ଚ ମେଂଟାଇବା ସେମାନଙ୍କ ପାଇଁ ଅସମ୍ଭବ ହୋଇଯାଇଛି। ନିକଟରେ ଜି.ଏସ୍.ଟି ଲାଗୁହେବା ପରେ କାରଖାନା ମାଲିକମାନେ ସେମାନଙ୍କ ଦୈନିକ ରୋଜଗାରରୁ ଅର୍ଥକାଟ୍ କରୁଛନ୍ତି। ଶ୍ରମିକମାନଙ୍କୁ ଦରମା ନଦେଇ ଇଚ୍ଛା ମୁତାବକ୍ କାରଖାନାରେ ତାଲା ଲଗେଇ ଘଉଡାଉଛନ୍ତି। ଫଳରେ ହଜାର ହଜାର ହତାଶ ଶ୍ରମିକ ଅତି ଦେବାଳିଆ ପରିସ୍ଥିତିରେ ଭାଗ୍ୟକୁ ଆଦରି ସେଠାରେ ଦିନ କାଟୁଛନ୍ତି।

ସୁରଥ ସନ୍ନିକଟ କତାରଗାମ୍ ଜି.ଆଇ.ବି.ସି ଗୋତାଲାବାଡି, ମାତାବାଡି, ବେଡ୍ ରୋଡ୍, ପୁରସ୍ତମପୁରା, ସଲାବତପୁରା, ରୁଦ୍ରପୁରା, ଓଲ୍ପାହାଡ, ଘରଜୁ, ଅଙ୍କଲେଶ୍ୱର, କିମ୍ଭମର୍ ପାଟିଆ, ପିପୋଦରା, କିମଦରବାର୍, କିମଚାରରାସ୍ତା, ତଲଙ୍ଗପୁର ପାଟିଆ, କରଂଜ, କଡୋଦରା ଜି.ଆଇ.ବି.ସି, କାମରେଜ୍, ଡ଼ାଇମଂଡ୍ ନଗର, ବାରଡୋଲି, ଜଲ୍ବା, ତାତିଥେୟାଁ, ତାପୋଦରା ଜି.ଆଇ.ଡି.ସି, ସାୟଣ, ଉତରାଣ, ସାୟଣ ଜି.ଆଇ.ଡି.ସି, ନାରାୟଣ ନଗର, ଜୟନାରାୟଣ ନଗର, ଜି.ଆଇ.ଡି.ସି, ଇଶ୍ୱର ନଗର, ମହାପ୍ରଭୂ ନଗର, ଗୋବିନ୍ଦ ନଗର, ଲିମ୍ବାୟତ, ହାଉସିଂ ଜି.ଆଇ.ଡି.ସି, ତୁଳସି ଧାମ୍, ଫନଲ୍, ଆଦର୍ଶ ସୋସାଇଟ, ଚିକୁବାଡି, ଅଂଜନା ଫାର୍ମ, ଗିରୀଭଂଜନ ସୋସାଇଟ୍, ବମରୋଲି ଜି.ଆଇ.ଡି.ସି, ସାଇକୃପା ସୋସାଇଟ୍, ରେବା ନଗର, ଦେବଚାନ୍ଦ ସୋସାଇଟ୍ ଇତ୍ୟାଦି ବିଭିନ୍ନ ଅଂଚଳରେ ଓଡ଼ିଆ ଶ୍ରମିକମାନେ ଅତି ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି। ଓଡ଼ିଶାରେ କୌଣସି ଦୀର୍ଘସ୍ଥାୟୀ ସୁଯୋଗ ନମିଳିବାରୁ ସୁରଥରେ ଦୁଃଖକଷ୍ଟ ସହି ପରିବାର ସହ ରହୁଛନ୍ତି।

ଏହି ଶ୍ରମିକମାନଙ୍କ ମଧ୍ୟରୁ ଅନେକଙ୍କୁ ଭୋଟର ତାଲିକାରେ ସାମିଲ୍ କରାଯାଇଛି। ସେହି ଶ୍ରମିକମାନେ ସେଠାରେ ମତଦାନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖାଉଟି ତାଲିକାଭୂକ୍ତ କରାଯାଇନାହିଁ। ପିଲାମାନଙ୍କ ପାଠପଢାରେ ମଧ୍ୟ ଅନୁରୂପ ସମସ୍ୟା ଲାଗିରହିଛି। ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ଓଡ଼ିଆ ପିଲାମାନେ ଗୁଜୁରାଟି ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି। ତା’ସହ ଆମ୍ବା ନଗର, ସଚ୍ଚିନ୍ ଓ ଅମ୍ରୋଲି ଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଓଡ଼ିଆ ବିଦ୍ୟାଳୟରେ ପଢୁଥିବା ପିଲାମାନେ ପୋଷାକ ଓ ବହିପତ୍ର ଚଢା ଦରରେ କିଣୁଛନ୍ତି। ଓଡ଼ିଶା ନାଗରିକ ଭାବରେ ସେମାନଙ୍କୁ ଯେଉଁ ମୌଳିକ ସୁବିଧା ମିଳିବା କଥା ସେମାନେ ସେଥିରୁ ବଂଚିତ ହୋଇଛନ୍ତି। ଗୁଜୁରାଟ ସରକାର ଏହି ଶ୍ରମଜୀବୀ ଓଡ଼ିଆଙ୍କୁ ବିଭିନ୍ନ ମୌଳିକ ବ୍ୟବସ୍ଥାରେ ସାମିଲ୍ କରିବା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାବି କରାଯାଉ ବୋଲି ସୁରଥର ବହୁ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *