ଶବ୍ଦର ଖେଳ

ରସିକ କବି ୟିଟସ୍

ଶାରଦା ପ୍ରସନ୍ନ ବେହେରା, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- ସାହିତ୍ୟରେ ନୋବେଲ ପାଇଥିବା ପ୍ରଥମ ଆଇରିସ୍ ଲେଖକ ହେଉଛନ୍ତି ୱିଲିଅମ୍ ବଟଲର୍ ୟିଟସ୍। ସେ ଥିଲେ କବି, ପ୍ରାବନ୍ଧିକ, ନାଟ୍ୟକାର ତଥା ରାଜନୀତିଜ୍ଞ। ୧୯୨୩ରେ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ପ୍ରସିଦ୍ଧ ନାଟ୍ୟଗୁଡ଼ିକ ହେଉଛି ଦ କାଉଣ୍ଟେସ୍ କାଥଲିନ୍, ଦ ଲାଣ୍ଡ ଅଫ୍ ହାର୍ଟସ୍ ଡିଜାୟାର ଓ କାଥଲିନ୍ ନିହୁଲିହାନ୍। ଦ ଟାୱାର, ଦ ଉଇଣ୍ଡିଙ୍ଗ୍ ଷ୍ଟେୟାର୍, ଏ ଫୁଲ ମୁନ୍ ଇନ୍ ମାର୍ଚ୍ଚ ଆଦି ତାଙ୍କର ପ୍ରସିଦ୍ଧ କବିତା ତାଲିକା ଅନ୍ତର୍ଭୁକ୍ତ। ଆଇରିସ୍ ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇଥିବା ସାହିତ୍ୟିକଙ୍କ ମଧ୍ୟରେ ଜଣେ ବୋଲି କୁହାଯାଏ।

ଆୟାରଲାଣ୍ଡର ଡବଲିନ୍ ରେ ଜନ୍ମ ହୋଇଥିଲେ ହେଁ ୟିଟସଙ୍କ ଶୈଶବ କୈଶୋର କଟିଥିଲା ଲଣ୍ଡନରେ। ପନ୍ଦର ବର୍ଷ ହେବା ପରେ ସେ ସ୍ୱଦେଶକୁ ଫେରି କିଛି କାଳ ଏକ କଳା ବିଦ୍ୟାଳୟରେ ପଢ଼ିଥିଲେ। ଭଲ ନ ଲାଗିବାରୁ ଲେଖକ ଜୀବନ ଆରମ୍ଭ କରି ସଫଳ ହୋଇଥିଲେ।

ସେ ଲେଖାଲେଖିରୁ ବାର୍ଷିକ ପ୍ରାୟ ଦୁଇଶହ ପାଉଣ୍ଡ ରୋଜଗାର କରୁଥିବା ଜଣାଯାଏ। ଆଇରିସ୍ ବିପ୍ଳବିନୀ ମୌଡ଼ ଗନଙ୍କୁ ସେ ପ୍ରେମ କରୁଥିଲେ ଏବଂ ବିବାହ ପାଇଁ ମଧ୍ୟ ଚାରି ଚାରି ଥର ପ୍ରସ୍ତାବ ଦେଇଥିଲେ । ପ୍ରତ୍ୟେକ ଥର ମୌଡ଼ ପ୍ରତ୍ୟାଖ୍ୟାନ କରିଥିଲେ । ମୌଡ଼ ଅନ୍ୟଜଣଙ୍କୁ ବିବାହ କରିବା ଯୋଗୁଁ ୟିଟସ୍ ଭାଙ୍ଗି ପଡ଼ିଥିଲେ । ମୌଡ଼ ପତିଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ୟିଟସଙ୍କ ସହ ଥରଟିଏ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ହେଁ ବିବାହ କରିନଥିଲେ। ଗୋପନୀୟ ଯୌନ ମିଳନର କୋଡିଏ ବର୍ଷ ପରେ ୟିଟସ୍ ପାରିସରେ କଟିଥିବା ସେହି ରାତିଟିକୁ ଏକ କବିତା ରୂପ ଦେଇଥିଲେ ଏ ମ୍ୟାନ ୟଙ୍ଗ ଆଣ୍ଡ ଓଲଡ୍।

ଏହି ରସିକ କବି ମୌଡ଼ଙ୍କ ପାଳିତା କନ୍ୟା ଇସୁଲ୍ଟଙ୍କୁ ମଧ୍ୟ ପ୍ରେମ ନିବେଦନ କରି ବିଫଳ ହୋଇଥିଲେ। ଶେଷରେ ପଚାଶ ବର୍ଷ ବୟସରେ ବ୍ରିଟିସ୍ ଯୁବତୀ ଜର୍ଜି ହାଇଡ଼ ଲିଜଙ୍କୁ ବିବାହ କରିଥିଲେ। ୟିଟସ୍ ଙ୍କ ବନ୍ଧୁମାନେ ତାଙ୍କୁ ୱିଲି ଡାକୁଥିଲେ। କର୍ଣ୍ଣ ଜନିତ ତ୍ରୁଟି ଯୋଗୁଁ ସେ ସଂଗୀତର ସ୍ୱରର ତୀବ୍ରତା ଧରିପାରୁନଥିଲେ। ଭାରତୀୟ ଧର୍ମତତ୍ତ୍ୱ ଓ ଜ୍ୟୋର୍ତିବିଦ୍ୟା ଦ୍ୱାରା ସେ ପ୍ରଭାବିତ ଥିଲେ। ମାଡ଼ମ୍ ବ୍ଲାଭାସ୍କିଙ୍କ ସଂସ୍ପର୍ଶରେ ଆସି ସେ ଥିଓସୋଫିକାଲ୍ ସୋସାଇଟିର ସଦସ୍ୟ ହୋଇଥିଲେ। ଭୂତ-ପ୍ରେତରେ ତାଙ୍କର ବିଶ୍ୱାସ ଥିଲା। ୧୮୫୬ ଜୁନ୍ ୧୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

Leave a Reply

Your email address will not be published. Required fields are marked *