ସମ୍ପାଦକୀୟ

ନାଗରିକତାର ଆନନ୍ଦ

ଡାକ୍ତର ନୀଳମାଧବ ପୃଷ୍ଟି, ମିଡିଆ ସପୋର୍ଟ- ଶୁଭ୍ ଭାରତ ଟାଇମ୍ସ, ୨୦/୧୨- “ମୁକ୍ତିର ଆନନ୍ଦ’’ ଲେଖାଟି ପଢ଼ିଥିଲି। ଜଣେ ଜେଲ୍ ଫେରନ୍ତା ବ୍ୟକ୍ତି କିପରି ପଞ୍ଜୁରୀରେ ଥିବା ପକ୍ଷୀଙ୍କୁ ମୁକ୍ତ କରିଦେଉଛି, ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ଲେଖାଟି ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଶବ୍ଦ ସଂଯୋଜନା ଏପରି ଥିଲା ଯେ, ପ୍ରତ୍ୟେକ ଥର ପଢିଲା ବେଳେ ମୁଁ ଭାବବିହ୍ୱଳ ହୋଇଯାଉଥିଲି। ମୁକ୍ତି ଶବ୍ଦରେ ଗୋଟିଏ ଅଲଗା ଶିହରଣ ଥାଏ। ବନ୍ଦୀ ଜୀବନରୁ ମୁକ୍ତି କିମ୍ବା ଦୀର୍ଘ ଦିନର ଜଞ୍ଜାଳରୁ ମକ୍ତ ହେବାର ଅନୁଭବ ଅବର୍ଣ୍ଣନୀୟ। ଏ ଲେଖାଟି ଜେଲ ଭିତରେ ଥିବା କୌଣସି ବନ୍ଦୀର ଆତ୍ମକଥା ନୁହେଁ ବରଂ ଏହା ଥିଲା ହରିୟାଣା ଫତେହାବାଦରେ ବସବାସ କରୁଥିବା ୭୪ ବର୍ଷ ବୟସ୍କ ଦିବ୍ୟରାମଙ୍କ କାହାଣୀ।

ରାସ୍ତା କଡ଼ରେ ଚିନାବାଦାମ ବିକ୍ରି କରନ୍ତି ଦିବ୍ୟରାମ। ଡିସେମ୍ବର ୧୨ ତାରିଖରେ ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ସେ ଭାବବିହ୍ୱଳ ହୋଇଯାଇଥିଲେ। ଦୀର୍ଘ ୨୦ବର୍ଷ ପରେ ସେ ଶରଣାର୍ଥୀ ଜୀବନରୁ ମୁକ୍ତ ହେବେ। ତାଙ୍କର କାହାଣୀ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରୋମାଞ୍ଚକର। ୧୯୪୭ ମସିହାରେ ଦେଶ ବିଭାଜନ ପରେ ଦିବ୍ୟରାମ ପାକିସ୍ତାନରେ ବସବାସ କରୁଥିଲେ। ବେନଜିର ଭୁଟ୍ଟୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ପାକିସ୍ତାନର ସଂସଦକୁ ଜଣେ ସାଂସଦ ହିସାବରେ ମନୋନୀତ ହୋଇଥିଲେ। ପାକିସ୍ତାନ ସଂସଦରେ ଅଣମୁସଲିମ୍ ସଂପ୍ରଦାୟ ପାଇଁ କେତୋଟି ସ୍ଥାନ ସଂରକ୍ଷିତ ଥାଏ। କିନ୍ତୁ ଦିବ୍ୟରାମ ସାଂସଦ ଭାବେ ମନୋନୀତ ହେବା ପରେ ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡିଲା। ବିଭିନ୍ନ ମୁସଲିମ୍ ଗୋଷ୍ଠୀ ଭିନ୍ନ ଉପାୟରେ ତାଙ୍କ ଉପରେ ଚାପ ପକାଇଲେ। ସେମାନେ ଚାହୁଁ ନଥିଲେ ଯେ ଜଣେ ହିନ୍ଦୁ ସଂସଦରେ ପ୍ରତିନିଧିତ୍ୱ କରୁ। ସାଂସଦ ହେବାର ୧୫ଦିନ ପରେ ତାଙ୍କ ଝିଆରିକୁ ଅପହରଣ କରାଗଲା ଏବଂ ଇସ୍ତଫା ଦେବା ପାଇଁ ଚାପ ପକାଗଲା। ସେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ପାଇଲେ ନାହିଁ। ପରିସ୍ଥିତି ଚାପରେ ସେ ବାଧ୍ୟ ହୋଇ ତିନିମାସ ପରେ ସାଂସଦ ପଦରୁ ଇସ୍ତଫା ଦେଲେ ଏବଂ ୨୦୦୦ ଜାନୁଆରୀରେ ସେ ପରିବାର ସହ ଭାରତ ପଳାଇଆସିଲେ। ଶୁଣିବାକୁ ମିଳିଲା ସେ ପାକିସ୍ତାନରେ ନିଜର ୨୫ଏକର ଜମି ଛାଡ଼ି ଆସିଲେ। ମାତ୍ର ଏକ ମାସ ପାଇଁ ଭିସା ନେଇ ସେ ଭାରତ ଆସିଥିଲେ। ମାତ୍ର ପାକିସ୍ତାନରେ ତାଙ୍କ ଉପରେ ଅତ୍ୟାଚାର ହେଉଥିବା ଦର୍ଶାଇ ସେ ଭିସାର ଅବଧି ବଢ଼ାଇବାକୁ ଆବେଦନ କଲେ।

ଦିବ୍ୟରାମଙ୍କ ଭାରତ ଆସିବା ଆଜକୁ ପ୍ରାୟ ୨୦ବର୍ଷ ହୋଇଗଲା। କେବଳ ଦିବ୍ୟରାମ ନୁହନ୍ତି, ପାକିସ୍ତାନରେ ଏକ ବିଧାନସଭାରେ ମନ୍ତ୍ରୀ ଥିବା ବଲଦେବ ସିଂଙ୍କର ମଧ୍ୟ ସେହି ଅବସ୍ଥା। ପାକିସ୍ତାନରେ ସଂଖ୍ୟାଧିକ ସଂପ୍ରଦାୟ ଦ୍ୱାରା ଶୋଷଣର ଶିକାର ହେବାପରେ ଜୀବନ ବଞ୍ଚାଇବାକୁ ପରିବାର ସହ ଭାରତରେ ଶରଣାର୍ଥୀ ହିସାବରେ ରହିଆସୁଛନ୍ତି। ଦିବ୍ୟରାମ ଓ ବଲଦେବ ସିଂଙ୍କ ବିଷୟକୁ ଅନୁଧ୍ୟାନ କଲେ ସେମାନଙ୍କ ଉପରେ ଯେ ଧାର୍ମିକ ଆଧାରରେ ଅତ୍ୟାଚାର କରାଯାଉଥିଲା, ତାହା ସହଜରେ ଅନୁମେୟ। କହିବାକୁ ଗଲେ ଜଣେ ବ୍ୟକ୍ତି ଅନ୍ୟ ଦେଶରେ ଶରଣାର୍ଥୀ ଜୀବନ ବା କାହିଁକି ଅତିବାହିତ କରିବ ! ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କ ଉପରେ ଅତ୍ୟାଚାର ହେଉଛି। ପାକିସ୍ତାନର ପ୍ରଥମ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଯୋଗେନ୍ଦ୍ରନାଥ ମଣ୍ଡଳ ମୁସଲିମ ବହୁଳ ପାକିସ୍ତାନରେ ଭେଦଭାବର ଶିକାର ହୋଇ ୧୯୫୦ ମସିହାରେ ଭାରତ ପଳେଇ ଆସିଥିଲେ। କେବଳ ଏମାନେ ନୁହଁନ୍ତି, ପଞ୍ଚାବ ଅମୃତସର ଓ ଜଳନ୍ଧରରେ ଏହିପରି ଅନେକ ଲୋକ ଶରଣାର୍ଥୀ ଜୀବନ ବିତାଉଛନ୍ତି। କେବଳ ପାକିସ୍ତାନ ନୁହେଁ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ମଧ୍ୟ ସେଇ ସମାନ ଅବସ୍ଥା। ସେଠାରେ ରହିବାକୁ ହେଲେ ଇସଲାମ ଗ୍ରହଣ କରିବାକୁ ପଡ଼ିବ ନହେଲେ ଅତ୍ୟାଚାରର ସାମ୍ନା କରିବା