ବିଜ୍ଞାନ

ପରୀକ୍ଷା ପାଇଁ ପ୍ରସ୍ତୁତି

ଡାକ୍ତର ସମ୍ରାଟ କର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ପରୀକ୍ଷା ଉନ୍ନତିର ଏକ ସୋପାନ। ମନୁଷ୍ୟ ବାଲ୍ୟାବସ୍ଥାରୁ ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ଅନେକ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ଏହାର ସଂକ୍ଷିପ୍ତ ବର୍ଣ୍ଣନା କରିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

ପ୍ରଥମେ ଖାଇବା ଓ ଶୋଇବା ବିଷୟରେ ଆଲୋଚନା କରିବା। ଶୋଇବାର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ପଢ଼ିବା କଥା ନୁହେଁ। କେତେଜଣ ବହି ଧରି ଶୁଅନ୍ତି। ଏପରି ହେଲେ ନିଦରେ ବା ସ୍ୱପ୍ନରେ ମଧ୍ୟ କେବଳ ପାଠ ମନେ ପଡ଼ିବ। ଦିନସାରା ମନ ଅସ୍ଥିର ଓ ବାଉଳା ଲାଗିବ। ପ୍ରତିଦିନ ୬ରୁ ୮ଘଣ୍ଟା ଶୋଇବାର ଅଭ୍ୟାସ କର।

ପ୍ରତ୍ୟେକ ପ୍ରଶ୍ନକୁ ଭାବିକି ଲେଖିବା ପାଇଁ ପରୀକ୍ଷା ହୁଏ। ଠିକ୍ ଭାବେ ନ ଶୋଇଲେ, ଭାବନା ମଧ୍ୟ ସଠିକ ହେବନାହିଁ। ପ୍ରଶ୍ନର ଉତ୍ତର ଭାବିକି ଲେଖିବାରେ ଅସୁବିଧା ହେବ। ମଧ୍ୟାହ୍ନ ଓ ରାତ୍ରିଭୋଜନ ଆଦି ଭାରି ଖାଦ୍ୟ ଖାଇବାର ଅଧ ଘଣ୍ଟାରୁ ଘଣ୍ଟାଏ ମଧ୍ୟରେ ପାଠ ପଢ଼ ନାହିଁ। ଏହି ସମୟରେ ପାକସ୍ଥଳୀକୁ ଅଧିକ ଓ ମସ୍ତିଷ୍କକୁ ଟିକିଏ କମ୍ ରକ୍ତ ସଞ୍ଚାଳନ ହୁଏ। ଟିକିଏ ନିଦୁଆ ଲାଗେ। ପାଠ ଠିକ୍ ଭାବେ ମନେ ରହେ ନାହିଁ।

ନିଜେ ନିଜକୁ ପ୍ରଶ୍ନ କରି ସୂଚୀ ପ୍ରସ୍ତୁତ କର। କେଉଁ ପାଠ ଅଛି ? କେଉଁଟା ଗୁରୁତ୍ୱପୂର୍ଣ୍ଣ ପାଠ ? କ’ଣ ମନେ ରହୁନାହିଁ ? ପାଠଟି ବୁଝିକରି ମନେ ରଖିବା ପାଇଁ କେତେ ସମୟ ଲାଗିବ ? ଏହାଠାରୁ ପ୍ରାୟ ଦେଢ଼ଗୁଣ ଅଧିକ ସମୟ ହାତରେ ରଖ।

Beautiful women asian university student in library

ନିଜର ସ୍କୁଲ, ଟିଉସନ୍, ଖାଇବା ଓ ଖେଳିବା ଇତ୍ୟାଦିରେ କେତେ ସମୟ ଯାଉଛି ଲେଖିରଖ। ତେଣୁ ଦିନର କେଉଁ ସମୟରେ କେତେ ପାଠ ପଢ଼ିବ ଜାଣିପାରିବ। ଗୃହିଣୀ ଓ ଚାକିରି କରି ପାଠ ପଢ଼ୁଥିବା ପିଲାମାନେ ଘରକାମ, ଅଫିସ କାମ ଓ ପିଲାକାମ ସାରି ପଢାପଢ଼ି କରନ୍ତୁ। ତା’ହେଲେ ମନ ଅସ୍ଥିର ହେବନାହିଁ। ପାଠରେ ମନ ଲାଗିବ।

