ଜାତୀୟ

ପ୍ରଳୟ ରଚିବ ଅତି ଭୀଷଣ ସାମୁଦ୍ରିକ ଝଡ ‘ଫାନି’

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୧/ମେ/୧୯ : ଅତି ଭୀଷଣ ସାମୁଦ୍ରିକ ଝଡ ‘ଫାନି’ର ଲ୍ୟାଣ୍ଡଫଲ୍ ସମୟରେ ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ଫାନି’ର ଆଗମନ ଯେତେ ପାଖେଇ ଆସୁଛି ସମୁଦ୍ର ସେତିକି କୂଳ ଲଂଘୁଛି। ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର। ଏଥିରେ ଓଡିଶାର ୧୬ଟି ଜିଲ୍ଲା ପ୍ରଭାବିତ ହେବ। ସର୍ବାଧିକ କ୍ଷତିଗ୍ରସ୍ତ ହେବ ୯ଟି ଉପକୂଳବର୍ତ୍ତୀ ଜିଲ୍ଲା। କେବଳ ସେତିକି ନୁହେଁ, ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି କି ଫାନୀ ପ୍ରଭାବରେ ସମୁଦ୍ରରେ ୧.୫ ମିଟର ଉଚ୍ଚ ଜୁଆର ଉଠିବ, କିନ୍ତୁ ଅନ୍ୟ କେତେକ ପାଣିପାଗ ବିଶେଷଜ୍ଞ କହୁଛନ୍ତି ଯେ ୧୫ରୁ ୨୦ ଫୁଟ୍‌ ଉଚ୍ଚ ଜୁଆର ମାଡ଼ି ଆସିପାରେ। ଯାହାକି ଉପକୂଳରେ ଥିବା ସବୁକିଛି ଭସାଇନେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୫୦ ମିଲିମିଟରରୁ ଅଧିକ ବର୍ଷା ବୁଡ଼ାଇଦେବ ଅନେକ ଅଞ୍ଚଳକୁ।

ଛାତି ଥରାଇ ଦେଲା ଭଳି ଚିତ୍ର ଆଙ୍କିଛି ପାଣିପାଗ ବିଭାଗ। ଏ ପୂର୍ବାନୁମାନ ଯଦି ସତ ହୁଏ, ତେବେ ଓଡ଼ିଶାକୁ ମୋଡ଼ି ମକଚି ଦେବ ‘ଫାନି’। ଆହୁରି ଭୟାନକ ଚିତ୍ର ଦେଖାଉଛି ଆମେରିକାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର। ପୂର୍ବାନୁମାନ ଦେଇଛି, ‘ଫାନି’ର ବେଗ ଘଣ୍ଟା ପ୍ରତି ୧୯୦ କି.ମି ରହିବା ସମ୍ଭାବନା ଅଛି। ହେଲେ ପବନର ଧକ୍କା ୨୩୪ କି.ମି ଛୁଇଁପାରେ। ଏଥିରୁ ଅନୁମାନ କରାଯାଇପାରେ କି ଓଡ଼ିଶା ପାଇଁ କେତେ ଭୟଙ୍କର ହୋଇପାରେ ‘ଫାନି’। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ‘ଫାନି’ ଉପକୂଳ ଛୁଇଁପାରେ ବୋଲି ଆକଳନ କରିଛି।

‘ଫାନି’ ସ୍ଥଳଭାଗ ଛୁଇଁବା ପରେ ଯେଉଁ ପଥରେ ଯିବ, ତା’ର ଦକ୍ଷିଣ ପୂର୍ବରେ ସର୍ବାଧିକ କ୍ଷତି ଘଟାଇବ। ‘ଫାନି’ ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି। ଏହାବ୍ୟତିତ ଗଜପତି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ବି ପ୍ରଭାବିତ ହେବ। ବାତ୍ୟାର କେନ୍ଦ୍ରସ୍ଥଳରୁ ୧୧୦ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ ଯେଉଁ ଅଞ୍ଚଳ ପଡ଼ିବ, ସେଠାରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ। ବାତ୍ୟା ପ୍ରଭାବରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚ ଜୁଆର ଉଠିପାରେ।

ଏକଥା ନୁହେଁ ଯେ ‘ଫାନି’ ମାଡ଼ରେ କେବଳ ଏହି ସବୁ ଜିଲ୍ଲାଗୁଡିକ ହିଁ କ୍ଷତିଗ୍ରସ୍ତ ହେବ। ବରଂ ବାତ୍ୟାର କେନ୍ଦ୍ରସ୍ଥଳ ଏହି ସବୁ ଜିଲ୍ଲା ଦେଇ ଯିବ। ହେଲେ ‘ଫାନି’ର ବାହ୍ୟ ଓ ଆଭ୍ୟନ୍ତରୀଣ ବଳୟ ସାରା ଓଡ଼ିଶାକୁ ଗ୍ରାସିବ। ସାରା ରାଜ୍ୟ ପ୍ରଭାବିତ ହେବ ଏହି ମହାବିପତ୍ତିରେ। ବାଲେଶ୍ୱର ଉପକୂଳରେ ଘଷି ହୋଇ ୪ ତାରିଖ ସକାଳେ ‘ଫାନି’ ପଶ୍ଚିମବଙ୍ଗ ଛୁଁଇବ। ସେତେବେଳକୁ ଏହା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ) ଅବସ୍ଥାରେ ଥିବ। ସେତେବେଳେ ପବନର ବେଗ ଥିବ ୧୨୫ରୁ ୧୩୫ କିଲୋମିଟର। ମଝିରେ ମଝିରେ ପବନ ବେଗ ୧୫୦ କି.ମି ବେଗ ଛୁଇଁପାରେ। ପଶ୍ଚିମବଙ୍ଗ ପରେ ଏହା ବାଂଲାଦେଶକୁ ପଳାଇବ। ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଥିବା ଅନୁମାନ କରାଯାଉଛି।

କୃଷି ଓ ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସାମାନ୍ୟ ଭିନ୍ନ ଚିତ୍ର ଦେଇଛନ୍ତି। ସେ କହିଛନ୍ତି କି, ପୁରୀ ନୁହେଁ, ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ଫାନି। ଅପରାହ୍ନ ନୁହେଁ, ୩ ତାରିଖ ସକାଳ ପ୍ରାୟ ୯ଟା ୩୦ରେ ଏହା ସ୍ଥଳଭାଗରେ ମାଡ଼ ହେବ। ସେତେବେଳକୁ ୧୮୦ କି.ମି ବେଗରେ ପବନ ବହିବ। ପବନର ଧକ୍କା ୨୦୦ କିମି ଟପିପାରେ। ତାଙ୍କ ପୂର୍ବାନୁମାନରୁ ଯାହା ଜଣାପଡୁଛି, ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ଭୁବନେଶ୍ୱରରୁ ୩୦ କିଲୋମିଟର ଦୂରରେ ଥିବ ‘ଫାନି’ର କେନ୍ଦ୍ରସ୍ଥଳ। ସେତେବେଳେ ପବନର ବେଗ ଥିବ ୧୫୦ରୁ ୧୬୦ କିଲୋମିଟର। ଏହା ବାରିପଦା ଦେଇ ୪ ତାରିଖ ସକାଳେ ପଶ୍ଚିମବଙ୍ଗ ଯିବ। ସେତେବେଳକୁ ପବନ ବେଗ ୧୦୦ କି.ମିକୁ ଖସି ଯାଇଥିବ। ଅର୍ଥାତ୍‌ ୧୮ରୁ ୨୪ ଘଣ୍ଟା ଯାଏ ଓଡ଼ିଶାରେ ରହି ‘ଫାନି’ ତାଣ୍ଡବ ରଚାଇବ।

Leave a Reply

Your email address will not be published. Required fields are marked *