ଜାତୀୟ

ଓଡିଶାରେ ଭ୍ରଷ୍ଟତନ୍ତ୍ର ଚାଲିଛି – ପି.ଏମ୍ ମୋଦୀ

ଝାରସୁଗୁଡା, ଶୁଭ୍ ଭାରତ ଟାଇମ୍ସ,୨୨/୯- ରାଜ୍ୟରେ ପିସି(ପରସେଣ୍ଟ୍) କାରବାର ରୋକି ପାରୁନାହିଁ ନବୀନ ସରକାର। ରାଜ୍ୟର ଉନ୍ନତିରେ ବାଧା ଦେଉଛି ପିସି। ପିସି ଯୋଗୁଁ ଗରିବ ଲୋକ ପେସି ହୋଇଯାଉଛନ୍ତି। ପିସି ବିକାଶ ରୋକିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ଝାରସୁଗୁଡା ବିମାନବନ୍ଦର ଉଦଘାଟନ କରିବା ପରେ ଅମଲିପାଲିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଥିଲେ। ଓଡିଶା ସରକାରଙ୍କ ଦୁର୍ନୀତିକୁ କାର୍ଡ କରି ପୁରା ବକ୍ତବ୍ୟ ସରକାରଙ୍କ କଳା କାରନାମା ପ୍ରସଙ୍ଗରେ ବିତାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି କି, ଓଡିଶାରେ ଚାରା ଦୁର୍ନୀତି ଠାରୁ ଆରମ୍ଭ କରି ରାସ୍ତାଘାଟ କାମ, ସବୁଠାରେ ଘୋଟାଲା। ଓଡିଶାରେ ଏବେ ଭ୍ରଷ୍ଟତନ୍ତ୍ର ଚାଲିଛି। ଯାହା ଓଡିଶାବାସୀଙ୍କ ଅବନତିର କାରଣ। ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡିଶା ସରକାରର ପରିଚୟ ହେଲାଣି। ଦିଲ୍ଲୀରେ ଥାଇ ଆମକୁ ଓଡିଶା ସରକାରଙ୍କୁ ଉଠାଇବାକୁ ପଡୁଛି।

ରାଜ୍ୟର ବିକାଶ ଦିଗରେ ଓଡିଶା ସରକାରର କୌଣସି ଚିନ୍ତା ନାହିଁ। ଏଭଳି ସ୍ଥିତିରେ ଓଡିଶାରେ ବିକାଶ କିପରି ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ। ସେଥିପାଇଁ ଓଡିଶାରେ ପରିବର୍ତ୍ତନ ଜରୁରୀ ବୋଲି ମାନନୀୟ ପ୍ରଧାନମନ୍ତ୍ରୀ ଇଶାରା ଦେଇଛନ୍ତି। ତାଙ୍କ ମତରେ ପରିବର୍ତ୍ତନ ହିଁ ଓଡିଶାକୁ ଆଗକୁ ନେଇପାରିବ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନା ଓ ଟଙ୍କିକିଆ ଚାଉଳ ପ୍ରସଙ୍ଗରେ ନବୀନ ସରକାରର ବାହାଦୁରୀକୁ କଡା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ ସ୍ପଷ୍ଟ କରିଛନ୍ତି କି ଟଙ୍କିକିଆ ଚାଉଳ ବଣ୍ଟନ ପାଇଁ ସମଗ୍ର ସହାୟତା ଦେଉଛନ୍ତି କେନ୍ଦ୍ର ସରକାର, ନାଁ ନେଉଛି ନବୀନ ସରକାର। କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ସହଯୋଗ କରିବା ଲକ୍ଷରେ ଯେଉଁ ଯୋଜନାକୁ ମଞ୍ଜୁରୀ ଦେଇଛି, ସେହି ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ନବୀନ ସରକାର ତାର ନିଜସ୍ୱ ଯୋଜନା କହି ଡିଣ୍ଡିମ ପିଟୁଛି ବୋଲି ପ୍ରଧାନମନ୍ତ୍ରୀ ସଭାମଞ୍ଚରେ ରାଜ୍ୟ ସରକାରଙ୍କ ମୁଖା ଖୋଲିଛନ୍ତି।

Leave a Reply

Your email address will not be published. Required fields are marked *