ପରୀକ୍ଷା ସମୟରେ ପିଲାମାନେ ଅଭିଯୋଗ କରନ୍ତି ଯେ, ମନ ଅସ୍ଥିର ରହୁଛି ଓ କୌଣସ ପାଠ ଠିକ୍ ଭାବେ ମନେ ରହୁନାହିଁ। ପାଠ ପଢ଼ିବା ସମୟରେ ମନ ଅସ୍ଥିର ହୋଇ କୁଆଡ଼େ ପଳାଏ, ସେଠୁ ପୁଣି ଆଉ କୁଆଡ଼େ। ମାନସିକ ଚାପ ମନ ଅସ୍ଥିର ହେବାର ମୁଖ୍ୟ କାରଣ। ଆମେ ବାହାରୁ ଦେଖିଲେ ଲାଗେ ଯେପରି ପିଲାଟି ପାଠ ପଢ଼ୁଛି। ମାତ୍ର ସେ ଖେଳ କଥା, ସାଙ୍ଗମାନଙ୍କ କଥା ଓ ଟିଭି କାର୍ଯ୍ୟକ୍ରମ ବିଷୟରେ ଭାବୁଥାଏ।

ଏହି ଚାପ ଘରେ ଓ ବାହାରେ ହୋଇଥିବା ଗଣ୍ଡଗୋଳ, ଆର୍ଥିକ ଅନଟନ, ନିଜ ଲୋକଙ୍କ ଦେହ ଖରାପ ଇତ୍ୟାଦି ଯୋଗୁଁ ହୋଇପାରେ। ଭୋଜିଭାତ, ଭଲ ଟିଭି କାର୍ଯ୍ୟକ୍ରମ ବା ଖେଳିବାର ମନ ଥିଲେ ମଧ୍ୟ ମାନସିକ ଚାପ ପଡ଼ି ମନ ଅସ୍ଥିର ରହେ। ମାନସିକ ସମସ୍ୟା ଯଥା ମାନସିକ ବିଷାଦ ଓ ଉଦବେଗ ଯୋଗୁଁ ମଧ୍ୟ ଏହା ହୋଇପାରେ। ଏଥିଲାଗି ମନକୁ ସ୍ଥିର ରଖିବା ଆବଶ୍ୟକ।

Female student outdoors holding a notebook and smiling

କେତେକ ପିଲା ପରୀକ୍ଷା ପୂର୍ବରୁ ଅତ୍ୟଧିକ ଛାନିଆ ହୋଇ ପାଠ ପଢ଼ନ୍ତି ନାହିଁ କିମ୍ବା ପାଠ ଭୁଲି ଯାଆନ୍ତି। ଭଲକରି ପାଠ ମନେଥିଲେ ମଧ୍ୟ ପରୀକ୍ଷାରେ ଲେଖିପାରନ୍ତି ନାହିଁ। ପରୀକ୍ଷା ପୂର୍ବରୁ ଅଳ୍ପ ଛାନିଆ ହେଲେ ଭଲ। ପାଠ ପଢ଼ାରେ ମନ ଲାଗିବ ଓ ମନେ ରଖିବା ସହଜ ହେବ। ମାତ୍ର ଅତ୍ୟଧିକ ଛାନିଆ କେବଳ ନିଜ ପାଇଁ ହିଁ ଖରାପ। ପରୀକ୍ଷା ବିଷୟରେ ଅତ୍ୟଧିକ ଭାବିଲେ ମନରେ ଛାନିଆ ପଶେ। ଅଧିକାଂଶ ପିଲା ଅଭିଯୋଗ କରନ୍ତି ଯେ, ସ୍ମରଣ ଶକ୍ତି ବ୍ୟାଘାତ ହେଉଛି। ପରୀକ୍ଷା ପୂର୍ବରୁ ଭଲ କରି ପାଠପଢ଼ି ମନେ ରଖିଥିଲେ ମଧ୍ୟ କିଛି ପାଠ ମନେ ନାହିଁ ଓ ପରୀକ୍ଷାରେ ଫେଲ ହେବେ। ମନେ ରଖିବା ଉଚିତ ଯେ, ପରୀକ୍ଷା ପୂର୍ବଦିନ ଠିକ ଭାବେ ଖାଇବ ଓ ଶୋଇବ। ଅନ୍ୟଦିନ ଠାରୁ ଅଧିକ ବା କମ୍ ନୁହେଁ। ଶିରୋନାମା ଓ ଏହାର ମୁଖ୍ୟ ବିଷୟବସ୍ତୁକୁ ମନେ ପକାଇବ। ପରୀକ୍ଷାରେ ପଡ଼ିଲେ କଅଣ ଲେଖିବ ବୋଲି ଭାବିବ।

ମନରୁ ଦୁଶ୍ଚିନ୍ତା ଦୂରକରି ଖୁସି ରହିବାକୁ ଚେଷ୍ଟା କରିବ। ପରୀକ୍ଷା ଦିନ ସକାଳେ ଅତି ତରତର ହୋଇ ଗାଧୋଇବା, ଖାଇବା ଆଦି ନିତ୍ୟକର୍ମ କରିବା ଉଚିତ ନୁହେଁ। ପ୍ରତିଦିନ ଯେପରି କର, ଆଜି ମଧ୍ୟ ସେହିପରି କରିବ। ଅତି ତରତର ହେଲେ ଛାତି ଧଡ଼୍ ଧଡ଼ ହେବ, ଝାଳ ବାହାରିବ। ପ୍ରକୃତରେ ମନ ଛାନିଆ ନ ହେଲେ ମଧ୍ୟ ଛାତି ଧଡ଼ ଧଡ଼ ହେବା ଯୋଗୁଁ ଛାନିଆ ହେବା ଭଳି ଲାଗିବ। ନିଜର ଖାତା, ବହି ଓ ନୋଟସ୍ ଆଦିକୁ ପରୀକ୍ଷା କେନ୍ଦ୍ରକୁ ନେବ। ନିହାତି ଦରକାର ନହେଲେ ଖୋଲିବ ନାହିଁ। ଯେଉଁ ପିଲାମାନେ ଅତ୍ୟଧିକ ଛାନିଆ ହୁଅନ୍ତି ବା କରାନ୍ତି, ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍।

ନିଜକୁ ନିଜେ ବୁଝାଅ ଓ ସାହସ ଦିଅ। ପରୀକ୍ଷା ପୂର୍ବରୁ ପାଠ ପଢ଼ିବା ଦରକାର। ତୁମେ ଏକା ନୁହେଁ, ଏହି ପାଠପଢ଼ା ସମସ୍ତଙ୍କ ଉପରେ କିଛି ନା କିଛି ମାନସିକ ଚାପ ପକାଏ। ମାନସିକ ଚାପ କେତେ ହେବ, ତାହା ନିଜ ଉପରେ ନିର୍ଭର କରେ। ପରୀକ୍ଷାରେ ସଫଳତାର ଚାବିକାଠି ହେଉଛି ସଠିକ୍ ଯୋଜନା। ପରୀକ୍ଷା ବିଷୟରେ ବେଶି ଭାବ ନାହିଁ, ବେଶି ଭାବିଲେ କିଛି କରିହେବ ନାହିଁ। ଯାହା ଉପରେ ଆମ ନିୟନ୍ତ୍ରଣ ନାହିଁ, ଆମେ କିଛି କରିପାରିବା ନାହିଁ। ମାତ୍ର ପାଠ ପଢ଼ିଲେ, ପରୀକ୍ଷାରେ ଭଲ କରିପାରିବା। ପୁରୀଘାଟ ରୋଡ଼, କଟକ

Leave a Reply

Your email address will not be published. Required fields are marked *