ଜାତୀୟ

ରିଫାଇନାରୀ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ବରଗଡ, ଶୁଭ୍ ଭାରତ ଟାଇମ୍ସ- ୧୦୦୦ କୋଟି ଟଙ୍କାର ରିଫାଇନାରୀ ପ୍ରକଳ୍ପ ପଶ୍ଚିମ ଓଡ଼ିଶାବାସୀଙ୍କ ସମେତ ସାରା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୂଆଖାଇ ଉପହାର। ଏହି ପ୍ରକଳ୍ପ ପ୍ରଦୂଷଣକୁ ରୋକିବାରେ ଅନେକ ଗୁଣରେ ସହାୟକ ହେବ। କୃଷକମାନଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ରୋଜଗାରର ବାଟ ଦେଖାଇବ। ତାହାସହ ଏହି ପ୍ରକଳ୍ପ ବେକାରୀ ସମସ୍ୟା ଦୂର କରିବାରେ ମଧ୍ୟ ଅନେକ ମାତ୍ରାରେ ସହାୟ ହେବ। ଏହି ରିଫାଇନାରୀ ପ୍ରକଳ୍ପ ବାର୍ଷିକ ୩ ଲକ୍ଷ କୋଟି ଲିଟର ଜୈବ ଇନ୍ଧନ ଉତ୍ପାଦନ କରିବାର କ୍ଷମତା ରଖିଛି। ଏହା ଦ୍ୱାରା ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧିକୁ କିଛି ମାତ୍ରାରେ ନିୟନ୍ତ୍ରଣ ମଧ୍ୟ କରାଯାଇ ପାରିବ ବୋଲି କହିଛନ୍ତି ମାନ୍ୟବର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୧୦ ତାରିଖ ବରଗଡ଼ର ବଉଲସିଂଘାରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ ଦେଶର ପ୍ରଥମ ଇଥାନଲ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଂକ ବକ୍ତବ୍ୟ ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି ଧାନ ନଡ଼ା ଦ୍ୱାରା ଏହି ପ୍ଲାଣ୍ଟରୁ ଇନ୍ଧନ ଉତ୍ପାଦନ କରାଯାଇପାରିବ। ବାର୍ଷିକ ଦୁଇ ଲକ୍ଷ ଟନ୍‌ ନଡ଼ା ଏଥିରେ କଞ୍ଚାମାଲ ଭାବେ ବ୍ୟବହାର କରାଯିବ। ପ୍ରାୟ ୫୭ ଏକର ଜମିରେ ହେଉଥିବା ଇଥାନଲ ପ୍ଲାଣ୍ଟର ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସ୍ଥିର ହୋଇଛି।

କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ବିଜେଡି ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ କହିଲେ ଏହା ଏକ ଯୁଗାନ୍ତକାରୀ ପ୍ରକଳ୍ପ। ସେ ଏହାର ଭୁରିୟାସୀ ପ୍ରସଂଶା କରିବା ସହ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧୁବାଦ ଜଣାଇଥିଲେ। ଶ୍ରୀ ଆଚାର୍ଯ୍ୟ ସ୍ପଷ୍ଟ କରିଥିଲେ କି, ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନଙ୍କର ଅନେକ ଉପକାର ହେବ, ଚାଷୀର ଦୁଃଖ ଦୂର ହୋଇପାରିବ। ବିକାଶ ମୂଳକ କାର୍ଯ୍ୟରେ ରାଜନୀତି ନହେବା ଆବଶ୍ୟକ। କାରଣ ଏହା ଲୋକଙ୍କ ଉପକାରରେ ଆସିବ। ଦେଶରେ ଏହା ପ୍ରଥମ ଇଥାନଲ ପ୍ଲାଣ୍ଟ ହୋଇଥିବାରୁ ଏହାର ଅନେକ ଗୁରୁତ୍ୱ ରହିଛି, ଯାହା ଓଡ଼ିଶା ପାଇଁ ଏକ ଗୌରବର କଥା ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଆଚାର୍ଯ୍ୟ ମତ ଦେଇଥିଲେ।

ସମ୍ଭାବ୍ୟ ଆଲୋଚନାରୁ ଜଣାଗଲା କି ବରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ସମ୍ବଲପୁର, ସୋନପୁର ବଲାଙ୍ଗୀର ଜିଲ୍ଲାର ଚାଷୀମାନେ ଏହି ପ୍ଲାଣ୍ଟ ଯୋଗୁ ବିଶେଷ ଭାବେ ଉପକୃତ ହେବେ। ନିଯୁକ୍ତି ଦୃଷ୍ଟିରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୨ଶହ ଯୁବକଯୁବତୀ ଏଥିରୁ ଉପକୃତ ହେବେ ବୋଲି କହିଥିଲେ ବାୟୋ ଫୁଏଲର ମୁଖ୍ୟ ପ୍ରବନ୍ଧକ ସଞ୍ଜିବ ପାଉଲ। ସବୁଠାରୁ ବଡ କଥା ହେଲା ଏହି ପ୍ଲାଣ୍ଟରୁ ଯେଉଁ ଜୈବ ଇନ୍ଧନ ପ୍ରସ୍ତୁତ କରାଯିବ ତାହା ଧାନ ନଡାରୁ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

ପ୍ରଶନ୍ନ ଆଚାର୍ଯ୍ୟଙ୍କ ବକ୍ତବ୍ୟର ଖିଅ ଧରିଥିଲେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଥିଲେ, “ପ୍ରଶନ୍ନ ବାବୁ ପ୍ରଥମେ ନିଜ ଦଳର ନେତାଙ୍କୁ ଆପଣ ବୁଝାଇ ଦିଅନ୍ତୁ, ଏହି ପ୍ରକଳ୍ପକୁ ନେଇ କୌଣସି ରାଜନୀତି ନକରନ୍ତୁ।“ ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ଦୃଷ୍ଟିରୁ ଉଭୟ ନେତାଙ୍କ ମଧ୍ୟରେ ସଭାମଂଚରେ ଚାଲିଥିବା ବୟାନବାଜୀକୁ ନେଇ ଚର୍ଚ୍ଚା ଯୋର୍ ଧରିଛି। ତେବେ ଏହି ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ଆୟୋଜିତ ସାଧାରଣ ସଭାରେ ଉପସ୍ଥିତ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ଥିଲେ ବରଗଡ଼ ସାଂସଦ ପ୍ରଭାସ ସିଂ, ରାଜ୍ୟ ଓର୍କ୍, ଷ୍ଟିଲ ଓ ମାଇନ୍ସ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗାନି ଛୁରିଆ, ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବିଜେପୁରର ମହିଳା ବିଧାୟକ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ପରିଷଦର ମହିଳା ଅଧ୍ୟକ୍ଷ ମୁକ୍ତା ସାହୁ ଓ ଉପାଧ୍ୟକ୍ଷ ମଦନଦୀପ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *