ସ୍ୱାସ୍ଥ୍ୟ

ଫୋବିୟା ଭର୍ଷେସ୍ ସାଇକୋଥେରାପି

ଡାକ୍ତର ସମ୍ରାଟ କର, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ,୨୫.୧୧- ଫୋବିୟା ହେଉଛି କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟ। ଯେପରିକି କେତେକ ଲୋକ ଭିଡ଼ ଭିତରକୁ ଯିବାକୁ ଭୟ କରନ୍ତି, ଉଚ୍ଚ ସ୍ଥାନକୁ ଯିବାକୁ ଭୟ କରନ୍ତି, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି, କୌଣସି ଜୀବଜନ୍ତୁ କିଛି କ୍ଷତି କରିବ ନାହିଁ ଜାଣି ମଧ୍ୟ ତାକୁ ଭୟ କରନ୍ତି। ସେଥିଯୋଗୁଁ ସେମାନେ ସେହି ସ୍ଥାନ, ବସ୍ତୁ ବା କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚାହାନ୍ତି। ପ୍ରାୟ ପ୍ରତ୍ୟେକ ଲୋକଙ୍କଠାରେ ଏକପ୍ରକାର ଭୟ ଅଳ୍ପ ଅଧିକେ ଥାଏ; ମାତ୍ର ଯେତେବେଳେ ଅତ୍ୟଧିକ ହୋଇ ମାନସିକ ବ୍ୟଥା ଦିଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରେ ସେତେବେଳେ ଏହା ଏକ ରୋଗ ବୋଲି ଧରାଯାଏ। ଅସ୍ୱାଭାବିକ ପରିସ୍ଥିତିର ଭୟାବହତାକୁ ସମ୍ଭାବନା କରି ଲୋକଟିର ମନରେ କଷ୍ଟ ହୋଇଥାଏ। ତେଣୁ ସେ ଏପରି ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ଏବଂ ଏହାର ସାମନା କଲେ ଆତଙ୍କିତ ହୋଇଯାଏ।

କୌଣସି ପରିସ୍ଥିତି ପ୍ରତି ଅସ୍ୱାଭାବିକ ଭୟକୁ ଆଗାରୋ ଫୋବିୟା ବୋଲି କୁହାଯାଏ। ସାଧାରଣତଃ ଏ ପ୍ରକାର ଫୋବିୟା ଲୋକମାନଙ୍କ ଠାରେ ଅଧିକ ଦେଖାଯାଏ। ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀ ଲୋକମାନଙ୍କ ଠାରେ ଅଧିକ ହୋଇଥାଏ। ଏ ପ୍ରକାର ଫୋବିୟାରେ ମନୁଷ୍ୟ ଯେତେବେଳେ ନିଜ ପରିବାର ବା ଚିରାଚରିତ ପରିସ୍ଥିତିରୁ ଦୂରେଇଯାଏ ତାକୁ ଅହେତୁକ ଭୟ ଲାଗିଥାଏ। ଗୋଟିଏ ପରିସ୍ଥିତିରୁ ଆଉ ଗୋଟିଏ ପରିସ୍ଥିତିକୁ ଗଲେ ଲୋକଟି ହଠାତ୍ ବିଚଳିତ ହୋଇପଡ଼େ। ତାକୁ ସାହାଯ୍ୟ କରିବାକୁ କେହି ନଥାନ୍ତି। ସେହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତା’ର ସାହସ ହୁଏ ନାହିଁ କି ସେ ଉପାୟ ପାଏ ନାହିଁ। ତେଣୁ ସେ ବିବ୍ରତ ହୋଇଯାଏ। ଉଦାହରଣସ୍ୱରୂପ ଘରଠାରୁ ଦୂରରେ ଏକା ରହିବା, ଭିଡ଼ ଭିତରେ ରହିଯିବା, ଟ୍ରେନ୍, ବସ୍ ଆଦିରେ ଏକାକୀ ବୁଲିବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ସେ ସମ୍ମୁଖୀନ ହୋଇପାରେନାହିଁ। ଧୀରେ ଧୀରେ ପରିସ୍ଥିତି ଅଧିକ ଜଟିଳ ହୋଇଥାଏ। ଲୋକଟିର ନିଜର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ସେ ବାହାରକୁ ନ ଯାଇ ଘର ଭିତରେ ରହିବାକୁ ଭଲ ପାଏ। କେବଳ ଜଣେ ଦି’ଜଣ ବିଶ୍ୱସ୍ତ ଲୋକଙ୍କ ସହିତ ଘର ଛାଡ଼ିଯାଏ।

ଏପ୍ରକାର ରୋଗରେ ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁ, ଅବସ୍ଥା, ପରିସ୍ଥିତି ବା କାର୍ଯ୍ୟ ପ୍ରତି ଅସ୍ୱାଭାବିକ ଭୟ ଉପୁଜିଥାଏ ଏହି ଭୟ ପ୍ରକୃତ ପରିସ୍ଥିତି ତୁଳନାରେ ଖୁବ୍ ଅଧିକ ହୋଇଥାଏ। ଏହା ଅସଙ୍ଗତ ଓ ଯୁକ୍ତିବିରୁଦ୍ଧ ବୋଲି ଲୋକ ଜାଣିପାରେ। ଲୋକଟି ନିଜର ଏପରି ଭୟକୁ ନିୟନ୍ତ୍ରଣ କରିପାରେନାହିଁ। ତେଣୁ ସେ ମାନସିକ ଯନ୍ତ୍ରଣା ପାଇଥାଏ। ଏଥିପାଇଁ ଲୋକଟି ଏପରି ବସ୍ତୁ, ଅବସ୍ଥା କାର୍ଯ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରେ। ଧୀରେ ଧୀରେ ଲୋକଟି ଏହି ବିଷୟରେ ସବୁବେଳେ ଭାବିଥାଏ ଓ ନିଜର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ଏହା ସାଧାରଣତଃ ସ୍ତ୍ରୀଲୋକମାନଙ୍କ ଠାରେ ଅଧିକ ଦେଖାଦେଇଥାଏ। ଏ ରୋଗ ପ୍ରାୟତଃ ୨୫-୩୫ ବର୍ଷ ବୟସରେ ହଠାତ୍ ଆରମ୍ଭ ହୋଇଥାଏ। ଧୀରେ ଧୀରେ ଏହା ଅତ୍ୟଧିକ ହୋଇଥାଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥାଏ।

ଏହା ସେରୋଟୋନିନ, ଗାବା, ଆଡ୍ରେ଼ନାଲିନ୍, ଡୋପାମିନ ଆଦି ନ୍ୟୁରୋଟ୍ରାନ୍ସମିଟର ବିଶୃଙ୍ଖଳତା ଯୋଗୁଁ ହୋଇଥାଏ। ନ୍ୟୁରୋଟ୍ରାନ୍ସମିଟର ହେଉଛି ଏକ ରାସାୟନିକ ଦ୍ରବ୍ୟ, ଯାହା ସ୍ନାୟୁଗୁଡ଼ିକ ମଧ୍ୟରେ ପ୍ରେରକ କାର୍ଯ୍ୟ କରେ। ଏକ ସୂତ୍ରରୁ ଜଣାପଡ଼ିଛି ଯେ ନିଜର ରକ୍ତ ସମ୍ପର୍କୀୟ ଲୋକମାନଙ୍କଠାରେ ଏ ରୋଗ ଥିଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଏହା ବଂଶଗତ ହୋଇପାରେ। ଏହି ରୋଗର ଲକ୍ଷଣ ଦେଖାଦେଲେ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଏହି ରୋଗର ଚିକିତ୍ସା, ଔଷଧ ଓ ସାଇକୋଥେରାପି ଦ୍ୱାରା କରାଯାଇଥାଏ। ଏହି ରୋଗରେ ମନରୁ ଅହେତୁକ ଭୟ ଦୂର କରିବା ପାଇଁ ଔଷଧ ଅତ୍ୟନ୍ତ ଉପଯୋଗ ହୋଇଥାଏ। ସାଇକୋଥେରାପି ଦ୍ୱାରା ରୋଗୀ ମନରେ ଜନ୍ମୁଥିବା ଅହେତୁକ ଭୟକୁ ବୁଝାସୁଝା ଦ୍ୱାରା କମ୍ କରାଯାଇଥାଏ। ଫଳରେ ରୋଗୀ ମନରୁ ଭୟ କମିଯାଏ। ଏହି ରୋଗ ଯଦିଓ କୌଣସି କାରଣରୁ ଜନ୍ମ ନେଇ ନଥାଏ ତଥାପି ଅନେକ କ୍ଷେତ୍ରରେ ପରିସ୍ଥିତିର ଅନୁଭୂତି ହିଁ ତା’ର ଭୟର କାରଣ ହୋଇଥାଏ। ଏହାକୁ ରୋଗ ବୋଲି ଭାବି ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା କଲେ ଏହି ରୋଗରୁ ଉପଶମ ମିଳିଥାଏ > ସହକାରୀ ଅଧ୍ୟାପକ, ମାନସିକ ରୋଗ ବିଭାଗ, ପୁରୀଘାଟ ରୋଡ଼, କଟକ

Leave a Reply

Your email address will not be published. Required fields are marked *