ପାଇଁ ହେବ। ନିକଟ ଅତୀତରେ ପାକିସ୍ତାନରେ ଅନେକ ହିନ୍ଦୁ ଝିଅଙ୍କୁ ସଂଖ୍ୟାଧିକ ମୁସଲିମମାନଙ୍କ ଦ୍ୱାରା ଅପହରଣ ଓ ଧର୍ମ ପରିବର୍ତ୍ତନର ଅଭିଯୋଗ ଆସିଛି। ଉପରୋକ୍ତ ୩ଟି ଦେଶରେ ହିନ୍ଦୁ ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା, ନିଶ୍ଚିତ ଭାବରେ ଧାର୍ମିକ ଆଧାରରେ ଅତ୍ୟାଚାରକୁ ପ୍ରମାଣ କରୁଛି। କେବଳ ହିନ୍ଦୁ ନୁହନ୍ତି, ସମସ୍ତ ସଂଖ୍ୟାଲଘୁ ସଂପ୍ରଦାୟ ଏହି ଶୋଷଣର ଶିକାର ହେଉଛନ୍ତି। ୧୯୪୭ ମସିହାରେ ପାକିସ୍ତାନରେ ହିନ୍ଦୁ ଜନସଂଖ୍ୟା ୧୨.୯ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ହ୍ରାସ ପାଇ ୧.୬ ପ୍ରତିଶତ। ସେହିପରି ବଙ୍ଗଲାଦେଶରେ ହିନ୍ଦୁ ଜନସଂଖ୍ୟା ୨୨ ପ୍ରତିଶତରୁ ହ୍ରାସ ପାଇ ଆଜି ୮.୫ ପ୍ରତିଶତରେ ପହଞ୍ଚିଛି। ଏପରି ପରିସ୍ଥିତିରେ ନାଗରିକତା ସଂଶୋଧନ ଆଇନ ଏହି ଶରଣାର୍ଥୀମାନଙ୍କ ପାଇଁ ବରଦାନ ସଦୃଶ। ଯାହା ହଜାର ହଜାର ଶରଣାର୍ଥୀଙ୍କ ମୁହଁରେ ଏହି ଆଇନ ଆଜି ହସ ଫୁଟାଇ ପାରିଛି। ଏହି ଆଇନ ଶରଣାର୍ଥୀଙ୍କୁ ନ୍ୟାୟ ଦେବା ସଙ୍ଗେ ସଙ୍ଗେ ଅନୁପ୍ରବେଶ ରୋକିବାକୁ ମଧ୍ୟ ସକ୍ଷମ ହୋଇପାରିବ। ଏହା କେନ୍ଦ୍ର ସରକାରଙ୍କ ଦୃଢ଼ ଇଛାଶକ୍ତି ଓ ସାଲିସବିହୀନ ରାଜନୀତିର ଆଉ ଏକ ନମୁନା। ପାଣିକୋଇଲି, ଯାଜପୁର, ଦୂରଭାଷ-୯୪୩୯୪୮୨୫୨୬

Leave a Reply

Your email address will not be published. Required fields are marked *