ଧର୍ମ

ଶିବ ତତ୍ତ୍ୱ ଆଲୋଚନା ସଭା

ଚିଲିକା/ଖୋର୍ଦ୍ଧା(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୨୫,୧୦- ପରମ କାରୁଣିକ ମଙ୍ଗଳମୟ ମଙ୍ଗଳ ପ୍ରଦାୟକ ଦେବାଧିଦେବ ମହାଦେବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ ଅପଶକ୍ତି, ଅନ୍ୟାୟ ଅନୀତିକୁ ସଂହାର କରି ସଂସାରକୁ ସୁଖ ଶାନ୍ତି ପ୍ରଦାନ କରନ୍ତି। ସେ ଅକାଳ ମୃତ୍ୟୁ ହରଣକର୍ତ୍ତା ମହାଶକ୍ତି ମୃତ୍ୟୁଞ୍ଜୟ। ପ୍ରଭୂଙ୍କ ଠାରୁ ସୃଷ୍ଟିର ଆରମ୍ଭ। ସମଗ୍ର ଜୀବଜଗତ ସେହି ଦିବ୍ୟ ଶକ୍ତି ଦ୍ୱାରା ସଞ୍ଚାଳିତ। ବିଦ୍ୱାନମାନେ ମନୁଷ୍ୟ ଜନ୍ମର ସାର୍ଥକତା ଲଭିବା ପାଇଁ ପ୍ରଭୂଙ୍କର ଶରଣରେ ଆଶ୍ରୟ ନିଅନ୍ତି। ସମାଜରେ ଶାନ୍ତି, ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ପାଇଁ ସେମାନେ ଆଧ୍ୟାତ୍ମିକ ତତ୍ତ୍ୱର ପ୍ରଚାର ପ୍ରସାରକୁ ଜୀବନର ମୂଳ ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ। ଗତ ୨୫ ବର୍ଷ ଧରି ପ୍ରତି ମାସ ସଂକ୍ରାନ୍ତି ତିଥିରେ ଏଠାରେ ଶିବ ତତ୍ତ୍ୱ ଆଲୋଚନା ସଭା ଆୟୋଜିତ ହୋଇଆସୁଛି।

ବେଦ ମନ୍ତ୍ର ପାଠରୁ ଆରମ୍ଭ ହୁଏ ଶିବ ତତ୍ତ୍ୱ ଆଲୋଚନା ସଭା। ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜଙ୍କ ଉପସ୍ଥିତିରେ ଲିଙ୍ଗାଷ୍ଟକ ସ୍ତୋତ୍ର, ୧୦୮ ଶିବ ପଞ୍ଚାକ୍ଷର ଜପ, ଶିବ କଥାମୃତ, ଭାଗବତ ପାଠ ସମେତ ବକ୍ତାମାନେ ବିଭିନ୍ନ ଐଶ୍ୱରୀୟ ଘଟଣାକୁ ନେଇ ପ୍ରବଚନ ଦେବା ପରେ ସମାପ୍ତ ହୁଏ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଏହି ଧର୍ମସଭାରେ କୁହୁଡ଼ି ୬ ଗଡ଼ର ବହୁ ଶ୍ରଦ୍ଧାଳୁ ଯୋଗଦେଇ ଧ୍ୟାନ, ଭଜନରେ ମଗ୍ନ ହୁଅନ୍ତି। ପ୍ରାଚୀନ ଶୈବପୀଠ ଶ୍ରୀଚଣ୍ଡୀହର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମାସର ସଂକ୍ରାନ୍ତି ତିଥିରେ ଏହା ଅନୁଷ୍ଠିତ ହୁଏ।

ଅନୁଷ୍ଠାନର ଉପଦେଷ୍ଟା ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜଙ୍କ ଉଦ୍ୟମରେ ରାଜ୍ୟରେ ଶିବ ତତ୍ତ୍ୱର ପ୍ରଚାର ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବର୍ଷ ତମାମ ଓଡ଼ିଶାର ୧୦୮ଟି ଶୈବପୀଠରେ ଶିବ ତତ୍ତ୍ୱ ଆଲୋଚନା ସଭା ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୂଣ୍ୟ କେଶର କ୍ଷେତ୍ର ଶ୍ରୀଚଣ୍ଡେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜକୁ ୨୫ ବର୍ଷ ଧରି ଶିବ ତତ୍ତ୍ୱ ଆଲୋଚନା ସଭା ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମ ପାଇଁ ସ୍ୱର୍ଗତ ପବିତ୍ର ମହାପାତ୍ରଙ୍କ ସମେତ ଶ୍ରୀ ଚଣ୍ଡୀହର ଦେବଙ୍କ ପ୍ରଧାନ ସେବକ ଧୋବା ରଣା ଓ ସୁନ୍ଦରପୁର ଗ୍ରାମବାସୀଙ୍କ ଉଦ୍ୟମ ପ୍ରଶଂସନୀୟ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଭାବେ ଉଭୟ ସଦସ୍ୟ ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜଙ୍କ ସହ ଯୋଗସୂତ୍ର ରଖି କାର୍ଯ୍ୟକ୍ରମ ଆରମ୍ଭ କରାଇବାରେ ସଫଳ ହୋଇଥିଲେ। ସମ୍ପ୍ରତି ଅନୁଷ୍ଠାନର ସଭାପତି ନିରୁପମା ଦାସଙ୍କ ସମେତ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଏବଂ ଉନ୍ନୟନ ସମିତି କର୍ମକର୍ତ୍ତାଙ୍କ ସହ ସମ୍ପାଦକ ହରିହର ରଣା କାର୍ଯ୍ୟକ୍ରମ ପରିଚାଳନା କରିବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି > ନିୟୁଜ୍ ସୋର୍ସ ହରିହର ରଣା, ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *