ସ୍ୱାସ୍ଥ୍ୟ

ସଡ଼କ ଯାତ୍ରା ଓ ମାନସିକ ବିକୃତି

ଡାକ୍ତର ସମ୍ରାଟ କର, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଭାବେ ପାଳିତ ହୋଇଥାଏ। ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କ ଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ସୂଚନା ଦେବା ପାଇଁ ପ୍ରତିବର୍ଷ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସଡ଼କରେ ଯାତ୍ରା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ। ଆକାଶ ପଥରେ ବିମାନ ଯାତ୍ରା ହେଉ ବା ଜଳଯାତ୍ରା ଭାବରେ ଡଙ୍ଗା ବା ବୋଟରେ ନଦୀ ବା ସମୁଦ୍ର ଯାତ୍ରା ଏ ସବୁ ଠାରୁ ସଡ଼କରେ ଯାତ୍ରା କରିବାର ଅନୁଭୂତି ସ୍ୱତନ୍ତ୍ର। କିନ୍ତୁ ଏହି ସୁଖଦ ଅନୁଭୂତିର ଯାତ୍ରା ଯେପରି ମର୍ମାନ୍ତିକ, ଦୁଃଖଦ ଓ ଅଭାବନୀୟ ନ ହୁଏ ଏଥିପ୍ରତି ଆମେ ସମସ୍ତେ ସଚେତନ ରହିବା ଅତ୍ୟନ୍ତ ଜରୁରୀ। ସଡ଼କ ଯାତ୍ରା ପାଇଁ ପ୍ରଥମ ବାଧକ ସଂପ୍ରତି ପାଲଟିଛି ବେପରୁଆ ଗାଡ଼ି ଚାଳନା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଲାଇବା ଆଉ ମୋବାଇଲ ଫୋନରେ ଗୀତ ଶୁଣିବା ଓ କଥା ହେବା। ଏଥିରେ ବ୍ୟସ୍ତ ରହିବା ଦ୍ୱାରା ଦୁର୍ଘଟଣା ଭୟାନକ ଭାବେ ଯେଉଁପରି ଭାବେ ବୃଦ୍ଧି ପାଉଛି ତାହା ଏକ ଅତ୍ୟନ୍ତ ଦୁଃଖଦ ପ୍ରସଙ୍ଗ।

ସହରୀକରଣକୁ ସଂପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ତଥାକଥିତ ସ୍ମାର୍ଟ ସିଟି ହେଉ ବା ରାଜଧାନୀ ଏପରିକି ବ୍ୟସ୍ତବହୁଳ ସଡ଼କ ପଥ ସହ ଯୋଗାଯୋଗ ରଖିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ଭାବରେ ସଡ଼କର ଦ୍ରୁତ ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନିକଟରେ କାନାଡ଼ାର ବୈଜ୍ଞାନିକମାନଙ୍କ ଏକ ରିପୋର୍ଟ ଆମ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସହରୀକରଣ ବିଶ୍ୱବ୍ୟାପୀ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ନିଶ୍ଚୟ, ଜାତୀୟ ପ୍ରଗତି ଓ ଅଭିବୃଦ୍ଧିର ଏକ ମାନଙ୍କ ଭାବରେ ସଡ଼କ ବିକାଶକୁ ସର୍ବାଦୌ ଗୁରୁତ୍ୱ ଦିଆଯାଉଛି। ତେବେ କାନାଡ଼ା ବୈଜ୍ଞାନିକମାନଙ୍କ ରିପୋର୍ଟ ଯେତିକି ଉଦବେଗଜନକ ତତୋଧିକ ଦୁଃଖଦାୟକ। ତାଙ୍କ ରିପୋର୍ଟର ତଥ୍ୟ ଅନୁଯାୟୀ ବ୍ୟସ୍ତବହୁଳ ସଡ଼କ ବା ମାତ୍ରାଧିକ ଯାନବାହନ ଗତାଗତ କରୁଥିବା ଏହି ବ୍ୟସ୍ତବହୁଳ ସଡ଼କରେ ଏହାର ନିକଟରେ ରହୁଥିବା ଲୋକମାନଙ୍କର ଅଧିକ ଭାବରେ ମାନସିକ ବିକୃତି ଘଟିବା ସହ ସ୍ମୃତି ଭ୍ରଂସ ବା ମନେନରହିବା ଭଳି ଶାରୀରିକ ବିକାର ଦେଖାଦେଉଛି।

କାନାଡ଼ାର ଓଂଟାରିଓ ସହରରେ ଦଶ ବର୍ଷରୁ ଅଧିକ କାଳ ଧରି ଅଧ୍ୟୟନରତ ଏକ ରିସର୍ଚ୍ଚ ଗୃପ୍ ଅନ୍ୟୁନ କୋଡିଏ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ଜୀବନଶୈଳୀ ଉପରେ ଅନୁଧ୍ୟାନ କରି ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି ତାଙ୍କ ମତରେ ବର୍ଷ ବର୍ଷ ଧରି ସଡ଼କ ନିକଟରେ ବସବାସ କରୁଥିବା ବାସିନ୍ଦାମାନେ ଯେତିକି ପରିମାଣର ଶବ୍ଦ ପ୍ରଦୂଷଣର ଶିକାର ହୁଅନ୍ତି ଏହା ତାଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ସେ ଜଣାଇଛନ୍ତି ଯେ ସହର ନିକଟରେ ବସବାସ କରୁଥିବା ଲୋକଙ୍କ ଠାରେ ମାନସିକ ବିକୃତିର ମାତ୍ରା ୮%ରୁ ଉର୍ଦ୍ଧ। ଯଦିଓ ଶହେ ମିଟର ଦୂରତା ଭିତରେ ରହୁଥିବା ଏହି ଲୋକମାନଙ୍କର ମାତ୍ରା ୪%ରୁ କମ୍। ସଡ଼କ ସନ୍ନିକଟରେ ବର୍ଷ ବର୍ଷ ଧରି ଜନ୍ମ ଭିଟାମାଟିରେ ରହୁଥିବା ଲୋକମାନେ ବେଳେବେଳେ ସରକାର ଅଧିଗ୍ରହଣ କରୁଥିବା ଜମି ପାଇଁ ନିଜ ଜମି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି ଯାହାଦ୍ୱାରା ସେମାନେ କିଛି ଦୂରରେ ନିଜ ବସତି ସ୍ଥାପନ କରିଥାନ୍ତି। ତେବେ ଯେଉଁମାନେ ସଡ଼କ ନିକଟରେ ରହୁଥାନ୍ତି ସେମାନେ ମାତ୍ରାଧିକ ଚଳାଚଳ କରୁଥିବା ଯାନବାହାନର ଶବ୍ଦ ଓ ଉକ୍ରଟ ଚିକ୍ରାର ସୃଷ୍ଟି କରୁଥିବା ହର୍ଣ୍ଣ, ପ୍ରେଟୋଲ, ଡିଜେଲ ଓ ବିଭିନ୍ନ ଇନ୍ଧନ ପୋଡ଼ି ହୋଇ ଯେଉଁ ବିଷାକ୍ତ ଧୁଆଁ ଯଥା ନାଇଟ୍ରୋଜେନ ଅକ୍ସାଇଡ଼, ସୂକ୍ଷ୍ମ ବିପଜ୍ଜନକ ଓ କ୍ଷତିକାରକ ଆଖିକୁ ଦିଶୁନଥିବା କଣିକାଗୁଡ଼ିକ ସେମାନଙ୍କ ଶ୍ୱାସପ୍ରଶ୍ୱାସ କ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ଏହା କେବଳ ଶ୍ୱାସପ୍ରଶ୍ୱାସ କ୍ରିୟା ନୁହେଁ ମସ୍ତିଷ୍କର ସ୍ୱଭାବିକ ପ୍ରକ୍ରିୟାକୁ କ୍ରମଶଃ ପ୍ରଭାବିତ କରି ଏକ ପ୍ରକାର ଶୀଥିଳ କରିବାକୁ ଲାଗିଥାନ୍ତି। ଯାହାଦ୍ୱାରା ସେମାନେ ବିଭିନ୍ନ ମାନସିକ ବିକୃତିର ଶିକାର ହୋଇଥାନ୍ତି। ମାନସିକ ଅବସାଦ, ବିକୃତି, ଡିମେନ୍ସିଆ ଏହାର କାରଣ ପାଲଟିଥାନ୍ତି।

ଲୋକମାନେ ସଚେତନତାର ଅଭାବରୁ ଏ ଦିଗକୁ ପ୍ରଥମରୁ ଅଣଦେଖା କରିବା ଦ୍ୱାରା ପରେ ସେମାନେ ଉକ୍ରଟ ମାନସିକ ରୋଗର ଶିକାର ହୋଇଥାନ୍ତି। ବର୍ଷ ବର୍ଷ ଧରି ବିପଜ୍ଜନକ ଧୁଆଁ ଓ ଉତ୍କଟ ଶବ୍ଦ ଦିନରାତି ଅହୋରାତ୍ର ସେମାନଙ୍କ ମାନସିକତାକୁ ବିଚଳିତ କରି ବିକୃତିର ଦିଗକୁ ନେଇଥାଏ। ଏପରି କିଛି ରୋଗୀଙ୍କୁ ଆମେ ନିତିଦିନ ସ୍ୱାସ୍ଥ୍ୟ ପରାମର୍ଶ କାର୍ଯ୍ୟକ୍ରମରେ ଭେଟିଥାଉ। ସେମାନଙ୍କୁ ଚିକିତ୍ସା କରୁ ଏବଂ ମନସ୍ତାତ୍ୱିକ ଦୃଷ୍ଟିକୋଣରୁ ସେମାନଙ୍କୁ ଯଥାର୍ଥ ସଚେତନ ମଧ୍ୟ କରାଯାଇଥାଏ। କେବଳ ସହର ବିକାଶ ନୁହେଁ ଏକ ରାଷ୍ଟ୍ରର ଅଭିବୃଦ୍ଧି ବିକାଶରେ ଉପଯୁକ୍ତ ଓ ପର୍ଯ୍ୟାପ୍ତ ସଡ଼କର ଆବଶ୍ୟକତା ରହିଛି। କିନ୍ତୁ ଏ ନିହାତି ଭିତରେ ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ କେହି ଅଣଦେଖା କରିବା ଅନୁଚିତ। ବର୍ଷ ବର୍ଷ ଧରି ଏହି ପ୍ରାଥମିକ ଅବସ୍ଥାର ବିକୃତି ପରେ ଯେଉଁ ମାନସିକ ରୋଗର ଭୟାନକ ରୂପ ଦେଖାଇଥାଏ ତାହା ଅତ୍ୟନ୍ତ ଦୁଃଖଦାୟକ। ଏନେଇ ସାଧାରଣରେ ସଚେତନତା ସୃଷ୍ଟି ହେବା ସହ ସରକାରୀ କ୍ଷେତ୍ରରେ ଏ ଦିଗକୁ ଅବହେଳା କରିବା ଅନୁଚିତ ନଚେତ ଆଗାମୀ ଦିନରେ ଏ ସଂକ୍ରାନ୍ତୀୟ ମାନସିକ ରୋଗୀମାନଙ୍କ ସଂଖ୍ୟା ଯେଉଁପରି ଉଦବେଗ ଜନକ ଭାବେ ବଢ଼ିବ ତାହା ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ।

ମାନସିକ ରୋଗ ବିଶେଷଜ୍ଞ, ଦି ବ୍ରେନ୍, ପୁରୀଘାଟ ରୋଡ୍, କଟକ

Leave a Reply

Your email address will not be published. Required fields are marked *