ସମ୍ପାଦକୀୟ

ଗୁଣ୍ଡାଗର୍ଦ୍ଦି ଚଳାଇଛି ପୋଲିସ

ମନୋରଞ୍ଜନ ପଟ୍ଟନାୟକ- କେବେ ଓକିଲଙ୍କୁ ପିଟିଲେଣି ତ କେବେ ସାମ୍ବାଦିକଙ୍କୁ। ରାଜ୍ୟରେ ଗୁଣ୍ଡାଗର୍ଦ୍ଦି ଚଳାଇଛି ପୋଲିସ୍। ସେପ୍ଟେମ୍ବର ୨୮ରେ ପୁରୀର ଏକ ପେଟ୍ରୋଲ୍ ପମ୍ପରେ ଚାଲିଥିବା ଅପମିଶ୍ରିତ ପେଟ୍ରୋଲ କାରବାରର ପର୍ଦ୍ଦାଫାସ୍ କରିଥିବା ସାମ୍ବାଦିକଙ୍କୁ ପୋଲିସ ନିର୍ଦ୍ଧୁମ୍ ଛେଚିଲା। ପେଟ୍ରୋଲ ପମ୍ପକୁ ସୁରକ୍ଷା ଦେବା ଆଳରେ ପହଂଚିଥିବା ପୋଲିସ୍ ପେଟ୍ରୋଲ ପମ୍ପ୍ ମାଲିକର ଭଡାଟିଆ ଗୁଣ୍ଡା ଭଳି ଆଚରଣ ଦେଖାଇଲା। ଘଟଣାସ୍ଥଳରେ ୧୨ ଜଣ ସାମ୍ବାଦିକ ଗୁରୁତର ପ୍ରହାର ଖାଇଛନ୍ତି। ସେତେବେଳେ ଉପସ୍ଥିତ ଜଣେ ଓକିଲ ମଧ୍ୟ ମାଡରୁ ବର୍ତ୍ତି ନାହାଁନ୍ତି। ଘଟଣାପଛର କାରଣ ଥିଲା ଜାଲିଆତିକୁ କାହିଁକି ପର୍ଦ୍ଦାପାସ୍ କଲା ସାମ୍ବାଦିକ। ସେତେବେଳେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଜନତା ହସ୍ତକ୍ଷେପ କରି ପୋଲିସର ଉତ୍ତମ ମଧ୍ୟମ ଖାଇଲେ। ଦୈନନ୍ଦିନ ଖବରକାଗଜ ଓ ଟେଲିଭିଜନ ନିୟୁଜରେ ଆଖି ପକାଉଥିବା ଜନସାଧାରଣଙ୍କ ମନରେ ଗୋଟିଏ ପ୍ରଶ୍ନ ଓଡିଶାରେ କାହାକୁ ସେମାନେ ନିଜର ଦୁଃଖ ଜଣାଇବେ।

ପୁରୀରେ ରକ୍ତମୁଖା ପୋଲିସର ବର୍ବର କାଣ୍ଡ, ସାମ୍ବାଦିକଙ୍କ ମୁଣ୍ଡରେ ଲାଠି ପ୍ରହାର

ଘଟଣାରୁ ଦୂରରେ ଥିବା ବରିଷ୍ଠ ସାମ୍ବାଦିକଙ୍କ ମନରେ ଅନେକ ପ୍ରଶ୍ନ। ସେମାନଙ୍କ ମତରେ ଘରକାମର ମିସ୍ତ୍ରୀ ଅଧୀନରେ କାମ କରୁଥିବା ଜଣେ ମୁଲିଆର ଦୈନିକ ରୋଜଗାର ୩ ଶହ ଟଙ୍କା। ସେଇ ହିସାବରେ ତା’ର ୨୬ ଦିନର ମଜୁରୀ ମୂଲ୍ୟ ୭ ହଜାର ୮ଶହ ଟଙ୍କା। କିନ୍ତୁ ନିକଟ ଅତୀତରେ ରାଜ୍ୟ ବିଜୁ ଜନତା ଦଳ ସରକାର ସାମ୍ବାଦିକଙ୍କ ମାସିକ ଭତ୍ତା ୨ ହଜାର ୭ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି। ତାହା ସହ ଏକ ଧଇଁଆ ବୀମା ଯୋଜନାକୁ ଭତ୍ତା ସହ ଯୋଡା ଯାଇଛି। ଫରକ ଏତିକି ଯେ ଅନପଢ/ଅର୍ଦ୍ଧ ଶିକ୍ଷିତ ମୁଲିଆ ପାଉଥିବା ଟଙ୍କାକୁ ‘ମଜୁରୀ’ କୁହାଯିବାବେଳେ ଉଚ୍ଚଶିକ୍ଷିତ ଜାଗ୍ରତ ପ୍ରହରୀ ବା ସାମ୍ବାଦିକ ପାଇବା ଟଙ୍କା ସରକାରୀ ‘ଭତ୍ତା’ରେ ମୂଲ୍ୟାଙ୍କନ କରାଯିବ।


ପୁରୀରେ ରକ୍ତମୁଖା ପୋଲିସର ବର୍ବର କାଣ୍ଡ, ସାମ୍ବାଦିକଙ୍କ ମୁଣ୍ଡରେ ଲାଠି ପ୍ରହାର – ୨

ସରକାର ସାମ୍ବାଦିକମାନଙ୍କୁ ଆଉ କେତେଦିନ ଧରି ହାରକିନ ଦେଖାଇବେ ସେ ବିଷୟରେ କଥିତ ବୀମା ଓ ଭତ୍ତା ସହ ଯୋଡି ହେଇଥିବା ସାମ୍ବାଦିକଗଣ ଅଧିକ ଜାଣିଥିବେ । କାହିଁକିନା ଭତ୍ତା ଦିଆଯିବ ବୋଲି ସରକାରୀ ଘୋଷଣା ସୁଦ୍ଧା ସେମାନେ ଆବେଦନ କରିସାରିଥିଲେ, ସରକାରଙ୍କ ନିଷ୍ପତ୍ତି ପରେ ଆଉ ପାଟି ଖୋଲିବାର ଯୁ ନଥିଲା। ସେ ଯାହାବି ହେଉ, ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। ସାମ୍ବାଦିକ ଭତ୍ତା ଯୋଜନାକୁ ମଞ୍ଜୁରୀ ମିଳିଗଲା ପରେ କିଛି ବରିଷ୍ଠ ସାମ୍ବାଦିକ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଲତୋଡା ଦେଇ କୃତଜ୍ଞତା ଜଣାଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଭତ୍ତା ଲାଗି ଆବେଦନ କରିଥିବା ୩ ହଜାରରୁ ଅଧିକ ସାମ୍ବାଦିକ ଖୁସି ମନରେ ଚୁପ ରହିଗଲେ। କାହିଁକିନା ସେତେବେଳକୁ କିଛି ବଡବଡିଆ ସାମ୍ବାଦିକ ସରକାରଙ୍କ ଘୋଷଣାକୁ ସମର୍ଥନ କରିଛନ୍ତି ବୋଲି ଜଣାଇସାରିଥିଲେ।


ଭତ୍ତା ଯୋଜନାକୁ ମଞ୍ଜୁରୀ ମିଳିଗଲା ପରେ ବରିଷ୍ଠ ସାମ୍ବାଦିକମାନେ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ

ସରକାର ପ୍ରମାଣ କରିଦେଲେ ଯେ, ଲଲିପପ୍ ଧରାଇଦେଇ ଓଡିଶାର ସାଢେ ୪କୋଟି ଜନତାଙ୍କ ଆଗରେ ସାମ୍ବାଦିକଙ୍କ ଦାମ୍ଭିକତାର ମୂଲ୍ୟାୟନ ସହଜ ହେଲା। ଏଭଳି କିଛି ଦିନ ଯିବାପରେ ଥରେ ଫେସବୁକରେ ଦେଖିବାକୁ ମିଳିଥିଲା ଯେ, ସାମ୍ବାଦିକ ବୀମା ଯୋଜନାରେ ସଂଶ୍ଳୀଷ୍ଟ ହୋଇଥିବା ଜଣେ ସାମ୍ବାଦିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମାତ୍ର ସରକାରଙ୍କ ସାମ୍ବାଦିକ ବୀମା ଯୋଜନାରେ ଅର୍ଥ ମିଳିବାର ଅନିଶ୍ଚିତତା ଯୋଗୁଁ ଆହତ ସାମ୍ବାଦିକ ଜଣକ ତାହା ପରଦିନ ଉକ୍ତ ଘରୋଇ ଡାକ୍ତରଖାନା ଛାଡି ଚାଲିଗଲେ।

ମୁଖ୍ୟମନ୍ତ୍ରୀଙ୍କ ପରିଚାଳିତ ଗୃହ ବିଭାଗର ନଜର ମଧ୍ୟ ରହିଛି ଓକିଲଙ୍କ ଉପରେ। ହେଲେ ଭାଇ, ଓକିଲ ମାନଙ୍କ ସଂଘ ସୁଦୃଢ। ସେମାନେ ରାଜ୍ୟର ନାମକରା ମେଟ୍ରୋ ସିଟିରେ ଏକାଧିକ ପ୍ଳାଟୁନ୍ ପୋଲିସଙ୍କ ଉପସ୍ଥିତିରେ ପୋଲିସ ଜିପରେ ନିଆଁ ଲଗାଇ ନିଜ ଦମ୍ ଦେଖାଇଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କୋର୍ଟ କଚେରୀ କାର୍ଯ୍ୟକୁ ଠପ୍ କରିଦେଉଛନ୍ତି। ଆମେ ଏଭଳି କରିବାକୁ ଆଦୌ ଉସକାଉନୁ। ହେଲେ ଗଣତନ୍ତ୍ରରେ ନ୍ୟାୟପାଳିକାକୁ ମିଳିଥିବା ଅଧିକାର ଭଳି ଗଣମାଧ୍ୟମକୁ ମଧ୍ୟ ଚତୁର୍ଥ ସ୍ତମ୍ଭ କୁହାଯାଇଛି। ତେବେ ଆମ ରାଜ୍ୟରେ ଓକିଲ ଓ ସାମ୍ବାଦିକଙ୍କ ମଧ୍ୟରେ ଏତେ ତାରତମ୍ୟ କାହିଁକି ?

ଆପଣମାନେ ମନେ ପକାନ୍ତୁ ; ଓଡିଶାରେ ଏକ ଚିରାଚରିତ ‘ବୋଲି’ ଅଛି, କେତେବେଳେ କେମିତି କାହାରି ନା କାହାରି ପାଟିରୁ ବାହାରିପଡେ ‘ଓକିଲ, ସାମ୍ବାଦିକ ଓ ପୋଲିସ୍, ଏମାନଙ୍କୁ ସାବଧାନ’। ସମୟ ଥିଲା ଏହି ‘ବୋଲି’ ଏବଂ ‘ବୋଲି’ କ୍ରମାନୁସାରେ ସାମ୍ବାଦିକ ସବୁବେଳେ ପୋଲିସକୁ ପଛରେ ପକାଇଥିଲେ। ସେମାନଙ୍କର ସରକାରୀ ଚାକିରି ଆଉ ଦରମା ଗଣ୍ଡାକ ସୁରକ୍ଷିତ। ହେଲେ ଖାଲି ପକେଟରେ ବୁଲୁଥିବା ସାମ୍ବାଦିକଙ୍କୁ ଦେଖିଲେ ତାଙ୍କ ପିଳେହି ପାଣି ହେଉଥିଲା। ପଛରେ ଗାଳିଗୁଲଜ କରନ୍ତୁ ପଛେ, ସାମ୍ନାସାମ୍ନି ହେବା ମାତ୍ରେ ତାଙ୍କ ଦମ୍ଭ ଭାଙ୍ଗିଯାଉଥିଲା।

ଏବେ ଏଥିରେ ସାଙ୍ଘାତିକ ପରିବର୍ତ୍ତନ ଘଟିଛି। ସାମ୍ବାଦିକ ଉପରେ ଜୁଲୁମ ଚଳାଉଛି ପୋଲିସ୍। ଏହାକୁ କ’ଣ ଦମନ କରିପାରିବେ ସାମ୍ବାଦିକ ? ବାଲେଶ୍ୱରରେ ସାମ୍ବାଦିକଙ୍କୁ ପିଟିଲେ ବିଧାୟକ, କଟକରେ ଜଣେ ମହିଳା ସାମ୍ବାଦିକ ଆକ୍ରମଣର ଶିକାର ହେଲେ। ରାଜଧାନୀରେ ଏଭଳି ଅନେକଥର ଘଟିଯାଇଛି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଧଇଁଆ ବୀମା ଓ ଭତ୍ତା ଯୋଜନା କରିଥିବା ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ବୋଲି ବୁଦ୍ଧିଜୀବୀ ଦାବି କରୁଛନ୍ତି।
ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ (୨୮ ସେପ୍ଟେମ୍ବର, ୨୦୧୮)

Leave a Reply

Your email address will not be published. Required fields are marked *